Text copied!
CopyCompare
ଓଡିଆ ବାଇବେଲ - ଦ୍ୱିତୀୟ ରାଜାବଳୀ - ଦ୍ୱିତୀୟ ରାଜାବଳୀ 10

ଦ୍ୱିତୀୟ ରାଜାବଳୀ 10:7-27

Help us?
Click on verse(s) to share them!
7ଏଥିଉତ୍ତାରେ ସେମାନଙ୍କ ନିକଟରେ ପତ୍ର ଉପସ୍ଥିତ ହୁଅନ୍ତେ, ସେମାନେ ସେହି ସତୁରି ଜଣ ରାଜପୁତ୍ରଙ୍କୁ ନେଇ ବଧ କଲେ ଓ ସେମାନଙ୍କର ମସ୍ତକ ଟୋକେଇରେ ରଖି ଯିଷ୍ରିୟେଲକୁ ଯେହୂଙ୍କ ନିକଟକୁ ପଠାଇଲେ।
8ଏଥିରେ ଜଣେ ଦୂତ ଆସି ଯେହୂଙ୍କୁ ଜଣାଇ କହିଲା, “ସେମାନେ ରାଜପୁତ୍ରମାନଙ୍କ ମସ୍ତକ ଆଣିଅଛନ୍ତି।” ତହିଁରେ ସେ କହିଲେ, “ଦ୍ୱାର ପ୍ରବେଶ ସ୍ଥାନରେ ଦୁଇ ଗଦା କରି ପ୍ରାତଃକାଳ ପର୍ଯ୍ୟନ୍ତ ସେସବୁ ରଖ।”
9ଏଥିଉତ୍ତାରେ ପ୍ରାତଃକାଳରେ ଯେହୂ ବାହାରକୁ ଯାଇ ଠିଆ ହୋଇ ସମସ୍ତ ଲୋକଙ୍କୁ କହିଲେ, “ତୁମ୍ଭେମାନେ ଧାର୍ମିକ ଲୋକ; ଦେଖ, ମୁଁ ଆପଣା ପ୍ରଭୁ ବିରୁଦ୍ଧରେ ଚକ୍ରାନ୍ତ କରି ତାହାକୁ ବଧ କଲି; ମାତ୍ର ଏସମସ୍ତଙ୍କୁ କିଏ ବଧ କଲା ?
10ଏବେ ଜାଣ ଯେ, ସଦାପ୍ରଭୁ ଆହାବ ବଂଶ ବିଷୟରେ ଯାହା କହିଅଛନ୍ତି, ସଦାପ୍ରଭୁଙ୍କ ସେହି ବାକ୍ୟରୁ କିଛି ହିଁ ତଳେ ପଡ଼ିବ ନାହିଁ; କାରଣ ସଦାପ୍ରଭୁ ଆପଣା ଦାସ ଏଲୀୟଙ୍କ ଦ୍ୱାରା ଯାହା କହିଥିଲେ, ତାହା ସଫଳ କରିଅଛନ୍ତି।”
11ତହୁଁ ଯେହୂ ଆହାବଙ୍କର କାହାକୁ ଅବଶିଷ୍ଟ ନ ରଖିବା ପର୍ଯ୍ୟନ୍ତ ଯିଷ୍ରିୟେଲରେ ତାଙ୍କ ବଂଶର ଅବଶିଷ୍ଟ ସମସ୍ତଙ୍କୁ, ଓ ତାଙ୍କ ପ୍ରଧାନ ଲୋକ ସମସ୍ତଙ୍କୁ, ତାଙ୍କ ଆତ୍ମୀୟ ବନ୍ଧୁମାନଙ୍କୁ, ଓ ତାଙ୍କର ଯାଜକମାନଙ୍କୁ ବଧ କଲେ।
12ଏଥିଉତ୍ତାରେ ଯେହୂ ଉଠି ପ୍ରସ୍ଥାନ କରି ଶମରୀୟାକୁ ଗଲେ। ପୁଣି ସେ ପଥ ମଧ୍ୟରେ ମେଷପାଳକମାନଙ୍କ ମେଷଲୋମଚ୍ଛେଦନ ଗୃହ ନିକଟରେ ଉପସ୍ଥିତ ହୁଅନ୍ତେ,
13ଯେହୂ ଯିହୁଦାର ରାଜା ଅହସୀୟଙ୍କର ଭ୍ରାତୃଗଣକୁ ଭେଟି ପଚାରିଲେ, “ତୁମ୍ଭେମାନେ କିଏ ?” ସେମାନେ ଉତ୍ତର କଲେ, “ଆମ୍ଭେମାନେ ଅହସୀୟଙ୍କର ଭାଇ; ଆଉ ଆମ୍ଭେମାନେ ରାଜାଙ୍କ ସନ୍ତାନମାନଙ୍କର ଓ ରାଣୀଙ୍କ ସନ୍ତାନମାନଙ୍କର ମଙ୍ଗଳବାଦ କରିବାକୁ ଯାଉଅଛୁ।”
