Text copied!
CopyCompare
ଓଡିଆ ବାଇବେଲ - ପ୍ରଥମ ଶାମୁୟେଲ

ପ୍ରଥମ ଶାମୁୟେଲ 18

Help us?
Click on verse(s) to share them!
1ଏଥିଉତ୍ତାରେ ଶାଉଲଙ୍କ ସହିତ ତାଙ୍କର କଥା ସମାପ୍ତ ହୁଅନ୍ତେ, ଯୋନାଥନର ପ୍ରାଣ ଦାଉଦଙ୍କର ପ୍ରାଣରେ ସଂଲଗ୍ନ ହେଲା, ଆଉ ଯୋନାଥନ ଆପଣା ପ୍ରାଣ ପରି ତାଙ୍କୁ ସ୍ନେହ କଲା।
2ପୁଣି, ଶାଉଲ ସେହି ଦିନ ତାଙ୍କୁ ଗ୍ରହଣ କରି ତାଙ୍କର ପିତୃଗୃହକୁ ଆଉ ଯିବାକୁ ଦେଲେ ନାହିଁ।
3ଆଉ ଯୋନାଥନ ଦାଉଦଙ୍କୁ ଆପଣା ପ୍ରାଣ ପରି ସ୍ନେହ କରିବାରୁ ସେମାନେ ଏକ ନିୟମ କଲେ।
4ପୁଣି, ଯୋନାଥନ ଆପଣା ଦେହରୁ ଚୋଗା କାଢ଼ି ଦାଉଦଙ୍କୁ ଦେଲା, ମଧ୍ୟ ଆପଣା ବସ୍ତ୍ର ଓ ଖଡ୍ଗ ଓ ଧନୁ ଓ କଟିବନ୍ଧନ ପର୍ଯ୍ୟନ୍ତ ତାଙ୍କୁ ଦେଲା।
5ଆଉ ଶାଉଲ ଦାଉଦଙ୍କୁ ଯେକୌଣସି ସ୍ଥାନକୁ ପଠାନ୍ତି, ସେ ସେଠାକୁ ଯାଇ ବୁଦ୍ଧିରେ କାର୍ଯ୍ୟ କରନ୍ତି, ଏହେତୁ ଶାଉଲ ତାଙ୍କୁ ଯୋଦ୍ଧାମାନଙ୍କ ଉପରେ ନିଯୁକ୍ତ କଲେ ଓ ଏହା ସମସ୍ତ ଲୋକଙ୍କ ଦୃଷ୍ଟିରେ ଓ ଶାଉଲଙ୍କ ଦାସମାନଙ୍କ ଦୃଷ୍ଟିରେ ମଧ୍ୟ ଉତ୍ତମ ଦେଖାଗଲା।
6ଦାଉଦ ପଲେଷ୍ଟୀୟକୁ ବଧ କରି ଫେରିଲା ବେଳେ ଲୋକମାନେ ଆସୁ ଆସୁ ଏପରି ହେଲା ଯେ, ଇସ୍ରାଏଲୀୟ ସମସ୍ତ ନଗରରୁ ସ୍ତ୍ରୀମାନେ ବାହାରି ଦାରା, ଆନନ୍ଦଧ୍ୱନି ଓ ତ୍ରିତନ୍ତ୍ରୀ ବାଦ୍ୟ ସହିତ ଗାୟନ ଓ ନୃତ୍ୟ କରୁ କରୁ ଶାଉଲ ରାଜାଙ୍କୁ ଭେଟିବା ପାଇଁ ଆସିଲେ।
7ଆଉ ସେହି ସ୍ତ୍ରୀମାନେ ବାଦ୍ୟ କରୁ କରୁ ଉତ୍ତର ପ୍ରତ୍ୟୁତ୍ତର କ୍ରମେ ଗାୟନ କରି କହିଲେ: ଶାଉଲ ବଧ କଲେ ସହସ୍ର ସହସ୍ର, ଦାଉଦ ବଧ କଲେ ଅୟୁତ ଅୟୁତ।
8ଏଥିରେ ଶାଉଲ ଅତି କ୍ରୁଦ୍ଧ ହେଲେ ଓ ଏହି କଥା ତାଙ୍କର ଦୃଷ୍ଟିରେ ମନ୍ଦ ବୋଧ ହେଲା; ଏଣୁ ସେ କହିଲେ, ସେମାନେ ଦାଉଦକୁ ଅୟୁତ ଅୟୁତର ଜୟୀ ଓ ଆମ୍ଭଙ୍କୁ କେବଳ ସହସ୍ର ସହସ୍ରର ଜୟୀ ବୋଲି କହିଲେ; ରାଜତ୍ୱ ଛଡ଼ା ତାହାର ଆଉ କଅଣ ପାଇବାର ବାକି ଅଛି ?
