1ଯୀଶୁ ଏହି ସବୁ କଥା କହି ଆପଣା ଶିଷ୍ୟମାନଙ୍କ ସହିତ କିଦ୍ରୋଣ ଜୋଡ଼ର ଆରପାଖକୁ ବାହାରିଗଲେ । ସେଠାରେ ଗୋଟିଏ ଉଦ୍ୟାନ ଥିଲା, ଆଉ ସେ ଓ ତାହାଙ୍କ ଶିଷ୍ୟମାନେ ସେଥିରେ ପ୍ରବେଶ କଲେ ।
2ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ମଧ୍ୟ ସେହି ସ୍ଥାନ ଜାଣିଥିଲା, କାରଣ ଯୀଶୁ ଅନେକ ଥର ଆପଣା ଶିଷ୍ୟମାନଙ୍କ ସହିତ ସେ ସ୍ଥାନକୁ ଯାଉଥିଲେ ।
3ଅତଏବ, ଯିହୂଦା ସୈନ୍ୟଦଳ ପୁଣି, ପ୍ରଧାନ ଯାଜକ ଓ ଫାରୂଶୀମାନଙ୍କଠାରୁ ପ୍ରାପ୍ତ ପଦାତିକମାନଙ୍କୁ ଘେନି ବତୀ, ମଶାଲ ଓ ଅସ୍ତ୍ରଶସ୍ତ୍ର ଧରି ସେଠାକୁ ଆସିଲା ।
4ସେଥିରେ ଯୀଶୁ, ତାହାଙ୍କ ପ୍ରତି ଯାହା ଯାହା ଘଟିବାକୁ ଯାଉଅଛି, ସେହି ସବୁ ଜାଣି ଆଗକୁ ଯାଇ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହାକୁ ଖୋଜୁଅଛ ?
5ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାଜରିତୀୟ ଯୀଶୁକୁ । ସେ ସେମାନଙ୍କୁ କହିଲେ, ମୁଁ ସେହି । ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ମଧ୍ୟ ସେମାନଙ୍କ ସାଙ୍ଗରେ ଠିଆ ହୋଇଥିଲା ।
6ଯୀଶୁ ଯେତେବେଳେ ସେମାନଙ୍କୁ କହିଲେ, ମୁଁ ସେହି, ସେତେବେଳେ ସେମାନେ ପଛକୁ ହଟିଯାଇ ଭୂମିରେ ପଡ଼ିଗଲେ ।
7ସେଥିରେ ସେ ସେମାନଙ୍କୁ ଆଉ ଥରେ ପଚାରିଲେ, ତୁମ୍ଭେମାନେ କାହାକୁ ଖୋଜୁଅଛ ? ସେମାନେ କହିଲେ, ନାଜରିତୀୟ ଯୀଶୁଙ୍କୁ ।
8ଯୀଶୁ ଉତ୍ତର ଦେଲେ, ମୁଁ ଯେ ସେହି, ଏହା ତ ମୁଁ ତୁମ୍ଭମାନଙ୍କୁ କହିଲି । ଏଣୁ ଯଦି ତୁମ୍ଭେମାନେ ମୋତେ ଖୋଜୁଅଛ, ତାହାହେଲେ ଏମାନଙ୍କୁ ଯିବା ପାଇଁ ଛାଡ଼ିଦିଅ ।
9ସେ ଏହା କହିଲେ, ଯେପରି ତାହାଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ସେମାନଙ୍କ ମଧ୍ୟରୁ ମୁଁ ଜଣକୁ ସୁଦ୍ଧା ହରାଇ ନାହିଁ ।
10ଶିମୋନ ପିତରଙ୍କ ପାଖରେ ଖଣ୍ଡା ଥିବାରୁ ସେ ତାହା ବାହାର କରି ମହାଯାଜକଙ୍କ ଦାସକୁ ଆଘାତ କଲେ ଓ ତାହାର ଡାହାଣ କାନ କାଟିପକାଇଲେ; ସେହି ଦାସର ନାମ ମାଲ୍ଖ ।
11ସେଥିରେ ଯୀଶୁ ପିତରଙ୍କୁ କହିଲେ, ଖଣ୍ଡା ଖାପରେ ରଖ; ପିତା ମୋତେ ଯେଉଁ ପାତ୍ର ଦେଇଅଛନ୍ତି, ମୁଁ କ'ଣ ସେଥିରୁ ପାନ କରିବି ନାହିଁ ?