14ଏଥିରେ ଯେହୂ କହିଲେ, “ଏମାନଙ୍କୁ ଜିଅନ୍ତା ଧର।” ତହୁଁ ଲୋକମାନେ ସେମାନଙ୍କୁ ଜୀଅନ୍ତା ଧରି ମେଷଲୋମ ଚ୍ଛେଦନଗୃହର ଗର୍ତ୍ତ ନିକଟରେ ସେହି ବୟାଳିଶ ଜଣଙ୍କୁ ବଧ କଲେ, ସେ ସେମାନଙ୍କର କାହାକୁ ଅବଶିଷ୍ଟ ରଖିଲେ ନାହିଁ।
15ଏଥିଉତ୍ତାରେ ଯେହୂ ସେଠାରୁ ପ୍ରସ୍ଥାନ କରନ୍ତେ, ଆପଣା ସମ୍ମୁଖରେ ଆଗମନକାରୀ ରେଖବର ପୁତ୍ର ଯିହୋନାଦବ୍‍କୁ ଭେଟିଲେ। ସେ ତାହାକୁ ମଙ୍ଗଳବାଦ କରି ପଚାରିଲେ, “ଯେପରି ତୁମ୍ଭ ପ୍ରତି ମୋ’ ମନ ସରଳ, ସେପରି ତୁମ୍ଭ ମନ କି ମୋ’ ପ୍ରତି ଅଛି ?” ଏଥିରେ ଯିହୋନାଦବ୍‍ ଉତ୍ତର କଲା, “ହଁ, ଅଛି।” ତାହାହେଲେ ମୋତେ ତୁମ୍ଭ ହସ୍ତ ଦିଅ। ତହୁଁ ଯିହୋନାଦବ୍‍ ତାଙ୍କୁ ଆପଣା ହସ୍ତ ଦିଅନ୍ତେ, ଯେହୂ ତାହାକୁ ଆପଣା ନିକଟକୁ ରଥ ଉପରକୁ ନେଲେ।
16ପୁଣି ଯେହୂ କହିଲେ, “ମୋ’ ସଙ୍ଗେ ଆସ, ସଦାପ୍ରଭୁଙ୍କ ନିମନ୍ତେ ମୋହର ଉଦ୍‍ଯୋଗ ଦେଖ।” ଏହିରୂପେ ସେମାନେ ତାହାକୁ ତାଙ୍କ ରଥରେ ଚଢ଼ାଇଲେ।
17ଏଥିଉତ୍ତାରେ ଯେହୂ ଶମରୀୟାରେ ଉପସ୍ଥିତ ହୁଅନ୍ତେ, ସଦାପ୍ରଭୁ ଏଲୀୟଙ୍କୁ ଯାହା କହିଥିଲେ, ସେହି ବାକ୍ୟାନୁସାରେ ଯେହୂ ଆହାବଙ୍କୁ ସଂହାର କରିବା ପର୍ଯ୍ୟନ୍ତ ଶମରୀୟାସ୍ଥ ତାଙ୍କର ଅବଶିଷ୍ଟ ସମସ୍ତଙ୍କୁ ବଧ କଲେ।
18ପୁଣି ଯେହୂ ସମଗ୍ର ଲୋକଙ୍କୁ ଏକତ୍ର କରି ସେମାନଙ୍କୁ କହିଲେ, “ଆହାବ ବାଲ୍‍ର ଅଳ୍ପ ସେବା କଲା, ମାତ୍ର ଯେହୂ ତାହାର ବହୁତ ସେବା କରିବ।
19ଏହେତୁ ଏବେ ବାଲ୍‍ର ସମସ୍ତ ଭବିଷ୍ୟଦ୍‍ବକ୍ତାଙ୍କୁ ଓ ତାହାର ପୂଜକ ସମସ୍ତଙ୍କୁ ଓ ତାହାର ଯାଜକ ସମସ୍ତଙ୍କୁ ମୋ’ ନିକଟକୁ ଡାକ; କେହି ଅନୁପସ୍ଥିତ ନ ରହନ୍ତୁ; କାରଣ ବାଲ୍‍ ଉଦ୍ଦେଶ୍ୟରେ ମୋହର ଏକ ବଡ଼ ଯଜ୍ଞ କରିବାର ଅଛି; ଯେକେହି ଅନୁପସ୍ଥିତ ହେବ, ସେ ବଞ୍ଚିବ ନାହିଁ।” ମାତ୍ର ଯେହୂ ବାଲ୍‍ର ପୂଜକମାନଙ୍କୁ ବିନାଶ କରିବା ଅଭିପ୍ରାୟରେ ଏହା ଛଳ ଭାବରେ କଲେ।
20ଆଉ ଯେହୂ କହିଲେ, “ବାଲ୍‍ ଉଦ୍ଦେଶ୍ୟରେ ଏକ ପବିତ୍ର ମହାସଭା ନିରୂପଣ କର।” ତହୁଁ ସେମାନେ ତାହା ଘୋଷଣା କଲେ।
