3ପରମେଶ୍ୱର ତୁମ୍ଭମାନଙ୍କ ହସ୍ତରେ ସିନା ମିଦୀୟନର ଓରେବ୍ ଓ ସେବ୍ ଦୁଇ ଅଧିପତିଙ୍କୁ ସମର୍ପଣ କଲେ, ମାତ୍ର ତୁମ୍ଭମାନଙ୍କ ତୁଲ୍ୟ ମୁଁ କେଉଁ କର୍ମ କରି ପାରିଲି ? ତେବେ ତାଙ୍କର ଏହି କଥା କହିବାରେ ତାଙ୍କ ପ୍ରତି ସେମାନଙ୍କର କ୍ରୋଧ ନିବୃତ୍ତ ହେଲା।
4ଏଉତ୍ତାରେ ଗିଦିୟୋନ୍ ଯର୍ଦ୍ଦନକୁ ଆସି ତାହା ପାର ହେଲେ; ସେ ଓ ତାଙ୍କ ସଙ୍ଗୀ ସେହି ତିନି ଶହ ଲୋକ କ୍ଳାନ୍ତ ହେଲେ ହେଁ ପଛେ ପଛେ ଗୋଡ଼ାଉଥାଆନ୍ତି।
5ପୁଣି ସେ ସୁକ୍କୋତର ଲୋକମାନଙ୍କୁ କହିଲେ, ମୁଁ ନିବେଦନ କରୁଅଛି, ଆମ୍ଭର ପଶ୍ଚାଦ୍ଗାମୀ ଲୋକମାନଙ୍କୁ ରୁଟି ଦିଅ; କାରଣ ସେମାନେ କ୍ଳାନ୍ତ ହୋଇଅଛନ୍ତି ଓ ମୁଁ ମିଦୀୟନର ରାଜା ସେବହ ଓ ସଲମୁନ୍ନର ପଛେ ପଛେ ଗୋଡ଼ାଉଅଛି।
6ତହିଁରେ ସୁକ୍କୋତର ଅଧିପତିମାନେ କହିଲେ, ସେବହ ଓ ସଲମୁନ୍ନର ହାତ ତୁମ୍ଭର ହସ୍ତଗତ ହେଲାଣି ଯେ, ଆମ୍ଭେମାନେ ତୁମ୍ଭ ସୈନ୍ୟଗଣକୁ ରୁଟି ଦେବୁ ?
7ତହିଁରେ ଗିଦିୟୋନ୍ କହିଲେ, ଏ ସକାଶୁ ସଦାପ୍ରଭୁ ସେବହ ଓ ସଲମୁନ୍ନକୁ ମୋ’ ହସ୍ତରେ ସମର୍ପଣ କଲେ, ମୁଁ ପ୍ରାନ୍ତରର କାନକୋଳି କଣ୍ଟକାଦି ଦ୍ୱାରା ତୁମ୍ଭମାନଙ୍କ ମାଂସ ଚିରିବି।
8ତହୁଁ ସେ ସେଠାରୁ ପନୂୟେଲକୁ ଉଠି ଯାଇ ସେଠାର ଲୋକମାନଙ୍କୁ ସେହିପରି କହିଲେ, ତହିଁରେ ସୁକ୍କୋତର ଲୋକମାନେ ଯେପରି ଉତ୍ତର କରିଥିଲେ, ପନୂୟେଲର ଲୋକମାନେ ମଧ୍ୟ ସେହିପରି ଉତ୍ତର ଦେଲେ।
9ତେବେ ସେ ପନୂୟେଲର ସେହି ଲୋକମାନଙ୍କୁ କହିଲେ, ମୁଁ କୁଶଳରେ ଫେରି ଆସିଲେ (ତୁମ୍ଭମାନଙ୍କ) ଏହି ଗଡ଼ ଭାଙ୍ଗି ପକାଇବି।
10ଏହି ସମୟରେ ସେବହ ଓ ସଲମୁନ୍ନ କର୍କୋରରେ ଥିଲେ ଓ ସେମାନଙ୍କର ସଙ୍ଗୀ ସୈନ୍ୟଦଳ ଊଣାଧିକ ପନ୍ଦର ହଜାର ଲୋକ ଥିଲେ; ପୂର୍ବଦେଶୀୟ ଲୋକମାନଙ୍କର ସମସ୍ତ ସୈନ୍ୟଦଳ ମଧ୍ୟରୁ ଏମାନେ କେବଳ ଅବଶିଷ୍ଟ ରହିଥିଲେ; କାରଣ ଖଡ୍ଗଧାରୀ ଏକଲକ୍ଷ କୋଡ଼ିଏ ହଜାର ଲୋକ ହତ ହୋଇଥିଲେ।
11ଏ ଉତ୍ତାରେ ଗିଦିୟୋନ୍ ନୋବହ ଓ ଯଗ୍ବିହର ପୂର୍ବଦିଗରେ ତମ୍ବୁ ନିବାସୀମାନଙ୍କ ପଥ ଦେଇ ଉଠି ଯାଇ ସେହି ସୈନ୍ୟଦଳକୁ ଆଘାତ କଲେ; ଯେହେତୁ ସେହି ସୈନ୍ୟଦଳ ନିର୍ଭୟରେ ଥିଲେ।
12ସେତେବେଳେ ସେବହ ଓ ସଲମୁନ୍ନ ପଳାୟନ କଲେ; ଏଣୁ ସେ ସେମାନଙ୍କର ପଛେ ପଛେ ଗୋଡ଼ାଇଲେ; ପୁଣି ମିଦୀୟନର ସେହି ଦୁଇ ରାଜା ସେବହ ଓ ସଲମୁନ୍ନକୁ ଧରି ସମସ୍ତ ସୈନ୍ୟଙ୍କୁ ଉଦ୍ବିଗ୍ନ କଲେ।
13ତହୁଁ ଯୋୟାଶ୍ର ପୁତ୍ର ଗିଦିୟୋନ୍ ହେରସର ଘାଟି ଦେଇ ଯୁଦ୍ଧରୁ ଫେରି ଆସିଲେ।
14ପୁଣି ସେ ସୁକ୍କୋତର ଲୋକମାନଙ୍କ ମଧ୍ୟରୁ ଜଣେ ଯୁବାକୁ ଧରି ପଚାରିଲେ; ତହିଁରେ ସେ ସୁକ୍କୋତର ଅଧିପତି ଓ ତହିଁର ପ୍ରାଚୀନମାନଙ୍କ ସତସ୍ତରି ଜଣର ନାମ ତାଙ୍କ ପାଇଁ ଲେଖାଇ ଦେଲା।