Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 34

Help us?
Click on verse(s) to share them!
1ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2“ଇସ୍ରାଏଲ-ସନ୍ତାନଗଣଙ୍କୁ ଆଜ୍ଞା ଦିଅ ଓ ସେମାନଙ୍କୁ କୁହ, ଯେଉଁ କିଣାନ ଦେଶ, ତହିଁର ଚତୁଃସୀମାନୁସାରେ ତୁମ୍ଭମାନଙ୍କ ଅଧିକାରରେ ପଡ଼ିବ, ତୁମ୍ଭେମାନେ ସେହି କିଣାନ ଦେଶରେ ଉପସ୍ଥିତ ହେଲେ,
3ତୁମ୍ଭମାନଙ୍କ ଦକ୍ଷିଣ ଅଞ୍ଚଳ ଇଦୋମ ନିକଟସ୍ଥିତ ସୀନ୍‍ ପ୍ରାନ୍ତରଠାରୁ ହେବ ଓ ପୂର୍ବ ଦିଗରେ ଲବଣ ସମୁଦ୍ରର ପ୍ରାନ୍ତଠାରୁ ତୁମ୍ଭମାନଙ୍କର ଦକ୍ଷିଣ ସୀମା ହେବ।
4ପୁଣି, ତୁମ୍ଭମାନଙ୍କର ସୀମା ଦକ୍ଷିଣ ଦିଗରୁ ଫେରି ଅକ୍ରବ୍ବୀମ ଘାଟ ଦେଇ ସୀନ୍‍ ପର୍ଯ୍ୟନ୍ତ ଯିବ ଓ ସେଠାରୁ କାଦେଶ-ବର୍ଣ୍ଣେୟର ଦକ୍ଷିଣ ଦେଇ ହତ୍‍ସର-ଅଦରକୁ ଆସି ଅସ୍‍ମୋନ ପର୍ଯ୍ୟନ୍ତ ଯିବ।
5ଏଉତ୍ତାରେ ସେହି ସୀମା ଅସ୍‍ମୋନରୁ ମିସରର ନଦୀ ପର୍ଯ୍ୟନ୍ତ ବୁଲି ଆସିବ ଓ ସେହି ସୀମା ମହାସମୁଦ୍ର ନିକଟରେ ଶେଷ ହେବ।
6ଆଉ ମହାସମୁଦ୍ର ଓ ତହିଁର ସୀମା ପଶ୍ଚିମ ସୀମା ହେବ; ଏହା ତୁମ୍ଭମାନଙ୍କର ପଶ୍ଚିମ ସୀମା ହେବ।
7ଆଉ ତୁମ୍ଭମାନଙ୍କର ଉତ୍ତର ସୀମା ଏହି ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ମହାସମୁଦ୍ରଠାରୁ ହୋର ପର୍ବତ ପର୍ଯ୍ୟନ୍ତ ଚିହ୍ନିତ କରିବ;
8ହୋର ପର୍ବତଠାରୁ ତୁମ୍ଭେମାନେ ହମାତର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଚିହ୍ନିତ କରିବ; ପୁଣି, ସେଠାରୁ ସେହି ସୀମା ସଦାଦ୍‍ ନିକଟରେ ଶେଷ ହେବ।
9ପୁଣି, ସେହି ସୀମା ସିଫ୍ରୋଣ ପର୍ଯ୍ୟନ୍ତ ଯିବ ଓ ହତ୍‍ସର-ଐନନରେ ତହିଁର ଶେଷ ହେବ; ଏହା ତୁମ୍ଭମାନଙ୍କର ଉତ୍ତର ସୀମା ହେବ।
10ଆଉ ତୁମ୍ଭେମାନେ ଆପଣାମାନଙ୍କ ପୂର୍ବ ସୀମା ହତ୍‍ସର-ଐନନଠାରୁ ଶଫାମ୍‍ ପର୍ଯ୍ୟନ୍ତ ଚିହ୍ନିତ କରିବ।
11ତହୁଁ ସେହି ସୀମା ଶଫାମ୍‍ଠାରୁ ଐନ୍‍ର ପୂର୍ବ ଦିଗ ହୋଇ ରିବ୍‍ଲା ପର୍ଯ୍ୟନ୍ତ ତଳକୁ ଯିବ; ତହିଁ ଉତ୍ତାରେ ସେହି ସୀମା ଆହୁରି ତଳକୁ ଯାଇ କିନ୍ନେରତ୍‍ ହ୍ରଦର ପୂର୍ବ ପାର୍ଶ୍ୱ ଦେଇ ଯିବ।
12ପୁଣି, ସେହି ସୀମା ଯର୍ଦ୍ଦନ ଦେଇ ଯିବ ଓ ଲବଣ ସମୁଦ୍ର ନିକଟରେ ତହିଁର ଶେଷ ହେବ; ଏହି ଚତୁଃସୀମାନୁସାରେ ତୁମ୍ଭମାନଙ୍କର ଦେଶ ହେବ।”
