Text copied!
CopyCompare
ଓଡିଆ ବାଇବେଲ - ଯିହୋଶୂୟ - ଯିହୋଶୂୟ 8

ଯିହୋଶୂୟ 8:6-21

Help us?
Click on verse(s) to share them!
6ତହୁଁ ସେମାନେ ଆମ୍ଭମାନଙ୍କ ପଛେ ପଛେ ଆସିଲେ, ଆମ୍ଭେମାନେ ସେମାନଙ୍କୁ ନଗରରୁ କ୍ରମେ କ୍ରମେ ଦୂରକୁ ଆକର୍ଷଣ କରି ଆଣିବୁ; କାରଣ ସେମାନେ କହିବେ, ଏମାନେ ପୂର୍ବ ପରି ଆମ୍ଭମାନଙ୍କ ଆଗରୁ ପଳାଉଅଛନ୍ତି; ଏହିରୂପେ ଆମ୍ଭେମାନେ ସେମାନଙ୍କ ସମ୍ମୁଖରୁ ପଳାଇବୁ;
7ତହୁଁ ତୁମ୍ଭେମାନେ ଗୋପନ-ସ୍ଥାନରୁ ଉଠି ନଗର ଅଧିକାର କରିବ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତାହା ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବେ।
8ତୁମ୍ଭେମାନେ ନଗର ଆକ୍ରମଣ କଲାକ୍ଷଣେ ନଗରରେ ଅଗ୍ନି ଲଗାଇବ; ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟାନୁସାରେ କର୍ମ କରିବ; ଦେଖ, ଏହା ମୁଁ ତୁମ୍ଭମାନଙ୍କୁ ଆଜ୍ଞା କଲି।
9ଏରୂପେ ଯିହୋଶୂୟ ସେମାନଙ୍କୁ ପ୍ରେରଣ କଲେ; ଆଉ ସେମାନେ ଯାଇ ଅୟର ପଶ୍ଚିମରେ ବେଥେଲ୍‍ ଓ ଅୟର ମଧ୍ୟସ୍ଥାନରେ ଗୋପନରେ ରହିଲେ; ମାତ୍ର ଯିହୋଶୂୟ ଲୋକମାନଙ୍କ ମଧ୍ୟରେ ସେ ରାତ୍ର ରହିଲେ।
10ଏଥିଉତ୍ତାରେ ଯିହୋଶୂୟ ଅତି ପ୍ରଭାତରେ ଉଠି ଲୋକମାନଙ୍କୁ ଗଣନା କଲେ, ତହିଁ ଉତ୍ତାରେ ସେ ଓ ଇସ୍ରାଏଲର ପ୍ରାଚୀନବର୍ଗ ଲୋକମାନଙ୍କ ଆଗେ ଆଗେ ଅୟକୁ ଯାତ୍ରା କଲେ।
11ପୁଣି ତାଙ୍କର ସଙ୍ଗୀ ସମସ୍ତ ସୈନ୍ୟ ଯାଇ ନିକଟବର୍ତ୍ତୀ ହୋଇ ନଗର ସମ୍ମୁଖରେ ଉପସ୍ଥିତ ହେଲେ ଓ ଅୟର ଉତ୍ତର ଦିଗରେ ଛାଉଣି ସ୍ଥାପନ କଲେ; ସେମାନଙ୍କର ଓ ଅୟର ମଧ୍ୟରେ ଏକ ଉପତ୍ୟକା ଥିଲା।
12ପୁଣି ସେ ନ୍ୟୂନାଧିକ ପାଞ୍ଚ ହଜାର ଲୋକ ନେଇ ନଗରର ପଶ୍ଚିମ ଦିଗରେ ବେଥେଲ୍‍ ଓ ଅୟର ମଧ୍ୟସ୍ଥାନରେ ଗୋପନରେ ରଖିଲେ।
13ଏହିରୂପେ ସେମାନେ ନଗରର ଉତ୍ତର ଦିଗସ୍ଥ ସମସ୍ତ ଛାଉଣିକୁ ଓ ନଗରର ପଶ୍ଚିମ ଦିଗସ୍ଥ ଆପଣାମାନଙ୍କ ଗୁପ୍ତ ଦଳକୁ ରଖିଲେ; ପୁଣି ଯିହୋଶୂୟ ସେହି ରାତ୍ରି ତଳଭୂମି ମଧ୍ୟକୁ ଗମନ କଲେ।
