6ଯୀଶୁ ତାଙ୍କୁ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ; ମୋ' ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ ।
7ଯଦି ତୁମ୍ଭେମାନେ ମୋତେ ଜାଣିଥାଆନ୍ତ, ତାହାହେଲେ ମୋହର ପିତାଙ୍କୁ ମଧ୍ୟ ଜାଣିଥାଆନ୍ତ; ଏବେ ହେଁ ତାହାଙ୍କୁ ଜାଣୁଅଛ ଓ ତାହାଙ୍କୁ ଦେଖିଅଛ ।
8ଫିଲିପ୍ପ ତାହାଙ୍କୁ କହିଲେ, ପ୍ରଭୁ, ଆମ୍ଭମାନଙ୍କୁ ପିତାଙ୍କୁ ଦର୍ଶନ କରାଉନ୍ତୁ, ତାହା ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ।
9ଯୀଶୁ ତାହାଙ୍କୁ କହିଲେ, ଫିଲିପ୍ପ, ଏତେକାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ଅଛି, ଆଉ ତୁମ୍ଭେ କ'ଣ ମୋତେ ଜାଣିଲ ନାହିଁ ? ଯେ ମୋତେ ଦର୍ଶନ କରିଅଛି, ସେ ପିତାଙ୍କୁ ଦର୍ଶନ କରିଅଛି; ଆମ୍ଭମାନଙ୍କୁ ପିତାଙ୍କୁ ଦର୍ଶନ କରାଉନ୍ତୁ ବୋଲି ତୁମ୍ଭେ କିପରି କହୁଅଛ ?
10ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋ'ଠାରେ ଅଛନ୍ତି, ଏକଥା କ'ଣ ବିଶ୍ୱାସ କରୁ ନାହଁ ? ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହେ, ସେହି ସବୁ ମୋ' ନିଜରୁ କହେ ନାହିଁ, କିନ୍ତୁ ପିତା ମୋ'ଠାରେ ଥାଇ ଆପଣା କର୍ମ କରୁଅଛନ୍ତି ।
11ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋ'ଠାରେ ଅଛନ୍ତି, ମୋହର ଏହି କଥା ବିଶ୍ୱାସ କର, ନତୁବା କର୍ମ ଯୋଗୁଁ ହେଲେ ବିଶ୍ୱାସ କର ।
12ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋ'ଠାରେ ଯେ ବିଶ୍ୱାସ କରେ, ମୁଁ ଯେଉଁ ଯେଉଁ କର୍ମ କରୁଅଛି, ସେ ମଧ୍ୟ ସେହି ସବୁ କରିବ, ଆଉ ସେ ସବୁ ଅପେକ୍ଷା ଅଧିକ ମହତ କର୍ମ କରିବ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି ।
13ପୁଣି, ପିତା ଯେପରି ପୁତ୍ରଙ୍କଠାରେ ମହିମାନ୍ୱିତ ହୁଅନ୍ତି, ଏଥି ନିମନ୍ତେ ତୁମ୍ଭେମାନେ ମୋ' ନାମରେ ଯାହା କିଛି ମାଗିବ, ତାହା ମୁଁ କରିବି ।
14ଯଦି ତୁମ୍ଭେମାନେ ମୋ' ନାମରେ କୌଣସି ବିଷୟ ମୋତେ ମାଗିବ, ମୁଁ ତାହା କରିବି ।
15ଯଦି ତୁମ୍ଭେମାନେ ମୋତେ ପ୍ରେମ କର, ତାହାହେଲେ ମୋହର ଆଜ୍ଞାସବୁ ପାଳନ କରିବ ।