Text copied!
CopyCompare
ଓଡିଆ ବାଇବେଲ - ଲୂକ - ଲୂକ 7

ଲୂକ 7:5-29

Help us?
Click on verse(s) to share them!
5କାରଣ ସେ ଆମ୍ଭମାନଙ୍କ ଜାତିକୁ ପ୍ରେମ କରନ୍ତି ଓ ଆପେ ଆମ୍ଭମାନଙ୍କ ନିମନ୍ତେ ସମାଜଗୃହ ନିର୍ମାଣ କରିଅଛନ୍ତି ।
6ସେଥିରେ ଯୀଶୁ ସେମାନଙ୍କ ସହିତ ଗଲେ । ସେ ଘରର ଅଳ୍ପ ଦୂରରେ ଉପସ୍ଥିତ ହୁଅନ୍ତେ, ଶତସେନାପତି ବନ୍ଧୁମାନଙ୍କୁ ପଠାଇ ତାହାଙ୍କୁ କହିଲେ, ପ୍ରଭୁ, କଷ୍ଟ କରନ୍ତୁ ନାହିଁ; କାରଣ ଆପଣ ଯେ ମୋ ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ;
7ଏଣୁ ମୁଁ ଆପଣଙ୍କ ନିକଟକୁ ଯିବାକୁ ନିଜକୁ ଯୋଗ୍ୟ ବିଚାର କଲି ନାହିଁ; କିନ୍ତୁ ପଦେ ଆଜ୍ଞା କରନ୍ତୁ, ମୋହର ଦାସ ସୁସ୍ଥ ହେବ ।
8କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ମଧ୍ୟ ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି; ଆଉ, ମୁଁ ଜଣକୁ ଯାଅ କହିଲେ ସେ ଯାଏ; ଅନ୍ୟକୁ ଆସ କହିଲେ ସେ ଆସେ; ପୁଣି, ମୋହର ଦାସକୁ ଏହା କର କହିଲେ ସେ ତାହା କରେ ।
9ଯୀଶୁ ଏସମସ୍ତ କଥା ଶୁଣି ତାହାଙ୍କ ବିଷୟରେ ଚକିତ ହେଲେ, ଆଉ ବୁଲିପଡ଼ି ତାହାଙ୍କ ପଛରେ ଆସୁଥିବା ଲୋକମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ କହୁଅଛି, ଇସ୍ରାଏଲ ମଧ୍ୟରେ ମଧ୍ୟ ମୁଁ ଏଡ଼େ ବଡ଼ ବିଶ୍ୱାସ ପାଇ ନାହିଁ ।
10ଆଉ ପଠାଯାଇଥିବା ଲୋକମାନେ ଘରକୁ ଫେରିଆସି ଦାସକୁ ସୁସ୍ଥ ଦେଖିଲେ ।
11ଏଥିଉତ୍ତାରେ ସେ ନାଇନ ନାମକ ନଗରକୁ ଯାତ୍ରା କଲେ, ଆଉ ତାହାଙ୍କ ଶିଷ୍ୟମାନେ ଓ ବହୁସଂଖ୍ୟକ ଲୋକ ତାହାଙ୍କ ସାଙ୍ଗରେ ଯାଉଥିଲେ ।
12ସେ ନଗରଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ, ଲୋକ ଜଣେ ମୃତ ମନୁଷ୍ୟକୁ ବାହାରକୁ ବୋହି ଆଣୁଥିଲେ, ସେ ଆପଣା ମାତାର ଏକମାତ୍ର ପୁତ୍ର, ପୁଣି, ସେହି ସ୍ତ୍ରୀ ବିଧବା; ଆଉ ନଗରର ବହୁସଂଖ୍ୟକ ଲୋକ ତାହାଙ୍କ ସଙ୍ଗରେ ଥିଲେ ।
13ତାହାକୁ ଦେଖି ପ୍ରଭୁ ତାହା ପ୍ରତି ଦୟାରେ ବିଗଳିତ ହୋଇ ତାହାକୁ କହିଲେ, ରୋଦନ କର ନାହିଁ ।
14ଆଉ ସେ ନିକଟକୁ ଯାଇ କୋକେଇ ଛୁଇଁଲେ, ପୁଣି, ବୋହି ନେଉଥିବା ଲୋକମାନେ ଠିଆ ହୁଅନ୍ତେ ସେ କହିଲେ, ଯୁବକ, ମୁଁ ତୁମ୍ଭକୁ କହୁଅଛି, ଉଠ ।
15ସେଥିରେ ମୃତ ଯୁବକଟି ଉଠି ବସିଲା ଆଉ କଥା କହିବାକୁ ଲାଗିଲା, ପୁଣି, ସେ ତାହାକୁ ତାହାର ମାତାର ହସ୍ତରେ ସମର୍ପଣ କଲେ ।
16ଏଥିରେ ସମସ୍ତଙ୍କ ମଧ୍ୟରେ ଭୟ ଖେଳିଗଲା ଆଉ ସେମାନେ ଈଶ୍ୱରଙ୍କ ପ୍ରଶଂସା କରୁ କରୁ କହିବାକୁ ଲାଗିଲେ, ଆମ୍ଭମାନଙ୍କ ମଧ୍ୟରେ ଜଣେ ମହାନ ଭାବବାଦୀ ଉତ୍ଥିତ ହୋଇଅଛନ୍ତି ଏବଂ ଈଶ୍ୱର ଆପଣା ଲୋକଙ୍କ ପ୍ରତି କୃପାଦୃଷ୍ଟି କରିଅଛନ୍ତି ।
17ପୁଣି, ଯୀଶୁଙ୍କ ବିଷୟରେ ଏହି ସମ୍ବାଦ ସମସ୍ତ ଯିହୂଦା ଦେଶ ଓ ଚାରିପାଖର ସମସ୍ତ ଅଞ୍ଚଳରେ ବ୍ୟାପିଗଲା ।