14ସେତେବେଳେ ଅୟର ରାଜା ତାହା ଦେଖନ୍ତେ, ସେ ଓ ତାଙ୍କର ସମସ୍ତ ଲୋକ ପ୍ରଭାତରେ ଶୀଘ୍ର ଉଠିଲେ ଓ ନଗରସ୍ଥ ଲୋକମାନେ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ବାହାରି ନିରୂପିତ ସମୟରେ ପଦାଭୂମି ସମ୍ମୁଖରେ ଉପସ୍ଥିତ ହେଲେ; ମାତ୍ର ତାଙ୍କ ବିରୁଦ୍ଧରେ ଏକ ଦଳ ସୈନ୍ୟ ନଗର ପଛେ ଗୋପନରେ ଅଛନ୍ତି ବୋଲି ସେ ଜାଣି ନ ଥିଲେ।
15ଏଉତ୍ତାରେ ଯିହୋଶୂୟ ଓ ସମଗ୍ର ଇସ୍ରାଏଲ ସେମାନଙ୍କ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ହେଲା ପରି ଦେଖାଇ ପ୍ରାନ୍ତର ପଥ ଦେଇ ପଳାୟନ କଲେ।
16ତହିଁରେ ନଗରସ୍ଥିତ ସମସ୍ତ ଲୋକ ସେମାନଙ୍କ ପଛେ ପଛେ ଗୋଡ଼ାଇବା ପାଇଁ ଏକତ୍ର ଡକାଗଲେ; ପୁଣି ସେମାନେ ଯିହୋଶୂୟଙ୍କର ପଛେ ପଛେ ଗୋଡ଼ାଉ ଗୋଡ଼ାଉ ନଗରରୁ ଦୂରକୁ ଆକର୍ଷିତ ହେଲେ।
17ପୁଣି ଇସ୍ରାଏଲର ପଛରେ ଯେ ନ ଗଲା, ଏପରି ଜଣେ ହେଲେ ଅୟ କି ବେଥେଲ୍‍ରେ ଅବଶିଷ୍ଟ ନ ଥିଲା; ସମସ୍ତେ ନଗର ମୁକ୍ତ କରି ଇସ୍ରାଏଲ ପଛେ ପଛେ ଗୋଡ଼ାଇଲେ।
18ସେତେବେଳେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, ତୁମ୍ଭେ ଆପଣା ହସ୍ତସ୍ଥିତ ବର୍ଚ୍ଛା ଅୟ ନଗର ଆଡ଼େ ବିସ୍ତାର କର; କାରଣ ଆମ୍ଭେ ତାହା ତୁମ୍ଭ ହସ୍ତଗତ କରିବା। ତହିଁରେ ଯିହୋଶୂୟ ଆପଣା ହସ୍ତସ୍ଥିତ ବର୍ଚ୍ଛା ନଗର ଆଡ଼େ ବିସ୍ତାର କଲେ।
19ସେ ହସ୍ତ ବିସ୍ତାର କରିବା ମାତ୍ରେ ଗୋପନରେ ଥିବା ସୈନ୍ୟଦଳ ଶୀଘ୍ର ଆପଣା ଆପଣା ସ୍ଥାନରୁ ଉଠି ଦୌଡ଼ିଯାଇ ନଗରରେ ପ୍ରବେଶ କରି ତାହା ହସ୍ତଗତ କଲେ ଓ ଶୀଘ୍ର ନଗରରେ ଅଗ୍ନି ଲଗାଇଲେ।
20ଏ ଉତ୍ତାରେ ଅୟର ଲୋକମାନେ ଆପଣା ପଛକୁ ଅନାଇ ଦେଖିଲେ, ଆଉ ଦେଖ, ନଗରର ଧୂମ ଆକାଶକୁ ଉଠୁଅଛି, ମାତ୍ର ଏଆଡ଼େ କି ସେଆଡ଼େ ପଳାଇବାକୁ ସେମାନଙ୍କର ବଳ ନ ଥିଲା; ଆଉ ଯେଉଁମାନେ ପ୍ରାନ୍ତରକୁ ପଳାଉଥିଲେ, ସେମାନେ ଫେରି ଗୋଡ଼ାଇବା ଲୋକମାନଙ୍କୁ ଆକ୍ରମଣ କଲେ।
21ପୁଣି ଗୋପନରେ ଥିବା ସୈନ୍ୟଦଳ ନଗର ହସ୍ତଗତ କରିଅଛନ୍ତି ଓ ନଗରର ଧୂମ ଉଠୁଅଛି, ଏହା ଦେଖି ଯିହୋଶୂୟ ଓ ସମସ୍ତ ଇସ୍ରାଏଲ ଫେରି ଅୟର ଲୋକମାନଙ୍କୁ ବଧ କଲେ।

Read ଯିହୋଶୂୟ 8ଯିହୋଶୂୟ 8
Compare ଯିହୋଶୂୟ 8:6-21ଯିହୋଶୂୟ 8:6-21