1ଏଥିଉତ୍ତାରେ ଯୀଶୁ ତିବିରୀୟା ସମୁଦ୍ରକୂଳରେ ଶିଷ୍ୟମାନଙ୍କୁ ପୁନର୍ବାର ଦର୍ଶନ ଦେଲେ । ସେ ଏହି ପ୍ରକାରେ ଦର୍ଶନ ଦେଲେ;
2ଶିମୋନ ପିତର, ଥୋମା, ଯାହାଙ୍କୁ ଦିଦୁମ କହନ୍ତି, ଗାଲିଲୀର କାନ୍ନାନିବାସୀ ନିଥନିୟେଲ, ଜେବଦୀଙ୍କ ପୁତ୍ରମାନେ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଦୁଇ ଜଣ ଏକତ୍ର ଥିଲେ ।
3ଶିମୋନ ପିତର ସେମାନଙ୍କୁ କହିଲେ, ମୁଁ ମାଛ ଧରିବାକୁ ଯାଉଅଛି । ସେମାନେ ତାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ ତୁମ୍ଭ ସାଙ୍ଗରେ ଯିବୁ । ସେମାନେ ବାହାରିଯାଇ ନୌକାରେ ଚଢ଼ିଲେ, ଆଉ ସେହି ରାତିରେ କିଛି ଧରି ପାରିଲେ ନାହିଁ ।
4କିନ୍ତୁ ପାହାନ୍ତା ହେଲା ଉତ୍ତାରେ ଯୀଶୁ କୂଳରେ ଠିଆ ହେଲେ; ତଥାପି ସେ ଯୀଶୁ ବୋଲି ଶିଷ୍ୟମାନେ ଜାଣିଲେ ନାହିଁ ।
5ଯୀଶୁ ସେମାନଙ୍କୁ କହିଲେ, ପିଲାମାନେ ତୁମ୍ଭମାନଙ୍କ ପାଖରେ କ'ଣ କିଛି ଖାଇବାର ଅଛି ? ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାହିଁ ।
6ସେ ସେମାନଙ୍କୁ କହିଲେ, ନୌକାର ଡାହାଣ ପାଖରେ ଜାଲ ପକାଅ, ଆଉ ତୁମ୍ଭେମାନେ ପାଇବ । ସେଥିରେ ସେମାନେ ଜାଲ ପକାଇଲେ, ଆଉ ଏତେ ମାଛ ପଡ଼ିଲା ଯେ, ସେମାନେ ତାହା ଟାଣି ପାରିଲେ ନାହିଁ ।
7ସେଥିରେ ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ସେ ପିତରଙ୍କୁ କହିଲେ, ଏ ତ ପ୍ରଭୁ। ଶିମୋନ ପିତର ଏ ତ ପ୍ରଭୁ ବୋଲି ଶୁଣି ଫୁଙ୍ଗା ଦେହ ହୋଇଥିବାରୁ ଆପଣା ଅଙ୍ଗରଖା ପିନ୍ଧି ସମୁଦ୍ରକୁ ଡେଇଁପଡ଼ିଲେ;
8କିନ୍ତୁ ଅନ୍ୟ ଶିଷ୍ୟମାନେ ମାଛରେ ଭର୍ତ୍ତି ହୋଇଥିବା ଜାଲ ଟାଣି ଟାଣି ସାନ ନାଆରେ ଆସିଲେ, କାରଣ ସେମାନେ କୂଳରୁ ଅଧିକ ଦୂରରେ ନ ଥିଲେ, କେବଳ ପ୍ରାୟ ଦୁଇ ଶହ ହାତ ଦୂରରେ ଥିଲେ ।
9ସେମାନେ କୂଳରେ ଓହ୍ଳାଇ ସେଠାରେ ଅଙ୍ଗାରର ନିଆଁ, ପୁଣି, ତାହା ଉପରେ ଭଜା ମାଛ ଓ ରୁଟି ଥୁଆ ହୋଇଥିବା ଦେଖିଲେ ।
10ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ଏବେ ଯେଉଁ ମାଛ ଧରିଅଛ, ସେଥିରୁ କିଛି ଆଣ ।
11ଶିମୋନ ପିତର ଯାଇ ଏକ ଶହ ତେପନ ବଡ଼ ବଡ଼ ମାଛରେ ଭର୍ତ୍ତି ହୋଇଥିବା ଜାଲ କୂଳକୁ ଟାଣି ଆଣିଲେ; ଆଉ ଏତେ ମାଛରେ ସୁଦ୍ଧା ଜାଲ ଛିଣ୍ଡିଲା ନାହିଁ ।
12ଯୀଶୁ ସେମାନଙ୍କୁ କହିଲେ, ଆସି ଭୋଜନ କର । ଶିଷ୍ୟମାନଙ୍କ ମଧ୍ୟରୁ କେହି ତୁମ୍ଭେ କିଏ ବୋଲି ତାହାଙ୍କୁ ପଚାରିବାକୁ ସାହସ କରୁ ନ ଥିଲେ, କାରଣ ସେ ଯେ ପ୍ରଭୁ, ଏହା ସେମାନେ ଜାଣିଥିଲେ ।
13ଯୀଶୁ ଆସି ରୁଟି ଘେନି ସେମାନଙ୍କୁ ଦେଲେ, ଆଉ ସେହି ପ୍ରକାରେ ମାଛ ମଧ୍ୟ ଦେଲେ ।
14ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ଯୀଶୁ ଶିଷ୍ୟମାନଙ୍କୁ ଏହି ତୃତୀୟ ଥର ଦର୍ଶନ ଦେଲେ ।
15ସେମାନେ ଭୋଜନ କଲା ଉତ୍ତାରେ ଯୀଶୁ ଶିମୋନ ପିତରଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କ'ଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଅଛ ? ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି । ସେ ତାଙ୍କୁ କହିଲେ, ମୋହର ମେଷଶାବକମାନଙ୍କୁ ଚରାଅ ।
