Text copied!
CopyCompare
ଓଡିଆ ବାଇବେଲ - ଆୟୁବ

ଆୟୁବ 16

Help us?
Click on verse(s) to share them!
1ଏଥିରେ ଆୟୁବ ଉତ୍ତର କରି କହିଲା,
2“ମୁଁ ଏପରି ଅନେକ କଥା ଶୁଣିଅଛି; ତୁମ୍ଭେ ସମସ୍ତେ ଦୁଃଖଦାୟକ ସାନ୍ତ୍ୱନାକାରୀ ଅଟ।
3ଅସାର କଥାରେ କି ଶେଷ ଥାଏ ? ଉତ୍ତର ଦେବା ପାଇଁ ତୁମ୍ଭକୁ କେଉଁ କଥା ଉତ୍ତେଜିତ କରୁଅଛି ?
4ମୁଁ ମଧ୍ୟ ତୁମ୍ଭମାନଙ୍କ ପରି କହି ପାରନ୍ତି; ଯଦି ତୁମ୍ଭମାନଙ୍କ ପ୍ରାଣ ମୋର ପ୍ରାଣର ଅବସ୍ଥାରେ ଥା’ନ୍ତା, ତେବେ ମୁଁ ତୁମ୍ଭମାନଙ୍କ ବିରୁଦ୍ଧରେ ବାକ୍ୟମାଳା ଏକତ୍ର ଖଞ୍ଜି ପାରନ୍ତି ଓ ତୁମ୍ଭମାନଙ୍କ ପ୍ରତି ଆପଣା ମୁଣ୍ଡ ହଲାଇ ପାରନ୍ତି।
5ମାତ୍ର ମୁଁ ଆପଣା ମୁଖରେ ତୁମ୍ଭମାନଙ୍କୁ ସବଳ କରନ୍ତି ଓ ମୋ’ ଓଷ୍ଠାଧରର ସାନ୍ତ୍ୱନା ତୁମ୍ଭମାନଙ୍କ ଦୁଃଖରେ ଉପଶମ କରନ୍ତା।
6ମୁଁ କଥା କହିଲେ ହେଁ ମୋ’ ଦୁଃଖର ଉପଶମ ହେଉ ନାହିଁ; ମୁଁ ନୀରବ ହେଲେ ହେଁ ମୋହର ଆରାମ ହୁଏ ନାହିଁ।
7ମାତ୍ର ସେ ଏବେ ମୋତେ କ୍ଳାନ୍ତ କରିଅଛନ୍ତି; ତୁମ୍ଭେ ମୋହର ସକଳ ସଙ୍ଗୀଦଳ ଶୂନ୍ୟ କରିଅଛ।
8ପୁଣି, ତୁମ୍ଭେ ମୋତେ ଦୃଢ଼ କରି ଧରିଅଛ, ଏହା ମୋର ପ୍ରତିକୂଳରେ ସାକ୍ଷୀ ହୁଏ; ଆଉ, ମୋ’ କ୍ଷୀଣତା ମୋ’ ପ୍ରତିକୂଳରେ ଉଠି ମୋ’ ମୁଖ ଆଗରେ ସାକ୍ଷ୍ୟ ଦିଏ।
9ସେ ନିଜ କୋପରେ ମୋତେ ବିଦୀର୍ଣ୍ଣ ଓ ତାଡ଼ନା କରିଅଛନ୍ତି; ସେ ମୋ’ ଉପରେ ଦନ୍ତ କଡ଼ମଡ଼ କରିଅଛନ୍ତି; ମୋହର ବିପକ୍ଷ ମୋ’ ଉପରେ ଆପଣା ଚକ୍ଷୁ ତୀବ୍ର କରିଅଛି।
10ସେମାନେ ମୋ’ ଉପରେ ଆପଣା ଆପଣା ମୁଖ ମେଲା କରିଅଛନ୍ତି; ସେମାନେ ଧିକ୍‍କାରପୂର୍ବକ ମୋ’ ଗାଲରେ ମାରିଅଛନ୍ତି; ସେମାନେ ମୋ’ ବିରୁଦ୍ଧରେ ଏକତ୍ରିତ ହୁଅନ୍ତି।
