Text copied!
CopyCompare
ଓଡିଆ ବାଇବେଲ - ଲୂକ - ଲୂକ 9

ଲୂକ 9:31-62

Help us?
Click on verse(s) to share them!
31ସେମାନେ ଗୌରବରେ ଦର୍ଶନ ଦେଇ, ସେ ଯିରୂଶାଲମରେ ଯେଉଁ ମହାପ୍ରସ୍ଥାନ କରିବାକୁ ଉଦ୍ୟତ ଥିଲେ, ସେ ବିଷୟରେ କହିଲେ ।
32ସେତେବେଳେ ପିତର ଓ ତାହାଙ୍କ ସଙ୍ଗୀମାନେ ନିଦ୍ରାରେ ଭାରାକ୍ରାନ୍ତ ଥିଲେ; କିନ୍ତୁ ସେମାନେ ନିଦ୍ରାରୁ ଉଠନ୍ତେ ତାହାଙ୍କ ଗୌରବ ଓ ତାହାଙ୍କ ସହିତ ଠିଆ ହୋଇଥିବା ସେହି ଦୁଇ ଜଣ ବ୍ୟକ୍ତିଙ୍କୁ ଦେଖିଲେ ।
33ପୁଣି, ସେମାନେ ତାହାଙ୍କଠାରୁ ବାହାରିବା ସମୟରେ ପିତର ଯୀଶୁଙ୍କୁ କହିବାକୁ ଲାଗିଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲିୟଙ୍କ ପାଇଁ ଗୋଟିଏ । କିନ୍ତୁ ସେ କ'ଣ କହୁଅଛନ୍ତି, ତାହା ଜାଣିଲେ ନାହିଁ ।
34ସେ ଏହା କହୁ କହୁ ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେମାନେ ମେଘରେ ପ୍ରବେଶ କରିବା ସମୟରେ ଭୟ କଲେ ।
35ପୁଣି, ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପୁତ୍ର, ଆମ୍ଭର ମନୋନୀତ, ଏହାଙ୍କ ବାକ୍ୟ ଶୁଣ ।
36ଆଉ, ସେହି ବାଣୀ ହେଲା ଉତ୍ତାରେ ଯୀଶୁ ଏକାକୀ ଦେଖାଗଲେ । ପୁଣି, ସେମାନେ ନୀରବ ରହିଲେ, ଆଉ ଯାହା ଯାହା ଦେଖିଥିଲେ, ସେଥିର କୌଣସି କଥା ସେ ସମୟରେ କାହାକୁ କହିଲେ ନାହିଁ ।
37ତହିଁ ଆରଦିନ ସେମାନେ ପର୍ବତରୁ ଓହ୍ଲାଇ ଆସନ୍ତେ ବହୁସଂଖ୍ୟକ ଲୋକ ତାହାଙ୍କ ସହିତ ସାକ୍ଷାତ କଲେ ।
38ଆଉ ଦେଖ, ଲୋକସମୂହ ମଧ୍ୟରୁ ଜଣେ ଉଚ୍ଚସ୍ୱରରେ କହିଲା, ହେ ଗୁରୁ ମୁଁ ଆପଣଙ୍କୁ ନିବେଦନ କରୁଅଛି ମୋ' ପୁଅ ପ୍ରତି ଦୟା କରନ୍ତୁ, କାରଣ ସେ ମୋହର ଗୋଟିଏ ବୋଲି ପିଲା;
39ଦେଖନ୍ତୁ, ତାହାକୁ ଗୋଟିଏ ଭୂତ ଧରେ, ଆଉ ସେ ହଠାତ୍ ଚିତ୍କାର କରି ଉଠେ, ପୁଣି, ସେ ତାହାକୁ ଏପରି ମୋଡ଼ିପକାଏ ଯେ, ତାହା ପାଟିରୁ ଫେଣ ବାହାରେ, ପୁଣି, ସେ ତାହାକୁ କ୍ଷତବିକ୍ଷତ କରି ତାହାଠାରୁ କଷ୍ଟରେ ବାହାରିଯାଏ ।
40ତାହାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ନିବେଦନ କରିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ ।
41ଯୀଶୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ଓ ବିପଥଗାମୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ରହି ତୁମ୍ଭମାନଙ୍କ ବ୍ୟବହାର ସହିବି ? ତୁମ୍ଭର ପୁଅକୁ ଏଠିକି ନେଇଆସ ।
