13ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ,
14“ଯେଉଁ ଲୋକ ଅଭିଶାପ ଦେଇଅଛି, ତାହାକୁ ଛାଉଣି ବାହାରକୁ ଆଣ; ପୁଣି ଯେଉଁମାନେ ତାହାର କଥା ଶୁଣିଅଛନ୍ତି, ସେମାନେ ସମସ୍ତେ ତାହାର ମସ୍ତକରେ ହସ୍ତ ଦିଅନ୍ତୁ, ପୁଣି ସମୁଦାୟ ମଣ୍ଡଳୀ ପଥର ମାରି ତାହାକୁ ବଧ କରନ୍ତୁ।
15ଆଉ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, ଯେକେହି ଆପଣା ପରମେଶ୍ୱରଙ୍କୁ ଅଭିଶାପ ଦିଏ, ସେ ଆପଣା ଅପରାଧ ବୋହିବ।
16ପୁଣି, ଯେକେହି ଆପଣା ସଦାପ୍ରଭୁଙ୍କ ନାମର ନିନ୍ଦା କରେ, ସେ ଅବଶ୍ୟ ହତ ହେବ; ସମସ୍ତ ମଣ୍ଡଳୀ ତାହାକୁ ନିଶ୍ଚୟ ପଥର ମାରି ବଧ କରିବେ; ବିଦେଶୀ ହେଉ ବା ସ୍ୱଦେଶୀ ହେଉ, ସଦାପ୍ରଭୁଙ୍କ ନାମର ନିନ୍ଦା କଲେ ହତ ହେବ।
17ଆଉ, ଯେକେହି କୌଣସି ମନୁଷ୍ୟକୁ ପ୍ରାଣାନ୍ତକ ଆଘାତ କରେ, ସେ ନିଶ୍ଚୟ ହତ ହେବ।
18ପୁଣି, ଯେକେହି କୌଣସି ପଶୁକୁ ପ୍ରାଣାନ୍ତକ ଆଘାତ କରେ, ସେ ତହିଁର ପରିଶୋଧ ଦେବ; ପ୍ରାଣ ପରିଶୋଧରେ ପ୍ରାଣ।
19ଆଉ, କୌଣସି ମନୁଷ୍ୟ ଯଦି ଆପଣା ପ୍ରତିବାସୀର ଶରୀରରେ ଖୁଣ କରେ, ତେବେ ସେ ଯେପରି କରିଅଛି, ସେହିପରି ତାହା ପ୍ରତି କରାଯିବ।
20କ୍ଷତ ପରିଶୋଧରେ କ୍ଷତ, ଚକ୍ଷୁ ପରିଶୋଧରେ ଚକ୍ଷୁ, ଦନ୍ତ ପରିଶୋଧରେ ଦନ୍ତ; ମନୁଷ୍ୟର ଦେହରେ ଯେ ଯେପରି ଖୁଣ କରିଅଛି, ତାହା ପ୍ରତି ସେହି ପ୍ରକାର କରାଯିବ।
21ଯେଉଁ ଜନ ପଶୁ ବଧ କରେ, ସେ ତହିଁର ପରିଶୋଧ ଦେବ; ପୁଣି ଯେଉଁ ଜନ ନରହତ୍ୟା କରେ, ସେ ହତ ହେବ।
22ବିଦେଶୀ ହେଉ କି ସ୍ୱଦେଶୀ ହେଉ, ସେମାନଙ୍କ ନିମନ୍ତେ ତୁମ୍ଭମାନଙ୍କର ଏକ ପ୍ରକାର ବ୍ୟବସ୍ଥା ହେବ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
23ତହୁଁ ମୋଶା ଇସ୍ରାଏଲ ସନ୍ତାନଗଣକୁ କହନ୍ତେ, ଯେଉଁ ଲୋକ ଅଭିଶାପ ଦେଇଥିଲା, ତାହାକୁ ସେମାନେ ଛାଉଣିର ବାହାରକୁ ଆଣି ପଥର ମାରି ବଧ କଲେ; ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ ସନ୍ତାନଗଣ କର୍ମ କଲେ।