Text copied!
CopyCompare
ଓଡିଆ ବାଇବେଲ - ବିଚାରକର୍ତ୍ତା

ବିଚାରକର୍ତ୍ତା 18

Help us?
Click on verse(s) to share them!
1ସେହି ସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନ ଥିଲା; ସେତେବେଳେ ଦାନ୍ ବଂଶ ବସତି ନିମନ୍ତେ ଅଧିକାର ଖୋଜୁଥିଲେ; କାରଣ ସେଦିନ ପର୍ଯ୍ୟନ୍ତ ଇସ୍ରାଏଲ ବଂଶ ମଧ୍ୟରେ ସେମାନଙ୍କ ଅଧିକାର ପାଇ ନ ଥିଲା।
2ଏଣୁ ଦାନ୍-ସନ୍ତାନଗଣ ଆପଣାମାନଙ୍କ ସଂଖ୍ୟା ମଧ୍ୟରୁ ସ୍ୱଗୋଷ୍ଠୀୟ ପାଞ୍ଚ ଜଣ ବୀର ପୁରୁଷଙ୍କୁ ଦେଶ ଭ୍ରମଣ ଓ ଅନୁସନ୍ଧାନ କରିବାକୁ ସରାୟ ଓ ଇଷ୍ଟାୟୋଲଠାରୁ ପଠାଇଲେ ଓ ସେମାନଙ୍କୁ କହିଲେ, ଯାଇ ଦେଶ ଅନୁସନ୍ଧାନ କର; ତହିଁରେ ସେମାନେ ଇଫ୍ରୟିମ-ପର୍ବତମୟ ଦେଶସ୍ଥିତ ମୀଖାର ଗୃହ ପର୍ଯ୍ୟନ୍ତ ଆସି ସେଠାରେ ରାତ୍ରି କ୍ଷେପଣ କଲେ।
3ସେମାନେ ମୀଖାର ଗୃହ ନିକଟରେ ଥିବାବେଳେ ସେହି ଲେବୀୟ ଯୁବା ଲୋକର ରବ ଚିହ୍ନିଲେ; ତହୁଁ ସେମାନେ ସେଠାକୁ ଯାଇ ତାହାକୁ ପଚାରିଲେ, ତୁମ୍ଭକୁ ଏଠାକୁ କିଏ ଆଣିଲା ? ତୁମ୍ଭେ ଏଠାରେ କଅଣ କରୁଅଛ ? ଓ ତୁମ୍ଭର ଏଠାରେ କଅଣ ଅଛି ?
4ତହିଁରେ ସେ ସେମାନଙ୍କୁ କହିଲା, ମୀଖା ମୋହର ପ୍ରତି ଏହି ଏହି ପ୍ରକାର ବ୍ୟବହାର କଲା, ସେ ମୋତେ ବେତନ ଦେଇ ନିଯୁକ୍ତ କରିଅଛି ଓ ମୁଁ ତାହାର ଯାଜକ ହୋଇଅଛି।
5ତହୁଁ ସେମାନେ ତାହାକୁ କହିଲେ, ଆମ୍ଭେମାନେ ତୁମ୍ଭକୁ ବିନୟ କରୁଅଛୁ, ପରମେଶ୍ୱରଙ୍କ ନିକଟରେ ପଚାର, ଆମ୍ଭମାନଙ୍କ ଯିବା ବାଟରେ ମଙ୍ଗଳ ହେବ କି ନାହିଁ, ତାହା ଆମ୍ଭେମାନେ ଜାଣିବାକୁ ଚାହୁଁ।
6ତହୁଁ ଯାଜକ ସେମାନଙ୍କୁ କହିଲା, କୁଶଳରେ ଯାଅ; ତୁମ୍ଭମାନଙ୍କ ଗନ୍ତବ୍ୟ ପଥ ସଦାପ୍ରଭୁଙ୍କ ସମ୍ମୁଖରେ ଅଛି।
7ଏ ଉତ୍ତାରେ ସେହି ପାଞ୍ଚ ଜଣ ପ୍ରସ୍ଥାନ କରି ଲୟିଶ୍‍ରେ ଉପସ୍ଥିତ ହେଲେ, ପୁଣି ସେଠାସ୍ଥିତ ଲୋକମାନେ କି ରୂପେ ନିର୍ଭୟରେ ବାସ କରି ସୀଦୋନୀୟମାନଙ୍କ ରୀତି ଅନୁସାରେ ଶାନ୍ତ ଓ ନିର୍ଭୟ ହୋଇଅଛନ୍ତି, ଏହା ଦେଖିଲେ; କାରଣ କୌଣସି କଥାରେ ସେମାନଙ୍କୁ ଲଜ୍ଜିତ କରିବା ପାଇଁ ସେହି ଦେଶରେ କର୍ତ୍ତୃତ୍ୱବିଶିଷ୍ଟ କେହି ନ ଥିଲେ, ଆଉ ସେମାନେ ସୀଦୋନୀୟମାନଙ୍କଠାରୁ ଦୂରରେ ଥିଲେ ଓ ଅନ୍ୟ କାହାରି ସହିତ ସେମାନଙ୍କର ସମ୍ପର୍କ ନ ଥିଲା।
8ଏଥିଉତ୍ତାରେ ସେହି ପାଞ୍ଚ ଜଣ ସରାୟ ଓ ଇଷ୍ଟାୟୋଲରେ ଆପଣା ଭ୍ରାତୃଗଣ ନିକଟରେ ଉପସ୍ଥିତ ହେଲେ; ତହିଁରେ ସେମାନଙ୍କର ଭ୍ରାତୃଗଣ ସେମାନଙ୍କୁ ପଚାରିଲେ, କି ବିଚାର ?
