Text copied!
CopyCompare
ଓଡିଆ ବାଇବେଲ - ଯିଶାଇୟ

ଯିଶାଇୟ 38

Help us?
Click on verse(s) to share them!
1ସେହି ସମୟରେ ହିଜକୀୟର ସାଂଘାତିକ ପୀଡ଼ା ହୋଇଥିଲା। ତହିଁରେ ଆମୋସଙ୍କ ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତା ତାହା ନିକଟକୁ ଆସି କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଆପଣା ଗୃହ ବିଷୟ ସଜାଡ଼; କାରଣ ତୁମ୍ଭେ ମରିବ, ବଞ୍ଚିବ ନାହିଁ।”
2ଏଥିରେ ହିଜକୀୟ କାନ୍ଥଆଡ଼େ ମୁଖ ଫେରାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲା,
3“ହେ ସଦାପ୍ରଭୁ, ମୁଁ ବିନୟ କରୁଅଛି, ମୁଁ କିପରି ସତ୍ୟତାରେ ଓ ସିଦ୍ଧ ଅନ୍ତଃକରଣରେ ତୁମ୍ଭ ସମ୍ମୁଖରେ ଗମନାଗମନ କରିଅଛି ଓ ତୁମ୍ଭ ଦୃଷ୍ଟିରେ ଉତ୍ତମ କର୍ମ କରିଅଛି, ଏହା ଏବେ ସ୍ମରଣ କର।” ଆଉ, ହିଜକୀୟ ଅତିଶୟ ରୋଦନ କଲା।
4ସେତେବେଳେ ଯିଶାଇୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା।
5ତୁମ୍ଭେ ଯାଇ ହିଜକୀୟକୁ କୁହ, ସଦାପ୍ରଭୁ, ତୁମ୍ଭ ପୂର୍ବପୁରୁଷ ଦାଉଦଙ୍କ ପରମେଶ୍ୱର ଏହି କଥା କହନ୍ତି, “ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ, ତୁମ୍ଭର ଲୋତକ ଦେଖିଅଛୁ, ଦେଖ, ଆମ୍ଭେ ତୁମ୍ଭର ଆୟୁ ପନ୍ଦର ବର୍ଷ ବୃଦ୍ଧି କରିବା।
6ପୁଣି, ଆମ୍ଭେ ତୁମ୍ଭକୁ ଓ ଏହି ନଗରକୁ ଅଶୂରୀୟ ରାଜା ହସ୍ତରୁ ରକ୍ଷା କରିବା ଓ ଆମ୍ଭେ ଏହି ନଗରର ସପକ୍ଷ ହେବା।
7ଆଉ, ସଦାପ୍ରଭୁ ଆପଣା ଉକ୍ତ ବାକ୍ୟ ଯେ ସଫଳ କରିବେ, ତୁମ୍ଭ ପ୍ରତି ସଦାପ୍ରଭୁଙ୍କଠାରୁ ଏହି ଚିହ୍ନ ହେବ;
8ଦେଖ, ଆମ୍ଭେ ଆହସ୍‌ର ସୂର୍ଯ୍ୟ ଘଟିକାରେ ସୂର୍ଯ୍ୟର ଛାୟା ଯେତେ ଆଗକୁ ଯାଇଅଛି, ତାହା ଦଶ ପାହୁଣ୍ଡ ପଛକୁ ଫେରାଇ ଆଣିବା।” ତହୁଁ ଘଟିକାରେ ସୂର୍ଯ୍ୟ ଯେଉଁ ଦଶ ପାହୁଣ୍ଡ ଆଗକୁ ଯାଇଥିଲା, ପଛକୁ ସେତିକି ଫେରି ଆସିଲା।
9ଯିହୁଦାର ରାଜା ହିଜକୀୟ ପୀଡ଼ିତ ହୋଇ ଆପଣା ପୀଡ଼ାରୁ ସୁସ୍ଥ ହେଲା ଉତ୍ତାରେ ଏହା ଲେଖିଲା, ଯଥା,
10ମୁଁ କହିଲି, “ମୁଁ ଆପଣା ଆୟୁର ମଧ୍ୟାହ୍ନ ସମୟରେ ପାତାଳର ପୁରଦ୍ୱାରରେ ପ୍ରବେଶ କରିବି; ମୁଁ ଆପଣା ବର୍ଷସମୂହର ଅବଶିଷ୍ଟାଂଶ ପ୍ରାପ୍ତିରୁ ବଞ୍ଚିତ ହେଲି।
11ମୁଁ କହିଲି ମୁଁ ସଦାପ୍ରଭୁଙ୍କୁ, ଜୀବିତମାନଙ୍କ ଦେଶରେ ସଦାପ୍ରଭୁଙ୍କୁ ଦେଖିବି ନାହିଁ; ମୁଁ ଜଗନ୍ନିବାସୀମାନଙ୍କ ସହିତ ମନୁଷ୍ୟକୁ ଆଉ ଦେଖିବି ନାହିଁ।
12ମୋହର ଆୟୁ ଦୂରୀକୃତ ହୋଇଅଛି ଓ ମେଷପାଳକର ତମ୍ବୁ ପରି ମୋ’ଠାରୁ ସ୍ଥାନାନ୍ତରିତ ହୋଇଅଛି; ମୁଁ ତନ୍ତୀ ପରି ଆପଣା ଜୀବନ ଗୁଡ଼ାଇଅଛି; ସେ ମୋତେ ତନ୍ତରୁ କାଟି ପକାଇବେ; ଏକ ଦିବାରାତ୍ର ମଧ୍ୟରେ ସେ ମୋତେ ଶେଷ କରିବେ।
13ମୁଁ ପ୍ରଭାତ ପର୍ଯ୍ୟନ୍ତ ଆପଣାକୁ ସୁସ୍ଥିର କଲି; ଯେପରି ସିଂହ, ସେହିପରି ସେ ମୋହର ଅସ୍ଥିସବୁ ଚୂର୍ଣ୍ଣ କରୁଅଛନ୍ତି; ଏକ ଦିବାରାତ୍ର ମଧ୍ୟରେ ତୁମ୍ଭେ ମୋତେ ଶେଷ କରିବ।
14ଯେପରି ତାଳଚୋଞ୍ଚ ଅବା ସାରସ ପକ୍ଷୀ ଶବ୍ଦ କରନ୍ତି, ସେହିପରି ମୁଁ ଚିଁ ଚିଁ ଶବ୍ଦ କଲି; ମୁଁ କପୋତ ପରି ଶୋକ କଲି; ଉପରକୁ ଅନାଇ ଅନାଇ ମୋହର ଚକ୍ଷୁ କ୍ଷୀଣ ହେଉଅଛି; ହେ ସଦାପ୍ରଭୁ, ମୁଁ ଉପଦ୍ରବଗ୍ରସ୍ତ, ତୁମ୍ଭେ ମୋହର ଲଗା ହୁଅ।
15ମୁଁ କଅଣ କହିବି ? ସେ ତ ମୋତେ କହିଅଛନ୍ତି, ମଧ୍ୟ ଆପେ ତାହା ସାଧନ କରିଅଛନ୍ତି; ମୁଁ ଆପଣା ପ୍ରାଣର ତିକ୍ତତା ସକାଶୁ ଆପଣାର ସବୁ ବର୍ଷଯାକ ଧୀରେ ଧୀରେ ଗମନ କରିବି।
16ହେ ପ୍ରଭୁ, ଏହିସବୁ ଦ୍ୱାରା ଲୋକେ ବଞ୍ଚନ୍ତି, ଆଉ ତହିଁରେ ହିଁ ସମ୍ପୂର୍ଣ୍ଣ ରୂପେ ମୋ’ ଆତ୍ମାର ଜୀବନ ଅଛି, ଏହେତୁ ତୁମ୍ଭେ ମୋତେ ସୁସ୍ଥ କରି ସଜୀବ କର।
17ଦେଖ, ମୁଁ ଆପଣାର ଶାନ୍ତି ନିମନ୍ତେ ବଡ଼ ଦୁଃଖ ପାଇଲି; ମାତ୍ର ତୁମ୍ଭେ ମୋ’ ପ୍ରାଣ ପ୍ରତି ପ୍ରେମ କରି ବିନାଶକୂପରୁ ତାହାକୁ ଉଦ୍ଧାର କଲ; କାରଣ ତୁମ୍ଭେ ଆପଣା ପଛଆଡ଼େ ମୋହର ପାପସବୁ ପକାଇ ଦେଇଅଛ।
18ଯେହେତୁ ପାତାଳ ତୁମ୍ଭର ପ୍ରଶଂସା କରି ନ ପାରେ, ମୃତ୍ୟୁୁ ତୁମ୍ଭର ଗୁଣ କୀର୍ତ୍ତନ କରି ନ ପାରେ; ଗର୍ତ୍ତଗାମୀମାନେ ତୁମ୍ଭର ସତ୍ୟତା ପାଇଁ ପ୍ରତ୍ୟାଶା କରି ନ ପାରନ୍ତି।

