Text copied!
CopyCompare
ଓଡିଆ ବାଇବେଲ - ପ୍ରଥମ ରାଜାବଳୀ - ପ୍ରଥମ ରାଜାବଳୀ 20

ପ୍ରଥମ ରାଜାବଳୀ 20:11-32

Help us?
Click on verse(s) to share them!
11ତହୁଁ ଇସ୍ରାଏଲର ରାଜା ଉତ୍ତର କରି କହିଲେ, “ତାହାକୁ କୁହ, ଯେ ସଜ୍ଜା ପରିଧାନ କରେ, ସେ ସଜ୍ଜା ତ୍ୟାଗ କରିବା ଲୋକ ତୁଲ୍ୟ ଦର୍ପ ନ କରୁ।”
12ବିନ୍‍ହଦଦ୍‍ ଓ ରାଜାମାନେ କୁଟୀରରେ ପାନ କରୁଥିବା ସମୟରେ ସେ ଏହି ସମ୍ବାଦ ଶୁଣି ଆପଣା ଦାସମାନଙ୍କୁ କହିଲା, “ଆପଣାମାନଙ୍କୁ ସଜାଅ।” ତହୁଁ ସେମାନେ ନଗର ବିରୁଦ୍ଧରେ ଆପଣାମାନଙ୍କୁ ସଜାଇଲେ।
13ଏଥି ମଧ୍ୟରେ ଦେଖ, ଜଣେ ଭବିଷ୍ୟଦ୍‍ବକ୍ତା ଇସ୍ରାଏଲର ରାଜା ଆହାବଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କି ଏହି ସମସ୍ତ ମହାଜନତା ଦେଖିଅଛ ? ଦେଖ, ଆମ୍ଭେ ଆଜି ତାହା ତୁମ୍ଭ ହସ୍ତରେ ସମର୍ପଣ କରିବା, ଆଉ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜ୍ଞାତ ହେବ।”
14ତହିଁରେ ଆହାବ ପଚାରିଲେ, “କାହା ଦ୍ୱାରା ?” ସେ କହିଲେ, ସଦାପ୍ରଭୁ ଏହି କଥା କହନ୍ତି; ପ୍ରଦେଶର ଅଧିପତିମାନଙ୍କ ଯୁବା ଲୋକଙ୍କ ଦ୍ୱାରା। ତେବେ ସେ ପଚାରିଲେ, “କିଏ ଯୁଦ୍ଧ ଆରମ୍ଭ କରିବ ?” ତହିଁରେ ସେ ଉତ୍ତର କଲେ, “ତୁମ୍ଭେ।”
15ତହୁଁ ସେ ପ୍ରଦେଶର ଅଧିପତିମାନଙ୍କ ଯୁବା ଲୋକଙ୍କୁ ଗଣନା କଲେ, ସେମାନେ ଦୁଇଶହ ବତିଶ ଜଣ ହେଲେ, ପୁଣି, ସେମାନଙ୍କ ଉତ୍ତାରେ ସମୁଦାୟ ଲୋକଙ୍କୁ, ଅର୍ଥାତ୍‍, ସମଗ୍ର ଇସ୍ରାଏଲ-ସନ୍ତାନଙ୍କୁ ଗଣନା କରନ୍ତେ, ସାତ ସହସ୍ର ଜଣ ହେଲେ।
16ଏଉତ୍ତାରେ ସେମାନେ ମଧ୍ୟାହ୍ନ କାଳରେ ବାହାରିଲେ। ମାତ୍ର ବିନ୍‍ହଦଦ୍‍ ଓ ତାହାର ସାହାଯ୍ୟକାରୀ ବତିଶ ଜଣ ରାଜା କୁଟୀରରେ ପାନ କରି ମତ୍ତ ହେଉଥିଲେ।
17ଏହି ସମୟରେ ପ୍ରଦେଶର ଅଧିପତିମାନଙ୍କ ଯୁବା ଲୋକେ ପ୍ରଥମେ ବାହାରିଲେ; ତହିଁରେ ବିନ୍‍ହଦଦ୍‍ ଲୋକ ପଠାନ୍ତେ, ସେମାନେ ତାହାକୁ ସମ୍ବାଦ ଦେଇ କହିଲେ, “ଶମରୀୟାରୁ ଲୋକେ ଆସିଅଛନ୍ତି।”
18ତହୁଁ ସେ କହିଲା, “ସେମାନେ ସନ୍ଧି ପାଇଁ ଆସିଥିଲେ, ସେମାନଙ୍କୁ ଜୀବିତ ଧର, ପୁଣି, ଯୁଦ୍ଧ ପାଇଁ ଆସିଥିଲେ ମଧ୍ୟ ସେମାନଙ୍କୁ ଜୀବିତ ଧର।”
