Text copied!
CopyCompare
ଓଡିଆ ବାଇବେଲ - ପ୍ରଥମ ରାଜାବଳୀ - ପ୍ରଥମ ରାଜାବଳୀ 8

ପ୍ରଥମ ରାଜାବଳୀ 8:1-46

Help us?
Click on verse(s) to share them!
1ଏଥିଉତ୍ତାରେ ଶଲୋମନ ଦାଉଦ-ନଗର ସିୟୋନରୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିବା ପାଇଁ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଓ ବଂଶ ସମୂହର ପ୍ରଧାନବର୍ଗଙ୍କୁ, ଅର୍ଥାତ୍‍, ଇସ୍ରାଏଲ-ସନ୍ତାନଗଣଙ୍କର ପିତୃଗୃହାଧିପତି ସମସ୍ତଙ୍କୁ ଯିରୂଶାଲମରେ ଶଲୋମନ ରାଜାଙ୍କ ନିକଟରେ ଏକତ୍ର କଲେ।
2ତହିଁରେ ଏଥାନୀମ ନାମକ ସପ୍ତମ ମାସରେ ପର୍ବ ସମୟରେ ସମସ୍ତ ଇସ୍ରାଏଲ ଲୋକ ଶଲୋମନ ରାଜାଙ୍କ ନିକଟରେ ଏକତ୍ର ହେଲେ।
3ପୁଣି, ଇସ୍ରାଏଲର ପ୍ରାଚୀନ ସମସ୍ତେ ଉପସ୍ଥିତ ହୁଅନ୍ତେ, ଯାଜକମାନେ ସିନ୍ଦୁକ ଉଠାଇଲେ।
4ଆଉ ସେମାନେ ସଦାପ୍ରଭୁଙ୍କ ସିନ୍ଦୁକ ଓ ସମାଗମ-ତମ୍ବୁ ଓ ତମ୍ବୁରେ ଥିବା ସମସ୍ତ ପବିତ୍ର ପାତ୍ର ଆଣିଲେ; ଯାଜକ ଓ ଲେବୀୟମାନେ ଏହିସବୁ ଆଣିଲେ।
5ତହୁଁ ରାଜା ଶଲୋମନ ଓ ତାଙ୍କ ସହିତ ତାଙ୍କ ନିକଟରେ ଏକତ୍ରିତ ସମଗ୍ର ଇସ୍ରାଏଲ ମଣ୍ଡଳୀ ସିନ୍ଦୁକ ସମ୍ମୁଖରେ ମେଷ ଓ ଗୋରୁ ବଳିଦାନ କଲେ, ତାହା ବାହୁଲ୍ୟ ହେତୁ ଅସଂଖ୍ୟ ଓ ଅପରିମେୟ ଥିଲା।
6ଏଉତ୍ତାରେ ଯାଜକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ତାହାର ସ୍ୱସ୍ଥାନକୁ, ଅର୍ଥାତ୍‍, ଗୃହର ମହା ପବିତ୍ର ସ୍ଥାନ ମହାପବିତ୍ର ସ୍ଥାନସ୍ଥ କିରୂବମାନଙ୍କ ପକ୍ଷ ତଳକୁ ଆଣିଲେ।
7କାରଣ, କିରୂବମାନେ ସିନ୍ଦୁକର ସ୍ଥାନ ଉପରେ ଆପଣାମାନଙ୍କ ପକ୍ଷ ବିସ୍ତାର କରିଥିଲେ, ପୁଣି, କିରୂବମାନେ ସିନ୍ଦୁକ ଓ ତହିଁ ସାଙ୍ଗୀ ଉପର ଆଚ୍ଛାଦନ କରିଥିଲେ।
8ଆଉ ସେହି ସାଙ୍ଗୀ ଏତେ ଦୀର୍ଘ ଥିଲା ଯେ, ତହିଁର ଅଗ୍ରଭାଗ ମହା ପବିତ୍ର ସ୍ଥାନ ସମ୍ମୁଖସ୍ଥ ପବିତ୍ର ସ୍ଥାନରୁ ଦେଖାଗଲା; ମାତ୍ର ବାହାରେ ଦେଖାଗଲା ନାହିଁ। ଆଜି ପର୍ଯ୍ୟନ୍ତ ତାହା ସେଠାରେ ଅଛି।
9ଇସ୍ରାଏଲ ସନ୍ତାନଗଣ ମିସର ଦେଶରୁ ବାହାରି ଆସିବା ବେଳେ ଓ ସଦାପ୍ରଭୁ ସେମାନଙ୍କ ସହିତ ନିୟମ କଲା ବେଳେ ହୋରେବ ନିକଟରେ ମୋଶା ଯେଉଁ ଦୁଇ ପ୍ରସ୍ତର-ଫଳକ ସିନ୍ଦୁକ ମଧ୍ୟରେ ରଖିଥିଲେ, ତାହା ଛଡ଼ା ଆଉ କିଛି ତହିଁରେ ନ ଥିଲା।
