Text copied!
CopyCompare
ଓଡିଆ ବାଇବେଲ - ଯିଶାଇୟ

ଯିଶାଇୟ 65

Help us?
Click on verse(s) to share them!
1“ଯେଉଁମାନେ ଆମ୍ଭ ବିଷୟ ପଚାରିଲେ ନାହିଁ, ସେମାନଙ୍କ ଦ୍ୱାରା ଆମ୍ଭେ ଅନ୍ୱେଷିତ ହେଉଅଛୁ; ଯେଉଁମାନେ ଆମ୍ଭର ଅନ୍ୱେଷଣ କଲେ ନାହିଁ, ସେମାନେ ଆମ୍ଭକୁ ପ୍ରାପ୍ତ ହେଉଅଛନ୍ତି; ଯେଉଁ ଦେଶୀୟ ଲୋକେ ଆମ୍ଭ ନାମରେ ଖ୍ୟାତ ହୋଇ ନ ଥିଲେ, ସେମାନଙ୍କୁ, ଆମ୍ଭକୁ ଦେଖ, ଆମ୍ଭକୁ ଦେଖ ବୋଲି ଆମ୍ଭେ କହିଲୁ।
2ଯେଉଁମାନେ ଆପଣା ଆପଣା କଳ୍ପନାନୁସାରେ କୁପଥରେ ଗମନ କରନ୍ତି, ଏପରି ବିଦ୍ରୋହାଚାରୀ ଲୋକମାନଙ୍କ ପ୍ରତି ଆମ୍ଭେ ସାରାଦିନ ଆପଣା ହସ୍ତ ବିସ୍ତାର କରିଅଛୁ;
3ସେହି ଲୋକମାନେ ଉଦ୍ୟାନରେ ବଳିଦାନ କରି ଓ ଗୁଡ଼ିଏ ଇଟା ଉପରେ ଧୂମ ଜ୍ୱଳାଇ ଆମ୍ଭ ମୁଖ ଆଗରେ ନିତ୍ୟ ନିତ୍ୟ ଆମ୍ଭକୁ ବିରକ୍ତ କରନ୍ତି;
4ସେମାନେ କବରସ୍ଥାନ ମଧ୍ୟରେ ବସନ୍ତି ଓ ଗୁପ୍ତ ସ୍ଥାନରେ ବସା କରନ୍ତି; ସେମାନେ ଶୂକର ମାଂସ ଭୋଜନ କରନ୍ତି ଓ ସେମାନଙ୍କ ପାତ୍ରରେ ଘୃଣାଯୋଗ୍ୟ ମାଂସର ଝୋଳ ଥାଏ;
5ସେମାନେ କହନ୍ତି, ସ୍ୱସ୍ଥାନରେ ଛିଡ଼ା ହୁଅ, ଆମ୍ଭ ନିକଟକୁ ଆସ ନାହିଁ, କାରଣ ଆମ୍ଭେ ତୁମ୍ଭ ଅପେକ୍ଷା ପବିତ୍ର; ଏମାନେ ଆମ୍ଭ ନାସିକାରେ ଧର୍ମ ସ୍ୱରୂପ, ସାରାଦିନ ପ୍ରଜ୍ୱଳିତ ଅଗ୍ନି ସ୍ୱରୂପ।
6ଦେଖ, ଆମ୍ଭ ସମ୍ମୁଖରେ ଏହା ଲିଖିତ ଅଛି; ଆମ୍ଭେ ନୀରବ ହୋଇ ରହିବା ନାହିଁ, ମାତ୍ର ପ୍ରତିଫଳ ଦେବା, ହଁ, ଆମ୍ଭେ ସେମାନଙ୍କ କୋଳରେ ପ୍ରତିଫଳ ଦେବା,”