18ପରେ ବାପ୍ତିଜକ ଯୋହନଙ୍କ ଶିଷ୍ୟମାନେ ଏହି ସମସ୍ତ ବିଷୟ ତାହାଙ୍କୁ ଜଣାଇଲେ ।
19ସେଥିରେ ଯୋହନ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପାଖକୁ ଡାକି ପ୍ରଭୁଙ୍କ ନିକଟକୁ ଏହା କହି ପଠାଇଲେ, ଆପଣ କ'ଣ ସେହି ବ୍ୟକ୍ତି ଯାହାଙ୍କର ଆଗମନ ହେବ, ନା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ ?
20ସେହି ଲୋକମାନେ ତାହାଙ୍କ ନିକଟକୁ ଆସି କହିଲେ, ବାପ୍ତିଜକ ଯୋହନ ଆମ୍ଭମାନଙ୍କୁ ଆପଣଙ୍କ ନିକଟକୁ ଏହା କହି ପଠାଇଅଛନ୍ତି, ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ ?
21ସେହି ସମୟରେ ସେ ଅନେକଙ୍କୁ ରୋଗ, କଷ୍ଟ ଓ ମନ୍ଦଆତ୍ମାମାନଙ୍କଠାରୁ ସୁସ୍ଥ କଲେ, ପୁଣି, ଅନେକ ଅନ୍ଧଙ୍କୁ ଦେଖିବାର ଶକ୍ତି ଦେଲେ ।
22ସେ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଯାଇ, ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହି ସବୁ ଯୋହନଙ୍କୁ ଜଣାଅ; ଅନ୍ଧମାନେ ଦେଖି ପାରନ୍ତି, ଖଞ୍ଜମାନେ ଚାଲି ପାରନ୍ତି, କୁଷ୍ଠୀମାନେ ସୁସ୍ଥ ହୁଅନ୍ତି, ବଧିରମାନେ ଶୁଣି ପାରନ୍ତି, ମୃତମାନେ ଜୀବିତ ହୁଅନ୍ତି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ;
23ଆଉ, ଯେଉଁ ବ୍ୟକ୍ତି ମୋ'ଠାରେ ବାଧାର କାରଣ ପାଏ ନାହିଁ, ସେ ଧନ୍ୟ ।
24ଯୋହନଙ୍କ ଦୂତମାନେ ଯିବା ପରେ ଯୀଶୁ ଯୋହନଙ୍କ ବିଷୟରେ ଲୋକମାନଙ୍କୁ କହିବାକୁ ଲାଗିଲେ, ତୁମ୍ଭେମାନେ କ'ଣ ଦେଖିବା ପାଇଁ ମରୁଭୂମିକୁ ବାହାରିଯାଇଥିଲ, କ'ଣ ପବନରେ ଦୋହଲୁଥିବା ଗୋଟିଏ ନଳ ?
25ତାହା ନ ହେଲେ ତୁମ୍ଭେମାନେ କ'ଣ ଦେଖିବା ପାଇଁ ବାହାରିଯାଇଥିଲ ? କ'ଣ ଦାମୀ ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ ? ଦେଖ, ଯେଉଁମାନେ ସୁନ୍ଦର ପୋଷାକ ପିନ୍ଧନ୍ତି ଏବଂ ସୁଖରେ ସମୟ କଟାନ୍ତି, ସେମାନେ ରାଜପ୍ରାସାଦରେ ଥାଆନ୍ତି ।
26ତାହା ନ ହେଲେ କ'ଣ ଦେଖିବା ନିମନ୍ତେ ବାହାରି ଯାଇଥିଲ ? କ'ଣ ଜଣେ ଭାବବାଦୀଙ୍କୁ ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କୁ ।
27ଯାହାଙ୍କ ବିଷୟରେ ଏହା ଲେଖା ଅଛି, ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି ।
28ମୁଁ ତୁମ୍ଭମାନଙ୍କୁ କହୁଅଛି, ସ୍ତ୍ରୀଗର୍ଭରୁ ଜନ୍ମ ହୋଇଥିବା ସମସ୍ତଙ୍କ ମଧ୍ୟରେ ଯୋହନଙ୍କଠାରୁ ମହାନ କେହି ନାହାଁନ୍ତି; ତଥାପି ଈଶ୍ୱରଙ୍କ ରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ ।
29ଏହା ଶୁଣି ସମସ୍ତ ଲୋକ, ଏପରିକି କରଗ୍ରାହୀମାନେ ସୁଦ୍ଧା ଯୋହନଙ୍କ ବାପ୍ତିସ୍ମରେ ବାପ୍ତିଜିତ ହୋଇଥିବାରୁ ଈଶ୍ୱରଙ୍କୁ ଯଥାର୍ଥ ବୋଲି ସ୍ୱୀକାର କଲେ;

Read ଲୂକ 7ଲୂକ 7
Compare ଲୂକ 7:5-29ଲୂକ 7:5-29