Text copied!
CopyCompare
ଓଡିଆ ବାଇବେଲ - ବିଚାରକର୍ତ୍ତା - ବିଚାରକର୍ତ୍ତା 11

ବିଚାରକର୍ତ୍ତା 11:21-40

Help us?
Click on verse(s) to share them!
21ତହିଁରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ସୀହୋନକୁ ଓ ତାହାର ସମସ୍ତ ଲୋକଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କରନ୍ତେ, ସେମାନେ ସେମାନଙ୍କୁ ଆଘାତ କଲେ। ଏହିରୂପେ ଇସ୍ରାଏଲ ସେହି ଦେଶ ନିବାସୀ ଇମୋରୀୟମାନଙ୍କ ସମସ୍ତ ଦେଶ ଅଧିକାର କଲେ।
22ସେମାନେ ଅର୍ଣ୍ଣୋନଠାରୁ ଯବ୍ବୋକ୍‍ ପର୍ଯ୍ୟନ୍ତ ଓ ପ୍ରାନ୍ତରଠାରୁ ଯର୍ଦ୍ଦନ ପର୍ଯ୍ୟନ୍ତ ଇମୋରୀୟମାନଙ୍କର ସମସ୍ତ ସୀମା ଅଧିକାର କଲେ।
23ଏହେତୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକ ଇସ୍ରାଏଲୀୟମାନଙ୍କ ସମ୍ମୁଖରୁ ଇମୋରୀୟମାନଙ୍କୁ ଅଧିକାରଚ୍ୟୁତ କରିଅଛନ୍ତି, ଏବେ ତୁମ୍ଭେ କି ସେସବୁ ଅଧିକାର କରିବ ?
24ତୁମ୍ଭର କମୋଶ ଦେବ ଯାହା ତୁମ୍ଭକୁ ଅଧିକାର କରିବାକୁ ଦିଅନ୍ତି, ତାହା କି ତୁମ୍ଭେ ଅଧିକାର କରିବ ନାହିଁ ? ସେରୂପେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯେଉଁମାନଙ୍କୁ ଆମ୍ଭମାନଙ୍କ ସମ୍ମୁଖରୁ ଅଧିକାରଚ୍ୟୁତ କରିଅଛନ୍ତି, ସେମାନଙ୍କୁ ଆମ୍ଭେମାନେ ଅଧିକାର କରିବୁ।
25କୁହ ଦେଖି, ତୁମ୍ଭେ କି ମୋୟାବ ରାଜା ସିପ୍ପୋରର ପୁତ୍ର ବାଲାକ୍‍ଠାରୁ କିଛି ଅଧିକ ? ସେ କି ଇସ୍ରାଏଲ ସଙ୍ଗେ କେବେ ବିବାଦ କରିଥିଲେ ? ଅବା ସେ କି କେବେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ ?
26ଇସ୍ରାଏଲ ତିନି ଶତ ବର୍ଷ ହେଲା ହିଷ୍‍ବୋନ ଓ ତହିଁ ଉପନଗରରେ, ପୁଣି ଅରୋୟର ଓ ତହିଁ ଉପନଗରରେ, ଆଉ ଅର୍ଣ୍ଣୋନ ତୀରସ୍ଥିତ ସମସ୍ତ ନଗରରେ ବାସ କରୁଅଛନ୍ତି; ଏଥିମଧ୍ୟରେ ତୁମ୍ଭେମାନେ କାହିଁକି ସେସବୁ ଫେରାଇ ନ ନେଲ ?
