Text copied!
CopyCompare
ଓଡିଆ ବାଇବେଲ - ବିଚାରକର୍ତ୍ତା - ବିଚାରକର୍ତ୍ତା 5

ବିଚାରକର୍ତ୍ତା 5:4-23

Help us?
Click on verse(s) to share them!
4ହେ ସଦାପ୍ରଭୁ, ତୁମ୍ଭେ ସେୟୀରରୁ ବାହାରିବା ବେଳେ, ତୁମ୍ଭେ ଇଦୋମ କ୍ଷେତ୍ରରୁ ଯାତ୍ରା କରିବା ବେଳେ ପୃଥିବୀ କମ୍ପିଲା, ଆକାଶ ମଧ୍ୟ ବିନ୍ଦୁପାତ କଲା, ହଁ, ମେଘମାଳା ଜଳପାତ କଲା।
5ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତମାନ କମ୍ପମାନ୍‍ ହେଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସମ୍ମୁଖରେ ସୀନୟ ମଧ୍ୟ (କମ୍ପମାନ୍‍ ହେଲା)
6ଅନାତ-ପୁତ୍ର ଶମ୍‍ଗର ସମୟରେ, ଯାୟେଲ ସମୟରେ ରାଜପଥସକଳ ଶୂନ୍ୟ ଥିଲା ଓ ପଥିକମାନେ ବକ୍ର ଉପପଥ ଦେଇ ଗମନ କଲେ।
7ଇସ୍ରାଏଲ ମଧ୍ୟରେ ଶାସନକର୍ତ୍ତୃଗଣ ଶୂନ୍ୟ ଥିଲେ, ମୁଁ ଦବୋରା ଉତ୍ପନ୍ନ ହେବା ପର୍ଯ୍ୟନ୍ତ, ମୁଁ ଇସ୍ରାଏଲ ମଧ୍ୟରେ ମାତୃତୁଲ୍ୟ ଉତ୍ପନ୍ନ ହେବା ପର୍ଯ୍ୟନ୍ତ ସେମାନେ ଶୂନ୍ୟ ଥିଲେ।
8ସେମାନେ ନୂତନ ଦେବତାମାନଙ୍କୁ ମନୋନୀତ କଲେ, ତେଣୁ ନଗରଦ୍ୱାର ସବୁରେ ଯୁଦ୍ଧ ହେଲା; ଇସ୍ରାଏଲ ମଧ୍ୟରେ, ଚାଳିଶ ସହସ୍ର ଲୋକଙ୍କ ମଧ୍ୟରେ କି ଗୋଟିଏ ଢାଲ ଅବା ବର୍ଚ୍ଛା ଦେଖାଗଲା ?
9ମୋହର ହୃଦୟ ଇସ୍ରାଏଲର ଶାସନକର୍ତ୍ତାମାନଙ୍କ ଆଡେ ଅଛି, ଯେଉଁମାନେ ସ୍ୱେଚ୍ଛାରେ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କୁ ଉତ୍ସର୍ଗ କଲେ। ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।
10ହେ ଶ୍ୱେତ ଗର୍ଦ୍ଦଭୀ-ଆରୋହୀମାନେ, ହେ ଗାଲିଚାରେ ବସିବା ଲୋକମାନେ ଓ ପଥରେ ଗମନକାରୀମାନେ, ତୁମ୍ଭେମାନେ ଗାନ କର।
11ଧନୁର୍ଦ୍ଧରମାନଙ୍କ ଶବ୍ଦରୁ ଦୂରରେ, ଜଳକଢ଼ା ସ୍ଥଳମାନରେ, ଲୋକମାନେ ସଦାପ୍ରଭୁଙ୍କ ଧର୍ମକ୍ରିୟା ଓ ଇସ୍ରାଏଲ ମଧ୍ୟରେ ତାହାଙ୍କ ଶାସନ ସମ୍ବନ୍ଧୀୟ ଧର୍ମକ୍ରିୟା ସଂକୀର୍ତ୍ତନ କରିବେ। ସେ ସମୟରେ ସଦାପ୍ରଭୁଙ୍କ ଲୋକମାନେ ନଗରଦ୍ୱାରରୁ ଓହ୍ଲାଇ ଆସିଲେ।
12ହେ ଦବୋରେ, ଜାଗ, ଜାଗ; ଜାଗ, ଜାଗ, ଗୀତ ଗାନ କର; ହେ ବାରକ୍‍, ଉଠ; ହେ ଅବୀନୋୟମର ପୁତ୍ର, ଆପଣା ବନ୍ଦୀଗଣକୁ ବନ୍ଦୀସ୍ଥାନକୁ ନେଇଯାଅ।
13ତହୁଁ ପ୍ରଧାନମାନଙ୍କ ମଧ୍ୟରୁ ଅବଶିଷ୍ଟ ଥୋକାଏ ଓ ଲୋକମାନେ ଓହ୍ଲାଇ ଆସିଲେ, ସଦାପ୍ରଭୁ ଆମ୍ଭର ସପକ୍ଷ ହୋଇ ସେହି ବୀରମାନଙ୍କ ବିରୁଦ୍ଧରେ ଓହ୍ଲାଇ ଆସିଲେ।
