Text copied!
CopyCompare
ଓଡିଆ ବାଇବେଲ - ବିଚାରକର୍ତ୍ତା - ବିଚାରକର୍ତ୍ତା 20

ବିଚାରକର୍ତ୍ତା 20:15-40

Help us?
Click on verse(s) to share them!
15ସେହିଦିନ ନଗରମାନରୁ ଆସିଥିବା ବିନ୍ୟାମୀନ୍ ସନ୍ତାନଗଣର ଛବିଶ ହଜାର ଖଡ୍ଗଧାରୀ ଲୋକ ଗଣିତ ହେଲେ, ଏହାଛଡ଼ା ଗିବୀୟା ନିବାସୀ ଲୋକମାନଙ୍କର ସାତ ଶହ ବଛା ଲୋକ ଗଣିତ ହେଲେ।
16ଏହି ଲୋକସମୂହ ମଧ୍ୟରେ ସାତ ଶହ ବଛା ଲୋକ ବାଁହାତିଆ ଥିଲେ; ସେମାନେ ପ୍ରତ୍ୟେକେ ବଣା ନୋହି ଏକ କେଶକୁ ହିଁ ଲକ୍ଷ୍ୟ କରି ଛାଟିଣୀ ମାରି ପାରନ୍ତି।
17ବିନ୍ୟାମୀନ୍ ଛଡ଼ା ଇସ୍ରାଏଲର ଖଡ୍ଗଧାରୀ ଚାରି ଲକ୍ଷ ଲୋକ ଗଣିତ ହେଲେ; ଏସମସ୍ତେ ଯୋଦ୍ଧା।
18ଏଥିଉତ୍ତାରେ ଇସ୍ରାଏଲ ସନ୍ତାନଗଣ ଉଠି ବେଥେଲ୍‍କୁ ଯାଇ ପରମେଶ୍ୱରଙ୍କ ନିକଟରେ ପଚାରି କହିଲେ; ବିନ୍ୟାମୀନ୍-ସନ୍ତାନଗଣ ସହିତ ଯୁଦ୍ଧ କରିବା ପାଇଁ ଆମ୍ଭମାନଙ୍କ ପକ୍ଷରୁ ପ୍ରଥମେ କିଏ ଯିବ ? ସଦାପ୍ରଭୁ କହିଲେ, ଯିହୁଦା ପ୍ରଥମେ ଯିବ।
19ତହିଁରେ ଇସ୍ରାଏଲ ସନ୍ତାନଗଣ ପ୍ରଭାତରେ ଉଠି ଗିବୀୟା ବିରୁଦ୍ଧରେ ଛାଉଣି ସ୍ଥାପନ କଲେ।
20ପୁଣି ଇସ୍ରାଏଲୀୟ ଲୋକମାନେ ବିନ୍ୟାମୀନ୍ ସଙ୍ଗେ ଯୁଦ୍ଧ କରିବାକୁ ବାହାରିଲେ ଓ ଇସ୍ରାଏଲୀୟ ଲୋକମାନେ ଗିବୀୟା ନିକଟରେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ସଜାଇଲେ।
21ତହିଁରେ ବିନ୍ୟାମୀନ୍-ସନ୍ତାନଗଣ ଗିବୀୟାରୁ ବାହାରି ସେହିଦିନ ଇସ୍ରାଏଲ ମଧ୍ୟରୁ ବାଇଶ ହଜାର ଲୋକଙ୍କୁ ସଂହାର କରି ଭୂମିରେ ନିପାତ କଲେ।
22ତହିଁ ଉତ୍ତାରେ ଇସ୍ରାଏଲୀୟ ଲୋକମାନେ ଆପଣାମାନଙ୍କୁ ଆଶ୍ୱାସ ଦେଇ ପ୍ରଥମ ଦିନ ଯେଉଁ ସ୍ଥାନରେ ଆପଣାମାନଙ୍କୁ ସଜାଇଥିଲେ, ପୁନର୍ବାର ସେହି ସ୍ଥାନରେ ଯୁଦ୍ଧ ସଜାଇଲେ।
23ପୁଣି ଇସ୍ରାଏଲ ସନ୍ତାନଗଣ ଉଠି ଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସମ୍ମୁଖରେ ରୋଦନ କଲେ; ପୁଣି ସେମାନେ ସଦାପ୍ରଭୁଙ୍କୁ ପଚାରି କହିଲେ, ଆମ୍ଭେ କି ଆପଣା ଭାଇ ବିନ୍ୟାମୀନ୍-ସନ୍ତାନଗଣ ସହିତ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେବା ? ତହିଁରେ ସଦାପ୍ରଭୁ କହିଲେ, ତାହା ବିରୁଦ୍ଧରେ ଯାଅ।