16ସେ ପୁନର୍ବାର ଦ୍ୱିତୀୟ ଥର ତାଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କ'ଣ ମୋତେ ପ୍ରେମ କରୁଅଛ ? ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି । ସେ ତାଙ୍କୁ କହିଲେ, ମୋହର ମେଷମାନଙ୍କୁ ପ୍ରତିପାଳନ କର ।
17ସେ ତୃତୀୟ ଥର ତାଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କ'ଣ ମୋତେ ସ୍ନେହ କରୁଅଛ ? ତୁମ୍ଭେ କ'ଣ ମୋତେ ସ୍ନେହ କରୁଅଛ, ଏହା କହି ସେ ତୃତୀୟ ଥର ପିତରଙ୍କୁ ପଚାରିବାରୁ ସେ ଦୁଃଖିତ ହୋଇ ତାହାଙ୍କୁ କହିଲେ, ପ୍ରଭୋ, ଆପଣ ସମସ୍ତ ବିଷୟ ଜାଣନ୍ତି; ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି । ଯୀଶୁ ତାଙ୍କୁ କହିଲେ, ମୋହର ମେଷମାନଙ୍କୁ ଚରାଅ ।
18ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଯୁବକ ଥିବା ସମୟରେ ତୁମ୍ଭେ ଆପଣା କଟି ବନ୍ଧନ କରି ଯେଉଁ ଆଡ଼େ ଇଚ୍ଛା, ସେହି ଆଡ଼େ ଭ୍ରମଣ କରୁଥିଲ, କିନ୍ତୁ ବୃଦ୍ଧ ହେଲେ ତୁମ୍ଭେ ଆପଣା ହସ୍ତ ବିସ୍ତାର କରିବ ଓ ଅନ୍ୟ ଜଣେ ତୁମ୍ଭର କଟି ବନ୍ଧନ କରି, ଯେଉଁ ଆଡ଼େ ତୁମ୍ଭର ଇଚ୍ଛା ନ ଥିବ, ସେଆଡ଼େ ତୁମ୍ଭକୁ ଘେନିଯିବ ।
19ସେ କେଉଁ ପ୍ରକାର ମୃତ୍ୟୁଭୋଗ ଦ୍ୱାରା ଈଶ୍ୱରଙ୍କୁ ଗୌରବାନ୍ୱିତ କରିବେ, ସେଥିର ସୂଚନା ଦେଇ ସେ ଏହା କହିଲେ । ଏହା କହିଲା ଉତ୍ତାରେ ସେ ତାଙ୍କୁ କହିଲେ, ମୋହର ଅନୁଗାମୀ ହୁଅ ।
20ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ ଓ ଯେ ମଧ୍ୟ ରାତ୍ରିଭୋଜ ସମୟରେ ତାହାଙ୍କ ବକ୍ଷସ୍ଥଳରେ ଆଉଜିପଡ଼ି, ପ୍ରଭୁ, ଆପଣଙ୍କୁ କିଏ ଶତ୍ରୁ ହସ୍ତରେ ସମର୍ପଣ କରିବ ବୋଲି ପଚାରିଥିଲେ, ସେହି ଶିଷ୍ୟଙ୍କୁ ପିତର ବୁଲିପଡ଼ି ପଛରେ ଆସୁଥିବା ଦେଖିଲେ ।
21ପିତର ତାଙ୍କୁ ଦେଖି ଯୀଶୁଙ୍କୁ ପଚାରିଲେ, ପ୍ରଭୁ, ଏହାର ବିଷୟରେ କ'ଣ ?
22ଯୀଶୁ ତାଙ୍କୁ କହିଲେ, ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କ'ଣ ଅଛି ? ତୁମ୍ଭେ ମୋହର ଅନୁଗାମୀ ହୁଅ ।
23ସେଥିରେ ସେହି ଶିଷ୍ୟ ଯେ ମରିବ ନାହିଁ, ଭାଇମାନଙ୍କ ମଧ୍ୟରେ ଏହି କଥା ବ୍ୟାପିଗଲା, ମାତ୍ର ସେ ମରିବ ନାହିଁ ବୋଲି ଯୀଶୁ ତାଙ୍କୁ କହି ନ ଥିଲେ, କିନ୍ତୁ ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କ'ଣ ଅଛି ବୋଲି କହିଥିଲେ ।
24ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି ଓ ଏହି ସମସ୍ତ ଲେଖିଅଛନ୍ତି, ସେ ସେହି ଶିଷ୍ୟ; ଆଉ, ତାହାଙ୍କ ସାକ୍ଷ୍ୟ ଯେ ସତ୍ୟ, ତାହା ଆମ୍ଭେମାନେ ଜାଣୁ ।
25ପୁଣି, ଯୀଶୁ ଆହୁରି ଅନେକ ଅନେକ କର୍ମ ମଧ୍ୟ କରିଥିଲେ; ସେହି ସବୁ ଯଦି ଗୋଟି ଗୋଟି କରି ଲେଖା ଯାଆନ୍ତା, ତାହାହେଲେ ଏତେ ପୁସ୍ତକ ଲେଖା ହୁଅନ୍ତା ଯେ, ମୋହର ବିଚାରରେ ସମୁଦାୟ ଜଗତରେ ସୁଦ୍ଧା ସେହି ସବୁ ରଖିବା ନିମନ୍ତେ ସ୍ଥାନ ହୁଅନ୍ତା ନାହିଁ ।