Text copied!
CopyCompare
ଓଡିଆ ବାଇବେଲ - ମାର୍କ - ମାର୍କ 6

ମାର୍କ 6:5-38

Help us?
Click on verse(s) to share them!
5ପୁଣି, ଅଳ୍ପ କେତେକ ରୋଗୀ ଲୋକଙ୍କ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କରିବା ବିନା ସେ ସ୍ଥାନରେ ସେ ଆଉ କୌଣସି ମହତର କାର୍ଯ୍ୟ କରି ପାରିଲେ ନାହିଁ ।
6ପୁଣି, ସେମାନଙ୍କ ଅବିଶ୍ୱାସ ହେତୁ ଚମତ୍କୃତ ହେଲେ ।
7ପରେ ସେ ଚାରିଆଡ଼େ ଗ୍ରାମେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେବାକୁ ଲାଗିଲେ । ଇତିମଧ୍ୟରେ ସେ ଦ୍ୱାଦଶଙ୍କୁ ନିକଟକୁ ଡାକି ସେମାନଙ୍କୁ ଦୁଇ ଦୁଇ ଜଣ କରି ପ୍ରେରଣ କରିବାକୁ ଆରମ୍ଭ କଲେ ଏବଂ ଅଶୁଚି ଆତ୍ମାମାନଙ୍କ ଉପରେ ସେମାନଙ୍କୁ ଅଧିକାର ଦେଲେ,
8ଆଉ ଯାତ୍ରା ନିମନ୍ତେ କେବଳ ଖଣ୍ଡେ ବାଡ଼ି ବିନା ରୁଟି କି ଝୋଲି କି କଟିବନ୍ଧନୀରେ ପଇସା ନ ନେବାକୁ ସେମାନଙ୍କୁ ଆଜ୍ଞା ଦେଲେ;
9କିନ୍ତୁ ସେମାନଙ୍କୁ ପାଦୁକା ପିନ୍ଧିବାକୁ କହିଲେ, ଦୁଇଟି ଅଙ୍ଗରଖା ପିନ୍ଧିବାକୁ ବାରଣ କଲେ ।
10ପୁଣି, ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଯେକୌଣସି ଗୃହରେ ପ୍ରବେଶ କରିବ, ସେ ସ୍ଥାନରୁ ପ୍ରସ୍ଥାନ ନ କରିବା ପର୍ଯ୍ୟନ୍ତ ସେଠାରେ ରୁହ ।
11ମାତ୍ର ଯେକୌଣସି ସ୍ଥାନରେ ଲୋକମାନେ ତୁମ୍ଭମାନଙ୍କୁ ଗ୍ରହଣ କରବେ ନାହିଁ, ବା ତୁମ୍ଭମାନଙ୍କ କଥା ଶୁଣିବେ ନାହିଁ, ସେ ସ୍ଥାନରୁ ପ୍ରସ୍ଥାନ ସମୟରେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପାଦଧୂଳି ଝାଡି଼ଦିଅ ।
12ସେଥିରେ ସେମାନେ ପ୍ରସ୍ଥାନ କରି ମନ ପରିବର୍ତ୍ତନ କରିବା ଯେ କର୍ତ୍ତବ୍ୟ, ଏହା ପ୍ରଚାର କଲେ,
13ପୁଣି, ଅନେକ ଭୂତ ଛଡ଼ାଇଲେ ଓ ଅନେକ ରୋଗୀ ଲୋକଙ୍କୁ ତୈଳ ଲଗାଇ ସୁସ୍ଥ କଲେ ।
14ତାହାଙ୍କ ନାମ ବିଖ୍ୟାତ ହେବାରୁ ହେରୋଦ ରାଜା ତାହାଙ୍କ ବିଷୟରେ ଶୁଣିଲେ, ଆଉ ଲୋକେ କହୁଥିଲେ, ବାପ୍ତିଜକ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି ।
15କିନ୍ତୁ ଅନ୍ୟମାନେ କହୁଥିଲେ, ଏ ଏଲିୟ; ପୁଣି, ଆଉ କେହି କହୁଥିଲେ, ଭାବବାଦୀମାନଙ୍କ ମଧ୍ୟରୁ କୌଣସି ଜଣକ ସଦୃଶ ଏ ଜଣେ ଭାବବାଦୀ ।
16କିନ୍ତୁ ହେରୋଦ ଏହା ଶୁଣି କହିଲେ, ଯେଉଁ ଯୋହନଙ୍କ ମସ୍ତକ ଆମ୍ଭେ ଛେଦନ କରିଅଛୁ, ସେ ଉଠିଅଛନ୍ତି ।