11ପରମେଶ୍ୱର ମୋତେ ଅଧାର୍ମିକମାନଙ୍କ ନିକଟରେ ସମର୍ପଣ କରନ୍ତି ଓ ମୋତେ ଦୁଷ୍ଟମାନଙ୍କ ହସ୍ତରେ ପକାଇ ଦିଅନ୍ତି।
12ମୁଁ ଆରାମରେ ଥିଲି, ସେ ମୋତେ ଭଗ୍ନ କଲେ; ହଁ, ମୋ’ ବେକ ଧରି ମୋତେ କଚାଡ଼ି ଖଣ୍ଡ ଖଣ୍ଡ କରିଅଛନ୍ତି; ମଧ୍ୟ ସେ ମୋତେ ଆପଣାର ଲକ୍ଷ୍ୟ ରୂପେ ସ୍ଥାପନ କରିଅଛନ୍ତି।
13ତାହାଙ୍କ ଧନୁର୍ଦ୍ଧରମାନେ ମୋତେ ଚାରିଆଡ଼େ ଘେରିଅଛନ୍ତି, ସେ ମୋହର ବୃକକ୍ ବିଦୀର୍ଣ୍ଣ କରନ୍ତି ଓ ଦୟା କରନ୍ତି ନାହିଁ; ସେ ମୋହର ପିତ୍ତ ଭୂମିରେ ଢାଳନ୍ତି।
14ସେ ମୋତେ ଭାଙ୍ଗିଭାଙ୍ଗି ଭାଙ୍ଗି ପକାନ୍ତି; ସେ ବୀର ପରି ମୋର ଉପରକୁ ଧାଇଁ ଆସନ୍ତି।
15ମୁଁ ଆପଣା ଚର୍ମ ଉପରେ ଅଖା ସିଁଇଅଛି ଓ ଆପଣା ଶୃଙ୍ଗ ଧୂଳିରେ ରଖିଅଛି।
16ରୋଦନରେ ମୋହର ମୁଖ ବିକୃତ ହୋଇଅଛି ଓ ମୃତ୍ୟୁଚ୍ଛାୟା ମୋ’ ଚକ୍ଷୁର ପତା ଉପରେ ଅଛି।
17ତଥାପି ମୋ’ ହସ୍ତରେ ଦୌରାତ୍ମ୍ୟ ନାହିଁ ଓ ମୋହର ପ୍ରାର୍ଥନା ନିର୍ମଳ।
18ଗୋ ପୃଥିବୀ, ମୋହର ରକ୍ତ ଆଚ୍ଛାଦନ କର ନାହିଁ ଓ ମୋହର କ୍ରନ୍ଦନ କୌଣସି ବିଶ୍ରାମସ୍ଥାନ ନ ପାଉ।

19ଏବେ ମଧ୍ୟ ଦେଖ, ମୋହର ସାକ୍ଷୀ ସ୍ୱର୍ଗରେ ଅଛନ୍ତି ଓ ମୋ’ ପକ୍ଷରେ ପ୍ରମାଣଦାତା ସ୍ୱର୍ଗରେ ଅଛନ୍ତି।
20ମୋ’ ମିତ୍ରଗଣ ମୋତେ ତୁଚ୍ଛ କରନ୍ତି; ମାତ୍ର ମୋହର ଚକ୍ଷୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଲୋତକ ଢାଳେ;
21ଯେପରି ସେ ପରମେଶ୍ୱରଙ୍କ ନିକଟରେ ମନୁଷ୍ୟର ଓ ପ୍ରତିବାସୀ ନିକଟରେ ମନୁଷ୍ୟପୁତ୍ରର ନ୍ୟାୟ ରକ୍ଷା କରିବେ।
22କାରଣ ଅଳ୍ପ ବର୍ଷ ଗତ ହେଲେ ଯେଉଁ ପଥରେ ଯାଇ ମୁଁ ଫେରି ଆସିବି ନାହିଁ, ସେହି ପଥରେ ମୁଁ ଯିବି।