9ତହିଁରେ ସେମାନେ କହିଲେ, ଉଠ, ସେମାନଙ୍କ ବିରୁଦ୍ଧରେ ଯିବା; କାରଣ ଆମ୍ଭେମାନେ ସେ ଦେଶ ଦେଖିଲୁ, ଦେଖ, ସେ ଦେଶ ଅତି ଉତ୍ତମ; ଆଉ ତୁମ୍ଭେମାନେ କି ତୁନି ହୋଇ ରହିଅଛ ? ସେହି ଦେଶକୁ ଯିବାକୁ ଓ ପ୍ରବେଶ କରି ତାହା ଅଧିକାର କରିବାକୁ ଆଳସ୍ୟ କର ନାହିଁ।
10ତୁମ୍ଭେମାନେ ଗଲେ ନିର୍ଭୟରେ ଥିବା ଲୋକମାନଙ୍କୁ ପାଇବ ଓ ଦେଶ ଅତି ବିସ୍ତୃତ; ପରମେଶ୍ୱର ତାହା ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି; ସେ ସ୍ଥାନରେ ପୃଥିବୀସ୍ଥ କୌଣସି କଥାର ଅଭାବ ନାହିଁ।
11ତହିଁରେ ସେଠାରୁ ଦାନୀୟ ଗୋଷ୍ଠୀର ଛଅ ଶହ ଲୋକ ଯୁଦ୍ଧାସ୍ତ୍ରରେ ସସଜ୍ଜ ହୋଇ ସରାୟ ଓ ଇଷ୍ଟାୟୋଲରୁ ଯାତ୍ରା କଲେ।
12ପୁଣି ସେମାନେ ଉଠି ଯାଇ ଯିହୁଦା-ଅନ୍ତର୍ଗତ କିରୀୟଥ୍‍-ଯିୟାରୀମ୍‍ରେ ଛାଉଣି ସ୍ଥାପନ କଲେ; ଏହି କାରଣରୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନକୁ ମହନୀ-ଦାନ (ଦାନ୍‍ର ଛାଉଣି) କହନ୍ତି; ଦେଖ, ତାହା କିରୀୟତ୍‍-ଯିୟାରୀମର ପଛରେ ଅଛି।
13ଏଥିଉତ୍ତାରେ ସେମାନେ ସେଠାରୁ ଇଫ୍ରୟିମ-ପର୍ବତମୟ ଦେଶ ଆଡ଼େ ଯାଇ ମୀଖାର ଗୃହ ପର୍ଯ୍ୟନ୍ତ ଗଲେ।
14ସେତେବେଳେ ଯେଉଁ ପାଞ୍ଚ ଜଣ ଲୟିଶ୍‍ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲେ, ସେମାନେ ଆପଣା ଭ୍ରାତୃଗଣକୁ କହିଲେ, ଏହି ଗୃହରେ ଯେ ଏକ ଏଫୋଦ ଓ ଠାକୁରମାନ, ଆଉ ଏକ ଖୋଦିତ ପ୍ରତିମା ଓ ଏକ ଢଳା ପ୍ରତିମା ଅଛି, ଏହା କ’ଣ ତୁମ୍ଭେମାନେ ଜାଣ ? ଏଣୁ ତୁମ୍ଭମାନଙ୍କର କି କର୍ତ୍ତବ୍ୟ, ତାହା ବିବେଚନା କର।
15ତହୁଁ ସେମାନେ ସେଆଡ଼େ ଯାଇ ମୀଖାର ଗୃହରେ ସେହି ଲେବୀୟ ଯୁବାର ଗୃହକୁ ଆସି ତାହାର ମଙ୍ଗଳବାର୍ତ୍ତା ପଚାରିଲେ।
