Text copied!
CopyCompare
ଓଡିଆ ବାଇବେଲ - ଲୂକ - ଲୂକ 21

ଲୂକ 21:9-32

Help us?
Click on verse(s) to share them!
9ମାତ୍ର ତୁମ୍ଭେମାନେ ଯେତେବେଳେ ଯୁଦ୍ଧ ଓ ବିପ୍ଲବ ବିଷୟ ଶୁଣିବ, ସେତେବେଳେ ଭୟ କର ନାହିଁ; କାରଣ ଏହି ସମସ୍ତ ଅବଶ୍ୟ ପ୍ରଥମରେ ଘଟିବ, କିନ୍ତୁ ସଙ୍ଗେ ସଙ୍ଗେ ଯୁଗ ଶେଷ ହେବ ନାହିଁ ।
10ତାପରେ ସେ ସେମାନଙ୍କୁ କହିଲେ, ଜାତି ବିରୁଦ୍ଧରେ ଜାତି ଓ ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉଠିବ,
11ଆଉ ମହା ଭୂମିକମ୍ପ ଓ ବିଭିନ୍ନ ସ୍ଥାନରେ ମହାମାରୀ ଓ ଦୁର୍ଭିକ୍ଷ ହେବ, ପୁଣି, ଆକାଶମଣ୍ଡଳରେ ଭୟଙ୍କର ଦୃଶ୍ୟ ଓ ମହା ମହାଲକ୍ଷଣ ଦେଖାଯିବ ।
12କିନ୍ତୁ ଏହି ସମସ୍ତ ଘଟଣା ପୂର୍ବେ ଲୋକମାନେ ତୁମ୍ଭମାନଙ୍କୁ ଧରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋ ନାମ ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ନିକଟକୁ ନିଆଯିବ;
13ଏହା ତୁମ୍ଭମାନଙ୍କ ସପକ୍ଷରେ ସାକ୍ଷ୍ୟ ହେବ ।
14ଅତଏବ କ'ଣ ଉତ୍ତର ଦେବ, ସେ ବିଷୟରେ ପୂର୍ବରୁ ଚିନ୍ତା ନ କରିବାକୁ ଆପଣା ଆପଣା ମନରେ ସ୍ଥିର କର;
15କାରଣ ମୁଁ ତୁମ୍ଭମାନଙ୍କୁ ଏପରି ବାକ୍ୟ ଓ ଜ୍ଞାନ ଦେବି ଯେ, ତୁମ୍ଭମାନଙ୍କର ସମସ୍ତ ବିପକ୍ଷ ଲୋକ ସେଥିର ପ୍ରତିରୋଧ ବା ପ୍ରତିବାଦ କରି ପାରିବେ ନାହିଁ ।
16କିନ୍ତୁ ତୁମ୍ଭେମାନେ ବାପା ମା', ଭାଇ, ସମ୍ପର୍କୀୟ ଓ ବନ୍ଧୁମାନଙ୍କ ଦ୍ୱାରା ସୁଦ୍ଧା ସମର୍ପିତ ହେବ, ଆଉ ତୁମ୍ଭମାନଙ୍କ ମଧ୍ୟରୁ ଲୋକମାନେ କାହାରି କାହାରିକୁ ହତ୍ୟା କରିବେ,
17ପୁଣି, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ ।
18କିନ୍ତୁ ତୁମ୍ଭମାନଙ୍କ ମସ୍ତକର କେଶ ହିଁ ନଷ୍ଟ ହେବ ନାହିଁ;
19ସହିଷ୍ଣୁତା ଦ୍ୱାରା ତୁମ୍ଭେମାନେ ଆପଣା ଆପଣା ଜୀବନ ଲାଭ କରିବ ।
20କିନ୍ତୁ ତୁମ୍ଭେମାନେ ଯେତେବେଳେ ଯିରୂଶାଲମକୁ ସୈନ୍ୟସାମନ୍ତ ଘେରିଥିବା ଦେଖିବ, ସେତେବେଳେ ତାହା ଧ୍ୱଂସ ହେବା ଯେ ସନ୍ନିକଟ, ଏହା ଜାଣ ।
21ସେତେବେଳେ ଯେଉଁମାନେ ଯିହୂଦା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଆନ୍ତୁ; ପୁଣି, ଯେଉଁମାନେ ନଗର ମଧ୍ୟରେ ଥାଆନ୍ତି, ସେମାନେ ପ୍ରସ୍ଥାନ କରନ୍ତୁ; ଆଉ, ଯେଉଁମାନେ ଗ୍ରାମଗୁଡ଼ିକରେ ଥାଆନ୍ତି, ସେମାନେ ନଗରରେ ପ୍ରବେଶ ନ କରନ୍ତୁ;
22କାରଣ ଲିଖିତ ବିଷୟସବୁ ସଫଳ ହେବା ନିମନ୍ତେ ତାହା ସମୁଚିତ ଦଣ୍ଡର ସମୟ ଅଟେ ।
23ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର ! କାରଣ ଦେଶରେ ମହା ବିପଦ ଓ ଏହି ଜାତି ପ୍ରତି କ୍ରୋଧ ଘଟିବ,
24ଆଉ ସେମାନେ ଖଡ଼୍ଗରେ ହତ ହେବେ ଓ ବନ୍ଦୀ ହୋଇ ସମସ୍ତ ଅଣଯିହୂଦୀ ମଧ୍ୟକୁ ନିଆ ହେବେ, ପୁଣି, ଅଣଯିହୂଦୀୟମାନଙ୍କର କାଳ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଯିରୂଶାଲମ ସେମାନଙ୍କର ପଦତଳିତ ହୋଇ ରହିବ ।
25ପୁଣି, ସୁର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାଳାରେ ଲକ୍ଷଣ ଦେଖାଯିବ, ଆଉ ପୃଥିବୀରେ ଜାତିମାନଙ୍କ ମଧ୍ୟରେ କ୍ଲେଶ ଘଟିବ; ସମୁଦ୍ର ଓ ତରଙ୍ଗର ତର୍ଜନଗର୍ଜନ ହେତୁ ସେମାନେ ଅବାକ୍ ହେବେ,
26ପୁଣି, ଜଗତ ଉପରେ ଆସୁଥିବା ଘଟଣା ସବୁକୁ ଅପେକ୍ଷା କରି ଲୋକେ ମୂର୍ଚ୍ଛିତ ହେବେ, କାରଣ ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବେ ।
27ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ମେଘରେ ଆଗମନ କରିବା ଦେଖିବେ ।
28କିନ୍ତୁ ଏହି ସମସ୍ତ ଘଟଣା ଆରମ୍ଭ ହେଲେ ତୁମ୍ଭେମାନେ ଉପରକୁ ଅନାଅ ଓ ମସ୍ତକ ଉଠାଅ, ଯେଣୁ ତୁମ୍ଭମାନଙ୍କର ମୁକ୍ତି ସନ୍ନିକଟ ।
29ଆଉ ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ କହିଲେ, ଡିମ୍ବିରି ପୁଣି, ସମସ୍ତ ବୃକ୍ଷ ପ୍ରତି ଦୃଷ୍ଟିପାତ କର;
30ଯେତେବେଳେ ସେଗୁଡ଼ିକ ପଲ୍ଲବିତ ହୁଏ, ସେତେବେଳେ ତୁମ୍ଭେମାନେ ତାହା ଦେଖି ଗ୍ରୀଷ୍ମକାଳ ସନ୍ନିକଟ ହେଲାଣି ବୋଲି ନିଜେ ନିଜେ ଜାଣିଥାଅ;
31ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଘଟଣା ଦେଖିଲେ ଈଶ୍ୱରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣ ।
32ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ ।

Read ଲୂକ 21ଲୂକ 21
Compare ଲୂକ 21:9-32ଲୂକ 21:9-32