7ସଦାପ୍ରଭୁ କହନ୍ତି, “ପର୍ବତଗଣ ଉପରେ ଧୂପ ଜ୍ୱଳାଇ ଅଛ ଓ ଉପପର୍ବତଗଣ ଉପରେ ଆମ୍ଭକୁ ନିନ୍ଦା କରିଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ଅପରାଧ ଓ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ଅପରାଧସକଳର ପ୍ରତିଫଳ ଆମ୍ଭେ ଏକାବେଳେ ଦେବା; ଏନିମନ୍ତେ ଆମ୍ଭେ ପ୍ରଥମେ ସେମାନଙ୍କ କ୍ରିୟାର ପରିମାଣ କରି ସେମାନଙ୍କ କୋଳରେ ଦେବା।”
8ସଦାପ୍ରଭୁ ଏହି କଥା କହନ୍ତି, “ଦ୍ରାକ୍ଷାପେଣ୍ଡାରେ ଯେପରି ନୂତନ ଦ୍ରାକ୍ଷାରସ ମିଳେ ଓ ଲୋକେ କହନ୍ତି, ଏହା ନଷ୍ଟ ନ କର, କାରଣ ଏଥିରେ ଆଶୀର୍ବାଦ ଅଛି; ସେହିପରି ଆମ୍ଭେ ଆପଣା ଦାସଗଣ ସକାଶେ କରିବା, ଆମ୍ଭେ ସମସ୍ତଙ୍କୁ ବିନାଶ କରିବା ନାହିଁ।
9ପୁଣି, ଆମ୍ଭେ ଯାକୁବଠାରୁ ଏକ ବଂଶ ଓ ଯିହୁଦାଠାରୁ ଆମ୍ଭ ପର୍ବତଗଣର ଏକ ଅଧିକାରୀ ଉତ୍ପନ୍ନ କରିବା ଓ ଆମ୍ଭର ମନୋନୀତ ଲୋକମାନେ ତାହା ଅଧିକାର କରିବେ ଓ ଆମ୍ଭର ଦାସମାନେ ସେଠାରେ ବସତି କରିବେ।
10ଆଉ, ଆମ୍ଭର ଯେଉଁ ଲୋକମାନେ ଆମ୍ଭର ଅନ୍ୱେଷଣ କରିଅଛନ୍ତି, ସେମାନଙ୍କ ନିମନ୍ତେ ଶାରୋଣ ଏକ ମେଷ ଖୁଆଡ଼ ଓ ଆଖୋର୍‍ ଉପତ୍ୟକା ଗୋପଲର ଶୟନ ସ୍ଥାନ ହେବ।
11ମାତ୍ର ସଦାପ୍ରଭୁଙ୍କୁ ତ୍ୟାଗ କରୁଅଛ, ଆମ୍ଭ ପବିତ୍ର ପର୍ବତକୁ ପାସୋରୁଅଛ, ଭାଗ୍ୟ ଦେବତା ଉଦ୍ଦେଶ୍ୟରେ ମେଜ ସଜାଉଅଛ ଓ ନିରୂପଣୀ ଦେବୀର ଉଦ୍ଦେଶ୍ୟରେ ମିଶ୍ରିତ ଦ୍ରାକ୍ଷାରସ ପୂର୍ଣ୍ଣ କରୁଅଛ ଯେ ତୁମ୍ଭେମାନେ,
12ତୁମ୍ଭମାନଙ୍କୁ ଆମ୍ଭେ ଖଡ୍ଗ ନିମନ୍ତେ ନିରୂପଣ କରିବା ଓ ତୁମ୍ଭେ ସମସ୍ତେ ବଧ ସ୍ଥାନରେ ନଇଁ ପଡ଼ିବ; କାରଣ ଆମ୍ଭେ ଡାକିଲା ବେଳେ ତୁମ୍ଭେମାନେ ଉତ୍ତର ଦେଲ ନାହିଁ; ଆମ୍ଭେ କଥା କହିଲା ବେଳେ ତୁମ୍ଭେମାନେ ଶୁଣିଲ ନାହିଁ; ମାତ୍ର ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ ତୁମ୍ଭେମାନେ କଲ ଓ ଯହିଁରେ ଆମ୍ଭେ ସନ୍ତୁଷ୍ଟ ନୋହୁଁ, ତାହା ହିଁ ମନୋନୀତ କଲ।”
13ଏହେତୁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭର ଦାସମାନେ ଭୋଜନ କରିବେ, ମାତ୍ର ତୁମ୍ଭେମାନେ କ୍ଷୁଧାର୍ତ୍ତ ହେବ; ଦେଖ, ଆମ୍ଭର ଦାସମାନେ ପାନ କରିବେ, ମାତ୍ର ତୁମ୍ଭେମାନେ ତୃଷାର୍ତ୍ତ ହେବ; ଦେଖ, ଆମ୍ଭର ଦାସମାନେ ଆନନ୍ଦ କରିବେ, ମାତ୍ର ତୁମ୍ଭେମାନେ ଲଜ୍ଜିତ ହେବ;
14ଦେଖ, ଆମ୍ଭର ଦାସମାନେ ଚିତ୍ତର ସୁଖ ସକାଶୁ ଗାନ କରିବେ, ମାତ୍ର ତୁମ୍ଭେମାନେ ଚିତ୍ତର ଦୁଃଖ ସକାଶୁ କ୍ରନ୍ଦନ କରିବ ଓ ଆତ୍ମାର ବିରକ୍ତି ସକାଶୁ ହାହାକାର କରିବ।
15ପୁଣି, ତୁମ୍ଭେମାନେ ଆମ୍ଭ ମନୋନୀତ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କର ନାମ ଅଭିଶାପ ରୂପେ ରଖିଯିବ ଓ ପ୍ରଭୁ, ସଦାପ୍ରଭୁ ତୁମ୍ଭକୁ ବଧ କରିବେ; ଆଉ, ସେ ଆପଣା ଦାସମାନଙ୍କୁ ଅନ୍ୟ ନାମରେ ଖ୍ୟାତ କରିବେ;
16ତହିଁରେ ଯେଉଁ ଲୋକ ପୃଥିବୀରେ ଆପଣାକୁ ଆଶୀର୍ବାଦ କରେ, ସେ ସତ୍ୟ ପରମେଶ୍ୱରଙ୍କଠାରୁ ଆପଣାକୁ ଆଶୀର୍ବାଦ କରିବ ଓ ଯେଉଁ ଲୋକ ପୃଥିବୀରେ ଶପଥ କରେ, ସେ ସତ୍ୟ ପରମେଶ୍ୱରଙ୍କ ଦ୍ୱାରା ଶପଥ କରିବ; ଯେହେତୁ ପୂର୍ବକାଳର ସଙ୍କଟସବୁ ବିସ୍ମୃତ ହୋଇଅଛି ଓ ତାହାସବୁ ଆମ୍ଭ ଦୃଷ୍ଟିରୁ ଗୁପ୍ତ ହୋଇଅଛି।
17କାରଣ ଦେଖ, ଆମ୍ଭେ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ସୃଷ୍ଟି କରୁ ଓ ପୂର୍ବ କାଳର ବିଷୟସବୁ ସ୍ମରଣ କରାଯିବ ନାହିଁ, କିଅବା ମନରେ ପଡ଼ିବ ନାହିଁ।
18ମାତ୍ର ଯାହା ଆମ୍ଭେ ସୃଷ୍ଟି କରୁ, ତୁମ୍ଭେମାନେ ସଦାକାଳ ତହିଁରେ ଆନନ୍ଦିତ ହୋଇ ଉଲ୍ଲାସ କର; କାରଣ ଦେଖ, ଆମ୍ଭେ ଯିରୂଶାଲମକୁ ଉଲ୍ଲାସ ସ୍ୱରୂପ ଓ ତହିଁର ଲୋକମାନଙ୍କୁ ଆନନ୍ଦର ପାତ୍ର କରି ସୃଷ୍ଟି କରୁ।

