19ତୁମ୍ଭେମାନେ ଦିନେ କିମ୍ବା ଦୁଇ ଦିନ କିମ୍ବା ପାଞ୍ଚ ଦିନ କିମ୍ବା ଦଶ ଦିନ କିମ୍ବା କୋଡ଼ିଏ ଦିନ ଖାଇବ, ତାହା ନୁହେଁ;
20ମାତ୍ର ସମ୍ପୂର୍ଣ୍ଣ ଏକ ମାସ, ଯେପର୍ଯ୍ୟନ୍ତ ତାହା ତୁମ୍ଭମାନଙ୍କ ନାସିକାରୁ ନିର୍ଗତ ଓ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ନ ହୁଏ, ସେପର୍ଯ୍ୟନ୍ତ ଖାଇବ; କାରଣ ତୁମ୍ଭେମାନେ ଆପଣାମାନଙ୍କ ମଧ୍ୟବର୍ତ୍ତୀ ସଦାପ୍ରଭୁଙ୍କୁ ଅଗ୍ରାହ୍ୟ କରି ତାହାଙ୍କ ସମ୍ମୁଖରେ କ୍ରନ୍ଦନ କରି କହିଅଛ, ଆମ୍ଭେମାନେ କାହିଁକି ମିସରରୁ ବାହାରି ଆସିଲୁ।
21ତେବେ ମୋଶା କହିଲେ, “ମୁଁ ଯେଉଁ ଲୋକମାନଙ୍କ ମଧ୍ୟରେ ଅଛି, ସେମାନେ ଛଅ ଲକ୍ଷ ପଦାତିକ; ତଥାପି ତୁମ୍ଭେ କହୁଅଛ, ଆମ୍ଭେ ସେମାନଙ୍କୁ ମାଂସ ଦେବା, ସେମାନେ ତାହା ସମ୍ପୂର୍ଣ୍ଣ ଏକ ମାସ ଖାଇବେ।
22ସେମାନଙ୍କୁ ଅଣ୍ଟିବା ଭଳି କ’ଣ ପଲ ପଲ ଗୋମେଷ ବଧ କରାଯିବ ? ଅବା ସେମାନଙ୍କୁ ଅଣ୍ଟିବା ଭଳି ସମୁଦ୍ରର ସବୁ ମାଛ କ’ଣ ଏକତ୍ର କରାଯିବ ?
23ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସଦାପ୍ରଭୁଙ୍କର ହସ୍ତ କି ସଙ୍କୁଚିତ ହୋଇଅଛି ? ତୁମ୍ଭ ପ୍ରତି ଆମ୍ଭର ବାକ୍ୟ ସଫଳ ହେବ କି ନାହିଁ, ତୁମ୍ଭେ ଏବେ ତାହା ଦେଖିବ।”
24ଏଥିରେ ମୋଶା ବାହାରକୁ ଯାଇ ଲୋକମାନଙ୍କୁ ସଦାପ୍ରଭୁଙ୍କର କଥା କହିଲେ, ପୁଣି, ସେ ଲୋକମାନଙ୍କର ପ୍ରାଚୀନବର୍ଗ ମଧ୍ୟରୁ ସତୁରି ଜଣଙ୍କୁ ଏକତ୍ର କରି ତମ୍ବୁର ଚତୁର୍ଦ୍ଦିଗରେ ରଖିଲେ।