10ଆଉ, ଯାଜକମାନେ ପବିତ୍ର ସ୍ଥାନ ମଧ୍ୟରୁ ବାହାରି ଆସିଲା ଉତ୍ତାରେ ସଦାପ୍ରଭୁଙ୍କ ଗୃହ ମେଘରେ ପରିପୂର୍ଣ୍ଣ ହେଲା;
11ତହିଁରେ ସେହି ମେଘ ସକାଶୁ ଯାଜକମାନେ ପରିଚର୍ଯ୍ୟା କରିବାକୁ ଠିଆ ହୋଇ ପାରିଲେ ନାହିଁ; କାରଣ, ସଦାପ୍ରଭୁଙ୍କ ଗୃହ ସଦାପ୍ରଭୁଙ୍କ ପ୍ରତାପରେ ପରିପୂର୍ଣ୍ଣ ହେଲା।
12ତହୁଁ ଶଲୋମନ କହିଲେ, “ସଦାପ୍ରଭୁ ନିବିଡ଼ ମେଘରେ ବାସ କରିବେ ବୋଲି କହିଅଛନ୍ତି।
13ମୁଁ ନିଶ୍ଚୟ ତୁମ୍ଭ ପାଇଁ ଏକ ବସତିଗୃହ, ତୁମ୍ଭର ଅନନ୍ତ କାଳ ବାସ ନିମନ୍ତେ ଏକ ସ୍ଥାନ ନିର୍ମାଣ କରିଅଛି।”
14ତହୁଁ ରାଜା ମୁଖ ଫେରାଇ ଇସ୍ରାଏଲର ସମଗ୍ର ସମାଜକୁ ଆଶୀର୍ବାଦ କଲେ; ପୁଣି, ଇସ୍ରାଏଲର ସମଗ୍ର ସମାଜ ଠିଆ ହେଲେ।
15ଆଉ ସେ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ, ଯେ ଆପଣା ମୁଖରେ ଆମ୍ଭ ପିତା ଦାଉଦଙ୍କୁ ଏହି କଥା କହିଥିଲେ ଓ ଆପଣା ହସ୍ତରେ ତାହା ସଫଳ କରିଅଛନ୍ତି, ଯଥା,
16ଆମ୍ଭେ ଆପଣା ଇସ୍ରାଏଲ-ଲୋକଙ୍କୁ ମିସରରୁ ବାହାର କରି ଆଣିବା ଦିନାବଧି ଆମ୍ଭ ନାମ ସ୍ଥାପନାର୍ଥେ ଗୃହ ନିର୍ମାଣ କରିବା ପାଇଁ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ କୌଣସି ନଗର ମନୋନୀତ କରି ନାହୁଁ; ମାତ୍ର ଆମ୍ଭେ ଆପଣା ଲୋକ ଇସ୍ରାଏଲର ଅଧ୍ୟକ୍ଷ ହେବା ପାଇଁ ଦାଉଦକୁ ମନୋନୀତ କଲୁ।”
17ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରିବାକୁ ମୋହର ପିତା ଦାଉଦଙ୍କର ସଂକଳ୍ପ ଥିଲା।
18ମାତ୍ର, ସଦାପ୍ରଭୁ ମୋ’ ପିତା ଦାଉଦଙ୍କୁ କହିଲେ, “ଆମ୍ଭ ନାମ ଉଦ୍ଦେଶ୍ୟରେ ଏକ ଗୃହ ନିର୍ମାଣ କରିବାକୁ ତୁମ୍ଭର ସଂକଳ୍ପ ଅଛି, ତୁମ୍ଭର ଏହି ସଂକଳ୍ପ କରିବା ଉତ୍ତମ;
19ତଥାପି ତୁମ୍ଭେ ସେହି ଗୃହ ନିର୍ମାଣ କରିବ ନାହିଁ; ମାତ୍ର, ତୁମ୍ଭ ଔରସଜାତ ତୁମ୍ଭ ପୁତ୍ର ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ।”
20ସଦାପ୍ରଭୁ ଆପଣାର ଉକ୍ତ ଏହି କଥା ସଫଳ କରିଅଛନ୍ତି; କାରଣ, ସଦାପ୍ରଭୁଙ୍କ ପ୍ରତିଜ୍ଞାନୁସାରେ ମୁଁ ଆପଣା ପିତା ଦାଉଦଙ୍କର ପଦରେ ଉତ୍ପନ୍ନ ଓ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହୋଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ସେହି ଗୃହ ନିର୍ମାଣ କଲି।