13ପୁନଶ୍ଚ, ମୋଶା ଇସ୍ରାଏଲ-ସନ୍ତାନଗଣଙ୍କୁ ଆଜ୍ଞା ଦେଇ କହିଲେ, “ସଦାପ୍ରଭୁ ନଅ ବଂଶ ଓ ଅର୍ଦ୍ଧ ବଂଶକୁ ଯେଉଁ ଦେଶ ଦେବା ପାଇଁ ଆଜ୍ଞା ଦେଇଅଛନ୍ତି ଓ ତୁମ୍ଭେମାନେ ଯାହା ଗୁଲିବାଣ୍ଟ ଦ୍ୱାରା ଅଧିକାର କରିବ, ସେହି ଦେଶ ଏହି।
14କାରଣ ରୁବେନ୍‍-ସନ୍ତାନଗଣଙ୍କର ବଂଶ ଆପଣା ଆପଣା ପିତୃଗୃହ ଅନୁସାରେ ଓ ଗାଦ୍‍-ସନ୍ତାନଗଣଙ୍କର ବଂଶ ଆପଣା ଆପଣା ପିତୃଗୃହ ଅନୁସାରେ ଓ ମନଃଶିର ଅର୍ଦ୍ଧ ବଂଶ ଆପଣା ଆପଣା ଅଧିକାର ପାଇଅଛନ୍ତି;
15ଏହି ଦୁଇ ବଂଶ ଓ ଅର୍ଦ୍ଧ ବଂଶ ଯିରୀହୋ ନିକଟସ୍ଥ ଯର୍ଦ୍ଦନର ପୂର୍ବ ପାରିରେ ସୂର୍ଯ୍ୟୋଦୟ ଦିଗରେ ଆପଣା ଆପଣା ଅଧିକାର ପାଇଅଛନ୍ତି।”
16ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
17“ଯେଉଁମାନେ ଦେଶ ବିଭାଗ କରି ତୁମ୍ଭମାନଙ୍କୁ ଦେବେ, ସେମାନଙ୍କର ନାମ ଏହି; ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ।
18ପୁଣି, ତୁମ୍ଭେମାନେ ଦେଶ ବିଭାଗ କରିବା ନିମନ୍ତେ ପ୍ରତ୍ୟେକ ବଂଶରୁ ଏକ ଏକ ଅଧିପତି ଗ୍ରହଣ କରିବ।

19ପୁଣି, ସେହି ଲୋକମାନଙ୍କର ନାମ ଏହି; ଯିହୁଦା ବଂଶୀୟ ଯିଫୁନ୍ନିର ପୁତ୍ର କାଲେବ,
20ଓ ଶିମୀୟୋନର ସନ୍ତାନମାନଙ୍କ ବଂଶୀୟ ଅମ୍ମୀହୂଦର ପୁତ୍ର ଶେମୂୟେଲ।
21ବିନ୍ୟାମୀନ୍ ବଂଶୀୟ କିଶଲୋନର ପୁତ୍ର ଇଲୀଦଦ୍‍।
22ଆଉ ଦାନ୍-ସନ୍ତାନଗଣର ବଂଶୀୟ ଜଣେ ଅଧିପତି, ଯଗ୍‍ଲିର ପୁତ୍ର ବୁକ୍‍କି।
23ଯୋଷେଫ-ସନ୍ତାନଗଣ ମଧ୍ୟରୁ; ମନଃଶି ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଏଫୋଦର ପୁତ୍ର ହନ୍ନୀୟେଲ।
24ପୁଣି, ଇଫ୍ରୟିମ-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଶିପ୍ତନର ପୁତ୍ର କମୂୟେଲ।
25ଆଉ ସବୂଲୂନ-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ପର୍ଣ୍ଣକର ପୁତ୍ର ଇଲୀଶାଫନ୍‍,
26ଓ ଇଷାଖର-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଅସ୍‍ସନର ପୁତ୍ର ପଲ୍‍ଟୀୟେଲ,
27ଓ ଆଶେର-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଶଲୋମିର ପୁତ୍ର ଅହୀହୂଦ୍‍।
28ନପ୍ତାଲି-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଅମ୍ମୀହୂଦର ପୁତ୍ର ପଦହେଲ୍।
29କିଣାନ ଦେଶରେ ଇସ୍ରାଏଲ-ସନ୍ତାନଗଣଙ୍କ ନିମନ୍ତେ ଅଧିକାର ବିଭାଗ କରି ଦେବାକୁ ସଦାପ୍ରଭୁ ଏହି ସମସ୍ତ ଲୋକଙ୍କୁ ଆଜ୍ଞା ଦେଲେ।