10ପୁଣି ସଦାପ୍ରଭୁଙ୍କର ଆତ୍ମା ତାଙ୍କଠାରେ ଅଧିଷ୍ଠିତ ହୁଅନ୍ତେ, ସେ ଇସ୍ରାଏଲର ବିଚାର କଲେ ଓ ସେ ଯୁଦ୍ଧ କରିବା ନିମନ୍ତେ ବାହାରିଲେ, ଆଉ ସଦାପ୍ରଭୁ ସେହି ଅରାମୀୟ ରାଜା କୂଶନ୍-ରିଶୀୟାଥୟିମ୍କୁ ତାହା ହସ୍ତରେ ସମର୍ପଣ କଲେ; ପୁଣି କୂଶନ୍-ରିଶୀୟାଥୟିମ୍ ଉପରେ ତାହାର ହସ୍ତ ପ୍ରବଳ ହେଲା।
11ତହିଁରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଦେଶ ବିଶ୍ରାମ ପାଇଲା। ଏ ଉତ୍ତାରେ କନସର ପୁତ୍ର ଅତ୍ନୀୟେଲ ମଲା।
12ଏଥିଉତ୍ତାରେ ଇସ୍ରାଏଲ ସନ୍ତାନଗଣ, ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ; ଏହେତୁ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ସେମାନେ କରିବାରୁ ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ ମୋୟାବର ରାଜା ଇଗ୍ଲୋନକୁ ସବଳ କଲେ।
13ତହୁଁ ସେ ଅମ୍ମୋନ ଓ ଅମାଲେକ-ସନ୍ତାନଗଣକୁ ଆପଣା ନିକଟରେ ଏକତ୍ର କଲା ଓ ସେ ଯାଇ ଇସ୍ରାଏଲକୁ ଆଘାତ କରି ଖର୍ଜ୍ଜୁରପୁର ଅଧିକାର କଲା।
14ତହିଁରେ ଇସ୍ରାଏଲ ସନ୍ତାନଗଣ ଅଠର ବର୍ଷ ପର୍ଯ୍ୟନ୍ତ ମୋୟାବୀୟ ରାଜା ଇଗ୍ଲୋନର ସେବା କଲେ।
15ତହୁଁ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ସେମାନଙ୍କ ପାଇଁ ଉଦ୍ଧାରକର୍ତ୍ତା ରୂପେ ବିନ୍ୟାମୀନ୍ ବଂଶୀୟ ଗେରାର ପୁତ୍ର ଏହୂଦକୁ ଉତ୍ପନ୍ନ କଲେ, ସେ ବାଁହାତିଆ ଥିଲେ। ପୁଣି ଇସ୍ରାଏଲ ସନ୍ତାନଗଣ ତାହା ଦ୍ୱାରା ମୋୟାବୀୟ ରାଜା ଇଗ୍ଲୋନ ନିକଟକୁ ଭେଟି ପଠାଇଲେ।
16ତହିଁରେ ଏହୂଦ ଆପଣା ନିମନ୍ତେ ଏକ ହସ୍ତ ଦୀର୍ଘ ଦ୍ୱିଧାର ଖଡ୍ଗ ନିର୍ମାଣ କରାଇ ଆପଣା ଦକ୍ଷିଣ ଜଙ୍ଘରେ ବସ୍ତ୍ର ଭିତରେ ବାନ୍ଧିଲେ।
17ତହୁଁ ସେ ମୋୟାବୀୟ ରାଜା ଇଗ୍ଲୋନ ନିକଟକୁ ସେହି ଭେଟି ନେଲେ; ସେହି ଇଗ୍ଲୋନ ଏକ ମୋଟା ଲୋକ ଥିଲା।