21ପୁଣି, ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିସର ଦେଶରୁ ବାହାର କରି ଆଣିବା ସମୟରେ ସେମାନଙ୍କ ସହିତ ଯେଉଁ ନିୟମ କରିଥିଲେ, ତାହାଙ୍କ ସେହି ନିୟମର ଆଧାର-ସିନ୍ଦୁକ ନିମନ୍ତେ ମୁଁ ତହିଁ ମଧ୍ୟରେ ଏକ ସ୍ଥାନ ନିରୂପଣ କରିଅଛି।
22ଏଥିଉତ୍ତାରେ ଶଲୋମନ ଇସ୍ରାଏଲର ସମଗ୍ର ସମାଜ ସାକ୍ଷାତରେ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଠିଆ ହେଲେ ଓ ସ୍ୱର୍ଗଆଡ଼େ ଆପଣା ହସ୍ତ ବିସ୍ତାର କରି କହିଲେ;
23“ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ଉପରିସ୍ଥ ସ୍ୱର୍ଗରେ କିଅବା ନୀଚସ୍ଥ ପୃଥିବୀରେ ତୁମ୍ଭ ତୁଲ୍ୟ ପରମେଶ୍ୱର କେହି ନାହିଁ; ତୁମ୍ଭର ଯେଉଁ ଦାସମାନେ ସର୍ବାନ୍ତଃକରଣ ସହିତ ତୁମ୍ଭ ସମ୍ମୁଖରେ ଗମନାଗମନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ନିୟମ ଓ ଦୟା ପାଳନ କରିଥାଅ;
24ତୁମ୍ଭେ ଆପଣା ଦାସ ମୋ’ ପିତା ଦାଉଦଙ୍କୁ ଯାହା ପ୍ରତିଜ୍ଞା କରିଥିଲ, ତାହା ପାଳନ କରିଅଛ; ହଁ, ତୁମ୍ଭେ ଆପଣା ମୁଖରେ କହିଥିଲ, ପୁଣି, ଆଜି ଆପଣା ହସ୍ତରେ ତାହା ସଫଳ କରିଅଛ।
25ତୁମ୍ଭେ ମୋ’ ପିତା ଆପଣା ଦାସ ଦାଉଦଙ୍କୁ କହିଥିଲ, ‘ତୁମ୍ଭେ ଆମ୍ଭ ସମ୍ମୁଖରେ ଯେପରି ଗମନାଗମନ କରିଅଛ, ସେହିପରି ତୁମ୍ଭର ସନ୍ତାନମାନେ ଯେବେ ଆମ୍ଭ ସମ୍ମୁଖରେ ଗମନାଗମନ କରିବାକୁ ଆପଣା ଆପଣା ପଥରେ କେବଳ ସାବଧାନ ହେବେ, ତେବେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବା ପାଇଁ ଆମ୍ଭ ଦୃଷ୍ଟିରେ ତୁମ୍ଭ ବଂଶରେ ଲୋକର ଅଭାବ ନୋହିବ; ଏହେତୁ ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଆପଣାର ଏହି ପ୍ରତିଜ୍ଞା ଏବେ ସଫଳ କର।’
26ଏହେତୁ ହେ ଇସ୍ରାଏଲର ପରମେଶ୍ୱର, ମୁଁ ବିନୟ କରୁଅଛି, ତୁମ୍ଭ ଦାସ ମୋ’ ପିତା ଦାଉଦଙ୍କ ପ୍ରତି ଯେଉଁ ବାକ୍ୟ କହିଅଛ, ତାହା ଦୃଢ଼ ହେଉ।
27ମାତ୍ର, ପରମେଶ୍ୱର କ’ଣ ପୃଥିବୀରେ ନିତାନ୍ତ ବାସ କରିବେ ? ଦେଖ, ସ୍ୱର୍ଗ ଓ ସ୍ୱର୍ଗର (ଉପରିସ୍ଥ) ସ୍ୱର୍ଗ ତୁମ୍ଭକୁ ଧାରଣ କରି ନ ପାରେ; ତେବେ ମୋ’ ନିର୍ମିତ ଏହି ଗୃହ କ’ଣ ପାରିବ ?
