1୧. ସେହି ସମୟରେ କେତେକ ଲୋକ ଆସି, ପୀଲାତ ଯେଉଁ ଗାଲିଲୀୟମାନଙ୍କ ରକ୍ତ ସେମାନଙ୍କର ବଳି ସହିତ ମିଶାଇଥିଲେ, ସେମାନଙ୍କ ବିପକ୍ଷରେ ତାହାଙ୍କୁ ଜଣାଇଲେ ।
2ସେଥିରେ ସେ ସେମାନଙ୍କୁ ଉତ୍ତର ଦେଲେ, ଏହାସବୁ ଭୋଗ କରିବାରୁ ଏହି ଗାଲିଲୀୟମାନେ ଅନ୍ୟ ସମସ୍ତ ଗାଲିଲୀୟମାନଙ୍କ ଅପେକ୍ଷା ଅଧିକ ପାପୀ ବୋଲି କି ତୁମ୍ଭେମାନେ ମନେ କରୁଅଛ ?
3ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, କିନ୍ତୁ ମନ ପରିବର୍ତ୍ତନ ନ କଲେ ତୁମ୍ଭେମାନେ ସମସ୍ତେ ସେହି ପ୍ରକାରେ ବିନଷ୍ଟ ହେବ ।
4କିମ୍ବା ଶୀଲୋହରେ ସେହି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀଗୃହ ପଡ଼ି ସେମାନଙ୍କର ପ୍ରାଣନାଶ କଲା, ସେମାନେ ସମସ୍ତ ଯିରୂଶାଲମବାସୀଙ୍କ ଅପେକ୍ଷା ଅଧିକ ଅପରାଧୀ ବୋଲି କି ତୁମ୍ଭେମାନେ ମନେ କରୁଅଛ ?
5ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, କିନ୍ତୁ ମନ ପରିବର୍ତ୍ତନ ନ କଲେ ତୁମ୍ଭେମାନେ ସମସ୍ତେ ସେହିପରି ବିନଷ୍ଟ ହେବ ।
6ଆଉ, ସେ ଏହି ଦୃଷ୍ଟାନ୍ତ କହିଲେ, ଜଣକର ଦ୍ରାକ୍ଷାକ୍ଷେତ୍ରରେ ଗୋଟିଏ ଡିମ୍ବିରି ଗଛ ଲଗାଯାଇଥିଲା । ସେ ଆସି ସେଥିରେ ଫଳ ଖୋଜିଲେ, କିନ୍ତୁ ପାଇଲେ ନାହିଁ ।
7ତେଣୁ ସେ ମାଳୀକୁ କହିଲେ, ଦେଖ, ଏହି ତିନି ବର୍ଷ ହେଲା ମୁଁ ଆସି ଏହି ଡିମ୍ବିରି ଗଛରେ ଫଳ ଖୋଜୁଅଛି, କିନ୍ତୁ ପାଉ ନାହିଁ; ଏହାକୁ ହାଣିପକାଅ, ଏଇଟା କାହିଁକି ଭୂମିକୁ ମଧ୍ୟ ନଷ୍ଟ କରୁଅଛି ?
8ମାତ୍ର ସେ ତାହାଙ୍କୁ ଉତ୍ତର ଦେଲା, ପ୍ରଭୁ, ଏହାକୁ ଏହି ବର୍ଷଟି ମଧ୍ୟ ଛାଡ଼ିଦିଅନ୍ତୁ, ମୁଁ ଇତିମଧ୍ୟରେ ଏହାର ଚାରିପାଖ ଖୋଳି ଖତ ଦେବି,
9ଆଉ ପରେ ଫଳ ହୁଏତ ଭଲ, ନୋହିଲେ ତାହାକୁ ହାଣିପକାଇବେ ।
10ଥରେ ସେ ବିଶ୍ରାମବାରରେ ଗୋଟିଏ ସମାଜଗୃହରେ ଶିକ୍ଷା ଦେଉଥିଲେ ।
11ଆଉ ଦେଖ, ଅଠର ବର୍ଷ ପର୍ଯ୍ୟନ୍ତ ଦୁର୍ବଳକାରୀ ଆତ୍ମା ଦ୍ୱାରା ଆବିଷ୍ଟ ଜଣେ ସ୍ତ୍ରୀଲୋକ ସେଠାରେ ଥିଲା, ସେ କୁବ୍ଜା ହୋଇ କୌଣସି ପ୍ରକାରେ ଆପଣାକୁ ସିଧା କରି ପାରୁ ନ ଥିଲା ।
12ଯୀଶୁ ତାହାକୁ ଦେଖି ପାଖକୁ ଡାକି କହିଲେ, ହେ ନାରୀ, ତୁମ୍ଭର ଦୁର୍ବଳତାରୁ ମୁକ୍ତ ହେଲ ।
13ଆଉ, ସେ ତାହା ଉପରେ ହାତ ରଖିଲେ, ସେଥିରେ ସେ ସେହିକ୍ଷଣି ସଳଖ ହୋଇ ଈଶ୍ୱରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲା ।
14କିନ୍ତୁ ଯୀଶୁ ବିଶ୍ରାମବାରରେ ସୁସ୍ଥ କରିବାରୁ ସମାଜଗୃହର ମୁଖିଆ ବିରକ୍ତ ହୋଇ ଲୋକସମୂହକୁ ଉତ୍ତର ଦେଲେ, କର୍ମ କରିବା ନିମନ୍ତେ ଛଅ ଦିନ ଅଛି, ଏଣୁ ସେହି ସବୁ ଦିନରେ ଆସି ସୁସ୍ଥ ହୁଅ, ବିଶ୍ରାମବାରରେ ଆସ ନାହିଁ ।
15କିନ୍ତୁ ପ୍ରଭୁ ତାହାଙ୍କୁ ଉତ୍ତର ଦେଲେ, ରେ କପଟୀମାନେ, ତୁମ୍ଭେମାନେ ପ୍ରତ୍ୟେକେ କ'ଣ ବିଶ୍ରାମବାରରେ ଆପଣା ଆପଣା ବଳଦ କିମ୍ବା ଗଧ ଗୁହାଳରୁ ଫିଟାଇ ନେଇ ପାଣି ପିଆଅ ନାହିଁ ?