9ସେହି ଦିନାବଧି ଶାଉଲ ଦାଉଦଙ୍କ ପ୍ରତି କୁଦୃଷ୍ଟି ରଖିଲେ।
10ପରଦିନ ପରମେଶ୍ୱରଙ୍କଠାରୁ ମନ୍ଦ-ଆତ୍ମା ଶାଉଲଙ୍କୁ ଆକ୍ରାନ୍ତ କରନ୍ତେ, ସେ ଗୃହ ମଧ୍ୟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବାକୁ ଲାଗିଲେ; ପୁଣି, ଦାଉଦ ପ୍ରତିଦିନ ପରି ହସ୍ତରେ ବାଦ୍ୟ ବଜାଇଲେ; ସେସମୟରେ ଶାଉଲଙ୍କ ହସ୍ତରେ ବର୍ଚ୍ଛା ଥିଲା।
11ତହୁଁ ଶାଉଲ ବର୍ଚ୍ଛା ଫିଙ୍ଗିଲେ; କାରଣ ସେ କହିଲେ, ମୁଁ ଦାଉଦକୁ କାନ୍ଥରେ ଫୋଡ଼ିବି। ମାତ୍ର ଦାଉଦ ତାଙ୍କ ନିକଟରୁ ଦୁଇଥର ଘୁଞ୍ଚିଗଲେ।
12ପୁଣି, ଶାଉଲ ଦାଉଦଙ୍କୁ ଭୟ କଲେ, କାରଣ ସଦାପ୍ରଭୁ ତାଙ୍କ ସଙ୍ଗରେ ଥିଲେ ଓ ଶାଉଲଙ୍କୁ ତ୍ୟାଗ କରିଥିଲେ।
13ଏହେତୁ ଶାଉଲ ଆପଣା ନିକଟରୁ ତାଙ୍କୁ ଅନ୍ତର କରି ତାଙ୍କୁ ସହସ୍ର ଉପରେ ଆପଣାର ସେନାପତି କଲେ; ଆଉ ସେ ଲୋକମାନଙ୍କ ସମ୍ମୁଖରେ ଗତାୟାତ କଲେ।
14ଆଉ ଦାଉଦ ଆପଣାର ସବୁ କଥାରେ ବୁଦ୍ଧିମାନ ହେଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗରେ ହେଲେ।
15ପୁଣି, ଯେତେବେଳେ ଶାଉଲ ତାଙ୍କୁ ଅତି ବୁଦ୍ଧିମାନ ଦେଖିଲେ, ସେ ତାଙ୍କ ବିଷୟରେ ଭୀତ ହେଲେ।
16ମାତ୍ର ସମସ୍ତ ଇସ୍ରାଏଲ ଓ ଯିହୁଦା ଦାଉଦଙ୍କୁ ପ୍ରେମ କଲେ; କାରଣ ସେ ସେମାନଙ୍କ ସମ୍ମୁଖରେ ଗତାୟାତ କଲେ।
17ଏଥିଉତ୍ତାରେ ଶାଉଲ ଦାଉଦଙ୍କୁ କହିଲେ, ମେରବ୍‍ ନାମ୍ନୀ ମୋହର ଜ୍ୟେଷ୍ଠା କନ୍ୟାକୁ ଦେଖ, ମୁଁ ତୁମ୍ଭ ସଙ୍ଗରେ ତାହାର ବିବାହ ଦେବି; କେବଳ ତୁମ୍ଭେ ମୋହର ପକ୍ଷରେ ବିକ୍ରମୀ ହୁଅ ଓ ସଦାପ୍ରଭୁଙ୍କ ଯୁଦ୍ଧରେ ଯୁଦ୍ଧ କର। ଶାଉଲ ମନେ କଲେ, ମୋହର ହସ୍ତ ତାହା ଉପରେ ନ ଉଠୁ, ମାତ୍ର ପଲେଷ୍ଟୀୟମାନଙ୍କ ହସ୍ତ ତାହା ଉପରେ ଉଠୁ।
18ଏଥିରେ ଦାଉଦ ଶାଉଲଙ୍କୁ କହିଲେ, ମୁଁ କିଏ ଓ ମୋହର ଜୀବନ କଅଣ ଓ ଇସ୍ରାଏଲ ମଧ୍ୟରେ ମୋହର ପିତୃବଂଶ କଅଣ ଯେ, ମୁଁ ମହାରାଜାଙ୍କ ଜୁଆଁଇ ହେବି ?