28ତଥାପି, ହେ ସଦାପ୍ରଭୁ, ମୋ’ ପରମେଶ୍ୱର, ତୁମ୍ଭ ଦାସ ଆଜି ତୁମ୍ଭ ନିକଟରେ ଯେଉଁ କାକୂକ୍ତି ଓ ପ୍ରାର୍ଥନା ନିବେଦନ କରୁଅଛି, ତାହା ଶୁଣିବା ପାଇଁ ତୁମ୍ଭେ ଆପଣା ଦାସର ପ୍ରାର୍ଥନା ଓ ବିନତିରେ ମନୋଯୋଗ କର;
29ପୁଣି, ଯେଉଁ ସ୍ଥାନ ବିଷୟରେ ତୁମ୍ଭେ କହିଅଛ, ‘ଏହିଠାରେ ଆମ୍ଭ ନାମ ରହିବ,’ ସେହି ସ୍ଥାନ, ଅର୍ଥାତ୍‍, ଏହି ଗୃହ ପ୍ରତି ତୁମ୍ଭର ଚକ୍ଷୁ ଦିବାରାତ୍ର ମୁକ୍ତ ଥାଉ; ଏହି ସ୍ଥାନ ଅଭିମୁଖରେ ତୁମ୍ଭ ଦାସ ଯାହା ପ୍ରାର୍ଥନା କରିବ, ତାହା ଶୁଣ।
30ପୁଣି, ଏହି ସ୍ଥାନ ଅଭିମୁଖରେ ତୁମ୍ଭ ଦାସ ଓ ତୁମ୍ଭ ଲୋକ ଇସ୍ରାଏଲ ପ୍ରାର୍ଥନା କଲେ, ତୁମ୍ଭେ ସେମାନଙ୍କ ବିନତିରେ ମନୋଯୋଗ କର; ହଁ, ତୁମ୍ଭେ ଆପଣା ନିବାସ-ସ୍ଥାନ ସ୍ୱର୍ଗରେ ଥାଇ ତାହା ଶୁଣ ଓ ଶୁଣି କ୍ଷମା କର।
31କେହି ଆପଣା ପ୍ରତିବାସୀ ବିରୁଦ୍ଧରେ ପାପ କଲେ ଯେବେ ତାହାକୁ ଶପଥ କରାଇବା ପାଇଁ କୌଣସି ଶପଥ; ନିରୂପିତ ହୁଏ ଓ ସେ ଆସି ଏହି ଗୃହସ୍ଥିତ ତୁମ୍ଭ ଯଜ୍ଞବେଦି ସମ୍ମୁଖରେ ଶପଥ କରେ,
32ତେବେ, ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣି ନିଷ୍ପତ୍ତି କର ଓ ଆପଣା ଦାସମାନଙ୍କର ବିଚାର କରି ଦୋଷୀର କର୍ମର ଫଳ ତାହାର ନିଜ ମସ୍ତକରେ ବର୍ତ୍ତାଇବା ପାଇଁ ତାହାକୁ ଦୋଷୀ କର; ପୁଣି, ଧାର୍ମିକକୁ ତାହାର ଧାର୍ମିକତା ପ୍ରମାଣେ ଫଳ ଦେବା ପାଇଁ ଧାର୍ମିକ କର।
33ତୁମ୍ଭ ଲୋକ ଇସ୍ରାଏଲ ତୁମ୍ଭ ବିରୁଦ୍ଧରେ ପାପ କରିବା ସକାଶୁ ଶତ୍ରୁ ସମ୍ମୁଖରେ ପରାସ୍ତ ହେଲେ ଯେବେ ସେମାନେ ତୁମ୍ଭ ପ୍ରତି ପୁନର୍ବାର ଫେରି ତୁମ୍ଭ ନାମ ସ୍ୱୀକାର କରନ୍ତି ଓ ଏହି ଗୃହରେ ତୁମ୍ଭ ନିକଟରେ ପ୍ରାର୍ଥନା ଓ ବିନତି କରନ୍ତି,
