Text copied!
CopyCompare
ଓଡିଆ ବାଇବେଲ - ରୋମୀୟ - ରୋମୀୟ 8

ରୋମୀୟ 8:4-37

Help us?
Click on verse(s) to share them!
4ଯେପରି ଶାରୀରିକ ଭାବାନୁସାରେ ଆଚରଣ ନ କରି ଆତ୍ମିକ ଭାବାନୁସାରେ ଆଚରଣ କରିଥାଉ ଯେ ଆମ୍ଭେମାନେ, ଆମ୍ଭମାନଙ୍କଠାରେ ମୋଶାଙ୍କ ବ୍ୟବସ୍ଥାର ଧର୍ମବିଧି ସଫଳ ହୁଏ ।
5କାରଣ ଯେଉଁମାନେ ଶାରୀରିକମନା, ସେମାନେ ଶାରୀରିକ ବିଷୟରେ ମନୋଯୋଗ କରନ୍ତି, କିନ୍ତୁ ଯେଉଁମାନେ ଆତ୍ମିକମନା, ସେମାନେ ଆତ୍ମିକ ବିଷୟରେ ମନୋଯୋଗ କରନ୍ତି ।
6କାରଣ ଶାରୀରିକ ମନ ମୃତ୍ୟୁଜନକ, କିନ୍ତୁ ଆତ୍ମିକ ମନ ଜୀବନ ଓ ଶାନ୍ତିଦାୟକ;
7ଯେଣୁ ଶାରୀରିକ ମନ ଈଶ୍ୱରଙ୍କ ବିରୁଦ୍ଧରେ ଶତ୍ରୁତା; କାରଣ ତାହା ଈଶ୍ୱରଙ୍କ ବ୍ୟବସ୍ଥାର ବଶୀଭୂତ ନୁହେଁ, ପୁଣି, ବଶୀଭୂତ ହେବା ଅସମ୍ଭବ;
8ଯେଉଁମାନେ ଶରୀରର ବଶରେ ଅଛନ୍ତି, ସେମାନେ ଈଶ୍ୱରଙ୍କର ସନ୍ତୋଷପାତ୍ର ହୋଇ ପାରନ୍ତି ନାହିଁ ।
9କିନ୍ତୁ ଈଶ୍ୱରଙ୍କ ଆତ୍ମା ଯଦି ତୁମ୍ଭମାନଙ୍କଠାରେ ବାସ କରନ୍ତି, ତାହାହେଲେ ତୁମ୍ଭେମାନେ ଶରୀରର ବଶରେ ନାହଁ, ମାତ୍ର ଆତ୍ମାଙ୍କ ବଶରେ ଅଛ । ଯଦି କେହି ଖ୍ରୀଷ୍ଟଙ୍କ ଆତ୍ମା ପାଇ ନ ଥାଏ, ତେବେ ସେ ତାହାଙ୍କର ନୁହେଁ ।
10କିନ୍ତୁ ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କଠାରେ ଥାଆନ୍ତି, ତାହାହେଲେ ଶରୀର ପାପ ହେତୁ ମୃତ ଅଟେ, ମାତ୍ର ଆତ୍ମା ଧାର୍ମିକତା ହେତୁ ଜୀବିତ ଅଟେ ।
11ଆଉ ଯେ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କୁ ଉଠାଇଲେ, ତାହାଙ୍କର ଆତ୍ମା ଯଦି ତୁମ୍ଭମାନଙ୍କଠାରେ ବାସ କରନ୍ତି, ତେବେ ଯେ ମୃତମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଯୀଶୁଙ୍କୁ ଉଠାଇଲେ, ସେ ତୁମ୍ଭମାନଙ୍କଠାରେ ବାସ କରୁଥିବା ଆପଣା ଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରକୁ ମଧ୍ୟ ଜୀବିତ କରିବେ ।