19ମାତ୍ର ଯେଉଁ ସମୟରେ ଦାଉଦଙ୍କୁ ଶାଉଲଙ୍କର କନ୍ୟା ମେରବ୍‍ ଦତ୍ତ ହୋଇଥା’ନ୍ତା, ସେସମୟରେ ଏପରି ଘଟିଲା ଯେ, ସେ ମହୋଲାତୀୟ ଅଦ୍ରୀୟେଲକୁ ଭାର୍ଯ୍ୟା ରୂପେ ଦତ୍ତ ହେଲା।
20ପୁଣି, ଶାଉଲଙ୍କର କନ୍ୟା ମୀଖଲ ଦାଉଦଙ୍କୁ ପ୍ରେମ କଲା; ତହୁଁ ଲୋକମାନେ ଶାଉଲଙ୍କୁ ତାହା ଜଣାନ୍ତେ, ସେକଥା ତାଙ୍କ ଦୃଷ୍ଟିରେ ପସନ୍ଦ ହେଲା।
21ପୁଣି, ଶାଉଲ କହିଲେ, ମୁଁ ତାହାକୁ ସେହି କନ୍ୟା ଦେବି, ତହିଁରେ ସେ ତାହାର ଫାନ୍ଦ ସ୍ୱରୂପ ହେବ ଓ ପଲେଷ୍ଟୀୟମାନଙ୍କ ହସ୍ତ ତାହାର ପ୍ରତିକୂଳ ହେବ। ଏଣୁ ଶାଉଲ ଦାଉଦଙ୍କୁ କହିଲେ, ତୁମ୍ଭେ ଆଜି ଦ୍ୱିତୀୟବାର ମୋର ଜୁଆଁଇ ହେବ।
22ଏଉତ୍ତାରେ ଶାଉଲ ଆପଣା ଦାସମାନଙ୍କୁ ଆଜ୍ଞା ଦେଇ କହିଲେ, ତୁମ୍ଭେମାନେ ଗୋପନରେ ଦାଉଦ ସଙ୍ଗେ ଆଳାପ କରି କୁହ, ଦେଖ, ରାଜା ତୁମ୍ଭ ଉପରେ ସନ୍ତୁଷ୍ଟ ଅଛନ୍ତି ଓ ତାଙ୍କର ସମସ୍ତ ଦାସ ତୁମ୍ଭଙ୍କୁ ପ୍ରେମ କରୁଅଛନ୍ତି; ଏହେତୁ ତୁମ୍ଭେ ରାଜାଙ୍କର ଜୁଆଁଇ ହୁଅ।
23ତହିଁରେ ଶାଉଲଙ୍କର ଦାସମାନେ ଦାଉଦଙ୍କର କର୍ଣ୍ଣଗୋଚରରେ ଏହି କଥା କହିଲେ। ତହୁଁ ଦାଉଦ କହିଲେ, ରାଜାଙ୍କର ଜୁଆଁଇ ହେବା ତୁମ୍ଭମାନଙ୍କ ଦୃଷ୍ଟିରେ କି କ୍ଷୁଦ୍ର କଥା ? କାରଣ ମୁଁ ଦରିଦ୍ର ଲୋକ ଓ ଅଳ୍ପମାନ୍ୟ।
24ଏଥିରେ ଦାଉଦ ଏପରି ଏପରି କହିଲେ ବୋଲି ଶାଉଲଙ୍କ ଦାସମାନେ ତାଙ୍କୁ ଜଣାଇ କହିଲେ।
