1ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଯାହା ଘଟିଅଛି, ତାହା ସ୍ମରଣ କର; ଅବଲୋକନ କରି ଆମ୍ଭମାନଙ୍କ ଅପମାନ ଦେଖ।
2ଆମ୍ଭମାନଙ୍କ ଅଧିକାର ବିଦେଶୀୟମାନଙ୍କର ହସ୍ତକୁ ଯାଇଅଛି, ଆମ୍ଭମାନଙ୍କର ଗୃହସବୁ ପର ଦେଶୀୟମାନଙ୍କର ହସ୍ତଗତ ହୋଇଅଛି।
3ଆମ୍ଭେମାନେ ଅନାଥ ଓ ପିତୃହୀନ, ଆମ୍ଭମାନଙ୍କର ମାତୃଗଣ ବିଧବା ତୁଲ୍ୟ ହୋଇଅଛନ୍ତି।
4ଆମ୍ଭେମାନେ ନିଜ ଜଳ ରୂପା ଦେଇ ପାନ କରିଅଛୁ; ଆମ୍ଭମାନଙ୍କର କାଷ୍ଠ ଆମ୍ଭମାନଙ୍କୁ ବିକାଯାଏ।
5ଆମ୍ଭମାନଙ୍କ ପଛରେ ଗୋଡ଼ାଇବା ଲୋକମାନେ ଆମ୍ଭମାନଙ୍କର ବେକ ଧରିଅଛନ୍ତି; ଆମ୍ଭେମାନେ କ୍ଳାନ୍ତ ହୋଇଅଛୁ ଓ କିଛି ବିଶ୍ରାମ ପାଇ ନାହୁଁ।
6ଆମ୍ଭେମାନେ ଖାଦ୍ୟରେ ତୃପ୍ତ ହେବା ନିମନ୍ତେ ମିସ୍ରୀୟମାନଙ୍କୁ ଓ ଅଶୂରୀୟମାନଙ୍କୁ ହାତ ଦେଇଅଛୁ।
7ଆମ୍ଭମାନଙ୍କର ପୂର୍ବପୁରୁଷଗଣ ପାପ କରିଅଛନ୍ତି, ଆଉ ସେମାନେ ମରିଅଛନ୍ତି; ପୁଣି, ଆମ୍ଭେମାନେ ସେମାନଙ୍କର ଅଧର୍ମ ବହନ କରିଅଛୁ।
8ଦାସମାନେ ଆମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି; ସେମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ କେହି ନାହିଁ।
9ପ୍ରାନ୍ତରରେ ଖଡ୍ଗ ଥିବାରୁ ଆମ୍ଭେମାନେ ଆପଣା ଆପଣା ପ୍ରାଣ ସଙ୍କଟରେ ଖାଦ୍ୟ ପାଉଅଛୁ।
10ଦୁର୍ଭିକ୍ଷର ଜ୍ୱଳନ୍ତ ତାପ ହେତୁରୁ, ଆମ୍ଭମାନଙ୍କ ଚର୍ମ ତୁନ୍ଦୁର ପରି କଳା ହୋଇଅଛି।
11ସେମାନେ ସିୟୋନରେ ସ୍ତ୍ରୀମାନଙ୍କୁ, ଯିହୁଦାର ନଗର ସମୂହରେ କୁମାରୀଗଣକୁ ଭ୍ରଷ୍ଟା କଲେ।
12ଅଧିପତିମାନେ ସେମାନଙ୍କ ହସ୍ତ ଦ୍ୱାରା ଟଙ୍ଗା ହୋଇଥିଲେ; ପ୍ରାଚୀନ ଲୋକମାନଙ୍କ ମୁଖ ସମାଦୃତ ନୋହିଲା।
13ଯୁବା ଲୋକମାନେ ଚକି ବହିଲେ, ଆଉ ପିଲାମାନେ କାଷ୍ଠ ଭାରରେ ଝୁଣ୍ଟି ପଡ଼ିଲେ।
14ପ୍ରାଚୀନମାନେ ନଗରଦ୍ୱାରରୁ, ଯୁବା ଲୋକମାନେ ଆପଣା ବାଦ୍ୟରୁ ନିବୃତ୍ତ ହୋଇଅଛନ୍ତି।
15ଆମ୍ଭମାନଙ୍କ ଚିତ୍ତର ଆନନ୍ଦ ନିବୃତ୍ତ ହୋଇଅଛି; ଆମ୍ଭମାନଙ୍କର ନୃତ୍ୟ ଶୋକରେ ପରିଣତ ହୋଇଅଛି।
16ଆମ୍ଭମାନଙ୍କ ମସ୍ତକରୁ ମୁକୁଟ ଖସି ପଡ଼ିଅଛି; ଧିକ୍ ଆମ୍ଭମାନଙ୍କୁ ! କାରଣ ଆମ୍ଭେମାନେ ପାପ କରିଅଛୁ।
17ଏଥିପାଇଁ ଆମ୍ଭମାନଙ୍କ ଅନ୍ତଃକରଣ କ୍ଷୀଣ ହୋଇଅଛି; ଏହିସବୁ କାରଣରୁ ଆମ୍ଭମାନଙ୍କର ଚକ୍ଷୁ ଧନ୍ଦଳା ହୋଇଅଛି।
18କାରଣ ସିୟୋନ ପର୍ବତ ଉଚ୍ଛିନ୍ନ ସ୍ଥାନ ହୋଇଅଛି; କୋକିଶିଆଳିମାନେ ତହିଁ ଉପରେ ଭ୍ରମଣ କରନ୍ତି।
19ହେ ସଦାପ୍ରଭୁ, ତୁମ୍ଭେ ନିତ୍ୟସ୍ଥାୟୀ ତୁମ୍ଭ ସିଂହାସନ ପୁରୁଷାନୁକ୍ରମେ ଥାଏ।
20ତୁମ୍ଭେ କାହିଁକି ଚିର କାଳ ଆମ୍ଭମାନଙ୍କୁ ପାସୋରୁ ଅଛ, ଆଉ ଏତେ ଦୀର୍ଘ କାଳ ଅାମ୍ଭମାନଙ୍କୁ ପରିତ୍ୟାଗ କରୁଅଛ ?
21ହେ ସଦାପ୍ରଭୁ, ତୁମ୍ଭ ପ୍ରତି ଆମ୍ଭମାନଙ୍କୁ ଫେରାଅ, ତହିଁରେ ଆମ୍ଭେମାନେ ଫେରି ଆସିବା; ପୂର୍ବ କାଳ ପରି ନୂତନ ସମୟ ଆମ୍ଭମାନଙ୍କୁ ଦିଅ।
22ମାତ୍ର ତୁମ୍ଭେ ଆମ୍ଭମାନଙ୍କୁ ସର୍ବତୋଭାବରେ ଅଗ୍ରାହ୍ୟ କରିଅଛ, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଅତ୍ୟନ୍ତ କ୍ରୁଦ୍ଧ ହୋଇଅଛ।