12ଏହାପରେ ସୈନ୍ୟଦଳ, ପ୍ରଧାନ ସେନାପତି, ପୁଣି, ଯିହୂଦୀମାନଙ୍କର ପଦାତିକମାନେ ଯୀଶୁଙ୍କୁ ଧରିଲେ
13ଓ ତାହାଙ୍କୁ ବାନ୍ଧି ପ୍ରଥମେ ହାନାନଙ୍କ ନିକଟକୁ ଘେନିଗଲେ, କାରଣ ସେ ସେହି ବର୍ଷର ମହାଯାଜକ କୟାଫାଙ୍କର ଶ୍ୱଶୁର ଥିଲେ ।
14ଲୋକସାଧାରଣଙ୍କ ନିମନ୍ତେ ଜଣେ ମରିବା ମଙ୍ଗଳଜନକ ବୋଲି ଯିହୂଦୀମାନଙ୍କୁ ଯେ ପରାମର୍ଶ ଦେଇଥିଲେ, ଏ ସେହି କୟାଫା ।
15ଶିମୋନ ପିତର ଓ ଆଉ ଜଣେ ଶିଷ୍ୟ ଯୀଶୁଙ୍କ ପଛେ ପଛେ ଯାଉଥିଲେ । ସେହି ଶିଷ୍ୟ ମହାଯାଜକଙ୍କର ପରିଚିତ ଥିଲେ ଓ ଯୀଶୁଙ୍କ ସହିତ ମହାଯାଜକଙ୍କ ପ୍ରାଙ୍ଗଣରେ ପ୍ରବେଶ କଲେ;
16କିନ୍ତୁ ପିତର ବାହାରେ ଦ୍ୱାର ନିକଟରେ ଠିଆ ହୋଇ ରହିଲେ । ଅତଏବ, ସେହି ଯେଉଁ ଅନ୍ୟ ଶିଷ୍ୟ ମହାଯାଜକଙ୍କ ପରିଚିତ ଥିଲେ, ସେ ବାହାରକୁ ଯାଇ ଦ୍ୱାରରକ୍ଷିକାକୁ କହି ପିତରଙ୍କୁ ଭିତରକୁ ଆଣିଲେ ।
17ସେଥିରେ ସେହି ଦ୍ୱାରରକ୍ଷିକା ଦାସୀ ପିତରଙ୍କୁ କହିଲା, ତୁମ୍ଭେ ମଧ୍ୟ କ'ଣ ଏହି ଲୋକର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନୁହଁ ? ସେ କହିଲେ, ମୁଁ ନୁହେଁ ।
18ଶୀତ ହେତୁ ଦାସ ଓ ପଦାତିକମାନେ ଅଙ୍ଗାର ଜାଳି ସେଠାରେ ଠିଆ ହୋଇ ନିଆଁ ପୋଉଁଥିଲେ; ପିତର ମଧ୍ୟ ସେମାନଙ୍କ ସାଙ୍ଗରେ ଠିଆ ହୋଇ ନିଆଁ ପୋଉଁଥିଲେ ।
19ଇତିମଧ୍ୟରେ ମହାଯାଜକ ଯୀଶୁଙ୍କୁ ତାହାଙ୍କ ଶିଷ୍ୟମାନଙ୍କ ବିଷୟରେ ଓ ତାହାଙ୍କ ଶିକ୍ଷା ସମ୍ବନ୍ଧରେ ପଚାରିଲେ ।
20ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ମୁଁ ଜଗତ ନିକଟରେ ପ୍ରକାଶରେ କଥା କହିଅଛି; ଯେଉଁଠାରେ ସମସ୍ତ ଯିହୂଦୀ ଏକତ୍ର ହୁଅନ୍ତି, ଏପରି ସମାଜଗୃହ ଓ ମନ୍ଦିରରେ ମୁଁ ସର୍ବଦା ଶିକ୍ଷା ଦେଇଅଛି; ମୁଁ ଗୋପନରେ କିଛି କହି ନାହିଁ ।
21ମୋତେ କାହିଁକି ପଚାରୁଅଛନ୍ତି ? ମୁଁ ସେମାନଙ୍କୁ କ'ଣ କହିଅଛି, ଯେଉଁମାନେ ଶୁଣିଅଛନ୍ତି, ସେମାନଙ୍କୁ ପଚାରନ୍ତୁ; ଦେଖନ୍ତୁ, ମୁଁ ଯାହା ଯାହା କହିଅଛି, ସେମାନେ ସେହି ସବୁ ଜାଣନ୍ତି ।
22ସେ ଏହା କହିବାରୁ ପଦାତିକମାନଙ୍କ ମଧ୍ୟରୁ ପାଖରେ ଠିଆ ହୋଇଥିବା ଜଣେ ଯୀଶୁଙ୍କୁ ଚାପୁଡ଼ା ମାରି କହିଲା, ତୁ ମହାଯାଜକଙ୍କୁ ଏପରି ଉତ୍ତର ଦେଉଅଛୁ ?
