Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ

ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 27

Help us?
Click on verse(s) to share them!
1ଏଥିଉତ୍ତାରେ ଇସ୍‍ହାକ ବୃଦ୍ଧ ହୁଅନ୍ତେ, ଚକ୍ଷୁ ନିସ୍ତେଜ ହେବାରୁ ଆଉ ଦେଖି ପାରିଲେ ନାହିଁ; ସେତେବେଳେ ସେ ଆପଣା ଜ୍ୟେଷ୍ଠ ପୁତ୍ର ଏଷୌକୁ ଡାକି କହିଲେ, “ପୁଅରେ,” ତହିଁରେ ସେ ଉତ୍ତର କଲା, “ଦେଖନ୍ତୁ, ମୁଁ ଏଠାରେ।”
2ତହୁଁ ସେ ତାହାଙ୍କୁ କହିଲେ, “ଦେଖ, ମୁଁ ବୃଦ୍ଧ ହୋଇଅଛି, କେଉଁଦିନ ମୋହର ମୃତ୍ୟୁୁ ହେବ, ତାହା ମୁଁ ଜାଣେ ନାହିଁ।”
3ଏବେ ବିନୟ କରୁଅଛି, “ତୁମ୍ଭେ ଏତେବେଳେ ତୂଣ ଓ ଧନୁକାଦି ଶସ୍ତ୍ର ଘେନି ପ୍ରାନ୍ତରକୁ ଯାଇ ମୋ’ ନିମନ୍ତେ ମୃଗ ଆଣ।
4ପୁଣି, ମୁଁ ଯେଉଁପରି ଖାଦ୍ୟ ଭଲ ପାଏ, ସେହିପରି ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ଭୋଜନ ନିମନ୍ତେ ମୋ’ ନିକଟକୁ ଆଣ; ତହିଁରେ ମୋହର ପ୍ରାଣ ମୃତ୍ୟୁୁ ପୂର୍ବରେ ତୁମ୍ଭକୁ ଆଶୀର୍ବାଦ କରିବ।”
5ଇସ୍‍ହାକ ଆପଣା ପୁତ୍ର ଏଷୌକୁ ଏହି କଥା କହିବା ସମୟରେ ରିବିକା ଶୁଣିଲା। ଏହେତୁ ଏଷୌ ମୃଗୟା ମାଂସ ଆଣିବା ନିମନ୍ତେ କ୍ଷେତ୍ରକୁ ଗଲା ଉତ୍ତାରେ,
6ରିବିକା ଆପଣା ପୁତ୍ର ଯାକୁବଙ୍କୁ କହିଲା, “ଦେଖ, ତୁମ୍ଭର ଭ୍ରାତା ଏଷୌ ସହିତ ତୁମ୍ଭ ପିତାଙ୍କର କଥୋପକଥନ ମୁଁ ଶୁଣିଲି,
7ସେ ତାହାକୁ କହିଲେ, ‘ତୁମ୍ଭେ ମୃଗୟା ମାଂସ ଆଣି ଆମ୍ଭ ନିମନ୍ତେ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କର, ତହିଁରେ ଆମ୍ଭେ ଭୋଜନ କରି ମୃତ୍ୟୁୁ ପୂର୍ବରେ ସଦାପ୍ରଭୁଙ୍କ ଛାମୁରେ ତୁମ୍ଭକୁ ଆଶୀର୍ବାଦ କରିବା।’
