19କିନ୍ତୁ ମୁଁ ଯେବେ ବାଲ୍ଜିବୂଲ୍ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତୁମ୍ଭମାନଙ୍କ ପୁତ୍ରମାନେ କାହା ସାହାଯ୍ୟରେ ସେମାନଙ୍କୁ ଛଡ଼ାନ୍ତି ? ଏଣୁ ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ ।
20କିନ୍ତୁ ମୁଁ ଯଦି ଈଶ୍ୱରଙ୍କ ପରାକ୍ରମ ଦ୍ୱାରା ଭୂତମାନଙ୍କୁ ଛଡ଼ାଏ, ତେବେ ତ ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲାଣି ।
21ବଳବାନ ଲୋକ ଯେପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ ଆପଣା ଗଡ଼ ରକ୍ଷା କରେ, ସେପର୍ଯ୍ୟନ୍ତ ତାହାର ସମ୍ପତ୍ତି ନିରାପଦରେ ଥାଏ;
22କିନ୍ତୁ ଯେତେବେଳେ ତାହାଠାରୁ ଅଧିକ ବଳବାନ ଲୋକ ତାହାକୁ ଆକ୍ରମଣ କରି ଜୟ କରେ, ସେତେବେଳେ ଯେଉଁ ଅସ୍ତ୍ର ଉପରେ ତାହାର ଭରସା ଥିଲା, ସେହି ସବୁ ସେ ଛଡ଼ାଇ ନିଏ, ପୁଣି, ତାହାର ଲୁଟ କରିଥିବା ଧନସମ୍ପତ୍ତି ବାଣ୍ଟିନିଏ ।
23ଯେ ମୋହର ସପକ୍ଷ ନୁହେଁ, ସେ ମୋହର ବିପକ୍ଷ; ପୁଣି, ଯେ ମୋ’ ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ ।
24ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରିଯିବା ପରେ ବିଶ୍ରାମ କରିବା ପାଇଁ ଜଳ ନ ଥିବା ସ୍ଥାନ ସବୁ ଭ୍ରମଣ କରି ଖୋଜେ, ଆଉ ତାହା ନ ପାଇ କହେ, ମୁଁ ଯେଉଁ ଘରୁ ବାହାରିଆସିଥିଲି, ମୋହର ସେହି ଘରକୁ ଫେରିଯିବି;
25ପୁଣି, ସେ ଆସି ତାହା ପରିଷ୍କାର ହୋଇଥିବା ଦେଖେ ।
26ସେତେବେଳେ ସେ ଯାଇ ଆପଣାଠାରୁ ଅଧିକ ଦୁଷ୍ଟ ଆଉ ସାତୋଟି ଆତ୍ମା ସାଙ୍ଗରେ ନେଇ ଆସେ, ପୁଣି, ସେମାନେ ପ୍ରବେଶ କରି ସେଠାରେ ବାସ କରନ୍ତି, ଆଉ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହୁଏ ।
27ସେ ଏହି ସମସ୍ତ କଥା କହୁଥିବା ସମୟରେ ଲୋକସମୂହ ମଧ୍ୟରେ ଜଣେ ସ୍ତ୍ରୀଲୋକ ଉଚ୍ଚସ୍ୱରରେ କହିଲେ, ଧନ୍ୟ ସେହି ଗର୍ଭ, ଯାହା ତୁମ୍ଭକୁ ଧାରଣ କଲା ଓ ସେହି ସ୍ତନ, ଯହିଁରୁ ତୁମ୍ଭେ ପାନ କଲ ।
28ମାତ୍ର ସେ କହିଲେ, ନା, ବରଂ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେହିମାନେ ଧନ୍ୟ ।
29ଲୋକମାନେ ଦଳ ଦଳ ହୋଇ ତାହାଙ୍କ ନିକଟରେ ଏକାଠି ହେଉଥିବା ସମୟରେ ସେ କହିବାକୁ ଲାଗିଲେ, ଏହି କାଳର ଲୋକମାନେ ଦୁଷ୍ଟ; ଏମାନେ ଚିହ୍ନ ଖୋଜନ୍ତି, ମାତ୍ର ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ ।
