Text copied!
CopyCompare
ଓଡିଆ ବାଇବେଲ - ମାର୍କ

ମାର୍କ 3

Help us?
Click on verse(s) to share them!
1ପରେ ଯୀଶୁ ପୁନର୍ବାର ସମାଜଗୃହରେ ପ୍ରବେଶ କଲେ । ସେଠାରେ ଜଣେ ଲୋକ ଥିଲା, ତାହାର ଗୋଟିଏ ହାତ ଶୁଖିଯାଇଥିଲା ।
2ଆଉ, ସେ ତାହାକୁ କେଜାଣି ବିଶ୍ରାମବାରରେ ସୁସ୍ଥ କରିବେ, ଏହା ଦେଖିବା ପାଇଁ ସେମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ, ଯେପରି ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରି ପାରନ୍ତି ।
3ସେଥିରେ ଯେଉଁ ଲୋକର ହାତ ଶୁଖିଯାଇଥିଲା, ତାହାକୁ ଯୀଶୁ କହିଲେ, ଆସ, ମଝିରେ ଠିଆ ହୁଅ ।
4ପୁଣି, ଯୀଶୁ ସେମାନଙ୍କୁ କହିଲେ, ବିଶ୍ରାମବାରରେ କଅଣ କରିବା ବିଧିସଙ୍ଗତ ? ଭଲ କରିବା ନା ମନ୍ଦ କରିବା ? ପ୍ରାଣ ରକ୍ଷା କରିବା ନା ବିନାଶ କରିବା ? କିନ୍ତୁ ସେମାନେ ନିରୁତ୍ତର ହୋଇ ରହିଲେ ।
5ସେଥିରେ ଯୀଶୁ ସେମାନଙ୍କ ହୃଦୟର କଠିନତା ସକାଶେ ଦୁଃଖିତ ହୋଇ କ୍ରୋଧରେ ଚାରିଅାଡ଼େ ସେମାନଙ୍କ ପ୍ରତି ଦୃଷ୍ଟିପାତ କରି ସେହି ଲୋକକୁ କହିଲେ, ହାତ ବଢ଼ାଅ । ସେ ଆପଣା ହାତ ବଢ଼ାଇଲା, ଆଉ ତାହା ପୁଣି, ଭଲ ହୋଇଗଲା ।
6ତହିଁରେ ଫାରୂଶୀମାନେ ବାହାରିଯାଇ ତାହାଙ୍କୁ ବିନାଶ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ସେହିକ୍ଷଣି ହେରୋଦୀୟମାନଙ୍କ ସହିତ ମନ୍ତ୍ରଣା କରିବାକୁ ଲାଗିଲେ ।
7ଏଥିରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଅନ୍ତର ହୋଇ ସମୁଦ୍ରକୂଳକୁ ବାହାରିଗଲେ, ପୁଣି, ଗାଲିଲୀରୁ ମହାଜନତା ତାହାଙ୍କର ପଶ୍ଚାତ୍‌ଗମନ କଲେ; ଆଉ ଯିହୂଦା,
8ଯିରୂଶାଲମ, ଇଦୋମ, ଯର୍ଦ୍ଦନର ଅପର ପାର୍ଶ୍ୱ, ପୁଣି, ସୋର ଓ ସୀଦୋନର ଚତୁର୍ଦ୍ଦିଗରୁ ମହାଜନତା ତାହାଙ୍କ ସମସ୍ତ କର୍ମର କଥା ଶୁଣି ତାହାଙ୍କ ନିକଟକୁ ଆସିଲେ ।
9ସେତେବେଳେ ଭୀଡ଼ ସକାଶେ, ଲୋକସମୂହ ଯେପରି ତାହାଙ୍କ ଉପରେ ମାଡ଼ି ନ ପଡ଼ନ୍ତି, ଏଥିପାଇଁ ସେ ଆପଣା ଶିଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ଗୋଟିଏ ସାନ ଡଙ୍ଗା ନିକଟରେ ପ୍ରସ୍ତୁତ ରଖିବାକୁ କହିଲେ;