25ତହିଁରେ ଶାଉଲ କହିଲେ, ତୁମ୍ଭେମାନେ ଦାଉଦଙ୍କୁ ଏପରି କୁହ, ରାଜା କିଛି ମୂଲ୍ୟ ଚାହାନ୍ତି ନାହିଁ, ମାତ୍ର ରାଜାଙ୍କ ଶତ୍ରୁମାନଙ୍କଠାରୁ ପରିଶୋଧ ନେବା ନିମନ୍ତେ ପଲେଷ୍ଟୀୟମାନଙ୍କର ଶହେ ସୁନ୍ନତ ଚର୍ମ୍ମ ଚାହାନ୍ତି। ପଲେଷ୍ଟୀୟମାନଙ୍କ ହସ୍ତ ଦ୍ୱାରା ଦାଉଦଙ୍କୁ ବଧ କରିବା ପାଇଁ ଶାଉଲଙ୍କର ବିଚାର ଥିଲା।
26ପୁଣି, ତାଙ୍କର ଦାସମାନେ ଦାଉଦଙ୍କୁ ଏହି କଥା ଜଣାନ୍ତେ, ରାଜାଙ୍କର ଜୁଆଁଇ ହେବା ପାଇଁ ଦାଉଦଙ୍କ ଦୃଷ୍ଟିରେ ପସନ୍ଦ ହେଲା।
27ଏଥିଉତ୍ତାରେ କାଳ ସମ୍ପୂର୍ଣ୍ଣ ନୋହୁଣୁ, ଦାଉଦ ଓ ତାଙ୍କର ଲୋକମାନେ ଉଠିଯାଇ ପଲେଷ୍ଟୀୟମାନଙ୍କର ଦୁଇ ଶହ ଲୋକଙ୍କୁ ବଧ କଲେ; ପୁଣି, ଦାଉଦ ସେମାନଙ୍କର ସୁନ୍ନତ ଚର୍ମ ଆଣିଲେ, ତହୁଁ ସେ ଯେପରି ରାଜାଙ୍କର ଜୁଆଁଇ ହେବେ, ଏଥିପାଇଁ ପୂର୍ଣ୍ଣ ସଂଖ୍ୟାନୁସାରେ ତାହା ରାଜାଙ୍କୁ ଦେଲେ। ତହିଁରେ ଶାଉଲ ତାଙ୍କୁ ଆପଣା କନ୍ୟା ମୀଖଲକୁ ଭାର୍ଯ୍ୟା ରୂପେ ଦାନ କଲେ।
28ଆଉ ସଦାପ୍ରଭୁ ଦାଉଦଙ୍କର ସଙ୍ଗରେ ଅଛନ୍ତି; ଏହା ଶାଉଲ ଦେଖିଲେ ଓ ଜାଣିଲେ; ମଧ୍ୟ ଶାଉଲଙ୍କର କନ୍ୟା ମୀଖଲ ତାଙ୍କୁ ପ୍ରେମ କଲା।
29ଏହେତୁ ଶାଉଲ ଦାଉଦଙ୍କର ବିଷୟରେ ଅଧିକ ଭୀତ ହେଲେ; ଆଉ ଶାଉଲ ସର୍ବଦା ଦାଉଦଙ୍କର ଶତ୍ରୁ ହେଲେ।
30ଏଥିଉତ୍ତାରେ ପଲେଷ୍ଟୀୟ ଅଧିପତିମାନେ ବାହାରିବାକୁ ଲାଗିଲେ; ପୁଣି, ସେମାନେ ଯେତେ ଥର ବାହାରିଲେ, ସେତେ ଥର ଦାଉଦ ଶାଉଲଙ୍କର ସମସ୍ତ ଦାସ ଅପେକ୍ଷା ଅଧିକ ବୁଦ୍ଧିର କାର୍ଯ୍ୟ କଲେ; ଏଣୁ ତାଙ୍କର ନାମ ଅତିଶୟ ମାନ୍ୟ ହେଲା।