Text copied!
CopyCompare
ଓଡିଆ ବାଇବେଲ - ବିଚାରକର୍ତ୍ତା - ବିଚାରକର୍ତ୍ତା 16

ବିଚାରକର୍ତ୍ତା 16:2-12

Help us?
Click on verse(s) to share them!
2ତହିଁରେ ଶାମ୍‍ଶୋନ୍‍ ଏହି ସ୍ଥାନକୁ ଆସିଅଛି, ଏହି କଥା ଘସାତୀୟ ଲୋକମାନଙ୍କୁ କୁହାଗଲା। ତହୁଁ ସେମାନେ ତାହାକୁ ଘେରି ସମସ୍ତ ରାତ୍ରି ତାହା ପାଇଁ ନଗର ଦ୍ୱାରରେ ଛକି ବସିଲେ, ପୁଣି ସାରାରାତ୍ରି ତୁନି ରହି କହିଲେ, ସକାଳେ ଆଲୁଅ ହେଲେ ଆମ୍ଭେମାନେ ତାହାକୁ ବଧ କରିବୁ।
3ମାତ୍ର ଶାମ୍‍ଶୋନ୍‍ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଶୟନ କରି ଅର୍ଦ୍ଧରାତ୍ରିରେ ଉଠି ନଗର ଦ୍ୱାରର କବାଟ ଓ ଦୁଇ ବାଜୁବନ୍ଧ ଧରି ଅର୍ଗଳ ସମେତ ଉପାଡ଼ି ପକାଇଲା, ଆଉ ତାହା କାନ୍ଧରେ ଥୋଇ ହିବ୍ରୋଣ ସମ୍ମୁଖସ୍ଥ ପର୍ବତ-ଶୃଙ୍ଗକୁ ଘେନି ଗଲା।
4ଏ ଉତ୍ତାରେ ସେ ସୋରେକ୍‍ ଉପତ୍ୟକାରେ ଏକ ସ୍ତ୍ରୀକୁ ପ୍ରେମ କଲା, ତାହାର ନାମ ଦଲୀଲା।
5ତହିଁରେ ପଲେଷ୍ଟୀୟ ଅଧିପତିମାନେ ସେହି ସ୍ତ୍ରୀ ନିକଟକୁ ଆସି ତାହାକୁ କହିଲେ, କାହିଁରେ ତାହାର ଏହି ମହାବଳ ଥାଏ ଓ କି ଉପାୟରେ ଆମ୍ଭେମାନେ ତାହାକୁ ପରାସ୍ତ କରି ତାହାକୁ କ୍ଲେଶ ଦେବା ପାଇଁ ବାନ୍ଧି ପାରିବୁ, ଏହା ଜାଣିବା ପାଇଁ ତୁମ୍ଭେ ତାହାକୁ ମଣାଅ; ତାହା କଲେ, ଆମ୍ଭେମାନେ ପ୍ରତ୍ୟେକ ଜଣ ତୁମ୍ଭକୁ ଏଗାର ଶହ ଲେଖାଏଁ ରୌପ୍ୟମୁଦ୍ରା ଦେବୁ।
6ତହୁଁ ଦଲୀଲା ଶାମ୍‍ଶୋନ୍‍କୁ କହିଲା, ବିନୟ କରୁଅଛି, କାହିଁରେ ତୁମ୍ଭର ମହାବଳ ଥାଏ ଓ ତୁମ୍ଭର କ୍ଳେଶାର୍ଥେ ତୁମ୍ଭେ କାହିଁରେ ବନ୍ଧା ଯାଇପାର, ଏହା ମୋତେ କୁହ ?
7ତହିଁରେ ଶାମ୍‍ଶୋନ୍‍ ତାହାକୁ କହିଲା, ଯାହା କେବେ ଶୁଷ୍କ ହୋଇ ନାହିଁ, ଏପରି ସାତୁଟା କଞ୍ଚା ତନ୍ତରେ ଯେବେ ସେମାନେ ମୋତେ ବାନ୍ଧିବେ, ତେବେ ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକ ପରି ହୋଇଯିବି।
8ତହୁଁ ପଲେଷ୍ଟୀୟ ଅଧିପତିମାନେ ଅଶୁଷ୍କ ସାତୁଟା କଞ୍ଚା ତନ୍ତ ଆଣି ସେହି ସ୍ତ୍ରୀକୁ ଦେଲେ; ତେଣୁ ସେ ତାହାକୁ ତହିଁରେ ବାନ୍ଧିଲା।
9ସେ ସମୟରେ ତାହାର ଅନ୍ତଃପୁରରେ ଲୋକମାନେ ଛକି ବସିଲେ। ଏଥିରେ ସେ ତାହାକୁ କହିଲା, ଶାମ୍‍ଶୋନ୍‍, ପଲେଷ୍ଟୀୟମାନେ ତୁମ୍ଭକୁ ଧରିଲେ। ତହିଁରେ ଅଗ୍ନି ବାସନା ବାଜିଲେ ଯେପରି ଛଣପଟ ସୁତୁଲି ଛିଣ୍ଡିଯାଏ, ସେପରି ସେ ସବୁ ତନ୍ତ ଛିଣ୍ଡାଇ ପକାଇଲା। ଏହିରୂପେ ତାହାର ବଳର ରହସ୍ୟ ଜଣାଗଲା ନାହିଁ।
10ଏଥିଉତ୍ତାରେ ଦଲୀଲା ଶାମ୍‍ଶୋନ୍‍କୁ କହିଲା, ତୁମ୍ଭେ ମୋତେ ଉପହାସ କଲ ଓ ତୁମ୍ଭେ ମୋତେ ମିଥ୍ୟା କହିଲ; ଏବେ ତୁମ୍ଭେ କାହିଁରେ ବନ୍ଧା ଯାଇପାର, ତାହା ମୋତେ କୁହ ?
11ତହିଁରେ ସେ ତାହାକୁ କହିଲା, ଯେଉଁ ରଜ୍ଜୁରେ କୌଣସି କର୍ମ କରାଯାଇ ନାହିଁ, ଏପରି ନୂତନ ରଜ୍ଜୁରେ ମୋତେ ବାନ୍ଧିଲେ, ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକର ସମାନ ହୋଇଯିବି।
12ତହୁଁ ଦଲୀଲା ନୂତନ ରଜ୍ଜୁ ନେଇ ତାହାକୁ ବାନ୍ଧି କହିଲା, ଶାମ୍‍ଶୋନ୍‍ ପଲେଷ୍ଟୀୟମାନେ ତୁମ୍ଭକୁ ଧରିଲେ। ସେ ସମୟରେ ଛକିଥିବା ଲୋକମାନେ ଅନ୍ତଃପୁରରେ ଥିଲେ। ଏଥିରେ ସେ ଖଣ୍ଡେ ସୂତା ପରି ଆପଣା ବାହୁ ଉପରୁ ତାହା ଛିଣ୍ଡାଇ ପକାଇଲା।

Read ବିଚାରକର୍ତ୍ତା 16ବିଚାରକର୍ତ୍ତା 16
Compare ବିଚାରକର୍ତ୍ତା 16:2-12ବିଚାରକର୍ତ୍ତା 16:2-12