Text copied!
CopyCompare
ଓଡିଆ ବାଇବେଲ - ପ୍ରଥମ ରାଜାବଳୀ - ପ୍ରଥମ ରାଜାବଳୀ 21

ପ୍ରଥମ ରାଜାବଳୀ 21:10-26

Help us?
Click on verse(s) to share them!
10ଆଉ ତାହା ସମ୍ମୁଖରେ ଦୁଇଗୋଟି ଦୁଷ୍ଟ ମନୁଷ୍ୟକୁ ବସାଅ ଓ ସେମାନେ ତାହା ବିରୁଦ୍ଧରେ ସାକ୍ଷ୍ୟ ଦେଇ କହନ୍ତୁ, ତୁମ୍ଭେ ପରମେଶ୍ୱରଙ୍କୁ ଓ ରାଜାଙ୍କୁ ଅଭିଶାପ ଦେଇଅଛ। ତହିଁ ଉତ୍ତାରେ ତାହାକୁ ବାହାରକୁ ନେଇ ପ୍ରସ୍ତରାଘାତ କରି ବଧ କର।
11ତହୁଁ ନାବୋତର ନଗରସ୍ଥ ଲୋକମାନଙ୍କୁ, ଅର୍ଥାତ୍‍, ତାହାର ନଗର ନିବାସୀ ପ୍ରାଚୀନ ଓ ପ୍ରଧାନବର୍ଗଙ୍କୁ ଈଷେବଲ୍‍ ଯେପରି କହି ପଠାଇଥିଲା ଓ ତାହାର ପ୍ରେରିତ ପତ୍ରରେ ଯେପରି ଲେଖାଥିଲା, ତଦନୁସାରେ ସେମାନେ କର୍ମ କଲେ।
12ସେମାନେ ଉପବାସର ଘୋଷଣା କଲେ ଓ ନାବୋତକୁ ଲୋକମାନଙ୍କ ମଧ୍ୟରେ ଉଚ୍ଚ ସ୍ଥାନରେ ବସାଇଲେ।
13ଆଉ ଦୁଇଗୋଟି ଦୁଷ୍ଟ ମନୁଷ୍ୟ ଆସି ତାହା ସମ୍ମୁଖରେ ବସିଲେ; ପୁଣି, ସେହି ପାପାଧମ ମନୁଷ୍ୟମାନେ ଲୋକମାନଙ୍କ ସାକ୍ଷାତରେ ନାବୋତ ବିରୁଦ୍ଧରେ ସାକ୍ଷ୍ୟ ଦେଇ କହିଲେ, “ନାବୋତ ପରମେଶ୍ୱରଙ୍କୁ ଓ ରାଜାଙ୍କୁ ଅଭିଶାପ ଦେଇଅଛି।” ତହୁଁ ସେମାନେ ତାହାକୁ ନଗରର ବାହାରକୁ ନେଇଯାଇ ପ୍ରସ୍ତରାଘାତ କରି ବଧ କଲେ।
14ତହିଁ ଉତ୍ତାରେ ସେମାନେ ଈଷେବଲ୍‍ ନିକଟକୁ କହି ପଠାଇଲେ, ନାବୋତ ପ୍ରସ୍ତରାଘାତରେ ମରିଅଛି।
15ଏଥିରେ ଈଷେବଲ୍‍, ପ୍ରସ୍ତରାଘାତରେ ନାବୋତର ମରିଥିବା ବିଷୟ ଶୁଣନ୍ତେ, ଈଷେବଲ୍‍ ଆହାବଙ୍କୁ କହିଲା, “ଉଠ, ଯିଷ୍ରିୟେଲୀୟ ନାବୋତ ରୂପା-ମୁଦ୍ରାରେ ତୁମ୍ଭକୁ ଯେଉଁ ଦ୍ରାକ୍ଷାକ୍ଷେତ୍ର ଦେବାକୁ ମନା କଲା, ତାହା ଅଧିକାରରେ ଆଣ; କାରଣ ନାବୋତ ଜୀବିତ ନାହିଁ, ମାତ୍ର ମଲାଣି।”
16ସେତେବେଳେ ଆହାବ ନାବୋତର ମରଣ କଥା ଶୁଣନ୍ତେ, ଆହାବ ଉଠି ଯିଷ୍ରିୟେଲୀୟ ନାବୋତର ଦ୍ରାକ୍ଷାକ୍ଷେତ୍ର ଅଧିକାରରେ ଆଣିବା ପାଇଁ ଗଲେ।
17ଏଥିଉତ୍ତାରେ ତିଶ୍‍ବୀୟ ଏଲୀୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା, ଯଥା,
18ଉଠ, ଶମରୀୟା-ନିବାସୀ ଇସ୍ରାଏଲର ରାଜା ଆହାବ ସଙ୍ଗେ ସାକ୍ଷାତ କରିବାକୁ ଯାଅ; ଦେଖ, ସେ ନାବୋତର ଦ୍ରାକ୍ଷାକ୍ଷେତ୍ରରେ ଅଛି, ସେ ତାହା ଅଧିକାରରେ ଆଣିବା ପାଇଁ ସେସ୍ଥାନକୁ ଯାଇଅଛି।