30କାରଣ ଯୂନସ ଯେପରି ନୀନିବୀୟମାନଙ୍କ ପ୍ରତି ଚିହ୍ନ ଭଳି ହେଲେ, ମନୁଷ୍ୟପୁତ୍ର ମଧ୍ୟ ସେହିପରି ଏହି ଯୁଗର ଲୋକମାନଙ୍କ ପ୍ରତି ହେବେ ।
31ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ଯୁଗର ଲୋକମାନଙ୍କୁ ଦୋଷୀ କରିବେ, କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଥିଲେ; ଆଉ ଦେଖ, ଶଲୋମନଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି ।
32ନୀନିବୀର ଲୋକମାନେ ବିଚାରରେ ଏହି ଯୁଗର ଲୋକମାନଙ୍କ ସହିତ ଉଠି ସେମାନଙ୍କୁ ଦୋଷୀ କରିବେ, କାରଣ ସେମାନେ ଯୂନସଙ୍କ ପ୍ରଚାରରେ ମନ ପରିବର୍ତ୍ତନ କରିଥିଲେ; ଆଉ ଦେଖ, ଯୂନସଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି ।
33କେହି ଦୀପ ଜାଳି ଗୁପ୍ତ କୋଠରୀରେ କିମ୍ବା ମାଣ ତଳେ ରଖେ ନାହିଁ, ମାତ୍ର ଦୀପରୁଖା ଉପରେ ରଖେ, ଯେପରି ଭିତରେ ପ୍ରବେଶ କରିବା ଲୋକମାନେ ଆଲୋକ ଦେଖି ପାରନ୍ତି ।
34ତୁମ୍ଭର ଚକ୍ଷୁ ଶରୀରର ପ୍ରଦୀପ । ଯେତେବେଳେ ତୁମ୍ଭର ଚକ୍ଷୁ ନିର୍ମଳ ଥାଏ, ସେତେବେଳେ ତୁମ୍ଭର ସମସ୍ତ ଶରୀର ମଧ୍ୟ ଆଲୋକମୟ ହୁଏ; କିନ୍ତୁ ଯେତେବେଳେ ତାହା ଦୂଷିତ ଥାଏ, ସେତେବେଳେ ତୁମ୍ଭର ଶରୀର ମଧ୍ୟ ଅନ୍ଧକାରମୟ ହୁଏ ।
35ଅତଏବ ସାବଧାନ, ଯେପରି ତୁମ୍ଭ ଅନ୍ତରରେ ଥିବା ଆଲୋକ ଅନ୍ଧାର ନ ହୁଏ ।
36ଏଣୁ ଯଦି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହୁଏ ଓ ସେଥିର କୌଣସି ଅଂଶ ଅନ୍ଧକାରମୟ ନ ଥାଏ, ତାହାହେଲେ ପ୍ରଦୀପ ଯେପରି ତୁମ୍ଭକୁ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରେ, ସେହିପରି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ ।
37ସେ କଥା କହୁଥିବା ସମୟରେ ଜଣେ ଫାରୂଶୀ ତାହାଙ୍କୁ ଦିନବେଳେ ଆପଣା ଗୃହରେ ଭୋଜନ କରିବାକୁ ନିମନ୍ତ୍ରଣ କଲେ, ଆଉ ସେ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ ।
38କିନ୍ତୁ ଭୋଜନ କରିବା ପୂର୍ବେ ସେ ଯେ ପ୍ରଥମେ ଧୋଇ ନ ଥିଲେ, ଏହା ଦେଖି ସେହି ଫାରୂଶୀ ଚମତ୍କୃତ ହେଲେ ।
39ସେଥିରେ ପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭେ ଫାରୂଶୀଯାକ ସିନା ଗିନା ଓ ଥାଳୀର ବାହାର ପରିଷ୍କାର କରୁଥାଅ, ମାତ୍ର ତୁମ୍ଭମାନଙ୍କ ଭିତରେ ଲୋଭ ଓ ଦୁଷ୍ଟତାରେ ପରିପୂର୍ଣ୍ଣ ।
40ହେ ନିର୍ବୋଧମାନେ, ଯେ ବାହାର ସୃଷ୍ଟି କଲେ, ସେ କି ଭିତର ମଧ୍ୟ ସୃଷ୍ଟି କଲେ ନାହିଁ ?
