32ଆମ୍ଭେ ତୁମ୍ଭ ପିତୃପୁରୁଷମାନଙ୍କ ଈଶ୍ୱର, ଅବ୍ରହାମ, ଇସ୍ହାକ ଓ ଯାକୁବର ଈଶ୍ୱର । ସେଥିରେ ମୋଶା କମ୍ପି ଉଠି, ଭଲରୂପେ ଦେଖିବାକୁ ସାହାସ କଲେ ନାହିଁ ।
33ତା'ପରେ ପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭ ପାଦରୁ ପାଦୁକା କାଢ଼ିପକାଅ, କାରଣ ତୁମ୍ଭେ ଯେଉଁ ସ୍ଥାନରେ ଠିଆ ହୋଇଅଛ, ତାହା ପବିତ୍ର ଭୂମି ।
34ମିସରରେ ମୋର ଯେଉଁ ଲୋକମାନେ ଅଛନ୍ତି, ମୁଁ ସେମାନଙ୍କର କ୍ଲେଶ ନିଶ୍ଚୟ ଦେଖିଅଛି ଓ ସେମାନଙ୍କର ଆର୍ତ୍ତନାଦ ଶୁଣିଛି, ପୁଣି, ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଓହ୍ଲାଇ ଆସିଅଛି, ଆଉ ଏବେ ଆସ, ମୁଁ ତୁମ୍ଭକୁ ମିସରକୁ ପ୍ରେରଣ କରିବି ।
35କିଏ ତୁମ୍ଭକୁ ଶାସନକର୍ତ୍ତା ଓ ବିଚାରକ ସ୍ୱରୂପେ ନିଯୁକ୍ତ କଲା ବୋଲି କହି ଏହି ଯେଉଁ ମୋଶାଙ୍କୁ ସେମାନେ ଅଗ୍ରାହ୍ୟ କଲେ, ତାହାଙ୍କୁ ଈଶ୍ୱର ବୁଦାରେ ଦର୍ଶନ ଦେଇଥିବା ଦୂତଙ୍କ ସହାୟତାରେ ଶାସକ ଓ ଉଦ୍ଧାରକର୍ତ୍ତା କରି ପ୍ରେରଣ କଲେ ।
36ଏହି ବ୍ୟକ୍ତି ମିସର ଦେଶ, ସୂଫ ସାଗର ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ନାନା ଆଶ୍ଚର୍ଯ୍ୟକର୍ମ ଓ ଲକ୍ଷଣ ସାଧନ କରି ସେମାନଙ୍କୁ ବାହାର କରି ଆଣିଲେ ।
37ଏହି ମୋଶା ଇସ୍ରାଏଲର ସନ୍ତାନମାନଙ୍କୁ କହିଲେ, ଈଶ୍ୱର ତୁମ୍ଭମାନଙ୍କର ଭାଇମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ ମୋହର ସଦୃଶ ଜଣେ ଭାବବାଦୀଙ୍କୁ ଉତ୍ପନ୍ନ କରିବେ ।
38ଏହି ବ୍ୟକ୍ତି ପ୍ରାନ୍ତରସ୍ଥ ମଣ୍ଡଳୀ ମଧ୍ୟରେ ସୀନୟ ପର୍ବତରେ ତାହାଙ୍କ ସହିତ କଥା କହୁଥିବା ଦୂତଙ୍କ ଓ ଆମ୍ଭମାନଙ୍କ ପିତୃପୁରୁଷମାନଙ୍କ ମଧ୍ୟରେ ମଧ୍ୟସ୍ଥ ଥିଲେ; ସେ ତୁମ୍ଭମାନଙ୍କୁ ଦାନ କରିବା ନିମନ୍ତେ ଜୀବନ୍ତ ବାକ୍ୟସମୂହ ପ୍ରାପ୍ତ ହେଲେ ।
39ଆମ୍ଭମାନଙ୍କର ପିତୃପୁରୁଷମାନେ ତାହାଙ୍କର ଆଜ୍ଞାବହ ହେବାକୁ ଇଚ୍ଛା ନ କରି ତାହାଙ୍କୁ ଅଗ୍ରାହ୍ୟ କଲେ, ପୁଣି, ଆପଣା ଆପଣା ହୃଦୟରେ ମିସରକୁ ବାହୁଡ଼ିଯାଇ ହାରୋଣଙ୍କୁ କହିଲେ,
40ଆମ୍ଭମାନଙ୍କ ଆଗେ ଆଗେ ଯିବା ନିମନ୍ତେ ଆମ୍ଭମାନଙ୍କ ପାଇଁ ଦେବତାମାନଙ୍କୁ ନିର୍ମାଣ କର, କାରଣ ଏହି ଯେଉଁ ମୋଶା ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ତାହାଙ୍କ ପ୍ରତି କଅଣ ଘଟିଅଛି, ତାହା ଆମ୍ଭେମାନେ ଜାଣୁ ନାହୁଁ ।
