Text copied!
CopyCompare
ଓଡିଆ ବାଇବେଲ - ମୀଖା

ମୀଖା 1

Help us?
Click on verse(s) to share them!
1ଯିହୁଦା ଦେଶୀୟ ଯୋଥମ୍‍, ଆହସ୍‌ ଓ ହିଜକୀୟ ରାଜାମାନଙ୍କର ଅଧିକାର ସମୟରେ, ମୋରେଷ୍ଟୀୟ ମୀଖାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା; ସେ ଶମରୀୟା ଓ ଯିରୂଶାଲମ ବିଷୟରେ ଏହି ଦର୍ଶନ ପାଇଲେ।
2ହେ ଗୋଷ୍ଠୀଗଣ, ତୁମ୍ଭେ ସମସ୍ତେ ଶୁଣ; ହେ ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତେ, ମନୋଯୋଗ କର; ପ୍ରଭୁ ସଦାପ୍ରଭୁ, ଆପଣା ପବିତ୍ର ମନ୍ଦିରରୁ ପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷୀ ହେଉନ୍ତୁ।
3କାରଣ ଦେଖ, ସଦାପ୍ରଭୁ ଆପଣା ସ୍ଥାନରୁ ବାହାରି ଆସୁଅଛନ୍ତି ଓ ସେ ଓହ୍ଳାଇ ଆସି ପୃଥିବୀର ଉଚ୍ଚସ୍ଥଳୀସକଳ ଉପରେ ଗମନ କରିବେ।
4ତହିଁରେ ଅଗ୍ନି ଆଗରେ ଯେପରି ମହମ ତରଳି ଯାଏ ଓ ଗଡ଼ନ୍ତି ସ୍ଥାନରେ ଜଳ ଗଡ଼ିପଡ଼େ, ସେହିପରି ତାହାଙ୍କ ପଦ ତଳେ ପର୍ବତଗଣ ତରଳି ଯିବେ ଓ ତଳଭୂମିସକଳ ବିଦୀର୍ଣ୍ଣ ହେବ।
5କାରଣ ଯାକୁବର ଆଜ୍ଞା-ଲଙ୍ଘନ ଓ ଇସ୍ରାଏଲ ବଂଶର ପାପ ସକାଶୁ ଏହିସବୁ ହେଉଅଛି। ଯାକୁବର ଆଜ୍ଞା-ଲଙ୍ଘନ କଅଣ ? ତାହା କି ଶମରୀୟା ନୁହେଁ ? ଓ ଯିହୁଦାର ଉଚ୍ଚସ୍ଥଳୀସକଳ କଅଣ ସେହିସବୁ କି ଯିରୂଶାଲମ ନୁହେଁ ?
6ଏଥିପାଇଁ ଆମ୍ଭେ ଶମରୀୟାକୁ କ୍ଷେତ୍ରସ୍ଥ ଢିପି ଓ ଦ୍ରାକ୍ଷାଲତା ରୋପଣର ସ୍ଥାନ ତୁଲ୍ୟ କରିବା; ଆଉ, ଆମ୍ଭେ ତହିଁର ପ୍ରସ୍ତରସକଳ ଉପତ୍ୟକାରେ ପକାଇ ତହିଁର ଭିତ୍ତିମୂଳ ଅନାବୃତ କରିବା।
7ପୁଣି, ତାହାର ଖୋଦିତ ପ୍ରତିମାସକଳ ଖଣ୍ଡ ଖଣ୍ଡ କରାଯିବ ଓ ତାହାର ବେତନସକଳ ଅଗ୍ନିରେ ଦଗ୍ଧ ହେବ, ଆଉ ଆମ୍ଭେ ତାହାର ଦେବତାସକଳକୁ ଧ୍ୱଂସ କରିବା; କାରଣ ବେଶ୍ୟାର ବେତନ ଦ୍ୱାରା ସେ ତାହା ସଞ୍ଚୟ କରିଅଛି ଓ ତାହା ପୁନର୍ବାର ବେଶ୍ୟାର ବେତନ ହୋଇଯିବ।