42ସେ ଆସୁ ଆସୁ ଭୂତ ତାହାକୁ ତଳେ ପକାଇଦେଇ ଭୟଙ୍କର ଭାବରେ ମୋଡ଼ିପକାଇଲା, କିନ୍ତୁ ଯୀଶୁ ଅଶୁଚି ଆତ୍ମାକୁ ଧମକ ଦେଲେ ଓ ବାଳକକୁ ସୁସ୍ଥ କରି ତାହାକୁ ତାହାର ପିତାଙ୍କ ହସ୍ତରେ ସମର୍ପଣ କଲେ ।
43ସେଥିରେ ସମସ୍ତେ ଈଶ୍ୱରଙ୍କର ମହାଶକ୍ତି ସକାଶେ ଆଶ୍ଚର୍ଯ୍ୟ ହେଲେ । ମାତ୍ର ସେ କରିଥିବା ସମସ୍ତ କାର୍ଯ୍ୟ ସକାଶେ ସମସ୍ତେ ଚକିତ ହେଉଥିବା ସମୟରେ ସେ ଆପଣା ଶିଷ୍ୟମାନଙ୍କୁ କହିଲେ,
44ଏହି ସମସ୍ତ କଥା ତୁମ୍ଭମାନଙ୍କ କାନରେ ପ୍ରବେଶ କରାଅ; କାରଣ ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଛନ୍ତି ।
45କିନ୍ତୁ ସେମାନେ ସେହି କଥା ବୁଝିଲେ ନାହିଁ, ଆଉ ତାହା ସେମାନଙ୍କଠାରୁ ଗୁପ୍ତ ଥିଲା, ଯେପରି ତାହା ସେମାନେ ବୁଝିପାରିବେ ନାହିଁ , ପୁଣି, ସେମାନେ ସେହି କଥା ବିଷୟରେ ତାହାଙ୍କୁ ପଚାରିବାକୁ ଭୟ କରୁଥିଲେ ।
46ସେମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ସେ ବିଷୟରେ ସେମାନଙ୍କ ମଧ୍ୟରେ ତର୍କବିତର୍କ ହେଲା ।
47କିନ୍ତୁ ଯୀଶୁ ସେମାନଙ୍କ ମନର ତର୍କବିତର୍କ ଜାଣି ଗୋଟିଏ ସାନ ପିଲାକୁ ନେଇ ଆପଣା ପାଖରେ ଠିଆ କରାଇ ସେମାନଙ୍କୁ କହିଲେ,
48ଯେ କେହି ମୋ ନାମରେ ଏହି ସାନ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେ କେହି ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ; କାରଣ ତୁମ୍ଭ ସମସ୍ତଙ୍କ ମଧ୍ୟରେ ଯେ କ୍ଷୁଦ୍ର, ସେ ଶ୍ରେଷ୍ଠ ।
49ସେଥିରେ ଯୋହନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ଜଣକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବାର ଦେଖିଲୁ, ଆଉ ସେ ଆମ୍ଭମାନଙ୍କ ସାଙ୍ଗରେ ଆପଣଙ୍କ ଅନୁଗାମୀ ନ ହେବାରୁ ତାହାକୁ ମନା କଲୁ ।
50କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ମନା କର ନାହିଁ, କାରଣ ଯେ ତୁମ୍ଭମାନଙ୍କର ବିପକ୍ଷ ନୁହେଁ, ସେ ତୁମ୍ଭମାନଙ୍କର ସପକ୍ଷ ।
51ପରେ ଯେତେବେଳେ ଯୀଶୁଙ୍କର ସ୍ୱର୍ଗକୁ ଯିବାର ସମୟ ସମ୍ପୂର୍ଣ୍ଣ ହୋଇଆସୁଥିଲା, ସେତେବେଳେ ସେ ଯିରୂଶାଲମକୁ ଯିବା ନିମନ୍ତେ ମନକୁ ଦୃଢ଼ କରି,