8ଏନିମନ୍ତେ, ପୁଅ, ଏବେ ମୁଁ ତୁମ୍ଭକୁ ଯେଉଁ ଆଜ୍ଞା ଦେଉଅଛି, ମୋହର ସେହି କଥା ଶୁଣ।
9ତୁମ୍ଭେ ଏବେ ଗୋଠକୁ ଯାଇ ସେଠାରୁ ଦୁଇଗୋଟି ଉତ୍ତମ ଛେଳିଛୁଆ ଆଣ; ତହିଁରେ ତୁମ୍ଭର ପିତା ଯେପରି ଭଲ ପା’ନ୍ତି, ସେହିପରି ସୁସ୍ୱାଦୁ ଖାଦ୍ୟ ମୁଁ ରାନ୍ଧିଦେବି।
10ତୁମ୍ଭେ ତାହା ଘେନି ପିତାଙ୍କ ନିକଟକୁ ଯାଅ; ତହିଁରେ ସେ ତାହା ଭୋଜନ କରି ମୃତ୍ୟୁୁ ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ କରିବେ।”
11ସେତେବେଳେ ଯାକୁବ ଆପଣା ମାତା ରିବିକାକୁ କହିଲା, “ଦେଖ, ମୋହର ଭ୍ରାତା ଏଷୌ ଲୋମଶ, ମାତ୍ର ମୁଁ ନିର୍ଲୋମ।
12ଏଣୁ ଯଦି ପିତା ମୋତେ ସ୍ପର୍ଶ କରିବେ, ତେବେ ମୁଁ ତାଙ୍କ ଦୃଷ୍ଟିରେ ପ୍ରବଞ୍ଚକ ଦେଖାଯିବି; ତାହାହେଲେ ମୁଁ ଆପଣା ଉପରକୁ ଆଶୀର୍ବାଦ ନ ଆଣି ଅଭିଶାପ ଆଣିବି।”
13ମାତ୍ର ତାହାର ମାତା କହିଲା, “ପୁଅ, ସେହି ଅଭିଶାପ ମୋତେ ଘଟୁ, କେବଳ ତୁମ୍ଭେ ମୋ’ କଥା ମାନ ଓ ଯାଇ ଛେଳିଛୁଆ ଆଣ।”
14ତହୁଁ ଯାକୁବ ଯାଇ ତାହା ଘେନି ମାତା ନିକଟକୁ ଆଣନ୍ତେ, ମାତା ତାହାର ପିତାଙ୍କର ରୁଚି ଅନୁସାରେ ସୁସ୍ୱାଦୁ ଖାଦ୍ୟ ରନ୍ଧନ କଲା।
15ତହିଁରେ ରିବିକା ଘରେ ଆପଣା ନିକଟରେ ଜ୍ୟେଷ୍ଠ ପୁତ୍ର ଏଷୌର ଥିବା ଉତ୍ତମ ବସ୍ତ୍ର ଆଣି କନିଷ୍ଠ ପୁତ୍ର ଯାକୁବକୁ ପିନ୍ଧାଇଲା।
16ପୁଣି, ଛେଳିଛୁଆର ଛାଲ ଘେନି ତାହା ହସ୍ତରେ ଓ ଗଳଦେଶର ନିର୍ଲୋମ ସ୍ଥାନରେ ଗୁଡ଼ାଇ ଦେଲା।
17ଆଉ ସେହି ରନ୍ଧା ସୁସ୍ୱାଦୁ ଖାଦ୍ୟ ଓ ରୁଟି ଯାକୁବର ହସ୍ତରେ ଦେଲା।
18ତହୁଁ ଯାକୁବ ଆପଣା ପିତା ନିକଟକୁ ଯାଇ କହିଲା, “ପିତଃ,” ସେ ଉତ୍ତର କଲେ, “ଦେଖ, ମୁଁ ଏଠାରେ ପୁତ୍ର, ତୁମ୍ଭେ କିଏ ?”