19ଏଥି ମଧ୍ୟରେ ପ୍ରଦେଶର ଅଧିପତିମାନଙ୍କ ସେହି ଯୁବାମାନେ ଓ ସେମାନଙ୍କ ପଶ୍ଚାତ୍‍ଗାମୀ ସୈନ୍ୟଦଳ ନଗରରୁ ବାହାରିଲେ।
20ପୁଣି, ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିଯୋଦ୍ଧାକୁ ବଧ କଲେ; ତହିଁରେ ଅରାମୀୟମାନେ ପଳାଇଲେ ଓ ଇସ୍ରାଏଲ ସେମାନଙ୍କ ପଛେ ପଛେ ଗୋଡ଼ାଇଲେ; ପୁଣି, ଅରାମର ରାଜା ବିନ୍‍ହଦଦ୍‍ ଅଶ୍ୱାରୋହୀମାନଙ୍କ ସହିତ ଏକ ଅଶ୍ୱ ଆରୋହଣ କରି ରକ୍ଷା ପାଇଲା।
21ଏଥିରେ ଇସ୍ରାଏଲର ରାଜା ବାହାରକୁ ଯାଇ ଅଶ୍ୱ ଓ ରଥସକଳ ଆଘାତ କଲେ ଓ ଅରାମୀୟମାନଙ୍କୁ ମହାସଂହାରରେ ବଧ କଲେ।
22ଏଉତ୍ତାରେ ସେହି ଭବିଷ୍ୟଦ୍‍ବକ୍ତା ଇସ୍ରାଏଲର ରାଜାଙ୍କ ନିକଟକୁ ଆସି ତାଙ୍କୁ କହିଲେ, “ଯାଅ, ଆପଣାକୁ ସବଳ କର ଓ ଯାହା କରୁଅଛ, ତାହା ବିଚାର କରି ଦେଖ; କାରଣ ଆସନ୍ତା ବର୍ଷ ଅରାମର ରାଜା ପୁନର୍ବାର ତୁମ୍ଭ ବିରୁଦ୍ଧରେ ଆସିବ।”
23ଏଥିଉତ୍ତାରେ ଅରାମ-ରାଜାର ଦାସମାନେ ତାହାକୁ କହିଲେ, “ସେମାନଙ୍କ ଦେବତା ପର୍ବତଗଣର ଦେବତା ଅଟନ୍ତି; ଏଥିପାଇଁ ସେମାନେ ଆମ୍ଭମାନଙ୍କ ଅପେକ୍ଷା ବଳବାନ ହେଲେ; ମାତ୍ର ଆମ୍ଭେମାନେ ଯଦି ପଦାରେ ସେମାନଙ୍କ ସଙ୍ଗେ ଯୁଦ୍ଧ କରୁ, ତେବେ ଆମ୍ଭେମାନେ ସେମାନଙ୍କ ଅପେକ୍ଷା ନିଶ୍ଚୟ ଅଧିକ ବଳବାନ ହେବା।
24ଏଣୁ ଏହି କାର୍ଯ୍ୟ କରନ୍ତୁ; ରାଜାମାନଙ୍କର ପ୍ରତିଜଣକୁ ଆପଣା ଆପଣା ସ୍ଥାନରୁ କାଢ଼ି ଦେଉନ୍ତୁ ଓ ସେମାନଙ୍କ ସ୍ଥାନରେ ସେନାପତିମାନଙ୍କୁ ରଖନ୍ତୁ;
25ଆଉ ଆପଣ ଯେଉଁ ସୈନ୍ୟ ହରାଇଅଛନ୍ତି, ତାହାରି ପରି ସୈନ୍ୟ ଓ ଅଶ୍ୱ ବଦଳେ ଅଶ୍ୱ ଓ ରଥ ବଦଳେ ରଥ ସଂଗ୍ରହ କରନ୍ତୁ; ତହୁଁ ଆମ୍ଭେମାନେ ପଦାରେ ସେମାନଙ୍କ ସଙ୍ଗେ ଯୁଦ୍ଧ କରିବା, ଆଉ ନିଶ୍ଚୟ ଆମ୍ଭେମାନେ ସେମାନଙ୍କ ଅପେକ୍ଷା ଅଧିକ ବଳବାନ ହେବା।” ଏଥିରେ ରାଜା ସେମାନଙ୍କ କଥା ଶୁଣି ସେହିରୂପ କଲା।
26ଏଥିଉତ୍ତାରେ ପର ବର୍ଷ ଉପସ୍ଥିତ ହୁଅନ୍ତେ, ବିନ୍‍ହଦଦ୍‍ ଅରାମୀୟମାନଙ୍କୁ ଗଣନା କରି ଇସ୍ରାଏଲ ସଙ୍ଗେ ଯୁଦ୍ଧ କରିବା ପାଇଁ ଅଫେକକୁ ଗଲା।
