15ତହୁଁ ସଦାପ୍ରଭୁ ବାରକ୍ ସମ୍ମୁଖରେ ସୀଷରାକୁ ଓ ତାହାର ସମସ୍ତ ରଥ ଓ ତାହାର ସୈନ୍ୟସମୂହକୁ ଖଡ୍ଗ ଧାରରେ ଅସ୍ତବ୍ୟସ୍ତ କଲେ; ଏଥିରେ ସୀଷରା ରଥରୁ ଓହ୍ଲାଇ ପାଦଗତିରେ ପଳାଇଲା।
16ମାତ୍ର ବାରକ୍ ଅନ୍ୟ ଦେଶୀୟମାନଙ୍କ ହରୋଶୋତ୍ ପର୍ଯ୍ୟନ୍ତ ସମସ୍ତ ରଥ ଓ ସୈନ୍ୟ ପଛେ ପଛେ ଗୋଡ଼ାଇଲା; ତହିଁରେ ସୀଷରାର ସମସ୍ତ ସୈନ୍ୟ ଖଡ୍ଗ ଧାରରେ ପତିତ ହେଲେ; ଜଣେ ହେଁ ଅବଶିଷ୍ଟ ରହିଲା ନାହିଁ।
17ତଥାପି ସୀଷରା ପାଦଗତିରେ ପଳାଇ ସେହି କେନୀୟ ହେବରର ଭାର୍ଯ୍ୟା ଯାୟେଲର ତମ୍ବୁ ଆଡ଼କୁ ଗଲା; କାରଣ ସେସମୟରେ ହାସୋରର ରାଜା ଯାବୀନ୍ ଓ କେନୀୟ ହେବର-ବଂଶ ମଧ୍ୟରେ ଶାନ୍ତିଚୁକ୍ତି ଥିଲା।
18ଏଥିରେ ଯାୟେଲ ସୀଷରାକୁ ଭେଟିବାକୁ ବାହାରେ ଯାଇ ତାହାକୁ କହିଲା, ହେ ମୋହର ପ୍ରଭୁ, ଭିତରକୁ ଆସନ୍ତୁ, ମୋହର ନିକଟକୁ ଆସନ୍ତୁ, ଭୟ ନ କରନ୍ତୁ; ତହିଁରେ ସେ ତାହା ଆଡ଼କୁ ଫେରି ତମ୍ବୁ ଭିତରକୁ ଯାଆନ୍ତେ, ସେ ଏକ କମ୍ବଳରେ ତାହାକୁ ଘୋଡ଼ାଇ ରଖିଲା;
19ସେତେବେଳେ ସୀଷରା ତାହାକୁ କହିଲା, ମୋତେ ଟିକିଏ ଜଳ ପିଆଅନା; ମୁଁ ତୃଷିତ ଅଟେ। ତହିଁରେ ସେ ଦୁଗ୍ଧକୁମ୍ପା ଫିଟାଇ ପାନ କରିବାକୁ ଦେଇ ତାକୁ ଘୋଡ଼ାଇ ରଖିଲା।
20ଏଉତ୍ତାରେ ସୀଷରା ତାହାକୁ କହିଲା, ତୁମ୍ଭେ ତମ୍ବୁ ଦ୍ୱାରରେ ଛିଡ଼ା ହୋଇଥାଅ, ଯେବେ କେହି ଆସି ତୁମ୍ଭକୁ ପଚାରି କହେ, ଏଠାରେ କୌଣସି ମନୁଷ୍ୟ ଅଛି କି ? ତେବେ ତୁମ୍ଭେ କହିବ, କେହି ନାହିଁ।
21ଏଥିଉତ୍ତାରେ ହେବରର ଭାର୍ଯ୍ୟା ଯାୟେଲ ତମ୍ବୁ-ମେଖ ଓ ହାତୁଡ଼ି ହାତରେ ନେଇ ଧୀରେ ଧୀରେ ତାହା ପାଖକୁ ଯାଇ ତାହାର କର୍ଣ୍ଣମୂଳରେ ସେହି ମେଖ ମାରନ୍ତେ, ତାହା ଫୁଟି ଭୂମିକି ଗଲା; କାରଣ ସେ ଘୋର ନିଦ୍ରାରେ ଥିଲା; ତେଣୁ ସେ ମୂର୍ଚ୍ଛିତ ହୋଇ ମଲା।
22ଆଉ ଦେଖ, ବାରକ୍ ସୀଷରାର ପଛେ ପଛେ ଗୋଡ଼ାଉ ଗୋଡ଼ାଉ ଯାୟେଲ ତାହାକୁ ଭେଟିବା ପାଇଁ ବାହାରକୁ ଯାଇ କହିଲା, ଆସ, ତୁମ୍ଭେ ଯାହାକୁ ଖୋଜୁଅଛ, ମୁଁ ସେହି ମନୁଷ୍ୟକୁ ଦେଖାଇବି। ତହିଁରେ ସେ ତାହା ନିକଟକୁ ଆସିଲା; ଆଉ ଦେଖ, ସୀଷରା ମୃତ ହୋଇ ପଡ଼ିଅଛି, ଆଉ ତାହାର କର୍ଣ୍ଣ ମୂଳ ଭିତରେ ତମ୍ବୁ ମେଖ ରହିଅଛି।