19ଯାକୁବ ଆପଣା ପିତାଙ୍କୁ କହିଲା, “ମୁଁ ଆପଣଙ୍କ ଜ୍ୟେଷ୍ଠ ପୁତ୍ର ଏଷୌ; ଆପଣ ଯାହା ଆଜ୍ଞା କରିଥିଲେ, ମୁଁ ତାହା କରିଅଛି,” ଏବେ ନିବେଦନ କରୁଅଛି, “ଆପଣ ଉଠନ୍ତୁ, ପୁଣି, ବସି ମୋହର ମୃଗୟା ମାଂସ ଭୋଜନ କରନ୍ତୁ, ତହିଁ ଉତ୍ତାରେ ଆପଣ ମୋତେ ଆଶୀର୍ବାଦ କରନ୍ତୁ।”
20ତହିଁରେ ଇସ୍‍ହାକ ଆପଣା ପୁତ୍ରକୁ କହିଲେ, “ପୁତ୍ର, ତୁମ୍ଭେ ଏତେ ଶୀଘ୍ର ତାହା କିପରି ପାଇଲ ?” ସେ କହିଲା, “ଆପଣଙ୍କ ସଦାପ୍ରଭୁ ପରମେଶ୍ୱର ମୋତେ ତାହା ଭେଟାଇ ଦେଲେ।”
21ଇସ୍‍ହାକ ଯାକୁବଙ୍କୁ ଆହୁରି କହିଲେ, “ପୁତ୍ର, ମୋ’ ପାଖକୁ ଆସ, ତୁମ୍ଭେ ପ୍ରକୃତରେ ମୋହର ପୁତ୍ର ଏଷୌ କି ନାହିଁ, ତୁମ୍ଭକୁ ସ୍ପର୍ଶ କରି ଜାଣିବି।”
22ତହୁଁ ଯାକୁବ ଆପଣା ପିତା ଇସ୍‍ହାକଙ୍କ ନିକଟକୁ ଯା’ନ୍ତେ, ସେ ତାହା ସ୍ପର୍ଶ କରି କହିଲେ, “ଏହି ସ୍ୱର ଯାକୁବର ସ୍ୱର, ମାତ୍ର ଏହି ହସ୍ତ ଏଷୌର ହସ୍ତ ଅଟଇ।”
23ଏହିରୂପେ ସେ ତାହାକୁ ଚିହ୍ନି ପାରିଲେ ନାହିଁ, ଯେହେତୁ ସେ ଆପଣା ଭ୍ରାତା ଏଷୌର ହସ୍ତ ନ୍ୟାୟ ଆପଣା ହସ୍ତ ଲୋମଯୁକ୍ତ କରିଥିଲା; ଏଣୁ ସେ ତାହାକୁ ଆଶୀର୍ବାଦ କଲେ।
24ଏଥିଉତ୍ତାରେ ସେ କହିଲେ, “ତୁମ୍ଭେ କି ନିତାନ୍ତ ମୋହର ପୁତ୍ର ଏଷୌ ?” ସେ କହିଲା, “ହଁ, ମୁଁ ସେହି।”
25ସେତେବେଳେ ଇସ୍‍ହାକ କହିଲେ, “ତାହା ମୋ’ ପାଖକୁ ଆଣ; ମୁଁ ଆପଣା ପୁତ୍ରର ଆନୀତ ମୃଗୟା ମାଂସ ଭୋଜନ କରିବି, ତହୁଁ ମୁଁ ତୁମ୍ଭକୁ ଆଶୀର୍ବାଦ କରିବ।” ତହିଁରେ ସେ ନିକଟକୁ ଆଣି ଦିଅନ୍ତେ, ଇସ୍‍ହାକ ତାହା ଭୋଜନ କଲେ; ପୁଣି, ଦ୍ରାକ୍ଷାରସ ଆଣି ଦିଅନ୍ତେ, ତାହା ପାନ କଲେ।
26ଏଥିଉତ୍ତାରେ ତାହାର ପିତା ଇସ୍‍ହାକ କହିଲେ, “ପୁତ୍ର, ଏବେ ମୋ’ ନିକଟକୁ ଆସି ମୋତେ ଚୁମ୍ବନ କର।”