19ଯେପରି ଆଜି ମୁଁ କରୁଅଛି, ସେହିପରି ଜୀବିତ ଲୋକ, କେବଳ ଜୀବିତ ଲୋକ ତୁମ୍ଭର ପ୍ରଶଂସା କରିବ; ପିତା ସନ୍ତାନଗଣକୁ ତୁମ୍ଭର ସତ୍ୟତା ଜ୍ଞାତ କରାଇବ।
20ସଦାପ୍ରଭୁ ମୋହର ପରିତ୍ରାଣ କରିବାକୁ ଉଦ୍ୟତ; ଏହେତୁ ଆମ୍ଭେମାନେ ଜୀବନ ଯାଏ ସଦାପ୍ରଭୁଙ୍କ ଗୃହରେ ତାରଯୁକ୍ତ ଯନ୍ତ୍ର ସହିତ ମୋହର ସଙ୍ଗୀତ ଗାନ କରିବୁ।”
21ଯିଶାଇୟ କହିଥିଲେ, “ସେମାନେ ଡିମ୍ବିରି ଚକ୍ତି ନେଇ ସ୍ପୋଟକ ଉପରେ ଦେଉନ୍ତୁ, ତହିଁରେ ସେ ସୁସ୍ଥ ହେବ।”
22ହିଜକୀୟ ମଧ୍ୟ କହିଥିଲା, “ମୁଁ ଯେ ସଦାପ୍ରଭୁଙ୍କ ଗୃହକୁ ଯିବି, ଏଥିର ଚିହ୍ନ କଅଣ ?”