1ଯୀଶୁ ସେହି ସ୍ଥାନରୁ ପ୍ରସ୍ଥାନ କରି ଯିହୂଦା ସୀମା ଓ ଯର୍ଦ୍ଦନର ଅପରପାରିକୁ ଆସିଲେ; ଆଉ ଲୋକସମୂହ ପୁନର୍ବାର ତାହାଙ୍କ ନିକଟରେ ଏକତ୍ର ହୁଅନ୍ତେ ସେ ନିଜ ରୀତି ଅନୁସାରେ ସେମାନଙ୍କୁ ପୁଣି, ଶିକ୍ଷା ଦେବାକୁ ଲାଗିଲେ ।
2ଇତିମଧ୍ୟରେ ଫାରୂଶୀମାନେ ତାହାଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ଆପଣା ସ୍ତ୍ରୀ ପରିତ୍ୟାଗ କରିବା କଅଣ ପୁରୁଷ ପକ୍ଷରେ ନ୍ୟାୟସଙ୍ଗତ ?
3ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୋଶା ତୁମ୍ଭମାନଙ୍କୁ କି ଆଜ୍ଞା ଦେଇଅଛନ୍ତି ?
4ସେମାନେ କହିଲେ, ତ୍ୟାଗପତ୍ର ଲେଖି ସ୍ତ୍ରୀକୁ ପରିତ୍ୟାଗ କରିବା ନିମନ୍ତେ ମୋଶା ଅନୁମତି ଦେଇଅଛନ୍ତି ।
5ସେଥିରେ ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ହୃଦୟର କଠିନତା ଦେଖି ସେ ତୁମ୍ଭମାନଙ୍କ ନିମନ୍ତେ ଏହି ଆଜ୍ଞା ଲେଖିଅଛନ୍ତି ।
6କିନ୍ତୁ ସୃଷ୍ଟିର ଆରମ୍ଭରୁ ଈଶ୍ୱର ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ ।
7ଏହି କାରଣରୁ ପୁରୁଷ ଆପଣା ପିତାମାତାଙ୍କଠାରୁ ଅଲଗା ହେବ, ଆଉ ସେମାନେ ଦୁହେଁ ଏକାଙ୍ଗ ହେବେ ।
8ଏଣୁ ସେମାନେ ଆଉ ଦୁଇ ନୁହଁନ୍ତି, କିନ୍ତୁ ଏକାଙ୍ଗ ଅଟନ୍ତି ।
9ଅତଏବ, ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ଭିନ୍ନ ନ କରୁ ।
10ପରେ ଶିଷ୍ୟମାନେ ଘରେ ଯୀଶୁଙ୍କୁ ଏ ବିଷୟ ପୁନର୍ବାର ପଚାରିବାକୁ ଲାଗିଲେ ।
11ସେଥିରେ ସେ ସେମାନଙ୍କୁ କହିଲେ, ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ତାହା ବିରୁଦ୍ଧରେ ବ୍ୟଭିଚାର କରେ;
12ଆଉ, ଯଦି ସ୍ତ୍ରୀ ଆପଣା ସ୍ୱାମୀକୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ତେବେ ସେ ବ୍ୟଭିଚାର କରେ ।
13ଯୀଶୁ ଯେପରି ଶିଶୁମାନଙ୍କୁ ସ୍ପର୍ଶ କରନ୍ତି, ଏଥିପାଇଁ ଲୋକେ ଶିଶୁମାନଙ୍କୁ ତାହାଙ୍କ ନିକଟକୁ ଆଣିବାକୁ ଲାଗିଲେ; ମାତ୍ର ଶିଷ୍ୟମାନେ ସେମାନଙ୍କୁ ଧମକ ଦେଲେ ।
14ଯୀଶୁ ତାହା ଦେଖି ବିରକ୍ତ ହୋଇ ସେମାନଙ୍କୁ କହିଲେ, ଶିଶୁମାନଙ୍କୁ ମୋ' ନିକଟକୁ ଆସିବାକୁ ଦିଅ, ସେମାନଙ୍କୁ ମନା କର ନାହିଁ; କାରଣ ଈଶ୍ୱରଙ୍କ ରାଜ୍ୟ ଏହି ପ୍ରକାର ଲୋକମାନଙ୍କର ।
15ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଶିଶୁ ପରି ଈଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କରେ, ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ ।
16ପୁଣି, ଯୀଶୁ ଶିଶୁମାନଙ୍କୁ କୋଳରେ ଘେନି ଓ ସେମାନଙ୍କ ଉପରେ ହାତ ଥୋଇ ସେମାନଙ୍କୁ ଆଶୀର୍ବାଦ କଲେ ।
17ସେ ପୁନର୍ବାର ଯାତ୍ରା ଆରମ୍ଭ କରିବା ସମୟରେ ଜଣେ ଦୌଡ଼ିଆସି ତାହାଙ୍କ ଛାମୁରେ ଆଣ୍ଠୁପାତି ତାହାଙ୍କୁ ପଚାରିଲେ, ହେ ସଦ୍ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କ'ଣ କରିବି ?
18ସେଥିରେ ଯୀଶୁ ତାହାଙ୍କୁ କହିଲେ, ମୋତେ ଉତ୍ତମ ବୋଲି କାହିଁକି କହୁଅଛ ? ଜଣଙ୍କ ବିନା, ଅର୍ଥାତ୍ ଈଶ୍ୱରଙ୍କ ବିନା ଅନ୍ୟ କେହି ଉତ୍ତମ ନୁହେଁ,।
19ଆଜ୍ଞାଗୁଡ଼ିକ ତ ତୁମ୍ଭେ ଜାଣ, ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ପ୍ରବଞ୍ଚନା କର ନାହିଁ, ଆପଣା ପିତାମାତାଙ୍କୁ ସମାଦର କର ।
20ସେ ତାହାଙ୍କୁ କହିଲେ, ହେ ଗୁରୁ, ଏହି ସମସ୍ତ ମୁଁ ଯୌବନକାଳରୁ ପାଳନ କରି ଆସିଅଛି ।
21ଯୀଶୁ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ତାହାଙ୍କୁ ସ୍ନେହ କଲେ ଓ କହିଲେ, ତୁମ୍ଭର ଗୋଟିଏ ବିଷୟ ଊଣା ଅଛି, ତୁମ୍ଭେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର ।
22କିନ୍ତୁ ଏହି କଥାରେ ତାହାଙ୍କ ମୁଖ ମଳିନ ହୋଇଗଲା ଓ ସେ ଦୁଃଖିତ ହୋଇ ଚାଲିଗଲେ, କାରଣ ତାହାଙ୍କର ବହୁତ ସମ୍ପତ୍ତି ଥିଲା ।
23ସେଥିରେ ଯୀଶୁ ଚତୁର୍ଦ୍ଦିଗକୁ ଦୃଷ୍ଟିପାତ କରି ଆପଣା ଶିଷ୍ୟମାନଙ୍କୁ କହିଲେ, ଯେଉଁମାନଙ୍କର ଧନ ଅଛି, ସେମାନେ କେଡ଼େ କଷ୍ଟରେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବେ !
24ତାହାଙ୍କ କଥା ଶୁଣି ଶିଷ୍ୟମାନେ ବିସ୍ମୟାନ୍ୱିତ ହେଲେ । କିନ୍ତୁ ଯୀଶୁ ପୁନର୍ବାର ସେମାନଙ୍କୁ ଉତ୍ତର ଦେଲେ, ବତ୍ସଗଣ, ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା କେଡ଼େ କଷ୍ଟକର !