23ଯୀଶୁ ତାକୁ ଉତ୍ତର ଦେଲେ, ଯଦି ମୁଁ ମନ୍ଦ କହିଲି, ତାହାହେଲେ ମନ୍ଦର ପ୍ରମାଣ ଦିଅ; କିନ୍ତୁ ଯଦି ଭଲ କହିଲି, ତାହାହେଲେ କାହିଁକି ମୋତେ ମାରୁଅଛ ?
24ସେଥିରେ ହାନାନ ତାହାଙ୍କୁ ବନ୍ଧା ହୋଇଥିବା ଅବସ୍ଥାରେ ମହାଯାଜକ କୟାଫାଙ୍କ ନିକଟକୁ ପଠାଇଦେଲେ ।
25ଇତିମଧ୍ୟରେ ଶିମୋନ ପିତର ଠିଆ ହୋଇ ନିଆଁ ପୋଉଁଥିଲେ । ସେଥିରେ ସେମାନେ ତାଙ୍କୁ ପଚାରିଲେ, ତୁମ୍ଭେ ମଧ୍ୟ କ'ଣ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନୁହଁ ? ସେ ଅସ୍ୱୀକାର କରି କହିଲେ, ମୁଁ ନୁହେଁ ।
26ମହାଯାଜକଙ୍କ ଦାସମାନଙ୍କ ମଧ୍ୟରୁ ଜଣେ, ଅର୍ଥାତ୍ ପିତର ଯାହାର କାନ କାଟିପକାଇଥିଲେ, ତାହାର ଜଣେ ଆତ୍ମୀୟ କହିଲା, ମୁଁ କ'ଣ ତୋତେ ତାହାଙ୍କ ସାଙ୍ଗରେ ବଗିଚାରେ ଦେଖି ନ ଥିଲି ?
27ସେଥିରେ ପିତର ପୁନର୍ବାର ଅସ୍ୱୀକାର କଲେ; ଆଉ, ସେହିକ୍ଷଣି କୁକୁଡ଼ା ଡାକିଲା ।
28ପରେ ସେମାନେ ଯୀଶୁଙ୍କୁ କୟାଫାଙ୍କ ନିକଟରୁ ପ୍ରାସାଦକୁ ଘେନିଗଲେ; ସେତେବେଳେ ପ୍ରାତଃକାଳ ହୋଇଥିଲା; ଆଉ, ସେମାନେ ଯେପରି ଅଶୁଚି ନ ହୋଇ ନିସ୍ତାର ପର୍ବର ଭୋଜ ପ୍ରତିପାଳନ କରି ପାରନ୍ତି, ଏଥି ନିମନ୍ତେ ନିଜେ ପ୍ରାସାଦ ମଧ୍ୟରେ ପ୍ରବେଶ କଲେ ନାହିଁ ।
29ଅତଏବ, ପୀଲାତ ସେମାନଙ୍କ ନିକଟକୁ ବାହାରି ଆସି ପଚାରିଲେ, ଏ ଲୋକ ବିରୁଦ୍ଧରେ ତୁମ୍ଭେମାନେ କେଉଁ ଅଭିଯୋଗ ଆଣୁଅଛ ?
30ସେମାନେ ତାଙ୍କୁ ଉତ୍ତର ଦେଲେ, ଏ ଲୋକଟା ଯଦି ଦୁଷ୍କର୍ମକାରୀ ହୋଇ ନ ଥାଆନ୍ତା, ତାହାହେଲେ ଆମ୍ଭେମାନେ ତାହାକୁ ଆପଣଙ୍କ ହସ୍ତରେ ସମର୍ପଣ କରି ନ ଥାଆନ୍ତୁ ।
31ସେଥିରେ ପୀଲାତ ସେମାନଙ୍କୁ କହିଲେ, ତୁମ୍ଭେମାନେ ଏହାକୁ ଘେନିଯାଇ ତୁମ୍ଭମାନଙ୍କ ମୋଶାଙ୍କ ବ୍ୟବସ୍ଥାନୁସାରେ ଏହାର ବିଚାର କର । ଯିହୂଦୀମାନେ ତାହାଙ୍କୁ କହିଲେ, କାହାକୁ ପ୍ରାଣଦଣ୍ଡ ଦେବା ଆମ୍ଭମାନଙ୍କର ଅଧିକାର ନାହିଁ ।
32ଯୀଶୁ କେଉଁ ପ୍ରକାର ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ସେଥିର ସୂଚନା ଦେଇ ସେ ଯେଉଁ ବାକ୍ୟ କହିଥିଲେ, ତାହା ଯେପରି ସଫଳ ହୁଏ, ଏଥି ନିମନ୍ତେ ସେମାନେ ଏହା କହିଲେ ।
33ଅତଏବ, ପୀଲାତ ପୁନର୍ବାର ପ୍ରାସାଦ ମଧ୍ୟରେ ପ୍ରବେଶ କରି ଯୀଶୁଙ୍କୁ ଡାକି ତାହାଙ୍କୁ ପଚାରିଲେ, ତୁମ୍ଭେ କ'ଣ ଯିହୂଦୀମାନଙ୍କର ରାଜା ?
