15ଆଉ, ଉତ୍ତମ ଭୂମିରେ ଯାହା ପଡ଼ିଲା, ତାହା ଏପରି ଲୋକେ, ଆଉ, ଯେଉଁମାନେ ଉତ୍ତମ ଓ ସରଳ ହୃଦୟରେ ବାକ୍ୟ ଶୁଣି ତାହା ଧରି ରଖନ୍ତି ଏବଂ ଧୈର୍ଯ୍ୟ ସହକାରେ ଫଳ ଫଳନ୍ତି ।
16କେହି ଦୀପ ଜାଳି ପାତ୍ର ଦ୍ୱାରା ତାହା ଘୋଡ଼ାଇ ରଖେ ନାହିଁ, କିମ୍ବା ଖଟ ତଳେ ରଖେ ନାହିଁ, ମାତ୍ର ଦୀପରୁଖା ଉପରେ ରଖେ, ଯେପରି ପ୍ରବେଶ କରିବା ଲୋକମାନେ ଆଲୋକ ଦେଖି ପାରନ୍ତି ।
17କାରଣ ଯାହା ପ୍ରକାଶିତ ନ ହେବ, ଏପରି ଗୁପ୍ତ ବିଷୟ କିଛି ନାହିଁ, ଅବା ଯାହା ଜଣାଯାଇ ପ୍ରକାଶ ନ ପାଇବ, ଏପରି ଗୁପ୍ତ ବିଷୟ କିଛି ନାହିଁ ।
18ଅତଏବ, କିପରି ଶୁଣୁଅଛ, ସେ ବିଷୟରେ ସାବଧାନ; କାରଣ ଯାହାର ଅଛି, ତାହାକୁ ଦିଆଯିବ, ଆଉ ଯାହାର ନାହିଁ, ସେ ଯାହା ନିଜର ଅଛି ବୋଲି ମନେ କରେ, ତାହା ସୁଦ୍ଧା ତାହାଠାରୁ ନିଆଯିବ ।
19ତାହାଙ୍କ ମା' ଓ ଭାଇମାନେ ତାହାଙ୍କ ନିକଟକୁ ଆସିଲେ, କିନ୍ତୁ ଲୋକଗହଳି ହେତୁ ତାହାଙ୍କ ସହିତ ଦେଖା କରି ପାରୁ ନ ଥିଲେ ।
20ସେଥିରେ ତାହାଙ୍କୁ ଏହି ଖବର ଦିଆଗଲା, ଆପଣଙ୍କର ମା' ଓ ଭାଇମାନେ ଆପଣଙ୍କ ସହିତ ଦେଖା କରିବାକୁ ଇଚ୍ଛା କରି ବାହାରେ ଠିଆ ହୋଇଅଛନ୍ତି ।
21କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେମାନେ ମୋହର ମା' ଓ ଭାଇମାନେ ।
22ସେହି ସମୟରେ ଦିନେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଗୋଟିଏ ନୌକାରେ ଚଢ଼ିଲେ, ଆଉ ସେ ସେମାନଙ୍କୁ କହିଲେ, ଆସ, ହ୍ରଦର ଆରପାରିକୁ ଯିବା । ସେଥିରେ ସେମାନେ ନୌକା ଫିଟାଇଦେଲେ ।
23କିନ୍ତୁ ସେମାନେ ନୌକା ବାହି ଯାଉଥିବା ସମୟରେ ଯୀଶୁ ଶୋଇପଡ଼ିଲେ । ସେତେବେଳେ ହ୍ରଦରେ ତୋଫାନ ହେଲା, ଆଉ ସେମାନଙ୍କ ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା ଓ ସେମାନେ ବିପଦରେ ପଡ଼ିଲେ ।
24ସେଥିରେ ଶିଷ୍ୟମାନେ ନିକଟକୁ ଆସି ତାହାଙ୍କୁ ଉଠାଇ କହିଲେ, ହେ ଗୁରୁ, ହେ ଗୁରୁ, ଆମେ ମଲୁ । ଏଥିରେ ସେ ଉଠି ପବନ ଓ ପ୍ରବଳ ତରଙ୍ଗକୁ ଧମକ ଦେଲେ, ଆଉ ସେହି ସବୁ ବନ୍ଦ ହୋଇ ସୁସ୍ଥିର ହେଲା ।
25ପୁଣି, ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ବିଶ୍ୱାସ କାହିଁ ? କିନ୍ତୁ ସେମାନେ ଭୀତ ଓ ଚକିତ ହୋଇ ପରସ୍ପରକୁ କହିବାକୁ ଲାଗିଲେ, ଏ ତେବେ କିଏ ଯେ, ସେ ବାୟୁ ଓ ଜଳକୁ ସୁଦ୍ଧା ଆଦେଶ ଦିଅନ୍ତେ, ସେମାନେ ତାହାଙ୍କ ଆଜ୍ଞା ମାନନ୍ତି ।
26ପରେ ସେମାନେ ଗାଲିଲୀର ସମ୍ମୁଖବର୍ତ୍ତୀ ସେପାରିର ଗରାଶୀୟମାନଙ୍କ ଅଞ୍ଚଳରେ ପହଞ୍ଚିଲେ ।