8ଏଥିସକାଶୁ ଆମ୍ଭେ ବିଳାପ ଓ ହାହାକାର କରିବା, ଆମ୍ଭେ ଉଲଙ୍ଗ ହୋଇ ଖାଲି ପାଦରେ ବୁଲିବା। ଆମ୍ଭେ ଶୃଗାଳ ପରି ବିଳାପ କରିବା ଓ ଉଷ୍ଟ୍ରପକ୍ଷୀ ପରି ଶୋକ କରିବା।
9କାରଣ ତାହାର କ୍ଷତ ଅଚିକିତ୍ସ୍ୟ ଯେହେତୁ ତାହା ଯିହୁଦା ପର୍ଯ୍ୟନ୍ତ ଆସିଅଛି; ତାହା ଆମ୍ଭ ଲୋକମାନଙ୍କର ନଗର ଦ୍ୱାର, ଯିରୂଶାଲମ ପର୍ଯ୍ୟନ୍ତ ପହଞ୍ଚି ଅଛି।
10ଗାଥ୍‍ ନଗରରେ ଏ କଥା ଜଣାଅ ନାହିଁ, ଆଦୌ ରୋଦନ କର ନାହିଁ; ଏବଂ ବେଥ୍-ଲିଅଫ୍ରା ନଗରର ଧୂଳିରେ ନିଜେ ଗଡ଼ି ଅଛୁ।
11ହେ ଶାଫୀର ନିବାସିନୀ, ତୁମ୍ଭେ ଉଲଙ୍ଗ ଓ ଲଜ୍ଜିତ ହୋଇ ଚାଲିଯାଅ; ସାନନ ନିବାସିନୀ ବାହାର ହୋଇ ଆସି ନାହିଁ; ବେଥ୍-ସେଲର ବିଳାପ ତୁମ୍ଭମାନଙ୍କଠାରୁ ତାହାର ଅବଲମ୍ବନ ହରଣ କରିବ।
12କାରଣ ମାରୋତ୍‍ ନିବାସିନୀ ଭାବିତା ହୋଇ ମଙ୍ଗଳର ଅପେକ୍ଷା କରଇ; ଯେହେତୁ ଯିରୂଶାଲମର ଦ୍ୱାର ପର୍ଯ୍ୟନ୍ତ ସଦାପ୍ରଭୁଙ୍କଠାରୁ ଅମଙ୍ଗଳ ଉପସ୍ଥିତ ହୋଇଅଛି।
13ହେ ଲାଖୀଶ୍‍ ନିବାସିନୀ, ତୁମ୍ଭେ ରଥରେ ଦ୍ରୁତଗାମୀ ଅଶ୍ୱ ଯୋଚ; ସେ ସିୟୋନ-କନ୍ୟା ପ୍ରତି ଆଦ୍ୟ ପାପ ସ୍ୱରୂପ ଥିଲା; କାରଣ ଇସ୍ରାଏଲର ଆଜ୍ଞା-ଲଙ୍ଘନସକଳ ତୁମ୍ଭ ମଧ୍ୟରେ ଦେଖାଗଲା।
14ଏଥିପାଇଁ ତୁମ୍ଭେ ମୋରେଷତ୍‍ ଗାଥ୍‍କୁ ବିଦାୟକାଳୀନ ଦାନ ଦେବ ଅକଷୀବ୍‍ର ଗୃହସକଳ ଇସ୍ରାଏଲର ରାଜାଗଣ ପ୍ରତି ପ୍ରବଞ୍ଚନାଜନକ ବସ୍ତୁ ତୁଲ୍ୟ ହେବ;
15ଆହୁରି, ହେ ମାରେଶା ଗ୍ରାମର ନିବାସିନୀ, ଯେ ତୁମ୍ଭକୁ ଅଧିକାର କରିବ, ତାହାକୁ ଆମ୍ଭେ ତୁମ୍ଭ ନିକଟକୁ ଆଣିବା; ଇସ୍ରାଏଲର ମହାନ ନେତୃତ୍ଵକାରୀଗଣ ଅଦୁଲ୍ଲମ ଗୁମ୍ଫାକୁ ଯିବେ।
16ତୁମ୍ଭେ ଆପଣାର ଆହ୍ଲାଦଜନକ ସନ୍ତାନଗଣ ନିମନ୍ତେ ମସ୍ତକ ମୁଣ୍ଡନ କର ଓ କେଶ କାଟି ପକାଅ; ଶାଗୁଣା ପରି ଆପଣାର କେଶ-ଶୂନ୍ୟତା ବୃଦ୍ଧି କର; କାରଣ ସେମାନେ ତୁମ୍ଭ ନିକଟରୁ ନିର୍ବାସିତ ହୋଇ ଯାଇଅଛନ୍ତି।