10କାରଣ ସେ ଅନେକ ଲୋକଙ୍କୁ ସୁସ୍ଥ କରିବାରୁ ପୀଡ଼ିତମାନେ ସମସ୍ତେ ତାହାଙ୍କୁ ସ୍ପର୍ଶ କରିବା ନିମନ୍ତେ ତାହାଙ୍କ ଉପରେ ମାଡ଼ିପଡ଼ୁଥିଲେ ।
11ଆଉ, ଅଶୁଚି ଆତ୍ମାଗୁଡ଼ାକ ଯେତେବେଳେ ତାହାଙ୍କୁ ଦେଖୁଥିଲେ, ସେମାନେ ତାହାଙ୍କ ସମ୍ମୁଖରେ ପଡ଼ି ଚିତ୍କାର କରି କହୁଥିଲେ, ତୁମ୍ଭେ ଈଶ୍ୱରଙ୍କ ପୁତ୍ର ।
12ସେଥିରେ ତାହାଙ୍କୁ ପ୍ରକାଶ ନ କରିବା ପାଇଁ ସେ ସେମାନଙ୍କୁ ଅତି ଦୃଢ଼ରୂପେ ଆଜ୍ଞା ଦେଲେ ।
13ସେ ପର୍ବତ ଉପରକୁ ଯାଇ, ଯେଉଁମାନଙ୍କୁ ଇଚ୍ଛା କଲେ, ସେମାନଙ୍କୁ ନିକଟକୁ ଡାକିଲେ ଓ ସେମାନେ ତାହାଙ୍କ ପାଖକୁ ଆସିଲେ ।
14ପୁଣି, ସେ ବାର ଜଣକୁ ନିଯୁକ୍ତ କଲେ, ଯେପରି ସେମାନେ ତାହାଙ୍କ ସାଙ୍ଗରେ ରହିବେ ଓ ସେ ସେମାନଙ୍କୁ ପ୍ରଚାର କରିବା ନିମନ୍ତେ ପ୍ରେରଣ କରିବେ,
15ଆଉ ସେମାନେ ଭୂତ ଛଡ଼ାଇବାକୁ ଅଧିକାର ପାଇବେ ।
16ଯୀଶୁ ଏହି ବାର ଜଣଙ୍କୁ ନିଯୁକ୍ତ କଲେ ଯଥା, ଶିମୋନ, ଯାହାଙ୍କୁ ସେ ପିତର ବୋଲି ଉପନାମ ଦେଲେ ।
17ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ, ଯେଉଁମାନଙ୍କୁ ସେ ବିନେରିଗୋଷ୍, ଅର୍ଥାତ୍ ମେଘନାଦର ପୁତ୍ର ବୋଲି ଉପନାମ ଦେଲେ;
18ଆନ୍ଦ୍ରିୟ, ଫିଲିପ୍ପ, ବାର୍ଥଲମୀ, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ଶିମୋନ,

19ପୁଣି, ଇଷ୍କାରିୟୋତୀୟ ଯିହୂଦା, ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା ।
20ପରେ ସେ ଘରକୁ ଆସିଲେ; ପୁନର୍ବାର ଲୋକସମୂହର ଏତେ ସମାଗମ ହେଲା ଯେ, ସେମାନେ ଭୋଜନ ସୁଦ୍ଧା କରି ପାରିଲେ ନାହିଁ ।
21ତାହାଙ୍କ ଆତ୍ମୀୟମାନେ ଏହା ଶୁଣି ତାହାଙ୍କୁ ଧରି ଘେନିଯିବାକୁ ବାହାରି ଆସିଲେ, କାରଣ ସେମାନେ କହିଲେ, ତାହାଙ୍କର ମତିଭ୍ରମ ହେଲାଣି ।
22ଆଉ, ଯିରୂଶାଲମରୁ ଆସିଥିବା ଶାସ୍ତ୍ରୀମାନେ କହିଲେ, ଏହାକୁ ବାଲ୍‌ଜିବୂଲ୍ ଲାଗିଛି, ପୁଣି, ଭୂତପତିର ସାହାଯ୍ୟରେ ସେ ଭୂତ ଛଡ଼ାଏ ।
23ଏଥିରେ ଯୀଶୁ ସେମାନଙ୍କୁ ପାଖକୁ ଡାକି ଦୃଷ୍ଟାନ୍ତ କଥାରେ ସେମାନଙ୍କୁ କହିଲେ, ଶୟତାନ କିପ୍ରକାରେ ଶୟତାନକୁ ଛଡ଼ାଇ ପାରେ ?