17ଯେଣୁ ହେରୋଦ ଆପଣା ଭାଇ ଫିଲିପ୍ପଙ୍କ ଭାର୍ଯ୍ୟା ହେରୋଦିଆଙ୍କୁ ବିବାହ କରିଥିବାରୁ ତାହାଙ୍କ ସକାଶେ ଆପେ ଲୋକ ପଠାଇ ଯୋହନଙ୍କୁ ଧରି ଓ ବାନ୍ଧି ବନ୍ଦୀଶାଳାରେ ପକାଇଥିଲେ ।
18କାରଣ ଯୋହନ ହେରୋଦଙ୍କୁ କହୁଥିଲେ, ଆପଣା ଭାଇର ଭାର୍ଯ୍ୟାକୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ ।
19ସେଥିରେ ହେରୋଦିଆ ତାହାଙ୍କ ପ୍ରତି ଈର୍ଷାନ୍ୱିତ ହୋଇ ତାହାଙ୍କୁ ବଧ କରିବା ନିମନ୍ତେ ଇଚ୍ଛା କରୁଥିଲେ, ମାତ୍ର ପାରୁ ନ ଥିଲେ;
20କାରଣ ହେରୋଦ ଯୋହନଙ୍କୁ ଜଣେ ଧାର୍ମିକ ଓ ପବିତ୍ର ବ୍ୟକ୍ତି ଜାଣି ଭୟ କରୁଥିଲେ ଆଉ ତାହାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ, ପୁଣି, ତାହାଙ୍କ କଥା ଶୁଣି ଅତିଶୟ ଉଦ୍‌ବିଗ୍ନ ହେଲେ ସୁଦ୍ଧା ଆନନ୍ଦରେ ତାହା ଶୁଣୁଥିଲେ ।
21ପରେ ସୁଯୋଗର ଦିନ ଉପସ୍ଥିତ ହେଲା । ହେରୋଦ ଆପଣା ଜନ୍ମ ଦିନରେ ପାତ୍ରମନ୍ତ୍ରୀ, ପ୍ରଧାନ ପ୍ରଧାନ ସେନାପତି ଓ ଗାଲିଲୀର ବିଶିଷ୍ଟ ବ୍ୟକ୍ତିମାନଙ୍କ ନିମନ୍ତେ ରାତ୍ରି ସମୟରେ ଗୋଟିଏ ଭୋଜ ପ୍ରସ୍ତୁତ କଲେ;
22ଆଉ ହେରୋଦିଆଙ୍କ ନିଜର କନ୍ୟା ଭିତରକୁ ଆସି ନୃତ୍ୟ କରି ହେରୋଦ ଓ ତାହାଙ୍କ ସହିତ ଭୋଜରେ ଉପବିଷ୍ଟ ବ୍ୟକ୍ତିମାନଙ୍କୁ ମୁଗ୍ଧ କରିଦେଲା। ସେଥିରେ ରାଜା ବାଳିକାକୁ କହିଲେ, ଯାହା ଇଚ୍ଛା କରୁଅଛ, ମାଗ, ଆମ୍ଭେ ତୁମ୍ଭକୁ ତାହା ଦେବା ।
23ପୁଣି, ସେ ତାହା ନିକଟରେ ଶପଥ କଲେ, ତୁମ୍ଭେ ଆମ୍ଭକୁ ଯାହା କିଛି ମାଗିବ, ରାଜ୍ୟର ଅର୍ଦ୍ଧେକ ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ଦେବା ।
24ତହିଁରେ ସେ ବାହାରିଯାଇ ଆପଣା ମାତାଙ୍କୁ ପଚାରିଲା, ମୁଁ କ'ଣ ମାଗିବି ? ସେ କହିଲେ ବାପ୍ତିଜକ ଯୋହନର ମସ୍ତକ ।
25ସେହିକ୍ଷଣି ସେ ରାଜାଙ୍କ ନିକଟକୁ ଶୀଘ୍ର ଆସି ଏହା କହି ମାଗିଲା, ମୋହର ଇଚ୍ଛା ଯେ, ଆପଣ ବାପ୍ତିଜକ ଯୋହନର ମସ୍ତକ ଗୋଟିଏ ଥାଳିରେ ମୋତେ ଏହିକ୍ଷଣି ଦିଅନ୍ତୁ ।
26ଏଥିରେ ରାଜା ଅତ୍ୟନ୍ତ ଦୁଃଖିତ ହେଲେ ସୁଦ୍ଧା ଆପଣା ଶପଥ ଓ ଭୋଜନୋପବିଷ୍ଟ ବ୍ୟକ୍ତିମାନଙ୍କ ହେତୁ ମନା କରିବାକୁ ଇଚ୍ଛା କଲେ ନାହିଁ ।
27ଏଣୁ ରାଜା ସେହିକ୍ଷଣି ଜଣେ ସୈନ୍ୟ ପଠାଇ ତାହାଙ୍କର ମସ୍ତକ ଆଣିବା ନିମନ୍ତେ ଆଜ୍ଞା ଦେଲେ । ସେଥିରେ ସେ ଯାଇ ବନ୍ଦୀଶାଳାରେ ତାହାଙ୍କ ମସ୍ତକ ଛେଦନ କଲା,