16ପୁଣି ଯୁଦ୍ଧାସ୍ତ୍ରରେ ସସଜ୍ଜ ଦାନ୍-ସନ୍ତାନଗଣର ସେହି ଛଅ ଶହ ପୁରୁଷ ଦ୍ୱାର ପ୍ରବେଶ ସ୍ଥାନରେ ଛିଡ଼ା ହୋଇ ରହିଲେ।
17ଏଥିରେ ଦେଶାନୁସନ୍ଧାନ ନିମିତ୍ତ ଯାଇଥିବା ସେହି ପାଞ୍ଚ ଜଣ ଉପରକୁ ଗଲେ, ପୁଣି ତହିଁ ଭିତରକୁ ଯାଇ ଖୋଦିତ ପ୍ରତିମା ଓ ଏଫୋଦ ଓ ଠାକୁରମାନ ଓ ଢଳା ପ୍ରତିମା ଉଠାଇ ନେଲେ; ସେ ସମୟରେ ଯାଜକ ଦ୍ୱାର ପ୍ରବେଶ ସ୍ଥାନରେ ଯୁଦ୍ଧାସ୍ତ୍ରରେ ସସଜ୍ଜ ସେହି ଛଅ ଶହ ଲୋକ ସଙ୍ଗରେ ଛିଡ଼ା ହୋଇଥିଲା।
18ଆଉ ସେହି ଲୋକମାନେ ମୀଖା ଗୃହକୁ ଯାଇ ଖୋଦିତ ପ୍ରତିମା, ଏଫୋଦ ଓ ଠାକୁରମାନ ଓ ଢଳା ପ୍ରତିମା ଆଣନ୍ତେ, ଯାଜକ ସେମାନଙ୍କୁ କହିଲା, ତୁମ୍ଭେମାନେ କଅଣ କରୁଅଛ ?

19ତହିଁରେ ସେମାନେ ତାହାକୁ କହିଲେ, ତୁନି ହୁଅ, ଆପଣା ମୁହଁରେ ହାତ ଦିଅ, ଆମ୍ଭମାନଙ୍କ ସଙ୍ଗେ ଚାଲ ଓ ଆମ୍ଭମାନଙ୍କ ପିତା ଓ ଯାଜକ ହୁଅ; ଏକ ଲୋକର ଗୃହରେ ଯାଜକ ହେବା ତୁମ୍ଭର ଭଲ, କି ଇସ୍ରାଏଲୀୟ ଏକ ବଂଶ ଓ ଗୋଷ୍ଠୀର ଯାଜକ ହେବା ଭଲ ?
20ଏଥିରେ ଯାଜକର ମନ ଆନନ୍ଦିତ ହେଲା, ତହୁଁ ସେ ଏଫୋଦ ଓ ଠାକୁରମାନ ଓ ଖୋଦିତ ପ୍ରତିମା ନେଇ ଲୋକମାନଙ୍କ ମଧ୍ୟରେ ଚାଲିଲା।
21ଏଥିଉତ୍ତାରେ ସେମାନେ ମୁଖ ଫେରାଇ ପ୍ରସ୍ଥାନ କଲେ, ପୁଣି ବାଳକ ଓ ପଶୁ ଓ ସାମଗ୍ରୀ ଆପଣାମାନଙ୍କ ଆଗେ ଚଳାଇଲେ।
22ସେମାନେ ମୀଖାର ଗୃହରୁ କିଛି ଦୂର ଗଲା ଉତ୍ତାରେ ମୀଖାର ଗୃହ ନିକଟ ଗୃହବାସୀମାନେ ଦଳବଦ୍ଧ ହୋଇ ଦାନ୍ ସନ୍ତାନଗଣର ପଛେ ପଛେ ଗୋଡ଼ାଇଲେ।
23ପୁଣି ଦାନ୍-ସନ୍ତାନଗଣକୁ ଡାକ ପକାଇଲେ। ତହୁଁ ସେମାନେ ମୁଖ ଫେରାଇ ମୀଖାକୁ କହିଲେ, ତୁମ୍ଭର କଅଣ ହେଲା ଯେ, ତୁମ୍ଭେ ଏପରି ଦଳବଦ୍ଧ ହୋଇ ଆସୁଅଛ ?
