Text copied!
CopyCompare
ଓଡିଆ ବାଇବେଲ - ପ୍ରଥମ ରାଜାବଳୀ - ପ୍ରଥମ ରାଜାବଳୀ 18

ପ୍ରଥମ ରାଜାବଳୀ 18:13-29

Help us?
Click on verse(s) to share them!
13ଈଷେବଲ୍‍ ଯେତେବେଳେ ସଦାପ୍ରଭୁଙ୍କ ଭବିଷ୍ୟଦ୍‍ବକ୍ତାମାନଙ୍କୁ ବଧ କରୁଥିଲା, ସେତେବେଳେ ମୁଁ ଯାହା କରିଥିଲି ଓ କିପରି ସଦାପ୍ରଭୁଙ୍କର ଏକ ଶତ ଭବିଷ୍ୟଦ୍‍ବକ୍ତାଙ୍କୁ ପଚାଶ ପଚାଶ ଜଣ କରି ଗହ୍ୱରରେ ଲୁଚାଇ ରଖି ଅନ୍ନ ଓ ଜଳ ଦେଇ ସେମାନଙ୍କୁ ପ୍ରତିପାଳନ କରିଥିଲି, ଏହା କ’ଣ ଆମ୍ଭ ପ୍ରଭୁଙ୍କୁ ଜ୍ଞାତ କରାଯାଇ ନାହିଁ ?
14ତଥାପି ଆପଣ ଏବେ କହୁଅଛନ୍ତି, ଯାଅ, ତୁମ୍ଭ ପ୍ରଭୁଙ୍କୁ କୁହ, ଦେଖ, ଏଲୀୟ ଏଠାରେ ଅଛନ୍ତି; ତହିଁରେ ସେ ମୋତେ ବଧ କରିବେ।
15ତହୁଁ ଏଲୀୟ କହିଲେ, “ମୁଁ ଯାହାଙ୍କ ସମ୍ମୁଖରେ ଛିଡ଼ା ହେଉଅଛି, ସେହି ସୈନ୍ୟାଧିପତି ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ ନିଶ୍ଚୟ ଆଜି ତାହାକୁ ଦେଖା ଦେବି।”
16ଏଥିରେ ଓବଦୀୟ ଆହାବଙ୍କ ସହିତ ସାକ୍ଷାତ କରିବାକୁ ଯାଇ ତାଙ୍କୁ ସମ୍ବାଦ ଦେଲା; ତହିଁରେ ଆହାବ ଏଲୀୟ ସହିତ ସାକ୍ଷାତ କରିବାକୁ ଗଲେ।
17ପୁଣି, ଆହାବ ଏଲୀୟଙ୍କୁ ଦେଖିବାମାତ୍ର ଆହାବ ତାଙ୍କୁ କହିଲେ, “ହେ ଇସ୍ରାଏଲର ଦୁଃଖଦାୟକ, ଏ କ’ଣ ତୁମ୍ଭେ ?”