28ଆଉ ତାହା ଗୋଟିଏ ଥାଳିରେ ଆଣି ବାଳିକାକୁ ଦେଲା, ପୁଣି, ବାଳିକା ତାହା ଘେନି ନିଜ ମାତାଙ୍କୁ ଦେଲା ।
29ତାହାଙ୍କ ଶିଷ୍ୟମାନେ ସେଥିର ସମ୍ବାଦ ପାଇ ଆସିଲେ ଓ ତାହାଙ୍କ ଶବ ଘେନିଯାଇ ସମାଧିରେ ରଖିଲେ ।
30ପରେ ପ୍ରେରିତମାନେ ଯୀଶୁଙ୍କ ନିକଟରେ ଏକତ୍ର ହେଲେ, ଆଉ ସେମାନେ ଯାହା ଯାହା କରିଥିଲେ ଓ ଯାହା ଯାହା ଶିକ୍ଷା ଦେଇଥିଲେ, ସେହି ସବୁ ତାହାଙ୍କୁ ଜଣାଇଲେ ।
31ସେଥିରେ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଅଲଗା ହୋଇ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ କିଛି ସମୟ ବିଶ୍ରାମ କର । କାରଣ ଅନେକ ଲୋକ ଯିବା ଆସିବା କରୁଥିବାରୁ ସେମାନଙ୍କର ଭୋଜନ କରିବାକୁ ସୁଦ୍ଧା ସୁଯୋଗ ନ ଥିଲା ।
32ତହିଁରେ ସେମାନେ ଅଲଗା ହୋଇ ନୌକାରେ ଗୋଟିଏ ନିର୍ଜନ ସ୍ଥାନକୁ ବାହାରିଗଲେ ।
33କିନ୍ତୁ ଅନେକେ ସେମାନଙ୍କୁ ବାହାରି ଯିବାର ଦେଖିଲେ ଓ ଚିହ୍ନିଲେ, ପୁଣି, ଲୋକମାନେ ସମସ୍ତ ନଗରରୁ ପାଦଗତିରେ ସେଠାକୁ ଏକତ୍ର ଦୌଡ଼ିଯାଇ ସେମାନଙ୍କ ଆଗରେ ପହଞ୍ଚିଲେ ।
34ସେ ନୌକାରୁ ବାହାରି ବହୁସଂଖ୍ୟକ ଲୋକଙ୍କୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଥିଲେ; ପୁଣି, ସେ ସେମାନଙ୍କୁ ଅନେକ ବିଷୟ ଶିକ୍ଷା ଦେବାକୁ ଲାଗିଲେ ।
35ବେଳ ବହୁତ ହେବାରୁ ତାହାଙ୍କ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ନିର୍ଜନ, ପୁଣି, ବହୁତ ବେଳ ହେଲାଣି;
36ଲୋକମାନେ ଯେପରି ଚତୁର୍ଦ୍ଦିଗରେ ପଲ୍ଲୀ ଓ ଗ୍ରାମମାନଙ୍କୁ ଯାଇ ଆପଣା ଆପଣା ନିମନ୍ତେ ଖାଇବା ପାଇଁ କିଛି କିଣନ୍ତି, ଏଥି ନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ ।
37କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ । ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ କ'ଣ ଯାଇ ଶହେ ଟଙ୍କାର ରୁଟି କିଣି ଏମାନଙ୍କୁ ଭୋଜନ କରାଇବା ?
38ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି ? ଯାଇ ଦେଖ । ସେମାନେ ବୁଝି ଆସି ତାହାଙ୍କୁ କହିଲେ, ପାଞ୍ଚଟି, ପୁଣି, ଦୁଇଟି ମାଛ ।

Read ମାର୍କ 6ମାର୍କ 6
Compare ମାର୍କ 6:5-38ମାର୍କ 6:5-38