Text copied!
CopyCompare
ଓଡିଆ ବାଇବେଲ - ବିଚାରକର୍ତ୍ତା

ବିଚାରକର୍ତ୍ତା 17

Help us?
Click on verse(s) to share them!
1ଇଫ୍ରୟିମ-ପର୍ବତମୟ ଦେଶରେ ମୀଖା ନାମରେ ଜଣେ ଲୋକ ଥିଲା।
2ସେ ଆପଣା ମାତାକୁ କହିଲା, ତୁମ୍ଭଠାରୁ ଯେଉଁ ଏଗାର ଶହ ଖଣ୍ଡ ରୂପା ନିଆ ଯାଇଅଛି, ଯହିଁ ବିଷୟରେ ତୁମ୍ଭେ ଅଭିଶାପ ଦେଇଅଛ ଓ ମଧ୍ୟ ମୋହର କର୍ଣ୍ଣରେ କହିଅଛ, ଦେଖ, ସେହି ରୂପା ମୋର ନିକଟରେ ଅଛି, ମୁଁ ତାହା ନେଇଅଛି; ତହିଁରେ ତାହାର ମାତା କହିଲା, ଆମ୍ଭ ପୁତ୍ର ସଦାପ୍ରଭୁଙ୍କର ଆଶୀର୍ବାଦପାତ୍ର ହେଉ।
3ଏଥିରେ ସେ ସେହି ଏଗାର ଶହ ଖଣ୍ଡ ରୂପା ଆପଣା ମାତାକୁ ଫେରାଇ ଦିଅନ୍ତେ, ତାହାର ମାତା କହିଲା, ଗୋଟିଏ ଖୋଦିତ ଓ ଗୋଟିଏ ଢଳା ପ୍ରତିମା ବନାଇବାକୁ ମୁଁ ଆପଣା ପୁତ୍ର ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ହସ୍ତରୁ ଏହି ରୂପା ନିତାନ୍ତ ପବିତ୍ର କରୁଅଛି; ଏଣୁ ଏବେ ମୁଁ ତାହା ତୁମ୍ଭକୁ ଫେରାଇ ଦେବି।
4ମୀଖା ଆପଣା ମାତାକୁ ସେହି ରୂପା ଫେରାଇ ଦେଲା ଉତ୍ତାରେ ତାହାର ମାତା ଦୁଇ ଶହ ଖଣ୍ଡ ରୂପା ସୁନାରୀକୁ ଦିଅନ୍ତେ, ସେ ଗୋଟିଏ ଖୋଦିତ ପ୍ରତିମା ଓ ଗୋଟିଏ ଢଳା ପ୍ରତିମା ବନାଇଲା ଓ ତାହା ମୀଖାର ଗୃହରେ ରହିଲା।
5ପୁଣି ଏହି ମୀଖାର ଏକ ଦେବାଳୟ ଥିଲା ଓ ସେ ଏକ ଏଫୋଦ ଓ କେତେକ ଠାକୁର ନିର୍ମାଣ କରି ଆପଣା ପୁତ୍ରମାନଙ୍କ ମଧ୍ୟରୁ ଜଣକୁ ନିଯୁକ୍ତ କରନ୍ତେ, ସେ ଯାଜକ ହେଲା।
6ସେ ସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନ ଥିଲା ଓ ଯାହା ଦୃଷ୍ଟିରେ ଯାହା ଭଲ ଦିଶିଲା, ସେ ତାହା କଲା।
7ସେସମୟରେ ଯିହୁଦା ବଂଶୀୟ ବେଥଲିହିମ-ଯିହୁଦାର ଏକ ଲେବୀୟ ଯୁବା ଲୋକ ସେଠାରେ ପ୍ରବାସ କରୁଥିଲା।
8ପୁଣି ସେ ଯେଉଁଠାରେ ସ୍ଥାନ ପାଇପାରେ, ସେଠାରେ ପ୍ରବାସ କରିବା ନିମନ୍ତେ ସେ ନଗରରୁ, ଅର୍ଥାତ୍‍, ବେଥଲିହିମ ଯିହୁଦାରୁ ପ୍ରସ୍ଥାନ କଲା ଓ ସେ ଯାତ୍ରା କରୁ କରୁ ଇଫ୍ରୟିମ-ପର୍ବତମୟ ଦେଶସ୍ଥ ଏହି ମୀଖାର ଗୃହ ପର୍ଯ୍ୟନ୍ତ ଆସିଲା।
9ତହିଁରେ ମୀଖା ତାହାକୁ ପଚାରିଲା, ତୁମ୍ଭେ କେଉଁଠାରୁ ଆସିଲ ? ସେ ଉତ୍ତର କଲା, ମୁଁ ବେଥଲିହିମ ଯିହୁଦାର ଏକ ଲେବୀୟ ଲୋକ, ଯେଉଁଠାରେ ମୁଁ ସ୍ଥାନ ପାଇ ପାରିବି, ସେଠାରେ ପ୍ରବାସ କରିବାକୁ ମୁଁ ଯାଉଅଛି।
10ତହିଁରେ ମୀଖା ତାହାକୁ କହିଲା, ମୋର ସଙ୍ଗେ ବାସ କର, ମୋର ପିତା ଓ ଯାଜକ ହୁଅ; ତହିଁରେ ମୁଁ ତୁମ୍ଭକୁ ବାର୍ଷିକ ଦଶ ଖଣ୍ଡ ରୂପା ଓ ଏକ ସାଜ ପୂରା ପୋଷାକ ଓ ତୁମ୍ଭର ପଡ଼ି ଦେବି। ତହିଁରେ ସେ ଲେବୀୟ ଲୋକ ଗଲା।
11ପୁଣି ସେ ଲେବୀୟ ଲୋକ ସେହି ମନୁଷ୍ୟ ସଙ୍ଗେ ବାସ କରିବାକୁ ସମ୍ମତ ହେଲା; ଆଉ ସେ ଯୁବା ଲୋକ ତାହାର ଗୋଟିଏ ପୁତ୍ର ପରି ହେଲା।
12ଏଥିଉତ୍ତାରେ ମୀଖା ସେହି ଲେବୀୟକୁ ନିଯୁକ୍ତ କରନ୍ତେ, ସେ ଯୁବା ଲୋକ ମୀଖାର ଯାଜକ ହୋଇ ତାହାର ଗୃହରେ ରହିଲା।
13ତହିଁରେ ମୀଖା କହିଲା, ମୁଁ ଜାଣେ, ଏବେ ସଦାପ୍ରଭୁ ମୋହର ମଙ୍ଗଳ କରିବେ, କାରଣ ମୋହର ଯାଜକ ହେବା ପାଇଁ ମୁଁ ଜଣେ ଲେବୀୟକୁ ପାଇଲି।