Text copied!
CopyCompare
ଓଡିଆ ବାଇବେଲ - ବିଚାରକର୍ତ୍ତା - ବିଚାରକର୍ତ୍ତା 19

ବିଚାରକର୍ତ୍ତା 19:2-20

Help us?
Click on verse(s) to share them!
2ପୁଣି ତାହାର ଉପପତ୍ନୀ ତାହା ବିରୁଦ୍ଧରେ କ୍ରୋଧ କରି ତାହା ନିକଟରୁ ବାହାରି ଯାଇ ବେଥଲିହିମ ଯିହୁଦାରେ ଆପଣା ପିତୃଗୃହରେ ଚାରି ମାସ କାଳ ରହିଲା।
3ଏଥିଉତ୍ତାରେ ତାହାର ଉପପତି ତାହାକୁ ପ୍ରୀତିବଚନ କହି ଫେରାଇ ଆଣିବାକୁ ଆପଣା ସଙ୍ଗେ ଏକ ଦାସ ଓ ଦୁଇ ଗର୍ଦ୍ଦଭ ନେଇ ତାହା ନିକଟକୁ ଗଲା; ତହିଁରେ ସେହି ସ୍ତ୍ରୀ ତାହାକୁ ଆପଣା ପିତୃଗୃହକୁ ଆଣିଲା; ତହିଁରେ ସେହି ଯୁବତୀର ପିତା ସେହି ବ୍ୟକ୍ତିକି ଦେଖି ତାହା ସହିତ ସାକ୍ଷାତ କରି ଆନନ୍ଦିତ ହେଲା।
4ଏହେତୁରୁ ଲେବୀୟ ଲୋକର ଶ୍ୱଶୁର ସେହି ଯୁବତୀର ପିତା ତାହାକୁ ଅଟକାଇଲା, ତହୁଁ ସେ ତାହା ସଙ୍ଗେ ତିନି ଦିନ ରହିଲା, ପୁଣି ସେମାନେ ଭୋଜନପାନ କରି ସେଠାରେ ରାତ୍ରି କ୍ଷେପଣ କଲେ।
5ପୁଣି ଚତୁର୍ଥ ଦିନ ସେମାନେ ଅତି ପ୍ରଭାତରେ ଉଠିଲେ ଓ ସେ ପ୍ରସ୍ଥାନ କରିବାକୁ ଉଦ୍ୟତ ହୁଅନ୍ତେ, ସେହି ଯୁବତୀର ପିତା ଆପଣା ଜୁଆଁଇକି କହିଲା, ମୁଠିଏ ଆହାର କରି ପ୍ରାଣ ତୃପ୍ତ କର; ତହିଁ ଉତ୍ତାରୁ ଆପଣା ବାଟରେ ଯିବ।
6ତହୁଁ ସେ ଦୁହେଁ ଏକତ୍ର ବସି ଭୋଜନପାନ କଲେ; ଏଥିରେ ସେହି ଯୁବତୀର ପିତା ସେହି ଲେବୀୟ ଲୋକକୁ କହିଲା, ଅନୁଗ୍ରହ କରି ଏହି ରାତ୍ରିଟି ରହି ଯାଅ, ଆପଣା ମନକୁ ଖୁସି କର।
7ତଥାପି ସେ ପ୍ରସ୍ଥାନ କରିବାକୁ ଉଠିଲା; ମାତ୍ର ତାହାର ଶ୍ୱଶୁର ତାହାକୁ ଅନୁରୋଧ କରନ୍ତେ, ସେ ପୁନର୍ବାର ରାତ୍ରି କ୍ଷେପଣ କଲା।
