Text copied!
CopyCompare
ଓଡିଆ ବାଇବେଲ - ଦ୍ବିତୀୟ ବଂଶାବଳୀ

ଦ୍ବିତୀୟ ବଂଶାବଳୀ 8

Help us?
Click on verse(s) to share them!
1ଶଲୋମନ ସଦାପ୍ରଭୁଙ୍କ ଗୃହ ଓ ଆପଣା ଗୃହ କୋଡ଼ିଏ ବର୍ଷ ମଧ୍ୟରେ ନିର୍ମାଣ କଲେ।
2ତହିଁ ଉତ୍ତାରେ ହୂରମ୍‍ ଶଲୋମନଙ୍କୁ ଯେଉଁ ଯେଉଁ ଦେଇଥିଲା, ସେସବୁ ଶଲୋମନ ନିର୍ମାଣ କରି ତହିଁରେ ଇସ୍ରାଏଲ ସନ୍ତାନଗଣକୁ ବାସ କରାଇଲେ।
3ଏଥିଉତ୍ତାରେ ଶଲୋମନ ହମାତ୍‍-ସୋବାକୁ ଯାଇ ତାହା ପରାସ୍ତ କଲେ।
4ପୁଣି ସେ ପ୍ରାନ୍ତରରେ ତଦ୍‍ମୋର ନଗର ଓ ହମାତ୍ତରେ ଭଣ୍ଡାର-ନଗରସବୁ ନିର୍ମାଣ କଲେ।
5ଆହୁରି ସେ ଉପରିସ୍ଥ ବେଥ୍-ହୋରଣ ଓ ନୀଚସ୍ଥ ବେଥ୍-ହୋରଣ, ପ୍ରାଚୀରବେଷ୍ଟିତ ଏହି ଦୁଇ ନଗର, ପ୍ରାଚୀର, ଦ୍ୱାର ଓ ଅର୍ଗଳ ସମେତ ନିର୍ମାଣ କଲେ;
6ଆଉ ବାଲତ୍‍ ଓ ଶଲୋମନଙ୍କର ସମସ୍ତ ଭଣ୍ଡାର ନଗର ଓ ଆପଣାର ରଥମାନଙ୍କ ନିମନ୍ତେ ସମସ୍ତ ନଗର ଓ ଆପଣାର ଅଶ୍ୱାରୂଢ଼ମାନଙ୍କ ନିମନ୍ତେ ସମସ୍ତ ନଗର, ପୁଣି ଯିରୂଶାଲମରେ ଓ ଲିବାନୋନରେ ଓ ଆପଣା ଅଧିକୃତ ଦେଶର ସର୍ବତ୍ର ଆପଣାର ସନ୍ତୋଷାର୍ଥେ ଯାହା ଯାହା ନିର୍ମାଣ କରିବାକୁ ଶଲୋମନ ଇଚ୍ଛା କଲେ, ତାହାସବୁ ସେ ନିର୍ମାଣ କଲେ।
7ଯେଉଁମାନେ ଇସ୍ରାଏଲ ସନ୍ତାନ ନୁହନ୍ତି, ଏପରି ଯେସବୁ ହିତ୍ତୀୟ ଓ ଇମୋରୀୟ ଓ ପରିଷୀୟ ଓ ହିବ୍ବୀୟ ଓ ଯିବୂଷୀୟ ଲୋକ ଅବଶିଷ୍ଟ ରହିଥିଲେ,
8ସେମାନଙ୍କ ଉତ୍ତାରେ ଦେଶରେ ଅବଶିଷ୍ଟ ସେମାନଙ୍କର ଯେଉଁ ସନ୍ତାନଗଣକୁ ଇସ୍ରାଏଲ ସନ୍ତାନଗଣ ବିନାଶ କରି ନ ଥିଲେ, ସେମାନଙ୍କ ମଧ୍ୟରୁ ଆଜିଯାଏ ବେଠିକର୍ମ କରିବା ପାଇଁ ଶଲୋମନ ଦାସ ସଂଗ୍ରହ କଲେ।
9ମାତ୍ର ଶଲୋମନ ଆପଣା କର୍ମ ପାଇଁ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ କାହାକୁ ଦାସ କଲେ ନାହିଁ; ସେମାନେ ଯୋଦ୍ଧା ଓ ପ୍ରଧାନ ସେନାପତି, ପୁଣି ତାଙ୍କର ରଥ ଓ ଅଶ୍ୱାରୋହୀମାନଙ୍କର ଅଧ୍ୟକ୍ଷ ହୋଇଥିଲେ।
10ଆଉ ଏମାନଙ୍କ ମଧ୍ୟରୁ ଦୁଇ ଶହ ପଚାଶ ଜଣ ଶଲୋମନ ରାଜାଙ୍କର ପ୍ରଧାନ ଅଧ୍ୟକ୍ଷ ଥିଲେ, ଏମାନେ ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କଲେ।
11ଏଉତ୍ତାରେ ଶଲୋମନ ଫାରୋର କନ୍ୟା ନିମନ୍ତେ ଯେଉଁ ଗୃହ ନିର୍ମାଣ କରିଥିଲେ, ସେହି ଗୃହକୁ ଦାଉଦ ନଗରରୁ ତାହାକୁ ଆଣିଲେ; କାରଣ ସେ କହିଲେ, ଆମ୍ଭର ଭାର୍ଯ୍ୟା ଇସ୍ରାଏଲର ରାଜା ଦାଉଦଙ୍କର ଗୃହରେ ବାସ କରିବ ନାହିଁ, ଯେହେତୁ ଯେଉଁ ଯେଉଁ ସ୍ଥାନକୁ ସଦାପ୍ରଭୁଙ୍କ ସିନ୍ଦୁକ ଆସିଅଛି, ସେସବୁ ସ୍ଥାନ ପବିତ୍ର।
12ତହୁଁ ଶଲୋମନ ବାରଣ୍ଡା ସମ୍ମୁଖରେ ସଦାପ୍ରଭୁଙ୍କର ଯେଉଁ ଯଜ୍ଞବେଦି ନିର୍ମାଣ କରିଥିଲେ, ତହିଁ ଉପରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କଲେ;
13ସେ ମୋଶାଙ୍କର ଆଜ୍ଞା ପ୍ରମାଣେ ବିଶ୍ରାମବାରରେ, ଅମାବାସ୍ୟାରେ ଓ ବର୍ଷକେ ତିନି ଥର ନିରୂପିତ ପର୍ବରେ, ଅର୍ଥାତ୍‍, ତାଡ଼ିଶୂନ୍ୟ ରୁଟିର ପର୍ବରେ, ସପ୍ତାହର ପର୍ବରେ ଓ ତମ୍ବୁବାସ ପର୍ବରେ ପ୍ରତି ଦିବସର କର୍ତ୍ତବ୍ୟତାର ପ୍ରୟୋଜନାନୁସାରେ ବଳି ଉତ୍ସର୍ଗ କଲେ।
14ଆଉ, ସେ ଆପଣା ପିତା ଦାଉଦଙ୍କର ବିଧାନାନୁସାରେ ଯାଜକମାନଙ୍କ ସେବାକର୍ମାର୍ଥେ ସେମାନଙ୍କର ପାଳି ନିରୂପଣ କଲେ ଓ ପ୍ରତି ଦିବସର କର୍ତ୍ତବ୍ୟତାର ପ୍ରୟୋଜନାନୁସାରେ ପ୍ରଶଂସା ଓ ଯାଜକମାନଙ୍କ ସମ୍ମୁଖରେ ପରିଚର୍ଯ୍ୟା କରିବା ନିମନ୍ତେ ଲେବୀୟମାନଙ୍କୁ ଆପଣା ଆପଣା କାର୍ଯ୍ୟରେ ନିଯୁକ୍ତ କଲେ; ମଧ୍ୟ ଦ୍ୱାରପାଳମାନଙ୍କୁ ସେମାନଙ୍କ ପାଳି ଅନୁସାରେ ପ୍ରତ୍ୟେକ ଦ୍ୱାରରେ ନିଯୁକ୍ତ କଲେ; କାରଣ ପରମେଶ୍ୱରଙ୍କ ଲୋକ ଦାଉଦ ସେପରି ଆଜ୍ଞା କରିଥିଲେ।
15ଆଉ ସେମାନେ କୌଣସି ବିଷୟରେ ଅବା ଭଣ୍ଡାର ବିଷୟରେ ଯାଜକମାନଙ୍କ ପ୍ରତି ଓ ଲେବୀୟମାନଙ୍କ ପ୍ରତି ରାଜାଙ୍କର ଆଜ୍ଞା ଅନ୍ୟଥା କଲେ ନାହିଁ।
16ସଦାପ୍ରଭୁଙ୍କ ଗୃହର ଭିତ୍ତିମୂଳ ସ୍ଥାପନ ଦିନକୁ ଓ ତହିଁର ସମାପ୍ତି ପର୍ଯ୍ୟନ୍ତ ଶଲୋମନଙ୍କର ସମସ୍ତ କାର୍ଯ୍ୟ ପ୍ରସ୍ତୁତ ହୋଇଥିଲା। ଏହିରୂପେ ସଦାପ୍ରଭୁଙ୍କ ଗୃହ ସମ୍ପୂର୍ଣ୍ଣ ହେଲା।
17ସେତେବେଳେ ଶଲୋମନ ଇଦୋମ୍‍ ଦେଶର ସମୁଦ୍ରତୀରସ୍ଥ ଇତ୍‍ସିୟୋନ-ଗେବରକୁ ଓ ଏଲତକୁ ଗଲେ।
18ତହୁଁ ହୂରମ୍‍ ଆପଣା ଦାସମାନଙ୍କ ହସ୍ତରେ ତାଙ୍କ ନିକଟକୁ ଜାହାଜ ଓ ସାମୁଦ୍ରିକ କାର୍ଯ୍ୟ ଜାଣିଥିବା ଦାସମାନଙ୍କୁ ପଠାଇଲା; ପୁଣି ସେମାନେ ଶଲୋମନଙ୍କର ଦାସମାନଙ୍କ ସଙ୍ଗେ ଓଫୀରକୁ ଯାଇ ସେଠାରୁ ଶଲୋମନ ରାଜାଙ୍କ ନିକଟକୁ ଚାରି ଶହ ପଚାଶ ତାଳନ୍ତ ସୁନା ଆଣିଲେ।