24ଯଦି କୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତେବେ ସେହି ରାଜ୍ୟ ସ୍ଥିର ହୋଇ ରହି ପାରେ ନାହିଁ ।
25ପୁଣି, ଯଦି କୌଣସି ଗୃହ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତେବେ ସେହି ଗୃହ ସ୍ଥିର ହୋଇ ରହି ପାରିବ ନାହିଁ ।
26ସେହି ପ୍ରକାରେ, ଶୟତାନ ଯଦି ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲାଣି, ତେବେ ସେ ସ୍ଥିର ହୋଇ ରହି ପାରେ ନାହିଁ, କିନ୍ତୁ ତାହାର ସର୍ବନାଶ ଘଟିଲାଣି ।
27ମାତ୍ର କେହି ପ୍ରଥମେ ବଳବାନ ଲୋକକୁ ନ ବାନ୍ଧିଲେ ତାହାର ଗୃହରେ ପ୍ରବେଶ କରି ତାହାର ଅସ୍ତ୍ରଶସ୍ତ୍ର ସବୁ ଲୁଣ୍ଠନ କରି ପାରେ ନାହିଁ; ତାହାକୁ ଆଗେ ବାନ୍ଧିଲେ ସିନା ସେ ତାହାର ଗୃହ ଲୁଣ୍ଠନ କରିବ ।
28ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମନୁଷ୍ୟ ସନ୍ତାନମାନଙ୍କର ସମସ୍ତ ପାପ ଓ ସେମାନେ ଯେତେ ନିନ୍ଦାକଥା କହି ଈଶ୍ୱର ନିନ୍ଦା କରନ୍ତି, ସେ ସମସ୍ତ କ୍ଷମା କରାଯିବ;
29କିନ୍ତୁ ଯେ କେହି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦାକଥା କହେ, ତାହାର କୌଣସି କାଳେ ହିଁ କ୍ଷମା ନାହିଁ, ମାତ୍ର ସେ ଅନନ୍ତ ପାପରେ ଦୋଷୀ ଅଟେ ।
30ତାହାକୁ ଅଶୁଚି ଆତ୍ମା ଲାଗିଛି, ଏହା ସେମାନେ କହିବାରୁ ସେ ଏହି କଥା କହିଲେ ।
31ସେତେବେଳେ ତାହାଙ୍କ ମା ଓ ଭାଇମାନେ ଆସି ବାହାରେ ଠିଆ ହୋଇ ତାହାଙ୍କୁ ଡକାଇପଠାଇଲେ ।
32ସେଥିରେ ତାହାଙ୍କ ଚତୁର୍ଦ୍ଦିଗରେ ବସିଥିବା ଲୋକସମୂହ ତାହାଙ୍କୁ କହିଲେ, ଦେଖନ୍ତୁ, ଆପଣଙ୍କ ମା, ଭାଇ ଓ ଭଉଣୀମାନେ ବାହାରେ ଥାଇ ଆପଣଙ୍କୁ ଖୋଜୁଅଛନ୍ତି ।
33ସେ ସେମାନଙ୍କୁ ଉତ୍ତର ଦେଲେ, ମୋହର ମା ଓ ଭାଇମାନେ କିଏ ?
34ଆଉ, ସେ ଆପଣା ଚାରିଆଡ଼େ ବସିଥିବା ଲୋକମାନଙ୍କ ପ୍ରତି ଦୃଷ୍ଟିପାତ କରି କହିଲେ, ଦେଖ, ମୋହର ମା ଓ ମୋହର ଭାଇମାନେ ।
35ଯେ କେହି ଈଶ୍ୱରଙ୍କ ଇଚ୍ଛା ସାଧନ କରେ, ସେ ମୋହର ଭାଇ, ଭଉଣୀ ଓ ମା ।