27ସେତେବେଳେ ସେ ନିକଟକୁ ଯାଇ ଚୁମ୍ବନ କରନ୍ତେ, ଇସ୍‍ହାକ ତାହାର ବସ୍ତ୍ରର ଗନ୍ଧ ପାଇ ତାଙ୍କୁ ଆଶୀର୍ବାଦ କରି କହିଲେ, “ଦେଖ, ସଦାପ୍ରଭୁଙ୍କ ଆଶୀର୍ବାଦପ୍ରାପ୍ତ କ୍ଷେତ୍ରର ସୁଗନ୍ଧି ତୁଲ୍ୟ ମୋ’ ପୁତ୍ରର ସୁଗନ୍ଧି;
28ପରମେଶ୍ୱର ଆକାଶର କାକରରୁ ଓ ପୃଥିବୀର ଉର୍ବରତାରୁ ଉତ୍ପନ୍ନ (ଫଳ) ଓ ପ୍ରଚୁର ଶସ୍ୟ ଓ ଦ୍ରାକ୍ଷାରସ ତୁମ୍ଭକୁ ଦିଅନ୍ତୁ;
29ଲୋକସମୂହ ତୁମ୍ଭର ସେବା କରନ୍ତୁ ଓ ନାନା ବଂଶ ତୁମ୍ଭକୁ ପ୍ରଣାମ କରନ୍ତୁ; ତୁମ୍ଭେ ଆପଣା ଜ୍ଞାତିମାନଙ୍କର କର୍ତ୍ତା ହୁଅ, ପୁଣି, ତୁମ୍ଭର ମାତୃପୁତ୍ରମାନେ ତୁମ୍ଭକୁ ପ୍ରଣାମ କରନ୍ତୁ; ଯେ ତୁମ୍ଭକୁ ଅଭିଶାପ ଦିଏ, ସେ ଅଭିଶପ୍ତ ହେଉ, ପୁଣି, ଯେ ତୁମ୍ଭକୁ ଆଶୀର୍ବାଦ କରେ, ସେ ଆଶୀର୍ବାଦ ପ୍ରାପ୍ତ ହେଉ।”
30ଏହି ପ୍ରକାରେ ଇସ୍‍ହାକ ଯାକୁବଙ୍କୁ ଆଶୀର୍ବାଦ କଲା ଉତ୍ତାରେ ଯାକୁବ ଆପଣା ପିତା ଇସ୍‍ହାକଙ୍କ ନିକଟରୁ ବାହାର ହେବାମାତ୍ରେ ତାହାର ଭ୍ରାତା ଏଷୌ ଶିକାରରୁ ଆସିଲା।
31ପୁଣି, ସେ ମଧ୍ୟ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ପିତା ନିକଟକୁ ଆଣି କହିଲା, “ପିତଃ, ଆପଣ ଉଠି ପୁତ୍ରର ଆନୀତ ମୃଗୟା ମାଂସ ଭୋଜନ କରନ୍ତୁ, ତହିଁ ଉତ୍ତାରେ ଆପଣ ମୋତେ ଆଶୀର୍ବାଦ କରନ୍ତୁ।”
32ତହିଁରେ ତାହାର ପିତା ଇସ୍‍ହାକ କହିଲେ, “ତୁମ୍ଭେ କିଏ ?” ସେ କହିଲା, “ମୁଁ ଆପଣଙ୍କ ପୁତ୍ର, ଆପଣଙ୍କ ପ୍ରଥମଜାତ ଏଷୌ।”
33ସେତେବେଳେ ଇସ୍‍ହାକ ଅତିଶୟ କମ୍ପିତ ହୋଇ କହିଲେ, “ତେବେ ଯେ ମୋ’ ନିକଟକୁ ମୃଗୟା ମାଂସ ଆଣିଥିଲା, ସେ କିଏ ? ତୁମ୍ଭ ଆସିବା ପୂର୍ବେ ମୁଁ ତାହା ଭୋଜନ କରି ତାକୁ ଆଶୀର୍ବାଦ କଲି, ଆହୁରି ସେ ଆଶୀର୍ବାଦ ପ୍ରାପ୍ତ ହେବ।”