41ଆଉ ସେହି ସମୟରେ ସେମାନେ ଗୋଟିଏ ଗୋବତ୍ସ ନିର୍ମାଣ କଲେ ଏବଂ ସେହି ପ୍ରତିମା ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରି ଆପଣା ଆପଣା ହସ୍ତନିର୍ମିତ ବସ୍ତୁରେ ଆନନ୍ଦ କରିବାକୁ ଲାଗିଲେ।
42କିନ୍ତୁ ଈଶ୍ୱର ବିମୁଖ ହୋଇ ସେମାନଙ୍କୁ ଆକାଶବାହିନୀର ଉପାସନା କରିବାକୁ ଛାଡ଼ିଦେଲେ, ଯେପରି ଭାବବାଦୀମାନଙ୍କ ଶାସ୍ତ୍ରରେ ଲେଖା ଅଛି, ହେ ଇସ୍ରାଏଲ ବଂଶ, ପ୍ରାନ୍ତରରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ କଅଣ ଆମ୍ଭ ଉଦ୍ଦେଶ୍ୟରେ ପଶୁବଳି ଓ ନୈବେଦ୍ୟ ଉତ୍ସର୍ଗ କରିଥିଲ?
43ବରଂ ତୁମ୍ଭେମାନେ ଉପାସନା କରିବା ନିମନ୍ତେ ଯେଉଁ ମୁର୍ତ୍ତିଗୁଡ଼ିକ ଗଢ଼ିଥିଲ, ସେହି ମୋଲଖର ତମ୍ବୁ ଓ ରେମ୍ଫାନ୍ ଦେବତାର ନକ୍ଷତ୍ରକୁ ତୁମ୍ଭେମାନେ ଘେନି ବହନ କଲ । ଏଣୁ ମୁଁ ତୁମ୍ଭମାନଙ୍କୁ ବାବିଲର ଆରପାଖକୁ ବନ୍ଦୀ କରି ପଠାଇବି ।
44ତୁମ୍ଭେ ଯେଉଁ ଆଦର୍ଶ ଦେଖିଅଛ, ତଦନୁସାରେ ସାକ୍ଷ୍ୟ ତମ୍ବୁ ନିର୍ମାଣ କର ବୋଲି ମୋଶାଙ୍କୁ ଯେ କହିଥିଲେ, ତାହାଙ୍କ ଆଦେଶ ଅନୁଯାୟୀ ଆମ୍ଭମାନଙ୍କ ପିତୃପୁରୁଷମାନେ ପ୍ରାନ୍ତରରେ ସାକ୍ଷ୍ୟ ତମ୍ବୁ ପାଇଥିଲେ ।
45ଆଉ ଆମ୍ଭମାନଙ୍କ ପିତୃପୁରୁଷମାନେ ତାହା ପ୍ରାପ୍ତ ହୋଇ, ଈଶ୍ୱର ସେମାନଙ୍କ ସମ୍ମୁଖରୁ ଯେଉଁ ଜାତିମାନଙ୍କୁ ବାହାର କରିଦେଲେ, ସେହି ଜାତିମାନଙ୍କ ଅଧିକାରରେ ସେମାନେ ଯିହୋଶୂୟଙ୍କ ନେତୃତ୍ତ୍ୱରେ ପ୍ରବେଶ କରି ତାହା ଦାଉଦଙ୍କ ସମୟ ପର୍ଯ୍ୟନ୍ତ ରଖିଲେ ।
46ଦାଉଦ ଈଶ୍ୱରଙ୍କ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇ ଯାକୁବଙ୍କର ଈଶ୍ୱରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ ।
47କିନ୍ତୁ ଶଲୋମନ ଈଶ୍ୱରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କଲେ ।
48ତଥାପି ଯେ ମହାନ ଈଶ୍ୱର, ସେ ହସ୍ତନିର୍ମିତ ଗୃହରେ ବାସ କରନ୍ତି ନାହିଁ, ଯେପରି ଭାବବାଦୀ କହନ୍ତି,
49ସ୍ୱର୍ଗ ଆମ୍ଭର ସିଂହାସନ, ପୃଥିବୀ ଆମ୍ଭର ପାଦପୀଠ; ପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭ ନିମନ୍ତେ କି ପ୍ରକାର ଗୃହ ନିର୍ମାଣ କରିବ ? କିମ୍ବା ଆମ୍ଭର ବିଶ୍ରାମସ୍ଥାନ କାହିଁ ?