12ଅତଏବ, ହେ ଭାଇମାନେ, ଆମ୍ଭେମାନେ ଋଣୀ, କିନ୍ତୁ ଶାରୀରିକ ଭାବାନୁସାରେ ଜୀବନ ଯାପନ କରିବାକୁ ଶରୀର ନିକଟରେ ନୁହେଁ;
13କାରଣ ଯଦି ଶାରୀରିକ ଭାବାନୁସାରେ ତୁମ୍ଭେମାନେ ଜୀବନ ଯାପନ କର, ତେବେ ଅବଶ୍ୟ ମରିବ, କିନ୍ତୁ ଯଦି ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଶରୀରର କର୍ମସବୁକୁ ବିନାଶ କର, ତେବେ ଜୀବିତ ହେବ ।
14ଯେଣୁ ଯେତେ ଲୋକ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି, ସେମାନେ ଈଶ୍ୱରଙ୍କ ସନ୍ତାନ ।
15କାରଣ ତୁମ୍ଭେମାନେ ପୁନର୍ବାର ଭୟ କରିବା ନିମନ୍ତେ ଦାସତ୍ୱର ଆତ୍ମା ପାଇ ନାହଁ, କିନ୍ତୁ ପୁତ୍ରତ୍ୱର ଆତ୍ମା ପାଇଅଛ; ତଦ୍ୱାରା ଆମ୍ଭେମାନେ ଆବ୍ବା, ପିତଃ ବୋଲି ଡାକିଥାଉ ।
16ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ସେହି ଆତ୍ମା ସ୍ୱୟଂ ଆମ୍ଭମାନଙ୍କ ଆତ୍ମା ସହିତ ସାକ୍ଷ୍ୟ ପ୍ରଦାନ କରନ୍ତି,
17ଆଉ ଯଦି ସନ୍ତାନ, ତେବେ ଉତ୍ତରାଧିକାରୀ, ଅର୍ଥାତ୍‍ ଯଦି ଖ୍ରୀଷ୍ଟଙ୍କ ସହିତ ଗୌରବାନ୍ୱିତ ମଧ୍ୟ ହେବା ନିମନ୍ତେ ଆମ୍ଭେମାନେ ତାହାଙ୍କ ସାଙ୍ଗରେ ଦୁଃଖଭୋଗ କରୁ, ତେବେ ଈଶ୍ୱରଙ୍କ ଉତ୍ତରାଧିକାରୀ ଓ ଖ୍ରୀଷ୍ଟଙ୍କ ସହ ଉତ୍ତରାଧିକାରୀ ଅଟୁ ।
18କାରଣ ମୋ' ବିଚାରରେ, ଯେଉଁ ଗୌରବ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହେବ, ତାହା ତୁଳନାରେ ଏହି ବର୍ତ୍ତମାନ କାଳର ଦୁଃଖଭୋଗ କିଛି ହିଁ ନୁହେଁ ।
19ଯେଣୁ ସୃଷ୍ଟିର ଏକାନ୍ତ ଆକାଂକ୍ଷା ଈଶ୍ୱରଙ୍କ ସନ୍ତାନମାନଙ୍କର ପ୍ରକାଶ ନିମନ୍ତେ ଅପେକ୍ଷା କରୁଅଛି ।
20କାରଣ ସୃଷ୍ଟି ଅସାରତାର ବଶୀଭୂତ ହେଲା, ତା'ର ନିଜ ଇଚ୍ଛାରୁ ନୁହେଁ, କିନ୍ତୁ ଯେ ତାକୁ ବଶୀଭୂତ କଲେ, ତାହାଙ୍କ ଇଚ୍ଛାରୁ;
21ଆଉ ତାହା ଭରସାଯୁକ୍ତ ହୋଇ ବଶୀଭୂତ ହେଲା, ଯେଣୁ ସୃଷ୍ଟି ନିଜେ ମଧ୍ୟ ଈଶ୍ୱରଙ୍କ ସନ୍ତାନମାନଙ୍କ ଗୌରବମୟ ଅବସ୍ଥା ସମ୍ବନ୍ଧୀୟ ସ୍ୱାଧୀନତା ପ୍ରାପ୍ତି ନିମନ୍ତେ କ୍ଷୟର ଦାସତ୍ୱରୁ ମୁକ୍ତ ହେବ ।