24ତହିଁରେ ସେ କହିଲା, ମୋର ବନାଇଲା ଦେବତାମାନଙ୍କୁ, ପୁଣି ଯାଜକକୁ ତୁମ୍ଭେମାନେ ତ ନେଇ ଚାଲି ଆସିଲ, ବାକି ମୋହର ଆଉ କଅଣ ଅଛି ? ଆହୁରି କହୁଛ, ତୁମ୍ଭର କଅଣ ହେଲା ?
25ତହିଁରେ ଦାନ୍-ସନ୍ତାନଗଣ ତାହାକୁ କହିଲେ, ଆମ୍ଭମାନଙ୍କ ମଧ୍ୟରେ ତୁମ୍ଭ ରବ ଶୁଣା ନ ଯାଉ, କେଜାଣି କ୍ରୋଧୀ ଲୋକେ ତୁମ୍ଭକୁ ଆକ୍ରମଣ କରିବେ, ତହିଁରେ ତୁମ୍ଭେ ଆପଣା ପ୍ରାଣ ଓ ଆପଣା ପରିବାରର ପ୍ରାଣ ହରାଇବ।
26ଏ ଉତ୍ତାରେ ଦାନ୍-ସନ୍ତାନଗଣ ଆପଣା ପଥରେ ଗମନ କଲେ; ପୁଣି ମୀଖା ସେମାନଙ୍କୁ ଆପଣାଠାରୁ ଅଧିକ ବଳବାନ ଦେଖି, ଆପଣା ଗୃହକୁ ଫେରିଗଲା।
27ତହୁଁ ସେମାନେ ମୀଖାର ନିର୍ମିତ ବସ୍ତୁସବୁ ଓ ତାହାର ଯାଜକକୁ ନେଇ ଲୟିଶ୍‍ରେ ସେହି ଶାନ୍ତ ଓ ନିର୍ଭୟ ହୋଇ ରହିଥିବା ଲୋକମାନଙ୍କ ନିକଟରେ ଉପସ୍ଥିତ ହେଲେ ଓ ସେମାନଙ୍କୁ ଖଡ୍ଗଧାରରେ ଆଘାତ କରି ଅଗ୍ନିରେ ନଗର ଦଗ୍ଧ କଲେ।
28ପୁଣି ଉଦ୍ଧାରକର୍ତ୍ତା କେହି ନ ଥିଲା, କାରଣ ତାହା ସୀଦୋନଠାରୁ ଦୂର ଥିଲା, ଆଉ ଅନ୍ୟ କାହାରି ସଙ୍ଗେ ସେମାନଙ୍କର ସମ୍ପର୍କ ନ ଥିଲା; ଆଉ ତାହା ବେଥ୍-ରହୋବ ନିକଟସ୍ଥ ତଳଭୂମିରେ ଥିଲା। ଏ ଉତ୍ତାରେ ସେମାନେ ସେହି ନଗର ନିର୍ମାଣ କରି ସେଠାରେ ବାସ କଲେ।
29ପୁଣି ଆପଣାମାନଙ୍କ ପୂର୍ବପୁରୁଷ ଯେ ଇସ୍ରାଏଲର ପୁତ୍ର ଦାନ୍‍, ତାହାର ନାମାନୁସାରେ ସେହି ନଗରର ନାମ ଦାନ୍‍ ରଖିଲେ; ମାତ୍ର ଆଦ୍ୟରେ ସେହି ନଗରର ନାମ ଲୟିଶ୍‍ ଥିଲା।
30ପୁଣି ଦାନ୍-ସନ୍ତାନଗଣ ସେହି ଖୋଦିତ ପ୍ରତିମା ଆପଣାମାନଙ୍କ ପାଇଁ ସ୍ଥାପନ କଲେ; ପୁଣି ସେହି ଦେଶୀୟ ଲୋକମାନେ ବନ୍ଦୀ ରୂପେ ଦେଶାନ୍ତରିତ ହେବାଯାଏ ମୋଶାର ପୌତ୍ର, ଗେର୍ଶୋମର ପୁତ୍ର ଯୋନାଥନ ଓ ତାହାର ସନ୍ତାନଗଣ ଦାନ୍ ବଂଶର ଯାଜକ ହେଲେ।
31ଶୀଲୋରେ ପରମେଶ୍ୱରଙ୍କ ଗୃହ ଥିବାର ସମସ୍ତ ସମୟ ସେମାନେ ଆପଣାମାନଙ୍କ ପାଇଁ ମୀଖାର ନିର୍ମିତ ସେହି ଖୋଦିତ ପ୍ରତିମା ସ୍ଥାପନ କରି ରଖିଲେ।