34ତେବେ, ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ ଓ ଆପଣା ଲୋକ ଇସ୍ରାଏଲର ପାପ କ୍ଷମା କର ଓ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛ, ସେଠାକୁ ପୁନର୍ବାର ସେମାନଙ୍କୁ ଆଣ।
35ସେମାନେ ତୁମ୍ଭ ବିରୁଦ୍ଧରେ ପାପ କରିବା ସକାଶୁ ଯେବେ ଆକାଶ ରୁଦ୍ଧ ହୋଇବୃଷ୍ଟି ନ ହୁଏ, ତେବେ, ତୁମ୍ଭେ ସେମାନଙ୍କୁ କ୍ଳେଶ ଦେବା ବେଳେ ଯେବେ ସେମାନେ ଏହି ସ୍ଥାନ ଅଭିମୁଖରେ ପ୍ରାର୍ଥନା କରନ୍ତି ଓ ତୁମ୍ଭ ନାମ ସ୍ୱୀକାର କରି ଆପଣା ଆପଣା ପାପରୁ ଫେରନ୍ତି,
36ତେବେ, ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ ଓ ସେମାନଙ୍କ ଗନ୍ତବ୍ୟ ସତ୍‍ପଥ ବିଷୟରେ ଶିକ୍ଷା ଦେଇ ଆପଣା ଦାସମାନଙ୍କର ଓ ଆପଣା ଲୋକ ଇସ୍ରାଏଲର ପାପ କ୍ଷମା କର; ପୁଣି, ତୁମ୍ଭ ଲୋକମାନଙ୍କର ଅଧିକାରାର୍ଥେ ଦତ୍ତ ତୁମ୍ଭ ଦେଶ ଉପରେ ବୃଷ୍ଟି କର।
37ଯେବେ ଦେଶରେ ଦୁର୍ଭିକ୍ଷ ହୁଏ, ଯେବେ ମହାମାରୀ ହୁଏ, ଯେବେ ଶସ୍ୟର କ୍ଷୟ କି ମ୍ଳାନି, ପଙ୍ଗପାଳ ବା କୀଟ ହୁଏ; ଯେବେ ସେମାନଙ୍କ ଶତ୍ରୁ ସେମାନଙ୍କ ଦେଶସ୍ଥ ନଗରସମୂହରେ ସେମାନଙ୍କୁ ଅବରୋଧ କରେ; କୌଣସି ମାରୀ ହୁଏ; କୌଣସି ରୋଗ ଘଟେ;
38ତେବେ, ଆପଣା ଆପଣା ମନଃପୀଡ଼ା ଜାଣି କୌଣସି ଲୋକ କିଅବା ତୁମ୍ଭର ସମଗ୍ର ଇସ୍ରାଏଲ ଲୋକ ଏହି ଗୃହ ଆଡ଼େ ହସ୍ତ ବିସ୍ତାର କରି କୌଣସି ପ୍ରାର୍ଥନା କି ବିନତି କଲେ;
39ତୁମ୍ଭେ ଆପଣା ନିବାସ-ସ୍ଥାନ ସ୍ୱର୍ଗରେ ଥାଇ ଶ୍ରବଣ କରି କ୍ଷମା କର ଓ ସିଦ୍ଧ କର, ଆଉ ପ୍ରତ୍ୟେକ ମନୁଷ୍ୟର ଅନ୍ତଃକରଣ ଜାଣି ତାହାର ସକଳ ଗତି ଅନୁସାରେ ପ୍ରତିଫଳ ଦିଅ; କାରଣ ତୁମ୍ଭେ, କେବଳ ତୁମ୍ଭେ ହିଁ ସମୁଦାୟ ମନୁଷ୍ୟ-ସନ୍ତାନର ଅନ୍ତଃକରଣ ଜାଣୁଅଛ;
40ତାହାହେଲେ, ତୁମ୍ଭେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛ, ତହିଁରେ ସେମାନଙ୍କ ବସତିର ସମସ୍ତ ଦିନ ସେମାନେ ତୁମ୍ଭଙ୍କୁ ଭୟ କରିବେ।