27ତହିଁରେ ଇସ୍ରାଏଲ ସନ୍ତାନଗଣ ଗଣିତ ହୋଇ ଖାଦ୍ୟ-ଦ୍ରବ୍ୟାଦି ପ୍ରସ୍ତୁତ କରି ସେମାନଙ୍କ ବିରୁଦ୍ଧରେ ଯାତ୍ରା କଲେ; ପୁଣି, ଇସ୍ରାଏଲ ସନ୍ତାନମାନେ ଦୁଇ କ୍ଷୁଦ୍ର ଛାଗପଲ ପରି ସେମାନଙ୍କ ସମ୍ମୁଖରେ ଛାଉଣି ସ୍ଥାପନ କଲେ; ମାତ୍ର ଅରାମୀୟ ଲୋକମାନେ ଦେଶଯାକ ବ୍ୟାପିଲେ।
28ତହିଁରେ ପରମେଶ୍ୱରଙ୍କର ଜଣେ ଲୋକ ଇସ୍ରାଏଲର ରାଜାଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ଅରାମୀୟମାନେ କହିଅଛନ୍ତି, ସଦାପ୍ରଭୁ ପର୍ବତଗଣର ଦେବତା, ମାତ୍ର ତଳଭୂମିର ଦେବତା ନୁହନ୍ତି; ଏହେତୁ ଆମ୍ଭେ ଏହି ସମସ୍ତ ମହାଜନତାକୁ ତୁମ୍ଭ ହସ୍ତରେ ସମର୍ପଣ କରିବା, ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ଏହା ତୁମ୍ଭେମାନେ ଜ୍ଞାତ ହେବ।”
29ପୁଣି, ସେମାନେ ସାତ ଦିନ ସମ୍ମୁଖାସମ୍ମୁଖୀ ହୋଇ ଛାଉଣି ସ୍ଥାପନ କରି ରହିଲେ। ତହୁଁ ସପ୍ତମ ଦିନରେ ଯୁଦ୍ଧ ସଂଘଟନ ହେଲା; ତହିଁରେ ଇସ୍ରାଏଲ ସନ୍ତାନଗଣ ଏକ ଦିନରେ ଅରାମୀୟମାନଙ୍କର ଏକ ଲକ୍ଷ ପଦାତିକ ସୈନ୍ୟ ବଧ କଲେ।
30ମାତ୍ର ଅବଶିଷ୍ଟ ସମସ୍ତେ ଅଫେକକୁ ପଳାଇ ନଗରରେ ପ୍ରବେଶ କଲେ; ଆଉ ଅବଶିଷ୍ଟ ସତାଇଶି ହଜାର ଲୋକଙ୍କ ଉପରେ ପାଚେରୀ ପଡ଼ିଲା। ପୁଣି, ବିନ୍‍ହଦଦ୍‍ ପଳାଇ ନଗରରେ ପ୍ରବେଶ କରି ଗୋଟିଏ ଭିତର କୋଠରିକୁ ଗଲା।
31ଏଥିରେ ତାହାର ଦାସମାନେ ତାହାଙ୍କୁ କହିଲେ, “ଦେଖନ୍ତୁ, ଆମ୍ଭେମାନେ ଶୁଣିଅଛୁ ଯେ, ଇସ୍ରାଏଲ ବଂଶୀୟ ରାଜାମାନେ ଦୟାଳୁ ଅଟନ୍ତି; ଆମ୍ଭେମାନେ ଆପଣଙ୍କୁ ବିନୟ କରୁଅଛୁ, ଆସନ୍ତୁ, ଆମ୍ଭେମାନେ କଟିରେ ଅଖା ପିନ୍ଧି ଓ ମସ୍ତକରେ ରଜ୍ଜୁ ବାନ୍ଧି ଇସ୍ରାଏଲର ରାଜା ନିକଟକୁ ଯାଉ; କେଜାଣି ସେ ଆପଣଙ୍କ ପ୍ରାଣ ବଞ୍ଚାଇବେ।”
32ତହୁଁ ସେମାନେ କଟିରେ ଅଖା ଓ ମସ୍ତକରେ ରଜ୍ଜୁ ବାନ୍ଧି ଇସ୍ରାଏଲର ରାଜାଙ୍କ ନିକଟକୁ ଆସି କହିଲେ, “ଆପଣଙ୍କ ଦାସ ବିନ୍‍ହଦଦ୍‍ କହୁଅଛି, ମୁଁ ଆପଣଙ୍କୁ ବିନୟ କରୁଅଛି, ମୋତେ ବଞ୍ଚାଉନ୍ତୁ।” ଏଥିରେ ସେ କହିଲେ, “ସେ କ’ଣ ଏଯାଏ ବଞ୍ଚିଅଛି ? ସେ ତ ମୋହର ଭାଇ।”

Read ପ୍ରଥମ ରାଜାବଳୀ 20ପ୍ରଥମ ରାଜାବଳୀ 20
Compare ପ୍ରଥମ ରାଜାବଳୀ 20:11-32ପ୍ରଥମ ରାଜାବଳୀ 20:11-32