24ଏ ଉତ୍ତାରେ ଇସ୍ରାଏଲ ସନ୍ତାନଗଣ ଦ୍ୱିତୀୟ ଦିନ ବିନ୍ୟାମୀନ୍ ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେଲେ।
25ପୁଣି ବିନ୍ୟାମୀନ୍ ସେହି ଦ୍ୱିତୀୟ ଦିନ ସେମାନଙ୍କ ବିରୁଦ୍ଧରେ ଗିବୀୟାରୁ ବାହାରି ଇସ୍ରାଏଲ ସନ୍ତାନଗଣର ଅଠର ହଜାର ଲୋକଙ୍କୁ ପୁନର୍ବାର ସଂହାର କରି ଭୂମିରେ ନିପାତ କଲେ; ଏସମସ୍ତେ ଖଡ୍ଗଧାରୀ ଥିଲେ।
26ତେବେ ସମସ୍ତ ଇସ୍ରାଏଲ ସନ୍ତାନ ଓ ସମସ୍ତ ଲୋକ ଉଠି ବେଥେଲ୍‍କୁ ଯାଇ ରୋଦନ କଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ବସି ସେଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ କଲେ ଓ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
27ସେହି ସମୟରେ ପରମେଶ୍ୱରଙ୍କ ନିୟମ ସିନ୍ଦୁକ ସେଠାରେ ଥିଲା, ପୁଣି ହାରୋଣର ପୌତ୍ର, ଇଲୀୟାସରର ପୁତ୍ର ପୀନହସ୍‍ ସେହି ସମୟରେ ତହିଁ ସମ୍ମୁଖରେ ଠିଆ ହେବା ବ୍ୟକ୍ତି ଥିଲା।
28ଏହେତୁ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କୁ ପଚାରି କହିଲେ, ଆମ୍ଭେ ଆପଣା ଭାଇ ବିନ୍ୟାମୀନ୍-ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏବେହେଁ କି ପୁନର୍ବାର ଯିବା, ଅବା କ୍ଷାନ୍ତ ହେବା ? ସଦାପ୍ରଭୁ କହିଲେ, ଯାଅ; ଆମ୍ଭେ କାଲି ତୁମ୍ଭ ହସ୍ତରେ ତାହାକୁ ସମର୍ପଣ କରିବା।
29ତହୁଁ ଇସ୍ରାଏଲ ଗିବୀୟାର ଚତୁର୍ଦ୍ଦିଗରେ ଲୋକ ଛକି ବସାଇ ରଖିଲା।
30ଏଥିଉତ୍ତାରେ ତୃତୀୟ ଦିନ ଇସ୍ରାଏଲ ସନ୍ତାନଗଣ ବିନ୍ୟାମୀନ୍-ସନ୍ତାନଗଣ ବିରୁଦ୍ଧରେ ଉଠି ଗଲେ ଓ ପୂର୍ବ ପରି ଗିବୀୟା ନିକଟରେ ଆପଣାମାନଙ୍କୁ ସଜାଇଲେ।
31ତହୁଁ ବିନ୍ୟାମୀନ୍-ସନ୍ତାନଗଣ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ନଗରଠାରୁ ଦୂରକୁ ଆକର୍ଷିତ ହେଲେ; ପୁଣି ପୂର୍ବ ସମୟ ପରି ଲୋକମାନଙ୍କୁ ଆଘାତ ଓ ବଧ କରିବାକୁ ଲାଗିଲେ; ଆଉ ବେଥେଲ୍‍ ଆଡ଼େ ଓ କ୍ଷେତ୍ର ଦେଇ ଗିବୀୟା ଆଡ଼େ ଯିବା ଦୁଇ ସଡ଼କରେ ସେମାନେ ଊଣାଧିକ ଇସ୍ରାଏଲୀୟ ତିରିଶ ଲୋକଙ୍କୁ ବଧ କଲେ।