41ଆହୁରି ଯେ ତୁମ୍ଭର ଇସ୍ରାଏଲ-ଲୋକଙ୍କର ମଧ୍ୟବର୍ତ୍ତୀ ନୁହେଁ, ଏପରି କୌଣସି ବିଦେଶୀ ଯେବେ ତୁମ୍ଭ ନାମ ସକାଶୁ ଦୂର ଦେଶରୁ ଆସେ;
42କାରଣ, ବିଦେଶୀମାନେ ତୁମ୍ଭର ମହାନାମ ଓ ତୁମ୍ଭର ବଳବାନ ହସ୍ତ ଓ ତୁମ୍ଭର ବିସ୍ତୀର୍ଣ୍ଣ ବାହୁର କଥା ଅବଶ୍ୟ ଶୁଣିବେ; ଏପରି ଲୋକ ଆସି ଯେବେ ଏହି ଗୃହ ଆଡ଼େ ପ୍ରାର୍ଥନା କରେ,
43ତେବେ, ତୁମ୍ଭେ ଆପଣା ନିବାସ-ସ୍ଥାନ ସ୍ୱର୍ଗରେ ଥାଇ ଶୁଣ ଓ ସେ ବିଦେଶୀ ତୁମ୍ଭ ନିକଟରେ ଯାହା ଯାହା ପ୍ରାର୍ଥନା କରେ, ତଦନୁସାରେ ତାହା ପ୍ରତି କର; ତହିଁରେ ତୁମ୍ଭ ଇସ୍ରାଏଲ ଲୋକ ତୁଲ୍ୟ ତୁମ୍ଭକୁ ଭୟ କରିବା ପାଇଁ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ତୁମ୍ଭ ନାମ ଜ୍ଞାତ ହେବେ ଓ ଆମ୍ଭ ନିର୍ମିତ ଏହି ଗୃହ ତୁମ୍ଭ ନାମରେ ଖ୍ୟାତ ବୋଲି ଜାଣିବେ।
44ତୁମ୍ଭେ ଆପଣା ଲୋକମାନଙ୍କୁ ଯେକୌଣସି ଆଡ଼େ ପଠାଇଲେ ଯେବେ ସେମାନେ ଆପଣା ଶତ୍ରୁ ସଙ୍ଗେ ଯୁଦ୍ଧ କରିବାକୁ ବାହାରେ ଯାଇ ତୁମ୍ଭର ମନୋନୀତ ଏହି ନଗର ଆଡ଼େ ଓ ତୁମ୍ଭ ନାମ ନିମନ୍ତେ ମୋ ନିର୍ମିତ ଏହି ଗୃହ ଆଡ଼େ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବେ,
45ତେବେ, ତୁମ୍ଭେ ସ୍ୱର୍ଗରେ ଥାଇ ସେମାନଙ୍କ ପ୍ରାର୍ଥନା ଓ ବିନତି ଶୁଣି ସେମାନଙ୍କ ବିଚାର-ନିଷ୍ପତ୍ତି କର।
46ଯେବେ ସେମାନେ ତୁମ୍ଭ ବିରୁଦ୍ଧରେ ପାପ କରନ୍ତି, କାରଣ ଯେ ପାପ ନ କରେ, ଏପରି କୌଣସି ମନୁଷ୍ୟ ନାହିଁ, ଆଉ ତୁମ୍ଭେ ସେମାନଙ୍କ ପ୍ରତି କ୍ରୁଦ୍ଧ ହୋଇ ସେମାନଙ୍କୁ ଶତ୍ରୁହସ୍ତରେ ସମର୍ପଣ କଲେ ଯେବେ ଶତ୍ରୁଗଣ ସେମାନଙ୍କୁ ବନ୍ଦୀ କରି ଦୂରସ୍ଥ ଅବା ନିକଟସ୍ଥ ଶତ୍ରୁଦେଶକୁ ନେଇ ଯା’ନ୍ତି;

Read ପ୍ରଥମ ରାଜାବଳୀ 8ପ୍ରଥମ ରାଜାବଳୀ 8
Compare ପ୍ରଥମ ରାଜାବଳୀ 8:1-46ପ୍ରଥମ ରାଜାବଳୀ 8:1-46