25ଈଶ୍ୱରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା ଅପେକ୍ଷା ବରଂ ଛୁଞ୍ଚିର ଛିଦ୍ର ଦେଇ ଓଟର ଯିବାର ସହଜ ।
26ଏଥିରେ ସେମାନେ ଅତିଶୟ ଆଶ୍ଚର୍ଯ୍ୟାନ୍ୱିତ ହୋଇ ପରସ୍ପରକୁ କହିଲେ, ତେବେ କିଏ ପରିତ୍ରାଣ ପାଇ ପାରେ ?
27ଯୀଶୁ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହା ମନୁଷ୍ୟ ନିମନ୍ତେ ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କ ନିମନ୍ତେ ନୁହେଁ; କାରଣ ଈଶ୍ୱରଙ୍କ ନିମନ୍ତେ ସମସ୍ତ ସାଧ୍ୟ ।
28ପିତର ତାହାଙ୍କୁ କହିବାକୁ ଲାଗିଲେ, ଦେଖନ୍ତୁ, ଆମ୍ଭେମାନେ ସମସ୍ତ ପରିତ୍ୟାଗ କରି ଆପଣଙ୍କ ଅନୁଗାମୀ ହୋଇଅଛୁ ।
29ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଲୋକ ମୋହର ଓ ସୁସମାଚାର ନିମନ୍ତେ ଗୃହ କିମ୍ବା ଭାଇ କି ଭଉଣୀ କି ମାତା କି ପିତା କି ସନ୍ତାନସନ୍ତତି କି ଭୂମି ପରିତ୍ୟାଗ କରିଅଛି,
30ଆଉ ଏବେ ଇହକାଳରେ ତାଡ଼ନା ସଙ୍ଗେ ସଙ୍ଗେ ଶତ ଗୁଣରେ ଗୃହ, ଭାଇ, ଭଉଣୀ, ମାତା, ସନ୍ତାନସନ୍ତତି ଓ ଭୂମି, ପୁଣି, ପରକାଳରେ ଅନନ୍ତ ଜୀବନ ନ ପାଇବ, ଏପରିଲୋକ କେହି ନାହିଁ ।
31କିନ୍ତୁ ପ୍ରଥମରେ ଥିବା ଅନେକ ଲୋକ ଶେଷରେ ପଡ଼ିବେ ଓ ଶେଷରେ ଥିବା ଅନେକ ଲୋକ ପ୍ରଥମ ହେବେ ।
32ସେମାନେ ଯିରୂଶାଲମକୁ ଯାତ୍ରା କରୁଥିବା ସମୟରେ ପଥ ମଧ୍ୟରେ ଥିଲେ ଓ ଯୀଶୁ ସେମାନଙ୍କ ଆଗେ ଆଗେ ଯାଉଥିଲେ, ଆଉ ଶିଷ୍ୟମାନେ ବିସ୍ମୟାନ୍ୱିତ ଓ ପଛରେ ଆସୁଥିବା ଲୋକେ ଭୀତ ହୋଇଥିଲେ । ଏଣୁ ସେ ପୁନର୍ବାର ବାର ଶିଷ୍ୟଙ୍କୁ ଅନ୍ତର କରି, ତାହାଙ୍କ ପ୍ରତି ଯାହା ଯାହା ଘଟିବାକୁ ଯାଉଅଛି, ସେହି ସବୁ ସେମାନଙ୍କୁ ଜଣାଇବାକୁ ଲାଗିଲେ ।
33ଯୀଶୁ କହିଲେ, ଦେଖ, ଆମ୍ଭେମାନେ ଯିରୂଶାଲମକୁ ଯାତ୍ରା କରୁଅଛୁ; ମନୁଷ୍ୟପୁତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରେ ସମର୍ପିତ ହେବେ, ଆଉ ସେମାନେ ତାହାଙ୍କୁ ପ୍ରାଣ ଦଣ୍ଡାଦେଶ ଦେଇ ଅଣଯିହୂଦୀମାନଙ୍କ ହସ୍ତରେ ସମର୍ପଣ କରିବେ,