22କାରଣ ସମସ୍ତ ସୃଷ୍ଟି ଯେ ଆଜି ପର୍ଯ୍ୟନ୍ତ ଏକସଙ୍ଗରେ ଆର୍ତ୍ତନାଦ କରୁଅଛି ଓ ପ୍ରସବ ବେଦନାରେ ବ୍ୟଥିତ ହେଉଅଛି, ଏହା ଆମ୍ଭେମାନେ ଜାଣୁ ।
23ଆଉ କେବଳ ତାହା ନୁହେଁ, କିନ୍ତୁ ପ୍ରଥମ ଫଳ ସ୍ୱରୂପେ ଆତ୍ମାଙ୍କୁ ପାଇଅଛୁ ଯେ ଆମ୍ଭେମାନେ, ଆମ୍ଭେମାନେ ନିଜେ ନିଜେ ମଧ୍ୟ ପୁତ୍ରତ୍ୱ, ଅର୍ଥାତ୍‍ ଆପଣା ଆପଣା ଶରୀରର ମୁକ୍ତି ନିମନ୍ତେ ଅପେକ୍ଷା କରୁ କରୁ ଆପଣା ଆପଣା ଅନ୍ତରରେ ଆର୍ତ୍ତନାଦ କରୁଅଛୁ ।
24କାରଣ ଭରସାରେ ଆମ୍ଭେମାନେ ପରିତ୍ରାଣ ପାଇଅଛୁ; କିନ୍ତୁ ଦୃଷ୍ଟିଗୋଚର ଯେଉଁ ଭରସା, ତାହା ଭରସା ନୁହେଁ, ଯେଣୁ ଯାହା ଜଣେ ଦେଖୁଅଛି, ସେଥିନିମନ୍ତେ ସେ କାହିଁକି ଆଉ ଭରସା କରିବ ?
25କିନ୍ତୁ ଆମ୍ଭେମାନେ ଯାହା ଦେଖୁ ନାହୁଁ, ଯଦି ତାହା ନିମନ୍ତେ ଭରସା କରୁ, ତାହାହେଲେ ଧୈର୍ଯ୍ୟ ସହକାରେ ତାହାର ଅପେକ୍ଷାରେ ଥାଉ ।
26ଆଉ, ସେହି ପ୍ରକାରେ ଆତ୍ମା ମଧ୍ୟ ଆମ୍ଭମାନଙ୍କ ଦୁର୍ବଳତାରେ ସାହାଯ୍ୟ କରନ୍ତି; କାରଣ କ'ଣ ପ୍ରାର୍ଥନା କରିବା ଉଚିତ୍, ତାହା ଆମ୍ଭେମାନେ ଜାଣୁ ନାହୁଁ, କିନ୍ତୁ ଆତ୍ମା ସ୍ୱୟଂ ଅକଥନୀୟ ଆର୍ତ୍ତନାଦରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରନ୍ତି;
27ପୁଣି, ଯେ ଆମ୍ଭମାନଙ୍କ ହୃଦୟ ଅନୁସନ୍ଧାନ କରନ୍ତି, ସେ ଆତ୍ମାଙ୍କ ଭାବ କ'ଣ, ତାହା ଜାଣନ୍ତି, କାରଣ ସେ ଈଶ୍ୱରଙ୍କ ଇଚ୍ଛାନୁସାରେ ସାଧୁମାନଙ୍କ ନିମନ୍ତେ ନିବେଦନ କରନ୍ତି ।
28ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୂତ ହୋଇଅଛନ୍ତି, ଈଶ୍ୱର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ ।
29କାରଣ ଯେଉଁମାନଙ୍କୁ ସେ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ତାହାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେବା ନିମନ୍ତେ ସେ ପୂର୍ବରୁ ନିରୂପଣ ମଧ୍ୟ କରିଥିଲେ, ଯେପରି ସେ ଅନେକ ଭ୍ରାତାଙ୍କ ମଧ୍ୟରେ ଅଗ୍ରଜ ହୁଅନ୍ତି ।