27ଏହେତୁ ମୁଁ ତୁମ୍ଭ ବିରୁଦ୍ଧରେ କୌଣସି ପାପ କରି ନାହିଁ, ମାତ୍ର ତୁମ୍ଭେ ମୋହର ବିରୁଦ୍ଧରେ ଯୁଦ୍ଧ କରିବାରେ ମୋ’ ପ୍ରତି ଅନ୍ୟାୟ କର୍ମ କରୁଅଛ; ସଦାପ୍ରଭୁ ଯେ ବିଚାରକର୍ତ୍ତା, ସେ ଆଜି ଇସ୍ରାଏଲ ସନ୍ତାନଗଣ ଓ ଅମ୍ମୋନ-ସନ୍ତାନଗଣ ମଧ୍ୟରେ ବିଚାରକର୍ତ୍ତା ହେଉନ୍ତୁ।
28ତଥାପି ଯିପ୍ତହଙ୍କ ପ୍ରେରିତ କଥା ଅମ୍ମୋନ ସନ୍ତାନଗଣର ରାଜା ଶୁଣିଲା ନାହିଁ।
29ତହିଁରେ ସଦାପ୍ରଭୁଙ୍କ ଆତ୍ମା ଯିପ୍ତହଙ୍କ ଉପରେ ଅଧିଷ୍ଠାନ କରନ୍ତେ, ସେ ଗିଲୀୟଦ ଓ ମନଃଶି ପ୍ରଦେଶ ଦେଇ ଗିଲୀୟଦସ୍ଥିତ ମିସ୍ପେକୁ ଗଲେ ଓ ଗିଲୀୟଦସ୍ଥିତ ମିସ୍ପେରୁ ଅମ୍ମୋନ-ସନ୍ତାନଗଣ ନିକଟକୁ ଗଲେ।
30ସେ ସମୟରେ ଯିପ୍ତହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ ମନାସି କହିଲେ, ଯେବେ ତୁମ୍ଭେ ଅମ୍ମୋନ ସନ୍ତାନମାନଙ୍କୁ ନିଃସନ୍ଦେହ ମୋହର ହସ୍ତରେ ସମର୍ପଣ କରିବ,
31ତେବେ ମୁଁ ଅମ୍ମୋନ-ସନ୍ତାନଗଣ ନିକଟରୁ କୁଶଳରେ ଫେରି ଆସିବା ବେଳେ ଯେ କେହି ମୋତେ ଭେଟିବା ପାଇଁ ମୋହର ଗୃହଦ୍ୱାରରୁ ବାହାରି ଆସିବ, ସେ ନିଶ୍ଚେ ସଦାପ୍ରଭୁଙ୍କର ହେବ ଓ ମୁଁ ତାହାକୁ ହୋମବଳି ରୂପେ ଉତ୍ସର୍ଗ କରିବି।
32ଏ ଉତ୍ତାରେ ଯିପ୍ତହ ଅମ୍ମୋନ-ସନ୍ତାନଗଣ ସହିତ ଯୁଦ୍ଧ କରିବାକୁ ପାର ହୋଇଗଲେ ଓ ସଦାପ୍ରଭୁ ସେମାନଙ୍କୁ ତାଙ୍କ ହସ୍ତରେ ସମର୍ପଣ କଲେ।
33ତହିଁରେ ସେ ଅରୋୟରଠାରୁ ମିନ୍ନୀତ ନିକଟ ପର୍ଯ୍ୟନ୍ତ କୋଡ଼ିଏ ନଗର ଓ ଅବେଲ୍‍-କରାମୀମ୍‍ ପର୍ଯ୍ୟନ୍ତ ଅତି ମହାସଂହାରରେ ସେମାନଙ୍କୁ ସଂହାର କଲେ। ଏରୂପେ ଅମ୍ମୋନ-ସନ୍ତାନଗଣ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରେ ପରାସ୍ତ ହେଲେ।
34ଏଥିଉତ୍ତାରେ ଯିପ୍ତହ ମିସ୍ପାରେ ଆପଣା ଗୃହକୁ ଆସିଲେ, ଆଉ ଦେଖ, ତାଙ୍କର କନ୍ୟା ତାଙ୍କୁ ଭେଟିବା ପାଇଁ ଦାରା ନେଇ ନୃତ୍ୟ କରୁ କରୁ ଆସିଲା; ସେ ତାଙ୍କର ଏକମାତ୍ର ସନ୍ତତି ଥିଲା; ତାହା ଛଡ଼ା ତାଙ୍କର ପୁତ୍ର କି କନ୍ୟା ନ ଥିଲା।