34ପୁଣି, ଶାସ୍ତ୍ରୀମାନେ ତାହାଙ୍କୁ ପରିହାସ କରିବେ, ତାହାଙ୍କ ଉପରେ ଛେପ ପକାଇବେ, ତାହାଙ୍କୁ କୋରଡ଼ା ମାରିବେ ଓ ବଧ କରିବେ, ଆଉ ତିନି ଦିନ ପରେ ସେ ପୁନରୁତ୍ଥିତ ହେବେ ।
35ପରେ ଜେବଦୀଙ୍କ ପୁତ୍ରମାନେ ଯାକୁବ ଓ ଯୋହନ ତାହାଙ୍କ ଛାମୁକୁ ଆସି କହିଲେ, ହେ ଗୁରୁ, ଆମ୍ଭମାନଙ୍କର ଇଚ୍ଛା ଯେ, ଆମ୍ଭେମାନେ ଆପଣଙ୍କଠାରୁ ଯାହା କିଛି ମାଗିବୁ, ତାହା ଆମ୍ଭମାନଙ୍କ ପାଇଁ ଆପଣ କରନ୍ତୁ ।
36ତହୁଁ ସେ ସେମାନଙ୍କୁ ପଚାରିଲେ, ମୁଁ ତୁମ୍ଭମାନଙ୍କ ପାଇଁ କଅଣ କରିବି ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ ?
37ସେମାନେ ତାହାଙ୍କୁ କହିଲେ, ଆପଣ ମହିମାପ୍ରାପ୍ତ ହେଲେ ଯେପରି ଆମ୍ଭମାନଙ୍କ ମଧ୍ୟରୁ ଜଣେ ଆପଣଙ୍କ ଦକ୍ଷିଣ ପାର୍ଶ୍ୱରେ ଓ ଅନ୍ୟ ଜଣକ ବାମ ପାର୍ଶ୍ୱରେ ବସିବ, ଆମ୍ଭମାନଙ୍କୁ ଏହି ବର ଦିଅନ୍ତୁ ।
38କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ କ'ଣ ମାଗୁଅଛ, ତାହା ଜାଣୁ ନାହଁ । ମୁଁ ଯେଉଁ ପାତ୍ରରେ ପାନ କରୁଅଛି, ସେଥିରେ କି ତୁମ୍ଭେମାନେ ପାନ କରି ପାର ? ଅବା ମୁଁ ଯେଉଁ ବାପ୍ତିସ୍ମରେ ବାପ୍ତିଜିତ ହେଉଅଛି, ସେଥିରେ କି ତୁମ୍ଭେମାନେ ବାପ୍ତିଜିତ ହୋଇ ପାର ?
39ସେମାନେ ତାହାଙ୍କୁ କହିଲେ, "ଆମ୍ଭେମାନେ ପାରୁ" । ଯୀଶୁ ସେମାନଙ୍କୁ କହିଲେ, ମୁଁ ଯେଉଁ ପାତ୍ରରେ ପାନ କରୁଅଛି, ତୁମ୍ଭେମାନେ ସେଥିରେ ପାନ କରିବ, ପୁଣି, ମୁଁ ଯେଉଁ ବାପ୍ତିସ୍ମରେ ବାପ୍ତିଜିତ ହେଉଅଛି, ତୁମ୍ଭେମାନେ ସେଥିରେ ବାପ୍ତିଜିତ ହେବ;
40କିନ୍ତୁ ମୋହର ଦକ୍ଷିଣ ଅବା ବାମ ପାର୍ଶ୍ୱରେ ବସିବାକୁ ଦେବା ମୋହର ଅଧିକାରର ବିଷୟ ନୁହେଁ, ବରଂ ଯେଉଁମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରାଯାଇଅଛି, ସେମାନେ ବସିବେ ।
41ଅନ୍ୟ ଦଶ ଜଣ ଏହା ଶୁଣି ଯାକୁବ ଓ ଯୋହନଙ୍କ ଉପରେ ବିରକ୍ତ ହେବାକୁ ଲାଗିଲେ ।
42ସେଥିରେ ଯୀଶୁ ସେମାନଙ୍କୁ ପାଖକୁ ଡାକି କହିଲେ, ଯେଉଁମାନେ ଅଣଯିହୂଦୀମାନଙ୍କର ଶାସନକର୍ତ୍ତା ରୂପେ ଗଣିତ, ସେମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି ଓ ଅଣଯିହୂଦୀମାନଙ୍କର ମହାନ ବ୍ୟକ୍ତିମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ଏହା ତୁମ୍ଭେମାନେ ଜାଣ ।
43କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ସେପ୍ରକାର ନୁହେଁ; ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ,
44ପୁଣି, ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ପ୍ରଧାନ ହେବାକୁ ଇଚ୍ଛା କରେ, ସେ ସମସ୍ତଙ୍କର ଦାସ ହେଉ ।
45କାରଣ ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାଁନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣା ପ୍ରାଣ ଦେବାକୁ ଆସିଅଛନ୍ତି ।
46ପରେ ସେମାନେ ଯିରୀହୋରେ ଉପସ୍ଥିତ ହେଲେ, ଆଉ ସେ ଆପଣା ଶିଷ୍ୟସମୂହ ଓ ବହୁସଂଖ୍ୟକ ଲୋକ ସହିତ ଯିରୀହୋରୁ ପ୍ରସ୍ଥାନ କରିବା ସମୟରେ ଟୀମାୟର ପୁତ୍ର ବାର୍ଟୀମୟ ନାମକ ଜଣେ ଅନ୍ଧ ଭିକ୍ଷୁକ ପଥ ପାର୍ଶ୍ୱରେ ବସିଥିଲା ।
47ସେ ଯେ ନାଜରିତୀୟ ଯୀଶୁ, ଏହା ଶୁଣି ସେ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ଦାଉଦ ସନ୍ତାନ ଯୀଶୁ, ମୋତେ ଦୟା କରନ୍ତୁ ।
48ଏଥିରେ ଅନେକେ ତାହାକୁ ତୁନି ହେବା ପାଇଁ ଧମକ ଦେବାକୁ ଲାଗିଲେ, କିନ୍ତୁ ସେ ଆହୁରି ଅଧିକ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ଦାଉଦ ସନ୍ତାନ, ମୋତେ ଦୟା କରନ୍ତୁ ।
49ସେଥିରେ ଯୀଶୁ ଠିଆ ହୋଇ କହିଲେ, ତାହାକୁ ଡାକ । ସେମାନେ ସେହି ଅନ୍ଧ ଲୋକଟିକୁ ଡାକି କହିଲେ, ସାହସ ଧର, ଉଠ, ସେ ତୁମକୁ ଡାକୁଅଛନ୍ତି ।
50ତହିଁରେ ସେ ଆପଣା ଚାଦର ଫୋପାଡ଼ିଦେଇ ଉଠି ଯୀଶୁଙ୍କ ନିକଟକୁ ଆସିଲା ।
51ଯୀଶୁ ତାହାକୁ ଉତ୍ତର ଦେଲେ, ମୁଁ ତୁମ୍ଭ ପାଇଁ କଅଣ କରିବି ବୋଲି ତୁମ୍ଭେ ଇଚ୍ଛା କରୁଅଛ ? ସେହି ଅନ୍ଧ ଲୋକଟି ତାହାଙ୍କୁ କହିଲା, ହେ ଗୁରୁ, ମୁଁ ଯେପରି ଦୃଷ୍ଟି ପାଏ ।
52ଯୀଶୁ ତାହାକୁ କହିଲେ, ଯାଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି । ତତ୍କ୍ଷଣାତ୍ ସେ ଦୃଷ୍ଟି ପାଇ ପଥରେ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲା ।