1ଯିଶୀର ପୁତ୍ର ଦାଉଦ, ଯେ ବ୍ୟକ୍ତି ଉଚ୍ଚୀକୃତ, ଯେ ଯାକୁବର ପରମେଶ୍ୱରଙ୍କ ଅଭିଷିକ୍ତ ଓ ଇସ୍ରାଏଲର ମଧୁର ଗାୟକ, ଦାଉଦଙ୍କର ଶେଷ କଥା ଏହି;
2“ମୋ’ ଦ୍ୱାରା ସଦାପ୍ରଭୁଙ୍କ ଆତ୍ମା କହିଲେ ଓ ତାହାଙ୍କର ବାକ୍ୟ ମୋ’ ଜିହ୍ୱାରେ ଥିଲା।
3ଇସ୍ରାଏଲର ପରମେଶ୍ୱର କହିଲେ, ଇସ୍ରାଏଲର ଶୈଳ ମୋତେ କହିଲେ; ‘ଯେଉଁ ବ୍ୟକ୍ତି ଧର୍ମରେ ଲୋକମାନଙ୍କ ଉପରେ ରାଜତ୍ୱ କରିବ, ସେ ପରମେଶ୍ୱରଙ୍କ ଭୟରେ ରାଜତ୍ୱ କରିବ।
4ସେ ସୂର୍ଯ୍ୟୋଦୟ ସମୟର ପ୍ରାତଃକାଳୀନ ଦୀପ୍ତି ତୁଲ୍ୟ, ମେଘରହିତ ପ୍ରଭାତ ତୁଲ୍ୟ ହେବ; ସେହି ସମୟରେ ବୃଷ୍ଟି ଉତ୍ତାରୁ ନିର୍ମଳ କିରଣ ଦ୍ୱାରା ଭୂମିରୁ କୋମଳ ତୃଣ ଅଙ୍କୁରିତ ହୁଏ।
5ସତ୍ୟ, ମୋହର ବଂଶ ପରମେଶ୍ୱରଙ୍କ ନିକଟରେ ସେପରି ନୁହେଁ କି ? ସେ ମୋ’ ସହିତ ସର୍ବ ବିଷୟରେ ସୁସମ୍ପନ୍ନ ଓ ସୁରକ୍ଷିତ ଏକ ଅନନ୍ତକାଳୀନ ନିୟମ କରି ନାହାନ୍ତି କି ? ସେ କି ମୋର ରକ୍ଷା କରିବେ ନାହିଁ ?
6ମାତ୍ର ପାପାଧମ ସମସ୍ତେ ଉତ୍ପାଟନୀୟ କଣ୍ଟକ ସ୍ୱରୂପ, କାରଣ ସେମାନେ ହସ୍ତରେ ଧରା ଯାଇ ନ ପାରନ୍ତି;
7ମାତ୍ର ଯେଉଁ ଲୋକ ସେମାନଙ୍କୁ ସ୍ପର୍ଶ କରିବ, ଲୌହ ଓ ବର୍ଚ୍ଛାଦଣ୍ଡରେ ତାହାକୁ ସଜ୍ଜିତ ହେବାକୁ ହେବ; ସେମାନେ ଆପଣା ଆପଣା ସ୍ଥାନରେ ସମ୍ପୂର୍ଣ୍ଣ ରୂପେ ଅଗ୍ନିରେ ଦଗ୍ଧ ହେବେ।”
8ଦାଉଦଙ୍କର ବୀରମାନଙ୍କ ନାମାବଳୀ ଏହି; ତଖମୋନୀୟ ଯୋଶେବ୍-ବଶେବତ୍, ସେନାପତିମାନଙ୍କର ପ୍ରଧାନ ଥିଲା; ସେ ଏକକାଳୀନ ଆଠ ଶହ ଲୋକର ହତ୍ୟା କଲା।
9ପୁଣି ତାହା ଉତ୍ତାରେ ଅହୋହୀୟ ବଂଶଜ ଦୋଦୟର ପୁତ୍ର ଇଲୀୟାସର, ଦାଉଦଙ୍କ ସଙ୍ଗେ ଥିବା ତିନି ବୀରଙ୍କ ମଧ୍ୟରେ ଜଣେ ଥିଲା, ସେମାନେ ଯୁଦ୍ଧାର୍ଥେ ଏକତ୍ରିତ ପଲେଷ୍ଟୀୟମାନଙ୍କୁ ଧିକ୍କାର କରନ୍ତେ ଓ ଇସ୍ରାଏଲ ଲୋକମାନେ ପଳାନ୍ତେ,
