Text copied!
CopyCompare
ଓଡିଆ ବାଇବେଲ - ଯୋହନ - ଯୋହନ 12

ଯୋହନ 12:15-40

Help us?
Click on verse(s) to share them!
15ଆଗୋ ସିୟୋନର କନ୍ୟେ, ଭୟ କର ନାହିଁ; ଦେଖ, ତୋର ରାଜା ଆସୁଅଛନ୍ତି, ସେ ଗର୍ଦ୍ଦଭ ଶାବକ ଉପରେ ଆରୋହଣ କରି ଆସୁଅଛନ୍ତି ।
16ତାହାଙ୍କ ଶିଷ୍ୟମାନେ ପ୍ରଥମେ ଏହି ସମସ୍ତ ବିଷୟ ବୁଝିଲେ ନାହିଁ, କିନ୍ତୁ ଯୀଶୁ ମହିମାନ୍ୱିତ ହେଲା ଉତ୍ତାରେ ଏସମସ୍ତ ବିଷୟ ଯେ ତାହାଙ୍କ ସମ୍ବନ୍ଧରେ ଲେଖାଯାଇଥିଲା, ପୁଣି, ତାହାଙ୍କ ପ୍ରତି ସେମାନେ ଯେ ଏହି ସବୁ କରିଥିଲେ, ତାହା ସେମାନଙ୍କ ମନରେ ପଡ଼ିଲା ।
17ଆଉ, ସେ ଲାଜାରଙ୍କୁ ସମାଧିରୁ ଡାକି ମୃତମାନଙ୍କ ମଧ୍ୟରୁ ଉଠାଇବା ସମୟରେ ଯେଉଁ ଲୋକସମୂହ ତାହାଙ୍କ ସହିତ ଥିଲେ, ସେମାନେ ସାକ୍ଷ୍ୟ ଦେବାକୁ ଲାଗିଲେ ।
18ଏହି କାରଣରୁ ମଧ୍ୟ ଲୋକସମୂହ ତାହାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ, ଯେଣୁ ସେ ଏହି ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି ବୋଲି ସେମାନେ ଶୁଣିଥିଲେ ।
19ସେଥିରେ ଫାରୂଶୀମାନେ ପରସ୍ପର କୁହାକୋହି ହେଲେ, ଦେଖୁଛ ତ, ତୁମ୍ଭମାନଙ୍କ ସମସ୍ତ ଚେଷ୍ଟା ବିଫଳ ହେଉଅଛି; ଦେଖ, ଜଗତଟାଯାକ ତାହାର ପଛରେ ଗଲେଣି ।
20ପର୍ବ ସମୟରେ ଉପାସନା କରିବା ନିମନ୍ତେ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରେ କେତେକ ଗ୍ରୀକ୍‍ ଲୋକ ଥିଲେ ।
21ସେମାନେ ଗାଲିଲୀସ୍ଥ ବେଥ୍‍ସାଇଦାନିବାସୀ ଫିଲିପ୍ପଙ୍କ ନିକଟକୁ ଆସି ତାହାଙ୍କୁ ଅନୁରୋଧ କରି କହିଲେ, ମହାଶୟ, ଯୀଶୁଙ୍କୁ ଦର୍ଶନ କରିବା ନିମନ୍ତେ ଆମ୍ଭମାନଙ୍କର ଇଚ୍ଛା ।
22ଫିଲିପ୍ପ ଯାଇ ଆନ୍ଦ୍ରୀୟଙ୍କୁ କହିଲେ, ପୁଣି, ଆନ୍ଦ୍ରୀୟ ଓ ଫିଲିପ୍ପ ଯାଇ ଯୀଶୁଙ୍କୁ କହିଲେ ।
23ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମନୁଷ୍ୟପୁତ୍ର ମହିମାନ୍ୱିତ ହେବା ନିମନ୍ତେ ସମୟ ଉପସ୍ଥିତ ।
24ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଗହମବୀଜ ଯଦି ମୃତ୍ତିକାରେ ପଡ଼ି ନ ମରେ, ତାହାହେଲେ ତାହା ଏକମାତ୍ର ଥାଏ, କିନ୍ତୁ ଯଦି ମରେ, ତାହାହେଲେ ବହୁତ ଫଳ ଫଳେ ।
25ଯେ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରେ, ସେ ତାହା ହରାଇବ, ଆଉ ଯେ ଆପଣା ପ୍ରାଣକୁ ଇହଜଗତରେ ଘୃଣା କରେ, ସେ ତାହା ଅନନ୍ତ ଜୀବନ ନିମନ୍ତେ ରକ୍ଷା କରିବ ।
26କେହି ଯେବେ ମୋହର ସେବକ, ତେବେ ସେ ମୋହର ଅନୁଗମନ କରୁ; ଆଉ, ମୁଁ ଯେଉଁଠାରେ ଥାଏ, ମୋହର ସେବକ ମଧ୍ୟ ସେହିଠାରେ ରହିବ; କେହି ଯେବେ ମୋହର ସେବା କରେ, ତେବେ ପିତା ତାହାକୁ ସମ୍ମାନ ଦେବେ ।
27ଏବେ ମୋହର ପ୍ରାଣ ଉଦ୍ବିଗ୍ନ ହୋଇଅଛି, ଆଉ ମୁଁ କ'ଣ କହିବି ? ପିତଃ, ମୋତେ ଏହି ସମୟଠାରୁ ରକ୍ଷା କର ? କିନ୍ତୁ ଏଥିସକାଶେ ତ ମୁଁ ଏହି ସମୟ ମଧ୍ୟକୁ ଆସିଅଛି ।