8ପୁଣି ସେ ପଞ୍ଚମ ଦିନ ଅତି ପ୍ରଭାତରେ ଉଠି ପ୍ରସ୍ଥାନ କରିବାକୁ ଉଦ୍ୟତ ହେଲା; ତହିଁରେ ଯୁବତୀର ପିତା କହିଲା, ଅନୁଗ୍ରହ କରି ଆପଣା ପ୍ରାଣ ତୃପ୍ତ କର, ତୁମ୍ଭେମାନେ ଅପରାହ୍ନ ପର୍ଯ୍ୟନ୍ତ ରୁହ; ଏଥିରେ ସେ ଦୁହେଁ ଭୋଜନ କଲେ।
9ଏଥିଉତ୍ତାରେ ସେ ଲେବୀୟ ପୁରୁଷ ଓ ତାହାର ଉପପତ୍ନୀ ଓ ଦାସ ପ୍ରସ୍ଥାନ କରିବାକୁ ଉଠନ୍ତେ, ତାହାର ଶ୍ୱଶୁର ସେହି ଯୁବତୀର ପିତା ତାହାକୁ କହିଲା, ଦେଖ, ଏବେ ତ ସନ୍ଧ୍ୟା ନିକଟ ହେଉଅଛି, ଅନୁଗ୍ରହ କରି ରାତ୍ରିଟି ରହି ଯାଅନ୍ତ ଦେଖ, ଦିନ ଗଡ଼ି ଯାଉଛି, ଏଠାରେ ମନ ଖୁସି କରିବା ପାଇଁ ରାତ୍ରିଟି କ୍ଷେପଣ କର; କାଲି ବଡ଼ି ସକାଳୁ ଉଠି ଆପଣା ବାଟରେ ଘରକୁ ଯିବ।
10ମାତ୍ର ସେ ଲୋକ ସେହି ରାତ୍ରି ରହିବାକୁ ଅସମ୍ମତ ହୋଇ ଉଠି ପ୍ରସ୍ଥାନ କଲା ଓ ଯିବୂଷ, ଅର୍ଥାତ୍‍, ଯିରୂଶାଲମ ନିକଟରେ ଉପସ୍ଥିତ ହେଲା; ପୁଣି ତାହା ସଙ୍ଗେ ସସଜ୍ଜ ଯୋଡ଼ିଏ ଗଧ ଓ ମଧ୍ୟ ତାହାର ଉପପତ୍ନୀ ଥିଲେ।
11ସେମାନେ ଯିବୂଷର ନିକଟବର୍ତ୍ତୀ ହେବା ବେଳକୁ ପ୍ରାୟ ଦିନ ଶେଷ ହୋଇଥିଲା; ଏଥିରେ ଦାସ ତାହାର ମୁନିବକୁ କହିଲା, ବିନୟ କରୁଅଛି, ଆସ, ଆମ୍ଭେମାନେ ଯିବୂଷୀୟମାନଙ୍କ ଏହି ନଗରକୁ ଯାଇ ସେଠାରେ ରାତ୍ରି କ୍ଷେପଣ କରୁ।
12ମାତ୍ର ତାହାର ମୁନିବ ତାହାକୁ କହିଲା, ଆମ୍ଭେମାନେ ବିଦେଶୀୟମାନଙ୍କ ନଗରକୁ ଯିବୁ ନାହିଁ, ତାହା ଇସ୍ରାଏଲ ସନ୍ତାନଗଣର ନୁହେଁ; ମାତ୍ର ଆମ୍ଭେମାନେ ଗିବୀୟା ଯାଏ ଯିବୁ।
13ପୁଣି ସେ ଆପଣା ଦାସକୁ କହିଲା, ଆସ, ଆମ୍ଭେମାନେ ଏହି ଦୁଇ ସ୍ଥାନରୁ କୌଣସି ଏକ ସ୍ଥାନକୁ ଯାଉ; ପୁଣି ଗିବୀୟା କି ରାମାରେ ରାତ୍ରି କାଟିବା।
14ତେଣୁ ସେମାନେ ଆପଣା ପଥରେ ଚାଲିଗଲେ; ପୁଣି ବିନ୍ୟାମୀନ୍‍ର ଅଧିକାରସ୍ଥ ଗିବୀୟାର ନିକଟବର୍ତ୍ତୀ ହେବା ବେଳେ ସୂର୍ଯ୍ୟ ଅସ୍ତ ହେଲା।