34ଏଷୌ ପିତାଙ୍କର ଏହି କଥା ଶୁଣିବାମାତ୍ରେ ଅତ୍ୟନ୍ତ ବ୍ୟାକୁଳ ଚିତ୍ତରେ ମହାଚିତ୍କାର କଲା, ପୁଣି, ଆପଣା ପିତାଙ୍କୁ କହିଲା, “ପିତଃ, ମୋତେ, ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ।”
35ତହିଁରେ ଇସ୍‍ହାକ କହିଲେ, “ତୁମ୍ଭର ଭ୍ରାତା ଆସି ପ୍ରବଞ୍ଚନା କରି ତୁମ୍ଭର (ପ୍ରାପ୍ତବ୍ୟ) ଆଶୀର୍ବାଦ ହରଣ କରିଅଛି।”
36ତହିଁରେ ଏଷୌ କହିଲା, “ତାହାର ଯଥାର୍ଥ ନାମ କି ଯାକୁବ ନୁହେଁ ? ଯେହେତୁ ସେ ଦୁଇଥର ମୋତେ ପ୍ରବଞ୍ଚନା କରିଅଛି, ସେ ପୂର୍ବରେ ମୋର ଜ୍ୟେଷ୍ଠାଧିକାର ହରଣ କରିଥିଲା, ପୁଣି, ଦେଖ, ଏବେ ମୋର (ପ୍ରାପ୍ତବ୍ୟ) ଆଶୀର୍ବାଦ ମଧ୍ୟ ହରଣ କରିଅଛି।” ସେ ପୁନର୍ବାର କହିଲା, “ଆପଣ କି ମୋ’ ନିମନ୍ତେ ଗୋଟିଏ ଆଶୀର୍ବାଦ ରଖି ନାହାନ୍ତି ?”

37ତହୁଁ ଇସ୍‍ହାକ ଏଷୌକୁ କହିଲେ, “ଦେଖ, ମୁଁ ତାହାକୁ ତୁମ୍ଭର କର୍ତ୍ତା କଲି, ପୁଣି, ତାହାର ଜ୍ଞାତି ସମସ୍ତଙ୍କୁ ତାହାର ଅଧୀନ କଲି, ଆଉ ଶସ୍ୟ ଓ ଦ୍ରାକ୍ଷାରସ ଦ୍ୱାରା ତାହାକୁ ସବଳ କଲି; ଏହେତୁ ପୁତ୍ର, ଏବେ ତୁମ୍ଭ ନିମନ୍ତେ ଆଉ କଅଣ କରିପାରେ ?”
38ତହିଁରେ ଏଷୌ ପୁନର୍ବାର ଆପଣା ପିତାଙ୍କୁ କହିଲା, “ପିତଃ, ଆପଣଙ୍କର କି କେବଳ ଗୋଟିଏ ଆଶୀର୍ବାଦ ଥିଲା ? ହେ ପିତଃ, ମୋତେ, ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ।” ଏହା କହି ଏଷୌ ଉଚ୍ଚସ୍ୱରରେ କାନ୍ଦିବାକୁ ଲାଗିଲା।
39ତହୁଁ ତାହାର ପିତା ଇସ୍‍ହାକ ଉତ୍ତର ଦେଇ କହିଲେ, “ଦେଖ, ତୁମ୍ଭର ବସତି ପୃଥିବୀର ଉର୍ବରତାବିହୀନ ଓ ଉପରିସ୍ଥ ଆକାଶର କାକର-ବିହୀନ ହେବ।