19ପୁଣି, ଆମ୍ଭେ ଯିରୂଶାଲମରେ ଉଲ୍ଲାସ କରିବା ଓ ଆମ୍ଭ ଲୋକମାନଙ୍କଠାରେ ଆନନ୍ଦ କରିବା; ପୁଣି, ତହିଁ ମଧ୍ୟରେ ରୋଦନର ଶବ୍ଦ, କିଅବା କ୍ରନ୍ଦନର ଶବ୍ଦ ଆଉ ଶୁଣାଯିବ ନାହିଁ।
20ସେସମୟରୁ ସେସ୍ଥାନରେ ଅଳ୍ପ ଦିନର ଶିଶୁ କିଅବା ଅସମ୍ପୂର୍ଣ୍ଣାୟୁ ବୃଦ୍ଧ ଲୋକ ଆଉ ନ ଥିବ; କାରଣ ବାଳକ ଏକ ଶତ ବର୍ଷ ବୟଃକ୍ରମରେ ମରିବ ଓ ପାପୀ ଏକ ଶତ ବର୍ଷ ବୟସ୍କ ହୋଇ ଶାପଗ୍ରସ୍ତ ହେବ।
21ପୁଣି, ଲୋକମାନେ ଗୃହ ନିର୍ମାଣ କରି ତହିଁରେ ବାସ କରିବେ ଓ ସେମାନେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁର ଫଳ ଭୋଗ କରିବେ।
22ସେମାନେ ନିର୍ମାଣ କଲେ, ଅନ୍ୟ କେହି ତହିଁରେ ବାସ କରିବ ନାହିଁ; ସେମାନେ ରୋପଣ କଲେ, ଅନ୍ୟ କେହି ଫଳ ଭୋଗ କରିବ ନାହିଁ; କାରଣ ଆମ୍ଭ ଲୋକମାନଙ୍କର ଆୟୁ ବୃକ୍ଷର ଆୟୁ ତୁଲ୍ୟ ହେବ ଓ ଆମ୍ଭ ମନୋନୀତ ଲୋକମାନେ ଦୀର୍ଘ କାଳ ପର୍ଯ୍ୟନ୍ତ ଆପଣାମାନଙ୍କ ହସ୍ତକୃତ କର୍ମର ଫଳ ଭୋଗ କରିବେ।
23ସେମାନେ ବୃଥା ପରିଶ୍ରମ କରିବେ ନାହିଁ, କିଅବା ବିପଦର ପାଇଁ ପ୍ରସବ କରିବେ ନାହିଁ; କାରଣ ସେମାନେ ଓ ସେମାନଙ୍କ ସଙ୍ଗେ ସେମାନଙ୍କ ସନ୍ତାନଗଣ, ସଦାପ୍ରଭୁଙ୍କ ଆଶୀର୍ବାଦ-ପାତ୍ରର ବଂଶ।
24ପୁଣି, ଏହା ଘଟିବ ଯେ, ସେମାନେ ଡାକିବା ପୂର୍ବେ ଆମ୍ଭେ ଉତ୍ତର ଦେବା ଓ ସେମାନେ କଥା କହୁ କହୁ ଆମ୍ଭେ ଶୁଣିବା।
25କେନ୍ଦୁଆ ବାଘ ଓ ମେଣ୍ଢାଛୁଆ ଏକତ୍ର ଚରିବେ ଓ ସିଂହ ଗୋରୁ ପରି ନଡ଼ା ଖାଇବ; ପୁଣି, ଧୂଳି ସର୍ପର ଖାଦ୍ୟ ହେବ। ସେମାନେ ଆମ୍ଭ ପବିତ୍ର ପର୍ବତର କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ,” ସଦାପ୍ରଭୁ ଏହା କହନ୍ତି।