32ତହୁଁ ବିନ୍ୟାମୀନ୍-ସନ୍ତାନମାନେ କହିଲେ, ଏମାନେ ତ ପୂର୍ବ ପରି ଆମ୍ଭମାନଙ୍କ ସମ୍ମୁଖରେ ପରାସ୍ତ ହେଉଅଛନ୍ତି। ମାତ୍ର ଇସ୍ରାଏଲ ସନ୍ତାନଗଣ କହିଲେ, ଆମ୍ଭେମାନେ ପଳାଇ ନଗରରୁ ସଡ଼କକୁ ସେମାନଙ୍କୁ ଆକର୍ଷଣ କରିନେଉ।
33ତହୁଁ ଇସ୍ରାଏଲ ଲୋକ ସମସ୍ତେ ଆପଣା ଆପଣା ସ୍ଥାନରୁ ଉଠି ବାଲ୍‍ତାମରରେ ଆପଣାମାନଙ୍କୁ ସଜାଇଲେ; ଏଥିମଧ୍ୟରେ ଇସ୍ରାଏଲର ଛକି ବସିବା ଲୋକମାନେ ଗିବୀୟାସ୍ଥ ଆପଣା ଆପଣା ସ୍ଥାନରୁ ଏକାବେଳେ ଉଠି ଆସିଲେ।
34ତହୁଁ ଇସ୍ରାଏଲୀୟ ସମସ୍ତ ଲୋକଙ୍କ ମଧ୍ୟରୁ ଦଶ ହଜାର ବଛା ଲୋକ ଗିବୀୟା ନିକଟକୁ ଆସନ୍ତେ, ଭାରୀ ଯୁଦ୍ଧ ହେଲା; ମାତ୍ର ଅମଙ୍ଗଳ ଆସି ଯେ ସେମାନଙ୍କ ଉପରେ ପଡ଼ିଲାଣି, ଏହା ସେମାନେ ଜାଣିଲେ ନାହିଁ।
35ସେତେବେଳେ ସଦାପ୍ରଭୁ ଇସ୍ରାଏଲ ସମ୍ମୁଖରେ ବିନ୍ୟାମୀନ୍‍କୁ ଆଘାତ କଲେ; ତହିଁରେ ଇସ୍ରାଏଲ ସନ୍ତାନଗଣ ସେହିଦିନ ବିନ୍ୟାମୀନ୍‍ର ପଚିଶ ହଜାର ଏକ ଶହ ଲୋକ ବଧ କଲେ; ଏସମସ୍ତେ ଖଡ୍ଗଧାରୀ ଥିଲେ।
36ଏହିରୂପେ ବିନ୍ୟାମୀନ୍-ସନ୍ତାନଗଣ ଆପଣାମାନଙ୍କୁ ପରାସ୍ତ ହେବାର ଦେଖିଲେ; କାରଣ ଇସ୍ରାଏଲୀୟ ଲୋକମାନେ ଗିବୀୟାରେ ଛକି ବସାଇଥିବା ଲୋକମାନଙ୍କ ଉପରେ ନିର୍ଭର ରଖି ବିନ୍ୟାମୀନ୍‍କୁ ସ୍ଥାନ ଛାଡ଼ିଦେଲେ।
37ଏଥିମଧ୍ୟରେ ଛକି ବସିବା ଲୋକମାନେ ଶୀଘ୍ର ମାଡ଼ି ଆସି ଗିବୀୟା ଆକ୍ରମଣ କଲେ; ପୁଣି ଛକି ବସିବା ଲୋକମାନେ ଆସି ଖଡ୍ଗଧାରରେ ସମସ୍ତ ନଗର ଆଘାତ କଲେ।
38ଆଉ ସେହି ଛକି ବସିବା ଲୋକମାନେ ଯେପରି ନଗରରୁ ବୃହତ ଧୂମ-ମେଘ ଉଠାଇବେ; ଇସ୍ରାଏଲୀୟ ଲୋକଙ୍କ ସହିତ ସେମାନଙ୍କର ଏହି ଚିହ୍ନ ସ୍ଥିର ହୋଇଥିଲା।
39ଏହେତୁ ଇସ୍ରାଏଲୀୟ ଲୋକମାନେ ଯୁଦ୍ଧ ବେଳେ ମୁଖ ଫେରାଇଲେ, ତହୁଁ ବିନ୍ୟାମୀନ୍ ଇସ୍ରାଏଲର ଲୋକମାନଙ୍କୁ ଆଘାତ କରି ଊଣାଧିକ ତିରିଶ ଜଣଙ୍କୁ ବଧ କଲେ; କାରଣ ସେମାନେ କହିଲେ, ପ୍ରଥମ ଯୁଦ୍ଧରେ ଯେପରି, ଏବେ ମଧ୍ୟ ସେପରି, ନିଶ୍ଚୟ ଏମାନେ ଆମ୍ଭମାନଙ୍କ ସମ୍ମୁଖରେ ପରାସ୍ତ ହେଉଅଛନ୍ତି।
40ମାତ୍ର ଯେତେବେଳେ ନଗରରୁ ସ୍ତମ୍ଭାକାରରେ ଧୂମ ମେଘ ଉଠିବାକୁ ଲାଗିଲା, ସେତେବେଳେ ବିନ୍ୟାମୀନୀୟ ଲୋକମାନେ ପଛକୁ ଅନାଇଲେ, ଆଉ ଦେଖ, ସମୁଦାୟ ନଗରର ଧୂମ ଆକାଶକୁ ଉଠୁଅଛି।

Read ବିଚାରକର୍ତ୍ତା 20ବିଚାରକର୍ତ୍ତା 20
Compare ବିଚାରକର୍ତ୍ତା 20:15-40ବିଚାରକର୍ତ୍ତା 20:15-40