20ଆହୁରି ସଦାପ୍ରଭୁ ହାରୋଣଙ୍କୁ କହିଲେ, “ସେମାନଙ୍କ ଭୂମିରେ ତୁମ୍ଭର କୌଣସି ଅଧିକାର ରହିବ ନାହିଁ; ଓ ସେମାନଙ୍କ ମଧ୍ୟରେ ତୁମ୍ଭର କୌଣସି ବାଣ୍ଟ ରହିବ ନାହିଁ; ଇସ୍ରାଏଲ-ସନ୍ତାନଗଣଙ୍କ ମଧ୍ୟରେ ଆମ୍ଭେ ହିଁ ତୁମ୍ଭର ବାଣ୍ଟ ଓ ତୁମ୍ଭର ଅଧିକାର।
21ଆଉ ଦେଖ, ଲେବୀ-ସନ୍ତାନଗଣ ଯେଉଁ ସେବାକାର୍ଯ୍ୟ କରନ୍ତି, ସମାଗମ-ତମ୍ବୁ ସମ୍ବନ୍ଧୀୟ ସେମାନଙ୍କ ସେହି ସେବାକାର୍ଯ୍ୟର ପରିଶୋଧରେ ଆମ୍ଭେ ସେମାନଙ୍କ ଅଧିକାରାର୍ଥେ ଇସ୍ରାଏଲ ମଧ୍ୟରେ ସମସ୍ତ ଦଶମାଂଶ ଦେଲୁ।
22ଆଉ ଇସ୍ରାଏଲ-ସନ୍ତାନଗଣଙ୍କ ପାପ ବୋହି ଯେପରି ନ ମରନ୍ତି, ଏଥିପାଇଁ, ଏହି ସମୟଠାରୁ ସେମାନେ ସମାଗମ-ତମ୍ବୁ ନିକଟକୁ ଆସିବେ ନାହିଁ।
23ମାତ୍ର ଲେବୀୟମାନେ ସମାଗମ-ତମ୍ବୁର ସେବାକାର୍ଯ୍ୟ କରିବେ ଓ ସେମାନେ ଆପଣା ଆପଣା ଅପରାଧ ବୋହିବେ; ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମସ୍ଥାୟୀ ଅନନ୍ତକାଳୀନ ବିଧି, ପୁଣି, ସେମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ କୌଣସି ଅଧିକାର ପାଇବେ ନାହିଁ।
24କାରଣ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ରୂପେ ଯେଉଁ ଦଶମାଂଶ ଉତ୍ସର୍ଗ କରନ୍ତି, ତାହା ଆମ୍ଭେ ଲେବୀୟମାନଙ୍କୁ ଅଧିକାରାର୍ଥେ ଦେଲୁ; ଏହେତୁ ଆମ୍ଭେ ସେମାନଙ୍କ ବିଷୟରେ କହିଲୁ, ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସେମାନେ କୌଣସି ଅଧିକାର ପାଇବେ ନାହିଁ।”
25ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
26“ଆହୁରି ତୁମ୍ଭେ ଲେବୀୟମାନଙ୍କୁ କହିବ, ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ଇସ୍ରାଏଲ-ସନ୍ତାନଗଣଠାରୁ ଯେଉଁ ଦଶମାଂଶ ତୁମ୍ଭମାନଙ୍କୁ ଦେଲୁ, ତାହା ଯେଉଁ ସମୟରେ ତୁମ୍ଭେ ସେମାନଙ୍କଠାରୁ ଗ୍ରହଣ କରିବ, ସେହି ସମୟରେ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ରୂପେ ସେହି ଦଶମାଂଶର ଦଶମାଂଶ ଉତ୍ସର୍ଗ କରିବ।
27ତୁମ୍ଭମାନଙ୍କ ଏହି ଉତ୍ତୋଳନୀୟ ଉପହାର ଖଳାର ଶସ୍ୟ ତୁଲ୍ୟ ଓ ଦ୍ରାକ୍ଷାଯନ୍ତ୍ରର ପୂର୍ଣ୍ଣତା ତୁଲ୍ୟ ତୁମ୍ଭମାନଙ୍କ ପକ୍ଷରେ ଗଣାଯିବ।