52ନିଜ ଆଗେ ଦୂତମାନଙ୍କୁ ପଠାଇଲେ, ସେମାନେ ଯାଇ ତାହାଙ୍କ ନିମନ୍ତେ ଆୟୋଜନ କରିବାକୁ ଶମିରୋଣୀୟମାନଙ୍କର ଗୋଟିଏ ଗ୍ରାମରେ ପ୍ରବେଶ କଲେ;
53କିନ୍ତୁ ସେ ଯିରୂଶାଲମକୁ ଯିବା ନିମନ୍ତେ ମନସ୍ଥ କରିଅଛନ୍ତି ବୋଲି ଦେଖି ସେମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ ।
54ଏହା ଦେଖି ଯାକୁବ ଓ ଯୋହନ, ଏହି ଦୁଇ ଶିଷ୍ୟ କହିଲେ, ପ୍ରଭୁ, ଏଲିୟ ମଧ୍ୟ ଯେପରି କରିଥିଲେ, ସେହିପରି ଆକାଶରୁ ଅଗ୍ନି ପଡ଼ି ସେମାନଙ୍କୁ ବିନାଶ କରୁ, ଏହା ଆମ୍ଭେମାନେ କହିବୁ ବୋଲି କ'ଣ ଆପଣଙ୍କର ଇଚ୍ଛା ?
55କିନ୍ତୁ ସେ ବୁଲିପଡ଼ି ସେମାନଙ୍କୁ ଅନୁଯୋଗ କଲେ ଏବଂ କହିଲେ, ତୁମ୍ଭେମାନେ କେଉଁ ପ୍ରକାର ଆତ୍ମାର ଲୋକ, ଏହା ଜାଣୁ ନାହଁ । ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କର ପ୍ରାଣ ବିନାଶ କରିବାକୁ ନ ଆସି ବରଂ ରକ୍ଷା କରିବାକୁ ଆସିଅଛନ୍ତି ।
56ତାପରେ ସେମାନେ ଆଉ ଗୋଟିଏ ଗ୍ରାମକୁ ଗଲେ ।
57ସେମାନେ ବାଟରେ ଯାଉଥିବା ସମୟରେ ଜଣେ ଲୋକ ତାହାଙ୍କୁ କହିଲେ, ଆପଣ ଯେକୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କ ଅନୁସରଣ କରିବି ।
58ଯୀଶୁ ତାହାଙ୍କୁ କହିଲେ, କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର (ଯୀଶୁ) ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ ।
59ପୁଣି, ସେ ଆଉ ଜଣକୁ କହିଲେ, ମୋହର ଅନୁସରଣ କର । କିନ୍ତୁ ସେ କହିଲେ, ପ୍ରଥମେ ଯାଇ ମୋହର ପିତାଙ୍କୁ ସମାଧି ଦେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ ।
60ମାତ୍ର ସେ ତାହାଙ୍କୁ କହିଲେ, ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ, କିନ୍ତୁ ତୁମ୍ଭେ ଯାଇ ଈଶ୍ୱରଙ୍କ ରାଜ୍ୟ ପ୍ରଚାର କର ।
61ଆଉ ଜଣେ ମଧ୍ୟ କହିଲେ, ପ୍ରଭୁ, ମୁଁ ଆପଣଙ୍କର ଅନୁଗମନ କରିବି, ମାତ୍ର ପ୍ରଥମେ ମୋହର ଗୃହରେ ଥିବା ଲୋକମାନଙ୍କଠାରୁ ବିଦାୟ ନେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ ।
62କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ଯେ ଲଙ୍ଗଳରେ ହାତ ଦେଇ ପଛକୁ ଚାହେଁ, ସେ ଈଶ୍ୱରଙ୍କ ରାଜ୍ୟର ଯୋଗ୍ୟ ନୁହେଁ ।

Read ଲୂକ 9ଲୂକ 9
Compare ଲୂକ 9:31-62ଲୂକ 9:31-62