10ସେ ଉଠି ଆପଣା ହସ୍ତ କ୍ଳାନ୍ତ ଓ ଆପଣା ହସ୍ତ ଖଡ୍ଗରେ ଜଡ଼ିତ ହେବା ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ବଧ କଲା; ପୁଣି ସେହି ଦିନ ସଦାପ୍ରଭୁ ମହା ଜୟ ସାଧନ କଲେ; ଆଉ ସୈନ୍ୟଦଳ କେବଳ ଲୁଟିବାକୁ ତାହାର ପଶ୍ଚାତ୍ଗାମୀ ହେଲେ।
11ପୁଣି ତାହା ଉତ୍ତାରେ ହରାରୀୟ ଆଗିର ପୁତ୍ର ଶମ୍ମ। ଏକ ସମୟରେ ପଲେଷ୍ଟୀୟମାନେ କୌଣସି ମସୁରପୂର୍ଣ୍ଣ କ୍ଷେତ୍ର ନିକଟରେ ଏକତ୍ର ଦଳବଦ୍ଧ ହୁଅନ୍ତେ, ଲୋକମାନେ ପଲେଷ୍ଟୀୟମାନଙ୍କ ଆଗରୁ ପଳାଇଲେ।
12ମାତ୍ର ଶମ୍ମ ସେହି କ୍ଷେତ୍ର ମଧ୍ୟରେ ଠିଆ ହୋଇ ତାହା ରକ୍ଷା କଲା ଓ ପଲେଷ୍ଟୀୟମାନଙ୍କୁ ବଧ କଲା; ତହିଁରେ ସଦାପ୍ରଭୁ ମହା ଜୟ ସାଧନ କଲେ।
13ଆଉ ତିରିଶ ଜଣ ପ୍ରଧାନ ସୈନ୍ୟମାନଙ୍କ ମଧ୍ୟରୁ ତିନି ଜଣ ଶସ୍ୟଚ୍ଛେଦନ ସମୟରେ ଅଦୁଲ୍ଲମ ଗୁମ୍ଫାକୁ ଦାଉଦଙ୍କ ନିକଟକୁ ଆସିଥିଲେ; ସେତେବେଳେ ପଲେଷ୍ଟୀୟମାନଙ୍କ ସୈନ୍ୟ ରଫାୟୀମ ତଳଭୂମିରେ ଛାଉଣି ସ୍ଥାପନ କରିଥିଲେ।
14ସେସମୟରେ ଦାଉଦ ଦୁର୍ଗମ ସ୍ଥାନରେ ଥିଲେ ଓ ପଲେଷ୍ଟୀୟମାନଙ୍କ ପ୍ରହରୀ-ସୈନ୍ୟଦଳ ବେଥଲିହିମରେ ଥିଲେ।
15ଏଉତ୍ତାରେ ଦାଉଦ ତୃଷାର୍ତ୍ତ ହୋଇ କହିଲେ, “ଆଃ, କେହି ବେଥଲିହିମ-ନଗରଦ୍ୱାର ନିକଟସ୍ଥ କୂପ-ଜଳ ପାନ କରିବାକୁ ମୋତେ ଦିଅନ୍ତା କି !”
16ତହିଁରେ ସେହି ତିନି ବୀର ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟ ଦେଇ ପଶି ଯାଇ ବେଥଲିହିମ-ନଗରଦ୍ୱାର ନିକଟସ୍ଥ କୂପରୁ ଜଳ କାଢ଼ି ଦାଉଦଙ୍କ ନିକଟକୁ ତାହା ଆଣିଲେ; ମାତ୍ର ସେ ତହିଁରୁ ପାନ କରିବାକୁ ସମ୍ମତ ନୋହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଢାଳି ଦେଲେ।
17ପୁଣି ସେ କହିଲେ, “ହେ ସଦାପ୍ରଭୁ, ମୁଁ ଯେ ଏ କର୍ମ କରିବି, ଏହା ମୋ’ଠାରୁ ଦୂର ହେଉ; ପ୍ରାଣପଣରେ ଗମନକାରୀ ମନୁଷ୍ୟମାନଙ୍କ ରକ୍ତ କି ମୁଁ ପାନ କରିବି ? ଏଣୁ ସେ ତାହା ପାନ କରିବାକୁ ସମ୍ମତ ନୋହିଲେ।” ଏହି ସକଳ କର୍ମ ସେହି ତିନି ବୀର କରିଥିଲେ।