18ତହୁଁ ସେ ଉତ୍ତର କଲେ, “ମୁଁ ଇସ୍ରାଏଲକୁ ଦୁଃଖ ଦେଇ ନାହିଁ, ମାତ୍ର ତୁମ୍ଭେ ଓ ତୁମ୍ଭ ପିତୃବଂଶ ଦେଇଅଛ, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞାସକଳ ତ୍ୟାଗ କରିଅଛ ଓ ତୁମ୍ଭେ ବାଲ୍‍ ଦେବଗଣର ଅନୁଗାମୀ ହୋଇଅଛ।
19ଏହେତୁ ଏବେ ତୁମ୍ଭେ ଲୋକ ପଠାଇ ସମଗ୍ର ଇସ୍ରାଏଲକୁ ଓ ଈଷେବଲ୍‍ର ମେଜରେ ଭୋଜନକାରୀ ବାଲ୍‍ର ଚାରିଶହ ପଚାଶ ଭବିଷ୍ୟଦ୍‍ବକ୍ତାଙ୍କୁ ଓ ଆଶେରାର ଚାରିଶହ ଭବିଷ୍ୟଦ୍‍ବକ୍ତାଙ୍କୁ କର୍ମିଲ ପର୍ବତରେ ମୋ’ ନିକଟରେ ଏକତ୍ର କର।”
20ତହିଁରେ ଆହାବ ସମସ୍ତ ଇସ୍ରାଏଲ-ସନ୍ତାନଗଣଙ୍କ ନିକଟକୁ ଲୋକ ପଠାଇଲେ ଓ ଭବିଷ୍ୟଦ୍‍ବକ୍ତାମାନଙ୍କୁ କର୍ମିଲ ପର୍ବତରେ ଏକତ୍ର କଲେ।
21ଏଉତ୍ତାରେ ଏଲୀୟ ସମଗ୍ର ଲୋକଙ୍କ ନିକଟକୁ ଆସି କହିଲେ, “ତୁମ୍ଭେମାନେ କେତେ କାଳ ଦୁଇ ମତ ମଧ୍ୟରେ ସନ୍ଦିଗ୍ଧ ହୋଇ ରହିବ ? ସଦାପ୍ରଭୁ ଯେବେ ପରମେଶ୍ୱର ହୁଅନ୍ତି, ତେବେ ତାହାଙ୍କର ଅନୁଗାମୀ ହୁଅ; ମାତ୍ର ଯେବେ ବାଲ୍‍, ତେବେ ତାହାର ଅନୁଗାମୀ ହୁଅ।” ଏଥିରେ ଲୋକମାନେ ତାଙ୍କୁ ଗୋଟିଏ କଥା ଉତ୍ତର ଦେଲେ ନାହିଁ।
22ତହୁଁ ଏଲୀୟ ଲୋକମାନଙ୍କୁ କହିଲେ, “ମୁଁ, କେବଳ ମୁଁ ସଦାପ୍ରଭୁଙ୍କର ଏକ ଭବିଷ୍ୟଦ୍‍ବକ୍ତା ଅବଶିଷ୍ଟ ଅଛି; ମାତ୍ର ବାଲ୍‍ର ଭବିଷ୍ୟଦ୍‍ବକ୍ତା ଚାରିଶହ ପଚାଶ ଜଣ ଅଛନ୍ତି।
23ଏହେତୁ ସେମାନେ ଆମ୍ଭମାନଙ୍କୁ ଦୁଇ ବୃଷ ଦେଉନ୍ତୁ, ଆଉ ସେମାନେ ଆପଣାମାନଙ୍କ ପାଇଁ ଗୋଟିଏ ବୃଷ ପସନ୍ଦ କରନ୍ତୁ ଓ ତାହା ଖଣ୍ଡ ଖଣ୍ଡ କରି କାଷ୍ଠ ଉପରେ ରଖନ୍ତୁ, ମାତ୍ର ତଳେ ଅଗ୍ନି ନ ଦେଉନ୍ତୁ; ଆଉ ମୁଁ ଅନ୍ୟ ବୃଷଟିକୁ ପ୍ରସ୍ତୁତ କରି କାଷ୍ଠ ଉପରେ ରଖିବି, ମାତ୍ର ତଳେ ଅଗ୍ନି ଦେବି ନାହିଁ।
24ତହୁଁ ତୁମ୍ଭେମାନେ ଆପଣାମାନଙ୍କ ଦେବତା ନାମରେ ଡାକି ପ୍ରାର୍ଥନା କର, ପୁଣି, ମୁଁ ସଦାପ୍ରଭୁଙ୍କ ନାମରେ ଡାକି ପ୍ରାର୍ଥନା କରିବି; ତହିଁରେ ଯେ ଅଗ୍ନି ଦ୍ୱାରା ଉତ୍ତର ଦେବେ, ସେ ପରମେଶ୍ୱର ହେଉନ୍ତୁ।” ଏଥିରେ ସମସ୍ତ ଲୋକ ଉତ୍ତର କଲେ, “ଏ କଥା ଉତ୍ତମ।”