50ଆମ୍ଭର ହସ୍ତ କ'ଣ ଏହି ସମସ୍ତ ବିଷୟ ସୃଷ୍ଟି କରି ନାହିଁ ?
51ହେ ଦାମ୍ଭିକମାନେ ପୁଣି, ଅସୁନ୍ନତି ହୃଦୟ ଓ କର୍ଣ୍ଣ ବିଶିଷ୍ଟ ଲୋକେ, ଆପଣମାନେ ସର୍ବଦା ପବିତ୍ର ଆତ୍ମାଙ୍କର ପ୍ରତିରୋଧ କରୁଅଛନ୍ତି; ଆପଣମାନଙ୍କର ପିତୃପୁରୁଷମାନେ ଯେପରି ଆପଣମାନେ ମଧ୍ୟ ସେହିପରି ।
52ଭାବବାଦୀମାନଙ୍କ ମଧ୍ୟରୁ କାହାକୁ ଆପଣମାନଙ୍କର ପିତୃପୁରୁଷମାନେ ତାଡ଼ନା କରି ନ ଥିଲେ? ଯେଉଁମାନେ ସେହି ଧାର୍ମିକ ବ୍ୟକ୍ତିଙ୍କ ଆଗମନ ବିଷୟରେ ପୂର୍ବରୁ ଜଣାଇଥିଲେ, ସେମାନଙ୍କୁ ସେମାନେ ବଧ କଲେ; ଏବେ ଆପଣମାନେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରି ବଧ କରିଅଛନ୍ତି;
53ଆପଣମାନେ ଦୂତମାନଙ୍କ ଦ୍ୱାରା ଆଦିଷ୍ଟ (ଆଦ୍ୟ) ପ୍ରତିଷ୍ଠିତ ବ୍ୟବସ୍ଥା ପାଇଥିଲେ, କିନ୍ତୁ ତାହା ପାଳନ କଲେ ନାହିଁ ।
54ଏହି ସମସ୍ତ କଥା ଶୁଣି ସେମାନେ ଅତିଶୟ ରାଗିଗଲେ, ପୁଣି, ତାହାଙ୍କ ପ୍ରତି ଦାନ୍ତ କଡ଼ମଡ଼ କରିବାକୁ ଲାଗିଲେ ।
55କିନ୍ତୁ ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସ୍ୱର୍ଗ ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁଲେ, ଆଉ ଈଶ୍ୱରଙ୍କ ମହିମା ଓ ଯୀଶୁଙ୍କୁ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖି କହିଲେ,
56ଦେଖନ୍ତୁ, ମୁଁ ସ୍ୱର୍ଗକୁ ଖୋଲା ହୋଇଥିବା ଓ ମନୁଷ୍ୟପୁତ୍ରଙ୍କୁ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖୁଅଛି ।
57କିନ୍ତୁ ସେମାନେ ଉଚ୍ଚସ୍ୱରରେ ଚିତ୍କାର କରି ଆପଣା ଆପଣା କର୍ଣ୍ଣ ବନ୍ଦ କଲେ, ଆଉ ଏକସଙ୍ଗରେ ତାହାଙ୍କ ଉପରେ ମାଡ଼ିପଡ଼ିଲେ,
58ପୁଣି, ସେମାନେ ତାହାଙ୍କ ନଗରରୁ ବାହାର କରିଦେଇ ପଥର ଫୋପାଡ଼ି ମାରିବାକୁ ଲାଗିଲେ; ଆଉ, ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକଙ୍କ ପାଦ ପାଖରେ ଆପଣା ଆପଣା ବସ୍ତ୍ର ରଖିଲେ ।
59ଯେତେବେଳେ ସେମାନେ ସ୍ତିଫାନଙ୍କୁ ପଥର ଫୋପାଡ଼ି ମାରୁଥିଲେ, ସେତେବେଳେ ସେ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ ଯୀଶୁ, ମୋହର ଆତ୍ମା ଗ୍ରହଣ କର ।