16ତେବେ ଦେଖ, ଅଠର ବର୍ଷ ପର୍ଯ୍ୟନ୍ତ ଶୟତାନ ଦ୍ୱାରା ବନ୍ଧା ହୋଇ ଅବ୍ରାହାମଙ୍କ କନ୍ୟା ଏହି ସ୍ତ୍ରୀଲୋକଟି କ'ଣ ବିଶ୍ରାମବାରରେ ଆପଣା ବନ୍ଧନରୁ ମୁକ୍ତ ହେବା ଆବଶ୍ୟକ ନ ଥିଲା ?
17ଆଉ, ସେ ଏହି କଥାସବୁ କହନ୍ତେ, ତାହାଙ୍କ ବିପକ୍ଷ ସମସ୍ତେ ଲଜ୍ଜିତ ହେବାକୁ ଲାଗିଲେ, ମାତ୍ର ଲୋକମାନେ ଯୀଶୁ କରିଥିବା ସମସ୍ତ ମହତ କାର୍ଯ୍ୟ ସକାଶେ ଆନନ୍ଦ କରିବାକୁ ଲାଗିଲେ ।
18ସେଥିରେ ସେ କହିଲେ, ଈଶ୍ୱରଙ୍କ ରାଜ୍ୟ କାହା ପରି ? ପୁଣି, କାହା ସହିତ ମୁଁ ତାହାର ତୁଳନା କରିବି ?
19ତାହା ଏପ୍ରକାର ଗୋଟିଏ ସୋରିଷ ଦାନା ପରି, ଯାହା ନେଇ ଜଣେ ଲୋକ ଆପଣା ବଗିଚାରେ ବୁଣିଲା, ଆଉ ତାହା ବଢ଼ି ଗଛ ହେଲା, ପୁଣି, ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କଲେ ।
20ସେ ଆହୁରି କହିଲେ, ମୁଁ କାହା ସହିତ ଈଶ୍ୱରଙ୍କ ରାଜ୍ୟର ତୁଳନା କରିବି ?
21ତାହା ଖମୀର ପରି, ଜଣେ ସ୍ତ୍ରୀ ତାହା ଘେନି ମହଣେ ମଇଦା ମଧ୍ୟରେ ଘୋଡ଼ାଇ ରଖିଲା, ଆଉ ଶେଷରେ ସମସ୍ତ ଖମୀରମୟ ହେଲା ।
22ଏହାପରେ ସେ ନଗରେ ନଗରେ ଓ ଗ୍ରାମେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେଉ ଦେଉ ଯିରୂଶାଲମ ଆଡ଼କୁ ଯାତ୍ରା କରୁଥିଲେ ।
23ଆଉ, ଜଣେ ତାହାଙ୍କୁ କହିଲେ, ପ୍ରଭୁ, ପରିତ୍ରାଣ ପାଇବା ଲୋକମାନଙ୍କ ସଂଖ୍ୟା କ' ଣ ଅଳ୍ପ ? ସେଥିରେ ସେ ସେମାନଙ୍କୁ କହିଲେ,
24ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କର, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକ ପ୍ରବେଶ କରିବା ନିମନ୍ତେ ଚେଷ୍ଟା କରିବେ, କିନ୍ତୁ ପାରିବେ ନାହିଁ ।
25ଘରର ମୁଖ୍ୟ ଲୋକ ଉଠି ଦ୍ୱାର ବନ୍ଦ କଲା ପରେ ଯେତେବେଳେ ତୁମ୍ଭେମାନେ ବାହାରେ ଠିଆ ହୋଇ ରହିବ ଓ ହେ ପ୍ରଭୁ, ଆମ୍ଭମାନଙ୍କ ନିମନ୍ତେ ଦ୍ୱାର ଫିଟାନ୍ତୁ, ଏହା କହି ଦ୍ୱାରରେ ମାରିବାକୁ ଲାଗିବ, ସେତେବେଳେ ସେ ତୁମ୍ଭମାନଙ୍କୁ ଉତ୍ତର ଦେବେ, ତୁମ୍ଭେମାନେ କେଉଁ ସ୍ଥାନର ଲୋକ, ତାହା ମୁଁ ଜାଣେ ନାହିଁ ।
26ସେହି ସମୟରେ ତୁମ୍ଭେମାନେ କହିବାକୁ ଲାଗିବ, ଆମ୍ଭେମାନେ ଆପଣଙ୍କ ସାକ୍ଷାତରେ ଭୋଜନପାନ କଲୁ, ପୁଣି, ଆପଣ ଆମ୍ଭମାନଙ୍କ ଦାଣ୍ଡମାନଙ୍କରେ ଶିକ୍ଷା ଦେଲେ;