34ଯୀଶୁ ଉତ୍ତର ଦେଲେ, ଆପଣ କ'ଣ ନିଜରୁ ଏହା କହୁଅଛନ୍ତି, ନା ଅନ୍ୟମାନେ ମୋ' ସମ୍ବନ୍ଧରେ ଆପଣଙ୍କୁ ଏହା କହିଅଛନ୍ତି ?
35ପୀଲାତ ଉତ୍ତର ଦେଲେ, ଆମ୍ଭେ କ'ଣ ଜଣେ ଯିହୂଦୀ ? ତୁମ୍ଭର ସ୍ୱଜାତି ଓ ପ୍ରଧାନ ଯାଜକମାନେ ତୁମ୍ଭକୁ ଆମ୍ଭ ହସ୍ତରେ ସମର୍ପଣ କରିଅଛନ୍ତି; ତୁମ୍ଭେ କ'ଣ କରିଅଛ ?
36ଯୀଶୁ ଉତ୍ତର ଦେଲେ, ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ; ଯଦି ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ହୋଇଥାଆନ୍ତା, ତାହାହେଲେ ମୁଁ ଯେପରି ଯିହୂଦୀମାନଙ୍କ ହସ୍ତରେ ସମର୍ପିତ ନ ହୁଅନ୍ତି, ସେଥିପାଇଁ ମୋହର ପରିଚାରକମାନେ ଯୁଦ୍ଧ କରନ୍ତେ; କିନ୍ତୁ ମୋହର ରାଜ୍ୟ ପ୍ରକୃତରେ ତତ୍ସମ୍ବନ୍ଧୀୟ ନୁହେଁ ।
37ସେଥିରେ ପୀଲାତ ତାହାଙ୍କୁ ପଚାରିଲେ, ତାହାହେଲେ ତୁମ୍ଭେ କ'ଣ ଜଣେ ରାଜା ନୁହଁ ? ଯୀଶୁ ଉତ୍ତର ଦେଲେ, ଆପଣ ତ କହୁଅଛନ୍ତି, ମୁଁ ଜଣେ ରାଜା । ମୁଁ ଯେପରି ସତ୍ୟ ପକ୍ଷରେ ସାକ୍ଷ୍ୟ ଦିଏ, ଏଥି ନିମନ୍ତେ ମୁଁ ଜନ୍ମ ହୋଇଅଛି ଓ ଜଗତକୁ ଆସିଅଛି । ଯେ କେହି ସତ୍ୟର ସନ୍ତାନ, ସେ ମୋହର କଥା ଶୁଣେ ।
38ପୀଲାତ ତାହାଙ୍କୁ କହିଲେ, ସତ୍ୟ କ'ଣ ? ଏହା କହି ସେ ପୁଣି, ଯିହୂଦୀମାନଙ୍କ ନିକଟକୁ ବାହାରକୁ ଯାଇ ସେମାନଙ୍କୁ କହିଲେ, ଆମ୍ଭେ ଏହାଠାରେ କୌଣସି ଦୋଷ ପାଉ ନାହୁଁ ।
39କିନ୍ତୁ ଆମେ ଯେ ନିସ୍ତାର ପର୍ବ ସମୟରେ ତୁମ୍ଭମାନଙ୍କ ନିମନ୍ତେ ଜଣକୁ ମୁକ୍ତ କରିଦେଉ, ଏହା ତୁମ୍ଭମାନଙ୍କ ରୀତି ଅଛି; ଅତଏବ, ଯିହୂଦୀମାନଙ୍କ ରାଜାଙ୍କୁ ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ମୁକ୍ତ କରିଦେବୁ ବୋଲି କ'ଣ ତୁମ୍ଭମାନଙ୍କର ଇଚ୍ଛା ?
40ସେଥିରେ ସେମାନେ ପୁନର୍ବାର ଚିତ୍କାର କରି କହିଲେ, ଏ ଲୋକଟାକୁ ନୁହେଁ, କିନ୍ତୁ ବାରବ୍ବାକୁ । ଏହି ବାରବ୍ବା ଜଣେ ଡକାଇତ ଥିଲା ।