1ପ୍ରଧାନ ବାଦ୍ୟକର ନିମନ୍ତେ ଯୋନତ୍-ଏଲମ୍ ହେ ପରମେଶ୍ୱର, ମୋତେ ଦୟା କର; କାରଣ ମୋହର ଶତ୍ରୁ ମୋତେ ଗ୍ରାସ କରିବାକୁ ଉଦ୍ୟତ; ସେ ସାରାଦିନ ଯୁଦ୍ଧ କରି ମୋ’ ପ୍ରତି ଉପଦ୍ରବ କରଇ।
2ମୋହର ଶତ୍ରୁଗଣ ଦିନସାରା ମୋତେ ଗ୍ରାସ କରିବାକୁ ଉଦ୍ୟତ; କାରଣ ଦର୍ପରେ ମୋ’ ବିରୁଦ୍ଧରେ ଯୁଦ୍ଧକାରୀ ଲୋକ ଅନେକ।
3ମୁଁ ଭୀତ ହେବା ସମୟରେ ତୁମ୍ଭ ଉପରେ ନିର୍ଭର ରଖିବି।
4ପରମେଶ୍ୱରଙ୍କ ଦ୍ୱାରା ମୁଁ ତାହାଙ୍କ ବାକ୍ୟର ପ୍ରଶଂସା କରିବି; ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର ରଖିଅଛି, ମୁଁ ଭୀତ ହେବି ନାହିଁ; ମନୁଷ୍ୟ ମୋର କଅଣ କରି ପାରିବ ?
5ସେମାନେ ସାରାଦିନ ମୋହର କଥାର ବିପରୀତ ଅର୍ଥ କରନ୍ତି; ମୋ’ ବିରୁଦ୍ଧରେ ସେମାନଙ୍କର କଳ୍ପନାସବୁ ଅମଙ୍ଗଳାର୍ଥକ।
6ସେମାନେ ଏକତ୍ରିତ ହୁଅନ୍ତି, ସେମାନେ ଲୁଚି ରହନ୍ତି, ସେମାନେ ମୋହର ପଦଚିହ୍ନ ଲକ୍ଷ୍ୟ କରନ୍ତି, ଏହିରୂପେ ସେମାନେ ମୋ’ ପ୍ରାଣର ଅପେକ୍ଷା କରିଅଛନ୍ତି।
7ସେମାନେ କ’ଣ ଅଧର୍ମ ଦ୍ୱାରା ରକ୍ଷା ପାଇବେ ? ହେ ପରମେଶ୍ୱର, କ୍ରୋଧରେ ଗୋଷ୍ଠୀୟମାନଙ୍କୁ ନିପାତ କର।
8ତୁମ୍ଭେ ମୋହର ଭ୍ରମଣ ଗଣନା କରୁଅଛ। ତୁମ୍ଭେ ଆପଣା ପାତ୍ରରେ ଆମ୍ଭର ଅଶ୍ରୁ ରଖିଥାଅ; ତାହାସବୁ କ’ଣ ତୁମ୍ଭ ପୁସ୍ତକରେ ନାହିଁ ?
9ତେବେ ମୁଁ ପ୍ରାର୍ଥନା କରିବା ବେଳେ ମୋ’ ଶତ୍ରୁଗଣ ଫେରିଯିବେ; ମୁଁ ଏହା ଜାଣେ ଯେ, ପରମେଶ୍ୱର ମୋହର ସପକ୍ଷ।
10ପରମେଶ୍ୱରଙ୍କ ଦ୍ୱାରା ମୁଁ ତାହାଙ୍କ ବାକ୍ୟର ପ୍ରଶଂସା କରିବି। ସଦାପ୍ରଭୁଙ୍କ ଦ୍ୱାରା ମୁଁ ତାହାଙ୍କ ବାକ୍ୟର ପ୍ରଶଂସା କରିବି।
11ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର ରଖିଅଛି, ମୁଁ ଭୀତ ହେବି ନାହିଁ; ମନୁଷ୍ୟ ମୋହର କ’ଣ କରି ପାରିବ ?
12ହେ ପରମେଶ୍ୱର, ତୁମ୍ଭ ନିକଟରେ ମୋହର ମାନତ ଅଛି; ମୁଁ ତୁମ୍ଭକୁ ଧନ୍ୟବାଦରୂପ ଉପହାର ଦେବି।
13କାରଣ ତୁମ୍ଭେ ମୃତ୍ୟୁୁରୁ ମୋ’ ପ୍ରାଣକୁ ଉଦ୍ଧାର କରିଅଛ; ଯେପରି ମୁଁ ଜୀବିତମାନଙ୍କ ଦୀପ୍ତିରେ ପରମେଶ୍ୱରଙ୍କ ସମ୍ମୁଖରେ ଗମନାଗମନ କରିବି; ଏଥିପାଇଁ ତୁମ୍ଭେ କ’ଣ ପତନରୁ ମୋ’ ଚରଣକୁ ଉଦ୍ଧାର କରିବ ନାହିଁ ?