28ପିତଃ, ଆପଣା ନାମ ମହିମାନ୍ୱିତ କର । ସେଥିରେ ଆକାଶରୁ ଏହି ବାଣୀ ହେଲା, ଆମ୍ଭେ ତାହା ମହିମାନ୍ୱିତ କରିଅଛୁ, ଆଉ ପୁନର୍ବାର ମହିମାନ୍ୱିତ କରିବୁ ।
29ତେଣୁ ପାଖରେ ଠିଆ ହୋଇଥିବା ଲୋକସମୂହ ଏହା ଶୁଣି ମେଘଗର୍ଜନ ହେଲା ବୋଲି କହିଲେ; ଅନ୍ୟମାନେ କହିଲେ, ଜଣେ ଦୂତ ଏହାଙ୍କୁ କଥା କହିଅଛନ୍ତି ।
30ଯୀଶୁ ଉତ୍ତର ଦେଲେ, ମୋ' ନିମନ୍ତେ ଏହି ବାଣୀ ହୋଇ ନାହିଁ, ମାତ୍ର ତୁମ୍ଭମାନଙ୍କ ନିମନ୍ତେ ହୋଇଅଛି ।
31ଏବେ ଏହି ଜଗତର ବିଚାର ଉପସ୍ଥିତ; ଏବେ ଏହି ଜଗତର ଅଧିପତିକୁ ବାହାରେ ପକାଯିବ ।
32ଆଉ, ମୁଁ ଯଦି ପୃଥିବୀରୁ ଊର୍ଦ୍ଧ୍ୱକୁ ଉତ୍ଥିତ ହେବି, ତାହାହେଲେ ସମସ୍ତଙ୍କୁ ଆପଣା ନିକଟକୁ ଆକର୍ଷଣ କରିବି ।
33ସେ କେଉଁ ପ୍ରକାର ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ସେଥିର ସୂଚନା ଦେଇ ଏହା କହିଲେ ।
34ସେଥିରେ ଲୋକସମୂହ ତାହାଙ୍କୁ ଉତ୍ତର ଦେଲେ, ଖ୍ରୀଷ୍ଟ ଅନନ୍ତକାଳ ରହିବେ ବୋଲି ଆମ୍ଭେମାନେ ମୋଶାଙ୍କ ବ୍ୟବସ୍ଥାରୁ ଶୁଣିଅଛୁ, ତେବେ ମନୁଷ୍ୟପୁତ୍ର ଅବଶ୍ୟ ଊର୍ଦ୍ଧ୍ୱକୁ ଉତ୍ଥିତ ହେବେ ବୋଲି ତୁମ୍ଭେ କିପରି କହୁଅଛ ? ଏହି ମନୁଷ୍ୟପୁତ୍ର କିଏ ?
35ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଆଉ ଅଳ୍ପ ସମୟ ମାତ୍ର ଜ୍ୟୋତିଃ ତୁମ୍ଭମାନଙ୍କ ମଧ୍ୟରେ ଅଛି । ଅନ୍ଧକାର ଯେପରି ତୁମ୍ଭମାନଙ୍କୁ ଗ୍ରାସ ନ କରେ, ଏଥି ନିମନ୍ତେ ତୁମ୍ଭମାନଙ୍କ ନିକଟରେ ଜ୍ୟୋତିଃ ଥାଉ ଥାଉ ଗମନାଗମନ କର; ଯେ ଅନ୍ଧକାରରେ ଗମନାଗମନ କରେ, ସେ କେଉଁଠାକୁ ଯାଉଅଛି, ତାହା ଜାଣେ ନାହିଁ ।
36ତୁମ୍ଭେମାନେ ଯେପରି ଜ୍ୟୋତିଃର ସନ୍ତାନ ହୁଅ, ସେଥିପାଇଁ ଜ୍ୟୋତିଃ ତୁମ୍ଭମାନଙ୍କ ନିକଟରେ ଥାଉ ଥାଉ ଜ୍ୟୋତିଃରେ ବିଶ୍ୱାସ କର । ଯୀଶୁ ଏହି ସବୁ କଥା କହି ପ୍ରସ୍ଥାନ କଲେ ଓ ସେମାନଙ୍କଠାରୁ ଗୋପନରେ ରହିଲେ ।
37କିନ୍ତୁ ଯଦ୍ୟପି ସେ ସେମାନଙ୍କ ସାକ୍ଷାତରେ ଏତେ ଆଶ୍ଚର୍ଯ୍ୟକର୍ମ କରିଥିଲେ, ତଥାପି ସେମାନେ ତାହାଙ୍କଠାରେ ବିଶ୍ୱାସ କରୁ ନ ଥିଲେ,
38ଯେପରି ଭାବବାଦୀ ଯିଶାଇୟଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ହେ ପ୍ରଭୁ, କିଏ ଆମ୍ଭମାନଙ୍କ ସମ୍ବାଦ ବିଶ୍ୱାସ କରିଅଛି ? ଆଉ ପ୍ରଭୁଙ୍କ ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି ?
39ଏହି କାରଣରୁ ସେମାନେ ବିଶ୍ୱାସ କରି ପାରୁ ନ ଥିଲେ, ଯେଣୁ ଯିଶାଇୟ ପୁନଶ୍ଚ କହିଅଛନ୍ତି,
40ସେ ସେମାନଙ୍କର ଚକ୍ଷୁ ଅନ୍ଧ କରିଅଛନ୍ତି, ଆଉ ସେମାନଙ୍କ ହୃଦୟ ଜଡ଼ କରିଅଛନ୍ତି, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ ହୃଦୟରେ ବୁଝିବେ ନାହିଁ, ପୁଣି, ଫେରିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ ।

Read ଯୋହନ 12ଯୋହନ 12
Compare ଯୋହନ 12:15-40ଯୋହନ 12:15-40