19ଏହେତୁ ତୁମ୍ଭେ ତାହାକୁ କହିବ, “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କି ବଧ କରିଅଛ ଓ ଅଧିକାର ମଧ୍ୟ ଆତ୍ମସାତ୍‍ କରିଅଛ ?” ଆହୁରି ତୁମ୍ଭେ ତାହାକୁ କହିବ, “ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ସ୍ଥାନରେ କୁକ୍କୁରମାନେ ନାବୋତର ରକ୍ତ ଚାଟି ଖାଇଲେ, ସେହି ସ୍ଥାନରେ କୁକ୍କୁରମାନେ ତୁମ୍ଭର ରକ୍ତ ମଧ୍ୟ ଚାଟି ଖାଇବେ।”
20ତହିଁରେ ଆହାବ ଏଲୀୟଙ୍କୁ କହିଲେ, “ହେ ମୋହର ଶତ୍ରୁ, ତୁମ୍ଭେ କ’ଣ ମୋତେ ପାଇଲ ?” ତହୁଁ ସେ ଉତ୍ତର କଲେ, “ମୁଁ ତୁମ୍ଭକୁ ପାଇଲି; ଯେହେତୁ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କରିବା ପାଇଁ ତୁମ୍ଭେ ଆପଣାକୁ ବିକ୍ରିି କରିଅଛ।
21ଦେଖ, ମୁଁ ତୁମ୍ଭ ପ୍ରତି ଅମଙ୍ଗଳ ଘଟାଇବି ଓ ତୁମ୍ଭକୁ ନିଃଶେଷ ରୂପେ ବିନାଶ କରିବି, ପୁଣି, ଇସ୍ରାଏଲ ମଧ୍ୟରେ ବଦ୍ଧ ବା ମୁକ୍ତ ପ୍ରତ୍ୟେକ ପୁଂସନ୍ତାନକୁ ଆହାବଠାରୁ ଉଚ୍ଛିନ୍ନ କରିବି।
22ପୁଣି, ତୁମ୍ଭେ ଯେଉଁ ବିରକ୍ତିଜନକ କର୍ମ ଦ୍ୱାରା ମୋତେ ବିରକ୍ତ କରିଅଛ ଓ ଇସ୍ରାଏଲକୁ ପାପ କରାଇଅଛ, ତହିଁ ନିମନ୍ତେ ମୁଁ ତୁମ୍ଭ ବଂଶକୁ ନବାଟର ପୁତ୍ର ଯାରବୀୟାମର ବଂଶ ତୁଲ୍ୟ ଓ ଅହୀୟର ପୁତ୍ର ବାଶାର ବଂଶ ତୁଲ୍ୟ କରିବି।
23ଆଉ ଈଷେବଲ୍‍ ବିଷୟରେ ମଧ୍ୟ ସଦାପ୍ରଭୁ କହୁଅଛନ୍ତି, ଯିଷ୍ରିୟେଲର ଗଡ଼-ପାଚେରୀ ନିକଟରେ କୁକ୍କୁରମାନେ ଈଷେବଲ୍‍କୁ ଖାଇବେ।”
24ଆହାବର ଯେଉଁ ଲୋକ ନଗରରେ ମରିବ, କୁକ୍କୁରମାନେ ତାହାକୁ ଖାଇବେ; ପୁଣି, ଯେଉଁ ଲୋକ କ୍ଷେତ୍ରରେ ମରିବ, ଆକାଶର ପକ୍ଷୀଗଣ ତାହାକୁ ଖାଇବେ।
25ଯେପରି ଏହି ଆହାବ ଆପଣା ଭାର୍ଯ୍ୟା ଈଷେବଲ୍‍ ଦ୍ୱାରା ପ୍ରବର୍ତ୍ତିତ ହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କରିବା ପାଇଁ ଆପଣାକୁ ବିକ୍ରୟ କଲେ, ସେପରି ଆଉ କେହି କରିବ ନାହିଁ।
26ସଦାପ୍ରଭୁ ଯେଉଁ ଇମୋରୀୟମାନଙ୍କୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଦୂର କରିଦେଲେ, ସେମାନଙ୍କ ସମସ୍ତ କ୍ରିୟାନୁସାରେ ସେ ପ୍ରତିମାଗଣର ଅନୁଗାମୀ ହୋଇ ଅତିଶୟ ଘୃଣାଯୋଗ୍ୟ କର୍ମ କଲେ।

Read ପ୍ରଥମ ରାଜାବଳୀ 21ପ୍ରଥମ ରାଜାବଳୀ 21
Compare ପ୍ରଥମ ରାଜାବଳୀ 21:10-26ପ୍ରଥମ ରାଜାବଳୀ 21:10-26