35ସେତେବେଳେ ସେ ଆପଣା କନ୍ୟାକୁ ଦେଖି ଆପଣା ବସ୍ତ୍ର ଚିରି କହିଲେ, “ହାୟ, ହାୟ, ଆମ୍ଭର କନ୍ୟେ ! ତୁମ୍ଭେ ମୋତେ ଘୋର ସନ୍ତାପରେ ପକାଇଲ, ତୁମ୍ଭେ ମୋହର ଦୁଃଖଦାୟୀମାନଙ୍କ ମଧ୍ୟରେ ଜଣେ ହେଲ; କାରଣ ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମୁଖ ଫିଟାଇଅଛି, ଆଉ ପଛକୁ ହଟି ନ ପାରେ।”
36ତହିଁରେ ସେ ତାଙ୍କୁ କହିଲା, “ହେ ଆମ୍ଭର ପିତଃ, ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମୁଖ ଫିଟାଇଅଛ; ତୁମ୍ଭ ମୁଖରୁ ଯାହା ନିର୍ଗତ ହୋଇଅଛି, ତଦନୁସାରେ ମୋ’ ପ୍ରତି କର; କାରଣ ସଦାପ୍ରଭୁ ତୁମ୍ଭ ନିମନ୍ତେ ତୁମ୍ଭ ଶତ୍ରୁ ଅମ୍ମୋନ-ସନ୍ତାନମାନଙ୍କଠାରୁ ପରିଶୋଧ ନେଇଅଛନ୍ତି।”
37ଆହୁରି ସେ ଆପଣା ପିତାକୁ କହିଲା, ମୋ’ ପାଇଁ ଏହି କଥା କରାଯାଉ; ମୋତେ ଦୁଇ ମାସ ଛାଡ଼ିଦିଅ, ତହିଁରେ ମୁଁ ଆପଣା ସଖୀମାନଙ୍କ ସଙ୍ଗରେ ପର୍ବତମୟ ସ୍ଥାନକୁ ଯାଇ ଆପଣା କୁମାରୀତ୍ୱ ବିଷୟରେ ବିଳାପ କରିବି।
38ତହୁଁ ସେ କହିଲେ, ଯାଅ। ଆଉ ସେ ଦୁଇ ମାସ ପାଇଁ ତାହାକୁ ବିଦାୟ କଲେ; ତହିଁରେ ସେ ଓ ତାହାର ସଖୀମାନେ ପର୍ବତମୟ ସ୍ଥାନକୁ ଯାଇ ତାହାର କୁମାରୀତ୍ୱ ବିଷୟରେ ବିଳାପ କଲେ।
39ପୁଣି, ଦୁଇ ମାସ ଶେଷରେ ସେ ଆପଣା ପିତା ନିକଟକୁ ଫେରି ଆସିଲା, ତହିଁରେ ପିତା ଆପଣା ମନାସିଲାର ମାନତ ଅନୁସାରେ ତାହା ପ୍ରତି କଲେ। ସେ ପୁରୁଷର ପରିଚୟ ପାଇ ନ ଥିଲା।
40ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲୀୟ କନ୍ୟାମାନେ ବର୍ଷକୁ ବର୍ଷ ଗିଲୀୟଦୀୟ ଯିପ୍ତହ-କନ୍ୟାର ଗୁଣ କୀର୍ତ୍ତନ କରିବାକୁ ବର୍ଷରେ ଚାରି ଦିନ ଯିବାର ରୀତି ଇସ୍ରାଏଲ ମଧ୍ୟରେ ଚଳିଲା।

Read ବିଚାରକର୍ତ୍ତା 11ବିଚାରକର୍ତ୍ତା 11
Compare ବିଚାରକର୍ତ୍ତା 11:21-40ବିଚାରକର୍ତ୍ତା 11:21-40