10ତୁମ୍ଭେ ଆପଣା ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ଗମନ କଲେ, ଯେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରନ୍ତି ଓ ତୁମ୍ଭେ ସେମାନଙ୍କୁ ବନ୍ଦୀ କରି ଘେନିଯାଅ;
11ପୁଣି ସେହି ବନ୍ଦୀମାନଙ୍କ ମଧ୍ୟରେ କୌଣସି ସୁନ୍ଦରୀ ସ୍ତ୍ରୀ ଦେଖି ତାହା ପ୍ରତି ପ୍ରେମାସକ୍ତ ହେଲେ, ଯେବେ ତୁମ୍ଭେ ତାହାକୁ ବିବାହ କରିବାକୁ ଇଚ୍ଛା କର,
12ତେବେ ତୁମ୍ଭେ ତାହାକୁ ଆପଣା ଘରକୁ ଆଣିବ, ପୁଣି ସେ ଆପଣା ମସ୍ତକ ମୁଣ୍ଡନ କରି ନଖ କାଟିବ;
13ଆଉ ସେ ଆପଣା ବନ୍ଦୀତ୍ୱାବସ୍ଥାର ବସ୍ତ୍ର ତ୍ୟାଗ କରି ତୁମ୍ଭ ଗୃହରେ ରହିବ, ଆପଣା ପିତା ଓ ଆପଣା ମାତା ନିମନ୍ତେ ପୂର୍ଣ୍ଣ ଏକ ମାସ ବିଳାପ କରିବ। ତହିଁ ଉତ୍ତାରେ ତୁମ୍ଭେ ତାହାର ସହବାସ କରିବ ଓ ତାହାର ସ୍ୱାମୀ ହେବ, ଆଉ ସେ ତୁମ୍ଭର ଭାର୍ଯ୍ୟା ହେବ।
14ଯେବେ ତାହା ଉପରେ ତୁମ୍ଭର ସନ୍ତୋଷ ନ ହୁଏ, ତେବେ ତାହାର ଇଚ୍ଛାନୁସାରେ ତାହାକୁ ଯିବାକୁ ଦେବ; ମାତ୍ର ତୁମ୍ଭେ ଟଙ୍କା ନେଇ କୌଣସି ପ୍ରକାରେ ତାହାକୁ ବିକିବ ନାହିଁ, ତୁମ୍ଭେ ତାହା ପ୍ରତି ଦାସୀ ପରି ବ୍ୟବହାର କରିବ ନାହିଁ, କାରଣ ତୁମ୍ଭେ ତାହାର ସହବାସ କରିଅଛ।
15ଯେବେ କୌଣସି ପୁରୁଷର ଦୁଇ ଭାର୍ଯ୍ୟା ଥାଏ, ଜଣେ ପ୍ରିୟା ଓ ଜଣେ ଅପ୍ରିୟା, ପୁଣି ପ୍ରିୟା ଓ ଅପ୍ରିୟା ଦୁହେଁ ତାହାର ଔରସରେ ସନ୍ତାନ ପ୍ରସବ କରନ୍ତି; ମାତ୍ର ପ୍ରଥମଜାତ ପୁତ୍ର ଅପ୍ରିୟାର ସନ୍ତାନ ହୁଏ;
16ତେବେ ସେ ଆପଣା ପୁତ୍ରମାନଙ୍କୁ ସର୍ବସ୍ୱର ଅଧିକାର ଦେବା ସମୟରେ ଅପ୍ରିୟାଜାତ ଜ୍ୟେଷ୍ଠ ପୁତ୍ର ଥାଉ ଥାଉ ସେ ପ୍ରିୟାଜାତ ପୁତ୍ରକୁ ଜ୍ୟେଷ୍ଠାଧିକାର ଦେଇ ପାରିବ ନାହିଁ।
17ମାତ୍ର ସେ ଅପ୍ରିୟା ପୁତ୍ରକୁ ଜ୍ୟେଷ୍ଠ ବୋଲି ସ୍ୱୀକାର କରି ଆପଣା ସର୍ବସ୍ୱରୁ ଦୁଇଗୁଣ ଅଂଶ ତାହାକୁ ଦେବ; କାରଣ ସେ ତାହାର ଶକ୍ତିର ପ୍ରଥମ ଫଳ ଜ୍ୟେଷ୍ଠାଧିକାର ତାହାରି ଅଟେ।