25ଏଥିଉତ୍ତାରେ ଏଲୀୟ ବାଲ୍‍ର ଭବିଷ୍ୟଦ୍‍ବକ୍ତାମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଏକ ବୃଷ ପସନ୍ଦ କରି ପ୍ରଥମେ ତାହା ପ୍ରସ୍ତୁତ କର; କାରଣ ତୁମ୍ଭେମାନେ ଅନେକ; ଆଉ ତୁମ୍ଭେମାନେ ଆପଣାମାନଙ୍କ ଦେବତା ନାମରେ ଡାକି ପ୍ରାର୍ଥନା କର; ମାତ୍ର ତଳେ ଅଗ୍ନି ନ ଦିଅ।”
26ତହୁଁ ସେମାନେ ଆପଣାମାନଙ୍କୁ ଦତ୍ତ ବୃଷ ନେଇ ତାହା ପ୍ରସ୍ତୁତ କଲେ, ପୁଣି, ପ୍ରାତଃକାଳରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବାଲ୍‍ ନାମରେ ଡାକି ପ୍ରାର୍ଥନା କରି କହିଲେ, “ହେ ବାଲ୍‍, ଆମ୍ଭମାନଙ୍କ କଥା ଶୁଣ।” ମାତ୍ର କୌଣସି ରବ ନୋହିଲା, ଅବା କେହି ଉତ୍ତର ଦେଲା ନାହିଁ। ତହିଁରେ ସେମାନେ ସେହି ନିର୍ମିତ ଯଜ୍ଞବେଦିର ଚାରିଆଡ଼େ ନାଚିଲେ।
27ଏଣୁ ମଧ୍ୟାହ୍ନ ସମୟରେ ଏଲୀୟ ସେମାନଙ୍କୁ ପରିହାସ କରି କହିଲେ, “ଉଚ୍ଚ ସ୍ୱର କରି ଡାକ; କାରଣ ସେ ତ ଦେବତା; ସେ ଧ୍ୟାନ କରୁଥିବ, ଅବା ବାହାରେ ଯାଇଥିବ, କିଅବା ଯାତ୍ରା କରୁଥିବ, ଅବା ହୋଇପାରେ ନିଦ୍ରିତ ଥିବ, ଏଣୁ ତାହାକୁ ଜଗାଇବାକୁ ହେବ।”
28ପୁଣି, ସେମାନେ ଉଚ୍ଚ ସ୍ୱର କରି ଡାକିଲେ ଓ ଆପଣାମାନଙ୍କ ବ୍ୟବହାରାନୁସାରେ ଦେହରୁ ରକ୍ତ ବହିଯିବା ପର୍ଯ୍ୟନ୍ତ ସେମାନେ ଛୁରୀ ଓ ବର୍ଚ୍ଛାରେ ଆପଣାମାନଙ୍କୁ କ୍ଷତବିକ୍ଷତ କଲେ।
29ପୁଣି, ମଧ୍ୟାହ୍ନ କାଳ ଗତ ହେଲା ଉତ୍ତାରେ ସେମାନେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ପର୍ଯ୍ୟନ୍ତ ପ୍ରଳାପୋକ୍ତି କଲେ; ମାତ୍ର କୌଣସି ରବ ନୋହିଲା, କି ଉତ୍ତର ଦେବାକୁ କେହି ନ ଥିଲା, ଅବା କେହି ମନୋଯୋଗ କଲା ନାହିଁ।

Read ପ୍ରଥମ ରାଜାବଳୀ 18ପ୍ରଥମ ରାଜାବଳୀ 18
Compare ପ୍ରଥମ ରାଜାବଳୀ 18:13-29ପ୍ରଥମ ରାଜାବଳୀ 18:13-29