Text copied!
CopyCompare
ଓଡିଆ ବାଇବେଲ - ଗୀତସଂହିତା

ଗୀତସଂହିତା 108

Help us?
Click on verse(s) to share them!
1ଦାଉଦଙ୍କର ଗାନାର୍ଥକ ଗୀତ। ହେ ପରମେଶ୍ୱର, ମୋହର ଚିତ୍ତ ସୁସ୍ଥିର ଅଛି; ମୁଁ ଗାନ କରିବି, ହଁ, ମୁଁ ଆପଣା ଗୌରବ ସହିତ ପ୍ରଶଂସା ଗାନ କରିବି।
2ହେ ନେବଲ ଓ ବୀଣେ, ଜାଗ; ମୁଁ ନିଜେ ଅତି ପ୍ରଭାତରେ ଜାଗିବି।
3ହେ ସଦାପ୍ରଭୁ, ମୁଁ ଗୋଷ୍ଠୀବର୍ଗ ମଧ୍ୟରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି ଓ ମୁଁ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି।
4ଯେହେତୁ ତୁମ୍ଭର ଦୟା ଆକାଶ ଅପେକ୍ଷା ମହତ ଓ ତୁମ୍ଭର ସତ୍ୟତା ଗଗନସ୍ପର୍ଶୀ;
5ହେ ପରମେଶ୍ୱର, ତୁମ୍ଭେ ଆକାଶମଣ୍ଡଳ ଉପରେ ଉନ୍ନତ ହୁଅ ଓ ତୁମ୍ଭର ଗୌରବ ସମୁଦାୟ ପୃଥିବୀରେ ଉନ୍ନତ ହେଉ।
6ଯେପରି ତୁମ୍ଭର ପ୍ରିୟତମ ଉଦ୍ଧାର ପାଇବ, ଏଥିପାଇଁ ତୁମ୍ଭେ ଆପଣା ଦକ୍ଷିଣ ହସ୍ତରେ ପରିତ୍ରାଣ କରି ଆମ୍ଭମାନଙ୍କୁ ଉତ୍ତର ଦିଅ।
7ପରମେଶ୍ୱର ଆପଣା ପବିତ୍ରତାରେ କହିଅଛନ୍ତି; “ଆମ୍ଭେ ଉଲ୍ଲାସ କରିବା; ମୁଁ ଶିଖିମକୁ ବିଭାଗ କରିବି ଓ ସୁକ୍‍କୋତ ଉପତ୍ୟକା ମାପିବି।
8ଗିଲୀୟଦ ମୋହର; ମନଃଶି ମୋହର; ଇଫ୍ରୟିମ ମଧ୍ୟ ମୋ’ ମସ୍ତକର ଆଶ୍ରୟ; ଯିହୁଦା ମୋହର ରାଜଦଣ୍ଡ।
9ମୋୟାବ ମୋ’ ପ୍ରକ୍ଷାଳନ-ପାତ୍ର; ଇଦୋମ ଉପରେ ମୁଁ ଆପଣା ପାଦୁକା ପକାଇବି। ପଲେଷ୍ଟୀୟ ଉପରେ ଜୟଧ୍ୱନି କରିବି।
10କିଏ ମୋତେ ଦୃଢ଼ ନଗରକୁ ଆଣିବ ? କିଏ ମୋତେ ଇଦୋମ ପର୍ଯ୍ୟନ୍ତ କଢ଼ାଇ ଆଣିଅଛି ?”
11ହେ ପରମେଶ୍ୱର, ତୁମ୍ଭେ କି ଆମ୍ଭମାନଙ୍କୁ ଦୂର କରି ନାହଁ ? ପୁଣି, ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କ ସୈନ୍ୟ ସଙ୍ଗେ ଗମନ କରୁ ନାହଁ।
12ବିପକ୍ଷର ପ୍ରତିକୂଳରେ ଆମ୍ଭମାନଙ୍କୁ ସାହାଯ୍ୟ ଦାନ କର; କାରଣ ମନୁଷ୍ୟର ସାହାଯ୍ୟ ବୃଥା।
13ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେମାନେ ବୀରର କର୍ମ କରିବା; ଯେହେତୁ ସେ ଆମ୍ଭମାନଙ୍କ ବିପକ୍ଷଗଣକୁ ଦଳି ପକାଇବେ।