4ଆଉ ହେବଲ ମଧ୍ୟ ନିଜ ପଲର ପ୍ରଥମଜାତ କେତେକ ପଶୁ ଓ ସେମାନଙ୍କ ମେଦ ଉତ୍ସର୍ଗ କଲେ। ସଦାପ୍ରଭୁ ହେବଲଙ୍କୁ ଓ ତାଙ୍କର ନୈବେଦ୍ୟକୁ ଗ୍ରାହ୍ୟ କଲେ।
5ମାତ୍ର କୟିନଙ୍କୁ ଓ ତାଙ୍କର ନୈବେଦ୍ୟକୁ ସେ ଅଗ୍ରାହ୍ୟ କଲେ। ଏହେତୁ କୟିନ ଅତି କ୍ରୋଧ କରି ଦୁଃଖିତ ହେଲେ।
6ତହିଁରେ ସଦାପ୍ରଭୁ କୟିନଙ୍କୁ କହିଲେ, “ତୁମ୍ଭେ କାହିଁକି କ୍ରୋଧ କରୁଅଛ ? ଆଉ କାହିଁକି ଦୁଃଖିତ ହେଉଅଛ ?
7ସତ୍କର୍ମ କଲେ, କି ତୁମ୍ଭେ ଉର୍ଦ୍ଧ୍ୱମୁଖ ହେବ ନାହିଁ ? ସତ୍କର୍ମ ନ କଲେ, ପାପ ଦ୍ୱାରରେ ଛକିଥାଏ; ତୁମ୍ଭ ପ୍ରତି ତାହାର ବାସନା ରହିବ, ମାତ୍ର ତୁମ୍ଭେ ତାହା ଉପରେ କର୍ତ୍ତୃତ୍ୱ କରିବା ଉଚିତ।”
8ଏଥିଉତ୍ତାରେ କୟିନ ଆପଣା ଭାଇ ହେବଲ ସହିତ କଥାବାର୍ତ୍ତା କଲେ। ତହୁଁ ସେମାନେ କ୍ଷେତରେ ଥିବା ବେଳେ କୟିନ ଆପଣା ଭାଇ ହେବଲଙ୍କୁ ଆକ୍ରମଣ କରି ବଧ କଲେ।
9ଏଥିଉତ୍ତାରେ ସଦାପ୍ରଭୁ କୟିନଙ୍କୁ ପଚାରିଲେ, “ତୁମ୍ଭ ଭାଇ ହେବଲ କେଉଁଠାରେ ?” ସେ କହିଲେ, “ମୁଁ ଜାଣେ ନାହିଁ, ମୁଁ କ’ଣ ମୋ’ ଭାଇର ରକ୍ଷକ ?”
10ସେ କହିଲେ, “ତୁମ୍ଭେ କଅଣ କରିଅଛ ? ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡାକ ପକାଉଅଛି।
11ଏଥିନିମନ୍ତେ ଯେଉଁ ଭୂମି ତୁମ୍ଭ ହସ୍ତରୁ ତୁମ୍ଭ ଭାଇର ରକ୍ତ ଗ୍ରହଣାର୍ଥେ ଆପଣା ମୁଖ ମୁକ୍ତ କରିଅଛି, ସେହି ଭୂମିରେ ଏବେ ତୁମ୍ଭେ ଶାପଗ୍ରସ୍ତ ହେଲ;
12ଭୂମିରେ କୃଷିକର୍ମ କଲେ ହେଁ ତାହା ଆପଣା ଶକ୍ତି ଦେଇ ଆଉ ତୁମ୍ଭର ସେବା କରିବ ନାହିଁ; ତୁମ୍ଭେ ପୃଥିବୀରେ ପଳାତକ ଓ ଭ୍ରମଣକାରୀ ହେବ।”
13କୟିନ ସଦାପ୍ରଭୁଙ୍କୁ କହିଲେ, “ମୋହର ଦଣ୍ଡ ଅସହ୍ୟ।
14ଦେଖ, ତୁମ୍ଭେ ଆଜି ମୋତେ ଏ ସ୍ଥାନରୁ ତଡ଼ି ଦେଲ, ତହିଁରେ ତୁମ୍ଭ ସମ୍ମୁଖରୁ ମୁଁ ଗୁପ୍ତ ହେବି; ଏହିରୂପେ ପୃଥିବୀରେ ପଳାତକ ଓ ଭ୍ରମଣକାରୀ ହେଲେ ଏପରି ହେବ ଯେ, କୌଣସି ଲୋକ ମୋତେ ପାଇଲେ ବଧ କରିବ।”
15ଆଉ ସଦାପ୍ରଭୁ ତାଙ୍କୁ କହିଲେ, “ଏହେତୁ କେହି କୟିନଙ୍କୁ ବଧ କଲେ, ତାହାର ସାତଗୁଣ ଦଣ୍ଡ ହେବ।” ପୁଣି, କେହି ତାଙ୍କୁ ଦେଖି ଯେପରି ବଧ ନ କରଇ, ଏଥିପାଇଁ ସଦାପ୍ରଭୁ କୟିନଙ୍କ ନିମନ୍ତେ ଏକ ଚିହ୍ନ ନିରୂପଣ କଲେ।
16ଏଥିଉତ୍ତାରେ କୟିନ ସଦାପ୍ରଭୁଙ୍କ ସମ୍ମୁଖରୁ ପ୍ରସ୍ଥାନ କରି ଏଦନର ପୂର୍ବଦିଗସ୍ଥ ନୋଦ ନାମକ ସ୍ଥାନରେ ବାସ କଲେ।