21ପୁଣି ଯେହୂ ସମଗ୍ର ଇସ୍ରାଏଲ ମଧ୍ୟକୁ ଲୋକ ପଠାଇଲେ; ତହିଁରେ ବାଲ୍‍ର ପୂଜକ ସମସ୍ତେ ଆସିଲେ, ଯେ ନ ଆସିଲା, ଏପରି ଜଣେ ଅବଶିଷ୍ଟ ରହିଲା ନାହିଁ। ଆଉ ଲୋକମାନେ ବାଲ୍‍ର ମନ୍ଦିରକୁ ଆସନ୍ତେ, ବାଲ୍‍ର ମନ୍ଦିରର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ପୂର୍ଣ୍ଣ ହେଲା।
22ତେବେ ସେ ବସ୍ତ୍ରାଗାରର ଅଧ୍ୟକ୍ଷକୁ କହିଲେ, “ବାଲ୍‍ର ସମସ୍ତ ପୂଜକଙ୍କ ନିମନ୍ତେ ବସ୍ତ୍ର ବାହାର କରି ଆଣ।” ଏଥିରେ ସେ ବସ୍ତ୍ର ବାହାର କରି ଆଣିଲା।
23ତହିଁରେ ଯେହୂ ଓ ରେଖବର ପୁତ୍ର ଯିହୋନାଦବ୍‍ ବାଲ୍‍ ମନ୍ଦିରକୁ ଗଲେ; ଆଉ ସେ ବାଲ୍‍ର ପୂଜକମାନଙ୍କୁ କହିଲେ, “ଏଠାରେ ତୁମ୍ଭମାନଙ୍କ ମଧ୍ୟରେ ବାଲ୍‍ର ପୂଜକମାନଙ୍କ ବ୍ୟତୀତ ସଦାପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ କେହି ଯେପରି ନ ଥାଏ, ଏଥିପାଇଁ ଖୋଜି ଦେଖ।”
24ଏଥିଉତ୍ତାରେ ସେମାନେ ବଳିଦାନ ଓ ହୋମ କରିବାକୁ ଭିତରକୁ ଗଲେ। ଯେହୂ ଆପଣାର ଅଶୀ ଜଣକୁ ବାହାରେ ନିଯୁକ୍ତ କରି କହିଥିଲେ, “ମୁଁ ଯେଉଁ ଲୋକମାନଙ୍କୁ ତୁମ୍ଭମାନଙ୍କର ହସ୍ତଗତ କରାଇବି, ସେମାନଙ୍କ ମଧ୍ୟରୁ କେହି ଯେବେ ପଳାଏ, ତେବେ ଯେ ତାହାକୁ ଛାଡ଼ି ଦିଏ, ତାହାର ପ୍ରାଣ ସେ ଲୋକର ପ୍ରାଣର ବଦଳ ହେବ।”
25ଏଥିଉତ୍ତାରେ ଯେହୂ ହୋମବଳି ଉତ୍ସର୍ଗ ଶେଷ କରିବାକ୍ଷଣେ, ସେ ପ୍ରହରୀ ଓ ସେନାପତିମାନଙ୍କୁ କହିଲେ, “ଭିତରକୁ ଯାଅ, ସେମାନଙ୍କୁ ବଧ କର; କାହାକୁ ବାହାରକୁ ଆସିବାକୁ ଦିଅ ନାହିଁ।” ତହୁଁ ସେମାନେ ଖଡ୍ଗଧାରରେ ସେମାନଙ୍କୁ ବଧ କଲେ; ଆଉ ପ୍ରହରୀ ଓ ସେନାପତିମାନେ ସେମାନଙ୍କୁ ବାହାରେ ପକାଇଦେଇ ବାଲ୍‍ ମନ୍ଦିରର ଗୃହକୁ ଗଲେ।
26ପୁଣି ସେମାନେ ବାଲ୍‍ ମନ୍ଦିରରୁ ସ୍ତମ୍ଭମାନ ବାହାର କରି ଆଣି ପୋଡ଼ି ପକାଇଲେ।
27ଆଉ ବାଲ୍‍ର ସ୍ତମ୍ଭ ଭାଙ୍ଗି ପକାଇଲେ ଓ ବାଲ୍‍ର ମନ୍ଦିର ଭାଙ୍ଗି ପକାଇ ତାକୁ ମଳଗୃହ କଲେ, ତାହା ଆଜି ପର୍ଯ୍ୟନ୍ତ ଅଛି।

Read ଦ୍ୱିତୀୟ ରାଜାବଳୀ 10ଦ୍ୱିତୀୟ ରାଜାବଳୀ 10
Compare ଦ୍ୱିତୀୟ ରାଜାବଳୀ 10:7-27ଦ୍ୱିତୀୟ ରାଜାବଳୀ 10:7-27