41ବରଂ ଭିତରେ ଯାହା ଯାହା ଅଛି, ସେହି ସବୁ ଦାନ କର; ଆଉ ଦେଖ, ତୁମ୍ଭମାନଙ୍କ ପକ୍ଷରେ ସମସ୍ତ ପରିଷ୍କୃତ ।
42କିନ୍ତୁ ହାୟ, ଦଣ୍ଡର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ପୋଦିନା, ଆରୁଦ ଓ ସମସ୍ତ ପ୍ରକାର ଶାକର ଦଶମାଂଶ ଦେଉଥାଅ, ଆଉ ନ୍ୟାୟବିଚାର ଓ ଈଶ୍ୱରଙ୍କ ପ୍ରେମ ଅବହେଳା କରୁଥାଅ; କିନ୍ତୁ ଏହି ସମସ୍ତ ପାଳନ କରିବା ଓ ଅନ୍ୟସବୁ ଅବହେଳା ନ କରିବା ଉଚିତ ।
43ହାୟ, ଦଣ୍ଡର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ସମାଜଗୃହରେ ପ୍ରଧାନ ଆସନ ଓ ହାଟବଜାରରେ ନମସ୍କାର ପାଇବାକୁ ଭଲ ପାଅ ।
44ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ଦେଖାଯାଉ ନ ଥିବା କବର ତୁଲ୍ୟ; ତାହା ଉପରେ ଚାଲୁଥିବା ଲୋକମାନେ ତାହା ସମାଧି ବୋଲି ଜାଣନ୍ତି ନାହିଁ ।
45ଏଥିରେ ମୋଶାଙ୍କ ବ୍ୟବସ୍ଥା ଶାସ୍ତ୍ରଜ୍ଞମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଲେ, ହେ ଗୁରୁ, ଏହା କହି ଆପଣ ଆମ୍ଭମାନଙ୍କୁ ମଧ୍ୟ ଅପମାନ କରୁଅଛନ୍ତି ।
46ସେ କହିଲେ, ହାୟ, ମୋଶାଙ୍କ ବ୍ୟବସ୍ଥା ଶାସ୍ତ୍ରଜ୍ଞ ଯେ ତୁମ୍ଭେମାନେ, ତୁମ୍ଭେମାନେ ମଧ୍ୟ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ମନୁଷ୍ୟମାନଙ୍କ ଉପରେ ଦୁର୍ବହ ଭାର ଲଦୁଥାଅ ଏବଂ ନିଜେ ଗୋଟିଏ ଆଙ୍ଗୁଳି ଦେଇ ତାହା ସ୍ପର୍ଶ କରୁ ନ ଥାଅ ।
47ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର କବର ତିଆରି କରୁଥାଅ, କିନ୍ତୁ ତୁମ୍ଭମାନଙ୍କ ପିତୃପୁରୁଷମାନେ ସେମାନଙ୍କୁ ବଧ କରିଥିଲେ ।
48ଅତଏବ ତୁମ୍ଭମାନଙ୍କ ପିତୃପୁରୁଷଙ୍କ କର୍ମ ବିଷୟରେ ତୁମ୍ଭେମାନେ ସାକ୍ଷୀ ଅଟ ଓ ତାହା ଅନୁମୋଦନ କରୁଅଛ; କାରଣ ସେମାନେ ସିନା ସେମାନଙ୍କୁ ବଧ କରିଥିଲେ, କିନ୍ତୁ ତୁମ୍ଭେମାନେ ସେମାନଙ୍କର କବର ସ୍ତମ୍ଭ ତିଆରି କରୁଥାଅ ।
49ତେଣୁ ଈଶ୍ୱର ମଧ୍ୟ ଆପଣା ଜ୍ଞାନରେ କହିଅଛନ୍ତି, ଆମ୍ଭେ ସେମାନଙ୍କ ନିକଟକୁ ଭାବବାଦୀ ଓ ପ୍ରେରିତମାନଙ୍କୁ ପଠାଇବୁ; ସେମାନଙ୍କ ମଧ୍ୟରୁ କାହା କାହାକୁ ସେମାନେ ବଧ କରିବେ ଓ କାହା କାହାକୁ ତାଡ଼ନା କରିବେ,
50ଯେପରି ହେବଲଙ୍କ ରକ୍ତପାତଠାରୁ, ଯେଉଁ ଜିଖରୀୟ ବେଦି ଓ ମନ୍ଦିରର ପବିତ୍ର ସ୍ଥାନର ମଧ୍ୟସ୍ଥଳରେ ହତ ହେଲେ, ତାହାଙ୍କ ରକ୍ତପାତ ପର୍ଯ୍ୟନ୍ତ ଜଗତର ଆରମ୍ଭରୁ ଯେତେ ଭାବବାଦୀଙ୍କର ରକ୍ତପାତ ହୋଇଅଛି,
51ସେ ସବୁର ପରିଶୋଧ ଏହି ଯୁଗର ଲୋକମାନଙ୍କଠାରୁ ନିଆଯିବ; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଯୁଗର ଲୋକମାନଙ୍କଠାରୁ ନିଆଯିବ ।
52ହାୟ ଦଣ୍ଡର ପାତ୍ର ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ, କାରଣ ତୁମ୍ଭେମାନେ ଜ୍ଞାନର ଚାବି ହରଣ କଲ; ତୁମ୍ଭେମାନେ ନିଜେ ନିଜେ ପ୍ରବେଶ କଲ ନାହିଁ, ଆଉ ପ୍ରବେଶ କରିବାକୁ ଇଚ୍ଛା କରୁଥିବା ଲୋକମାନଙ୍କୁ ବାଧା ଦେଲ ।