18ଆଉ ସେ ଭେଟି ଦେଇ ସାରିଲା ଉତ୍ତାରେ ଭେଟି ଦ୍ରବ୍ୟବାହକ ଲୋକମାନଙ୍କୁ ପଠାଇଦେଲେ।
19ମାତ୍ର ସେ ଆପେ ଗିଲ୍ଗଲସ୍ଥ ପଥରଖଣିଠାରୁ ବାହୁଡ଼ି ଆସି କହିଲେ, ହେ ରାଜନ୍, “ମୁଁ ଆପଣଙ୍କ ପାଇଁ ଏକ ଗୁପ୍ତ ଖବର ଆଣିଛି।” ତେବେ ରାଜା କହିଲା, ତୁନି ହୋଇ ଥାଅ। ତହୁଁ ତାହା ନିକଟରେ ଠିଆ ହେବାର ସମସ୍ତ ଲୋକ ତାହା ଛାମୁରୁ ବାହାରି ଗଲେ।
20ଏଥିରେ ଏହୂଦ ତାହା ନିକଟକୁ ଗଲେ; ସେତେବେଳେ ସେ ଆପଣା ଗ୍ରୀଷ୍ମକାଳୀନ ଉପର ମହଲାରେ ଏକାକୀ ବସିଥିଲା। ତହିଁରେ ଏହୂଦ କହିଲେ, ଆପଣଙ୍କ ପାଇଁ ପରମେଶ୍ୱରଙ୍କଠାରୁ ଆମ୍ଭର ଏକ କଥା ଅଛି; ତହୁଁ ସେ ଆପଣା ସିଂହାସନରୁ ଉଠିଲା।
21ତେବେ ଏହୂଦ ଆପଣା ବାମ ହସ୍ତ ବଢ଼ାଇ ଦକ୍ଷିଣ ଜଙ୍ଘରୁ ଖଡ୍ଗ ନେଇ ତାହାର ପେଟ ଭୁସିଲେ;
22ତହିଁରେ ଖଡ୍ଗ ସହିତ ମୁଠା ମଧ୍ୟ ପଶିଗଲା, ଆଉ ଖଡ୍ଗ ଚର୍ବିରେ ଲାଖି ରହିବାରୁ ସେ ତାହା ପେଟରୁ ବାହାର କଲେ ନାହିଁ ଓ ଖଡ୍ଗ ପଛଭାଗରେ ବାହାରିଲା।
23ଏ ଉତ୍ତାରେ ଏହୂଦ ତାହାକୁ ରୁଦ୍ଧକରଣାର୍ଥେ ସେହି ଉପର ମହଲାର କବାଟ ବନ୍ଦ କରି ଅର୍ଗଳ ଲଗାଇ ପାବଚ୍ଛ ପଥ ଆଡ଼କୁ ବାହାରିଗଲେ।
24ସେ ବାହାରିଗଲା ଉତ୍ତାରେ ରାଜାର ଦାସମାନେ ଆସିଲେ ଓ ସେମାନେ ଦେଖିଲେ ଯେ, ଦେଖ, ସେହି ଉପର ମହଲାର କବାଟ ଅର୍ଗଳ-ବଦ୍ଧ ହୋଇଅଛି; ଏଥିରେ ସେମାନେ କହିଲେ, ସେ ଅବଶ୍ୟ ଆପଣା ଗ୍ରୀଷ୍ମକାଳୀନ ଭିତର କୋଠରିରେ ଆପଣା ପାଦ ଢାଙ୍କୁ ଅଛନ୍ତି।
25ତହୁଁ ସେମାନେ ଲଜ୍ଜିତ ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ; ମାତ୍ର ଦେଖ, ସେ ଉପର ମହଲାର କବାଟ ଫିଟାଇଲା ନାହିଁ; ଏହେତୁ ସେମାନେ କଞ୍ଚିକାଠି ନେଇ କବାଟ ଫିଟାଇଲେ; ତହିଁରେ ଦେଖ, ସେମାନଙ୍କର ପ୍ରଭୁ ମରି ଭୂମିରେ ପଡ଼ିଅଛି।
26ମାତ୍ର ସେମାନେ ବିଳମ୍ବ କରି ରହିବା ବେଳେ ଏହୂଦ ପଳାଇ ସେହି ପଥର ଖଣି ପାର ହୋଇ ସିୟୀରାକୁ ଚାଲିଗଲେ।