14ଅମାଲେକ (ଦେଶ)ରେ ଯେଉଁମାନଙ୍କର ମୂଳ ଥିଲା, ସେମାନେ ଇଫ୍ରୟିମରୁ ଆସିଲେ; ତୁମ୍ଭ ପଛେ ବିନ୍ୟାମୀନ୍ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଥିଲା; ମାଖୀରଠାରୁ ଶାସନକର୍ତ୍ତାମାନେ ଓ ସବୂଲୂନଠାରୁ ସୈନ୍ୟଗଣନାକାରୀ ଦଣ୍ଡଧରମାନେ ଓହ୍ଲାଇ ଆସିଲେ।
15ପୁଣି ଇଷାଖରର ଅଧିପତିମାନେ ଦବୋରା ସଙ୍ଗେ ଥିଲେ; ଯେପରି ଇଷାଖର, ସେପରି ବାରକ୍‍ ଥିଲା; ସେମାନେ ତଳଭୂମିରେ ତାହାର ଗୋଡ଼େ ଗୋଡ଼େ ମାଡ଼ିଗଲେ। ରୁବେନ୍‍ ସ୍ରୋତସମୂହ ନିକଟରେ ଗୁରୁତର ମନୋଭାବନା ହେଲା।
16ତୁମ୍ଭେ କାହିଁକି ମେଷଶାଳା ମଧ୍ୟରେ ବସିଲ, କି ମେଷ ପଲ ନିକଟରେ ବଂଶୀନାଦ ଶୁଣିବାକୁ ? ରୁବେନ୍‍ର ସ୍ରୋତସମୂହ ନିକଟରେ ଗୁରୁତର ମନୋଭାବନା ହେଲା।
17ଗିଲୀୟଦ ଯର୍ଦ୍ଦନ ସେପାରିରେ ବାସ କଲା, ଆଉ ଦାନ୍ କାହିଁକି ଜାହାଜରେ ରହିଲା ? ଆଶେର ସମୁଦ୍ରତୀରରେ ବସି ରହିଲା ଓ ଆପଣା ବନ୍ଦର ନିକଟରେ ବାସ କଲା।
18ସବୂଲୂନ ମରଣ ପର୍ଯ୍ୟନ୍ତ ପ୍ରାଣପଣକାରୀ ଲୋକ ହେଲା। ଆଉ ନପ୍ତାଲି (ଯୁଦ୍ଧ) କ୍ଷେତ୍ରର ଉଚ୍ଚସ୍ଥାନ ଉପରେ (ପ୍ରାଣପଣ କଲା)।
19ରାଜାମାନେ ଆସି ଯୁଦ୍ଧ କଲେ; ତହୁଁ କିଣାନର ରାଜାଗଣ ମଗିଦ୍ଦୋର ଜଳତୀରସ୍ଥ ତାନକରେ ଯୁଦ୍ଧ କଲେ, ସେମାନେ କିଛି ରୂପା ଲାଭ କଲେ ନାହିଁ।
20ତାରାଗଣ ଆକାଶରୁ ଯୁଦ୍ଧ କଲେ, ସେମାନେ ଆପଣା ଆପଣା ପଥରେ ସୀଷରା ବିରୁଦ୍ଧରେ ଯୁଦ୍ଧ କଲେ।
21କିଶୋନ୍‍-ନଦୀ, ସେ ପୁରାତନ ନଦୀ, ସେହି କୀଶୋନ୍‍-ନଦୀ ସୀଷରାକୁ ଓ ତାହାର ରଥ ଓ ଜନତାକୁ ଭସାଇ ନେଲା। ହେ ମୋହର ପ୍ରାଣ, ତୁମ୍ଭେ ବଳରେ ଅଗ୍ରସର ହୁଅ।
22ସେତେବେଳେ ଅଶ୍ୱମାନଙ୍କ ଖୁରା ଭୂମି ମନ୍ଥି ପକାଇଲା, ଯେହେତୁ ସେମାନେ କୁଦା ମାରିଲେ, ସେମାନଙ୍କ ବଳିଷ୍ଠମାନେ କୁଦା ମାରିଲେ।
23ସଦାପ୍ରଭୁଙ୍କ ଦୂତ କହିଲେ, ତୁମ୍ଭେମାନେ ମେରୋସକୁ ଶାପ ଦିଅ, ତୁମ୍ଭେମାନେ ତହିଁ ନିବାସୀମାନଙ୍କୁ ଦାରୁଣ ଶାପ ଦିଅ; କାରଣ ସେମାନେ ସଦାପ୍ରଭୁଙ୍କ ସାହାଯ୍ୟକୁ, ବୀରମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ ସାହାଯ୍ୟକୁ ଆସିଲେ ନାହିଁ।

Read ବିଚାରକର୍ତ୍ତା 5ବିଚାରକର୍ତ୍ତା 5
Compare ବିଚାରକର୍ତ୍ତା 5:4-23ବିଚାରକର୍ତ୍ତା 5:4-23