Text copied!
CopyCompare
ଓଡିଆ ବାଇବେଲ - ଆୟୁବ

ଆୟୁବ 23

Help us?
Click on verse(s) to share them!
1ଏଥିରେ ଆୟୁବ ଉତ୍ତର କରି କହିଲା, “ଆଜି ମଧ୍ୟ ମୋହର ବିଳାପ ବିଦ୍ରୋହଭାବ-ବିଶିଷ୍ଟ;
2ମୋହର ଅଭିଯୋଗ ଅପେକ୍ଷା ମୋହର ପୀଡ଼ା ଭାରୀ।
3ଆହା, ମୁଁ କେଉଁଠାରେ ତାହାଙ୍କର ଉଦ୍ଦେଶ୍ୟ ପାଇବି, ଯେବେ ଏହା ଜାଣନ୍ତି, ଯେବେ ତାହାଙ୍କ ଆସନ ନିକଟରେ ଉପସ୍ଥିତ ହୋଇ ପାରନ୍ତି !
4ତେବେ ମୁଁ ତାହାଙ୍କ ଛାମୁରେ ଆପଣା ଗୁହାରି ନିବେଦନ କରନ୍ତି ଓ ଯୁକ୍ତିରେ ଆପଣା ମୁଖ ପୂର୍ଣ୍ଣ କରନ୍ତି।
5ସେ ମୋତେ ଯେଉଁ କଥା ଉତ୍ତର ଦିଅନ୍ତେ, ତାହା ଜାଣନ୍ତି ଓ ସେ ଯାହା ମୋତେ କହନ୍ତେ, ତାହା ବୁଝନ୍ତି।
6ସେ କ’ଣ ଆପଣା ମହାପରାକ୍ରମରେ ମୋ’ ସଙ୍ଗେ ବିରୋଧ କରିବେ ? ନା; ମାତ୍ର ସେ ମୋ’ ପ୍ରତି ମନୋଯୋଗ କରିବେ।
7ସେଠାରେ ସରଳ ଲୋକ ତାହାଙ୍କ ସଙ୍ଗେ ଯୁକ୍ତି କରି ପାରିବ, ତହିଁରେ ମୁଁ ଆପଣା ବିଚାରକର୍ତ୍ତାଠାରୁ ଚିରକାଳ ଉଦ୍ଧାର ପାଇବି।
8ଦେଖ, ମୁଁ ପୂର୍ବ ଆଡକୁ ଯାଏ, ମାତ୍ର ସେ ସେଠାରେ ନାହାନ୍ତି ଓ ପଶ୍ଚିମ ଆଡକୁ ଯାଏ, ମାତ୍ର ତାହାଙ୍କୁ ଦେଖି ପାରେ ନାହିଁ;
9ସେ କାର୍ଯ୍ୟ କଲା ବେଳେ ଉତ୍ତର ଦିଗକୁ ଯାଏ, ମାତ୍ର ତାହାଙ୍କର ଦର୍ଶନ ପାଇ ନ ପାରେ; ସେ ଦକ୍ଷିଣ ଦିଗରେ ଆପଣାକୁ ଗୋପନ କରନ୍ତି, ତେଣୁ ତାହାଙ୍କୁ ଦେଖି ନ ପାରେ।
10ମାତ୍ର ମୁଁ ଯେଉଁ ପଥ ଅବଲମ୍ବନ କରେ, ସେ ତାହା ଜାଣନ୍ତି; ସେ ମୋହର ପରୀକ୍ଷା କଲା ଉତ୍ତାରେ ମୁଁ ସୁବର୍ଣ୍ଣ ପରି ଉତ୍ତୀର୍ଣ୍ଣ ହେବି।
11ମୋହର ପାଦ ତାହାଙ୍କର ପଦଚିହ୍ନ ଦୃଢ଼ ରୂପେ ଧରିଅଛି; ମୁଁ ତାହାଙ୍କ ପଥ ରକ୍ଷା କରିଅଛି ଓ ବିପଥଗାମୀ ହୋଇ ନାହିଁ।
12ମୁଁ ତାହାଙ୍କ ଓଷ୍ଠାଧର-ନିର୍ଗତ ଆଜ୍ଞାରୁ ବିମୁଖ ହୋଇ ନାହିଁ; ମୁଁ ଆପଣା ଆବଶ୍ୟକ ଆହାର ଅପେକ୍ଷା ଅଧିକ ତାହାଙ୍କ ମୁଖର ବାକ୍ୟ ସଞ୍ଚୟ କରିଅଛି।
13ମାତ୍ର ସେ ଏକମନା ହୋଇଅଛନ୍ତି, ଆଉ କିଏ ତାହାଙ୍କୁ ଫେରାଇ ପାରିବ ? ପୁଣି, ସେ ଯାହା ଇଚ୍ଛା କରନ୍ତି, ତାହା ହିଁ କରନ୍ତି।
14କାରଣ ମୋ’ ପାଇଁ ଯାହା ନିରୂପିତ, ତାହା ସେ ସଫଳ କରନ୍ତି ଓ ତାହାଙ୍କର ଏହି ପ୍ରକାର ଅନେକ କର୍ମ ଅଛି।
15ଏନିମନ୍ତେ ମୁଁ ତାହାଙ୍କ ସାକ୍ଷାତରେ ବ୍ୟାକୁଳ ହେଉଅଛି; ମୁଁ ବିବେଚନା କଲେ, ତାହାଙ୍କ ସକାଶେ ଭୀତ ହେଉଅଛି।
16କାରଣ ପରମେଶ୍ୱର ମୋ’ ହୃଦୟକୁ କ୍ଷୀଣ କରିଅଛନ୍ତି ଓ ସର୍ବଶକ୍ତିମାନ ମୋତେ ବ୍ୟାକୁଳ କରିଅଛନ୍ତି;
17ଯେଣୁ ମୁଁ ଅନ୍ଧକାର ପୂର୍ବରୁ ଉଚ୍ଛିନ୍ନ ନୋହିଲି, କିଅବା ସେ ମୋ’ ମୁଖରୁ ନିବିଡ଼ ଅନ୍ଧକାର ଆଚ୍ଛନ୍ନ କଲେ ନାହିଁ।