15ତହୁଁ ସେମାନେ ଗିବୀୟାରେ ରାତ୍ରି କାଟିବା ପାଇଁ ବାଟ ଛାଡ଼ି ଗଲେ; ପୁଣି ସେମାନେ ନଗର ଭିତରକୁ ଯାଇ ଦାଣ୍ଡରେ ବସିଲେ; କାରଣ ରାତ୍ରି କାଟିବା ପାଇଁ ସେମାନଙ୍କୁ ଆପଣା ଘରକୁ ନେବାକୁ କେହି ନ ଥିଲା।
16ସେତେବେଳେ ଦେଖ, ଜଣେ ବୃଦ୍ଧ ସନ୍ଧ୍ୟା କାଳେ ଆପଣା କ୍ଷେତ୍ରର କର୍ମରୁ ଆସୁଥିଲା; ସେ ଇଫ୍ରୟିମ ପର୍ବତମୟ ଦେଶର ଲୋକ ଓ ଗିବୀୟାରେ ପ୍ରବାସ କରୁଥିଲା; ମାତ୍ର ସେ ସ୍ଥାନର ଲୋକମାନେ ବିନ୍ୟାମୀନ୍ ବଂଶୀୟ ଥିଲେ।
17ପୁଣି ସେ ଲୋକ ଅନାଇ ନଗରର ଦାଣ୍ଡରେ ସେହି ପଥିକକୁ ଦେଖିଲା ଓ ସେହି ବୃଦ୍ଧ ଲୋକ ପଚାରିଲା, ତୁମ୍ଭେ କେଉଁଠାକୁ ଯାଉଅଛ ? ପୁଣି କେଉଁଠାରୁ ଆସିଅଛ ?
18ତହିଁରେ ସେ ତାହାକୁ କହିଲା, ଆମ୍ଭେମାନେ ବେଥଲିହିମ-ଯିହୁଦାରୁ ଇଫ୍ରୟିମ-ପର୍ବତମୟ ଦେଶର ଅନ୍ତଃପ୍ରଦେଶକୁ ଯାଉଅଛୁ; ଆମ୍ଭେ ସେହି ସ୍ଥାନର ଲୋକ ଓ ବେଥଲିହିମ ଯିହୁଦାକୁ ଯାଇଥିଲୁ; ଏବେ ମୁଁ ସଦାପ୍ରଭୁଙ୍କ ଗୃହକୁ ଯାଉଅଛି; ମାତ୍ର କେହି ମୋତେ ଆପଣା ଘରକୁ ନେବାକୁ ନାହିଁ।
19ତଥାପି ଆମ୍ଭ ପାଖରେ ଆମ୍ଭମାନଙ୍କ ଗଧ ପାଇଁ ପାଳକୁଟା ଓ ଦାନା, ଉଭୟ ଅଛି; ମଧ୍ୟ ମୋ’ ପାଇଁ ଓ ତୁମ୍ଭର ଏହି ଦାସୀ ପାଇଁ ଓ ତୁମ୍ଭ ଦାସ ସଙ୍ଗେ ଥିବା ଏହି ଯୁବା ପାଇଁ ରୁଟି ଓ ଦ୍ରାକ୍ଷାରସ ଅଛି; କୌଣସି ବିଷୟରେ କିଛି ଅଭାବ ନାହିଁ।
20ତହୁଁ ସେହି ବୃଦ୍ଧ ଲୋକ କହିଲା, ତୁମ୍ଭର ମଙ୍ଗଳ ହେଉ; ଯେ କୌଣସିମତେ ହେଉ, ତୁମ୍ଭର ସବୁ ଅଭାବର ଭାର ମୋହର ଉପରେ; କୌଣସିମତେ ଦାଣ୍ଡରେ ରୁହ ନାହିଁ।

Read ବିଚାରକର୍ତ୍ତା 19ବିଚାରକର୍ତ୍ତା 19
Compare ବିଚାରକର୍ତ୍ତା 19:2-20ବିଚାରକର୍ତ୍ତା 19:2-20