40ତୁମ୍ଭେ ଖଡ୍ଗଜୀବୀ ଓ ଆପଣା ଭ୍ରାତାର ଦାସ ହେବ, ମାତ୍ର ଯେତେବେଳେ ତୁମ୍ଭେ ବନ୍ଧନ ଛିଣ୍ଡାଇବ, ସେତେବେଳେ ଆପଣା କାନ୍ଧରୁ ତାହାର ଯୁଆଳି ପକାଇ ଦେବ।”
41ଏହି ପ୍ରକାରେ ଯାକୁବ ଆପଣା ପିତାଠାରୁ ଆଶୀର୍ବାଦ ପାଇବା ସକାଶୁ ଏଷୌ ତାହା ପ୍ରତି ଈର୍ଷାଭାବ ବହି ମନେ ମନେ ଭାଳିଲା, “ମୋହର ପିତାଙ୍କ ଶୋକକାଳ ପ୍ରାୟ ଉପସ୍ଥିତ, ତହିଁ ଉତ୍ତାରେ ମୁଁ ଆପଣା ଭ୍ରାତା ଯାକୁବକୁ ବଧ କରିବି।”
42ମାତ୍ର, ଜ୍ୟେଷ୍ଠ ପୁତ୍ର ଏଷୌର ଏରୂପ କଥା ରିବିକାର କର୍ଣ୍ଣଗୋଚର ହେଲା; ତହୁଁ ସେ ଲୋକ ପଠାଇ କନିଷ୍ଠ ପୁତ୍ର ଯାକୁବଙ୍କୁ ଡକାଇ କହିଲା, “ଦେଖ, ତୁମ୍ଭର ଭ୍ରାତା ଏଷୌ ତୁମ୍ଭକୁ ବଧ କରିବା ମାନସରେ ଆପଣାକୁ ପ୍ରବୋଧିତ କରୁଅଛି।
43ଏଥିପାଇଁ, ପୁତ୍ର, ମୋହର କଥା ଶୁଣ; ତୁମ୍ଭେ ହାରଣ ନଗରକୁ ପଳାଇ ମୋହର ଭ୍ରାତା ଲାବନ ନିକଟକୁ ଯାଅ।
44ପୁଣି, ଯେପର୍ଯ୍ୟନ୍ତ ତୁମ୍ଭ ଭ୍ରାତାର ପ୍ରଚଣ୍ଡ କ୍ରୋଧ ନିବୃତ୍ତ ନ ହୁଏ, ସେପର୍ଯ୍ୟନ୍ତ କିଛି ଦିନ ସେଠାରେ ଥାଅ;
45ଏଥିଉତ୍ତାରେ ତୁମ୍ଭ ପ୍ରତି ତୁମ୍ଭ ଭ୍ରାତାର କ୍ରୋଧ ନିବୃତ୍ତ ହେଲେ ଓ ତୁମ୍ଭେ ତାହା ପ୍ରତି ଯାହା କରିଅଛ, ତାହା ସେ ପାସୋରି ଗଲେ, ମୁଁ ଲୋକ ପଠାଇ ସେଠାରୁ ତୁମ୍ଭକୁ ଅଣାଇବି; ଗୋଟିଏ ଦିନରେ ତୁମ୍ଭ ଦୁଇ ଜଣଙ୍କୁ କାହିଁକି ହରାଇବି ?”
46ଏଥିଉତ୍ତାରେ ରିବିକା ଇସ୍‍ହାକଙ୍କୁ କହିଲା, “ଏହି ହିତ୍ତୀୟ କନ୍ୟାମାନଙ୍କ ସକାଶୁ ମୁଁ ଆପଣା ପ୍ରାଣରେ ବିରକ୍ତ ହେଉଅଛି; ଯଦି ଯାକୁବ ଏମାନଙ୍କ ତୁଲ୍ୟ କୌଣସି ହିତ୍ତୀୟ କନ୍ୟାକୁ, ଅର୍ଥାତ୍‍, ଏହି ଦେଶର କନ୍ୟାମାନଙ୍କ ମଧ୍ୟରୁ କୌଣସି କନ୍ୟାକୁ ବିବାହ କରେ, ତେବେ ମୋହର ପ୍ରାଣଧାରଣରେ କି ସୁଖ ?”