30ଆଉ, ଯେଉଁମାନଙ୍କୁ ସେ ପୂର୍ବରୁ ନିରୂପଣ କରିଥିଲେ, ସେମାନଙ୍କୁ ସେ ମଧ୍ୟ ଆହ୍ୱାନ କଲେ, ପୁଣି, ଯେଉଁମାନଙ୍କୁ ସେ ଆହ୍ୱାନ କଲେ, ସେମାନଙ୍କୁ ସେ ମଧ୍ୟ ଧାର୍ମିକ ବୋଲି ଗଣିଲେ, ଆଉ ଯେଉଁମାନଙ୍କୁ ସେ ଧାର୍ମିକ ବୋଲି ଗଣିଲେ, ସେମାନଙ୍କୁ ସେ ମଧ୍ୟ ଗୌରବାନ୍ୱିତ କଲେ ।
31ତେବେ ଏସମସ୍ତ ଦୃଷ୍ଟିରେ ଆମ୍ଭେମାନେ କ'ଣ କହିବା ? ଯଦି ଈଶ୍ୱର ଆମ୍ଭମାନଙ୍କ ସପକ୍ଷ, ତେବେ ଆମ୍ଭମାନଙ୍କ ବିପକ୍ଷ କିଏ ?
32ଯେ ଆପଣା ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଲେ ନାହିଁ, ମାତ୍ର ଆମ୍ଭ ସମସ୍ତଙ୍କ ନିମନ୍ତେ ତାହାଙ୍କୁ ସମର୍ପଣ କଲେ, ସେ କିପରି ତାହାଙ୍କ ସହିତ ମଧ୍ୟ ସମସ୍ତ ବିଷୟ ଆମ୍ଭମାନଙ୍କୁ ଅନୁଗ୍ରହରେ ଦାନ ନ କରିବେ ?
33ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରିବ ? ଈଶ୍ୱର ତ ସେମାନଙ୍କୁ ଧାର୍ମିକ ବୋଲି ଗଣନା କରନ୍ତି ।
34କିଏ ଦଣ୍ଡାଜ୍ଞା ଦେବ ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁଭୋଗ କଲେ, ବରଂ ସେ ଉତ୍ଥାପିତ ହେଲେ, ସେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି, ସେ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି ।
35ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିବ ? କି କ୍ଳେଶ, କି ସଙ୍କଟ, କି ତାଡ଼ନା, କି ଦୁର୍ଭିକ୍ଷ, କି ଉଲଙ୍ଗତା, କି ବିପଦ, କି ଖଡ଼୍ଗ ?
36ଯେପରି ଲେଖା ଅଛି, "ତୁମ୍ଭ ନିମନ୍ତେ ଆମ୍ଭେମାନେ ସମସ୍ତ ଦିନ ନିହତ ହେଉଅଛୁ; ଆମ୍ଭେମାନେ ବଧଯୋଗ୍ୟ ମେଷ ପରି ଗଣିତ ହୋଇଅଛୁ ।''
37ତଥାପି ଯେ ଆମ୍ଭମାନଙ୍କୁ ପ୍ରେମ କଲେ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଏହି ସମସ୍ତ ବିଷୟରେ ସର୍ବତୋଭାବେ ବିଜୟୀ ଅଟୁ ।

Read ରୋମୀୟ 8ରୋମୀୟ 8
Compare ରୋମୀୟ 8:4-37ରୋମୀୟ 8:4-37