27ଆଉ, ସେ ତୁମ୍ଭମାନଙ୍କୁ କହିବେ, ତୁମ୍ଭେମାନେ କେଉଁ ସ୍ଥାନର ଲୋକ, ତାହା ମୁଁ ଜାଣେ ନାହିଁ; ହେ ଅଧର୍ମାଚାରୀ ସମସ୍ତେ ମୋ’ ପାଖରୁ ଦୂର ହୁଅ ।
28ଯେତେବେଳେ ତୁମ୍ଭେମାନେ ଅବ୍ରାହାମ, ଇସ୍ହାକ, ଯାକୁବ ପୁଣି, ସମସ୍ତ ଭାବବାଦୀଙ୍କୁ ଈଶ୍ୱରଙ୍କ ରାଜ୍ୟରେ ଥିବା ଓ ଆପଣା ଆପଣାକୁ ବାହାରେ ପକାଉଥିବା ଦେଖିବ, ସେତେବେଳେ ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ ।
29ପୁଣି, ପୂର୍ବ ଓ ପଶ୍ଚିମ, ଉତ୍ତର ଓ ଦକ୍ଷିଣରୁ ଲୋକେ ଆସି ଈଶ୍ୱରଙ୍କ ରାଜ୍ୟରେ ଭୋଜନରେ ବସିବେ ।
30ଆଉ ଦେଖ, ଶେଷରେ ଥିବା କେତେକ ପ୍ରଥମ ହେବେ ଓ ପ୍ରଥମରେ ଥିବା କେତେକ ଶେଷରେ ପଡ଼ିବେ ।
31ସେହି ଦଣ୍ଡରେ କେତେକ ଫାରୂଶୀ ତାହାଙ୍କ ପାଖକୁ ଆସି କହିଲେ, ଏ ସ୍ଥାନ ଛାଡ଼ି ବାହାରି ଯାଉନ୍ତୁ, କାରଣ ହେରୋଦ ଆପଣଙ୍କୁ ମାରିବା ପାଇଁ ଇଚ୍ଛା କରୁଅଛନ୍ତି ।
32ସେଥିରେ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଯାଇ ସେହି କୋକିଶିଆଳିକି କୁହ, ଦେଖ, ମୁଁ ଆଜି ଓ କାଲି ଭୂତ ଛଡ଼ାଉଅଛି ଓ ସୁସ୍ଥ କରୁଅଛି, ପୁଣି, ତୃତୀୟ ଦିନରେ ମୁଁ ସିଦ୍ଧ ହେବି ।
33ଯାହା ହେଉ, ଆଜି, କାଲି ଓ ପଅର ଦିନ ମୋତେ ଯାତ୍ରା କରିବାକୁ ହେବ, କାରଣ ଯିରୂଶାଲମର ବାହାରେ ଭାବବାଦୀର ନିହତ ହେବା ଉଚିତ ନୁହେଁ ।
34ଗୋ ଯିରୂଶାଲମ, ଗୋ ଯିରୂଶାଲମ, ଭାବବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତରାଘାତକାରିଣୀ, କୁକ୍କୁଟୀ ଯେପରି ପକ୍ଷତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେହିପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ ।
35ଦେଖ, ତୁମ୍ଭମାନଙ୍କ ଘର ତୁମ୍ଭମାନଙ୍କ ହାତରେ ଛାଡ଼ି ଦିଆଯାଉଅଛି; ଆଉ, ମୁଁ ତୁମ୍ଭମାନଙ୍କୁ କହୁଅଛି, ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ, ତୁମ୍ଭେମାନେ ଯେଉଁ ଦିନ ଏହି କଥା କହିବ, ସେହି ଦିନ ନ ଆସିବା ପର୍ଯ୍ୟନ୍ତ ମୋତେ ନିଶ୍ଚୟ ଆଉ ଦେଖିବ ନାହିଁ ।