2ମୁଁ ଦୃଷ୍ଟାନ୍ତ-କଥାରେ ଆପଣା ମୁଖ ଫିଟାଇବି; ମୁଁ ପୂର୍ବକାଳର ଗୂଢ଼ ବାକ୍ୟସବୁ ପ୍ରକାଶ କରିବି;
3ଆମ୍ଭେମାନେ ତାହାସବୁ ଶୁଣି ଜାଣିଅଛୁ ଓ ଆମ୍ଭମାନଙ୍କ ପିତୃଗଣ ଆମ୍ଭମାନଙ୍କୁ ଜଣାଇ ଅଛନ୍ତି।
4ଆମ୍ଭେମାନେ ତାହାସବୁ ସେମାନଙ୍କ ସନ୍ତାନଗଣଠାରୁ ଗୁପ୍ତ ରଖିବା ନାହିଁ, ଆସନ୍ତା ପିଢ଼ି ନିକଟରେ ସଦାପ୍ରଭୁଙ୍କର ପ୍ରଶଂସା ଓ ତାହାଙ୍କର ପରାକ୍ରମ ଓ ତାହାଙ୍କ କୃତ ଆଶ୍ଚର୍ଯ୍ୟ କର୍ମସକଳ ବର୍ଣ୍ଣନା କରିବା।
5କାରଣ ସେ ଯାକୁବ ମଧ୍ୟରେ ଏକ ସାକ୍ଷ୍ୟ ସ୍ଥାପନ କଲେ ଓ ଇସ୍ରାଏଲର ମଧ୍ୟରେ ଏକ ବ୍ୟବସ୍ଥା ନିରୂପଣ କଲେ, ଆପଣା ସନ୍ତାନଗଣକୁ ତାହା ଜଣାଇବା ନିମନ୍ତେ ଆମ୍ଭମାନଙ୍କ ପିତୃଗଣକୁ ଆଜ୍ଞା କଲେ;
6ଯେପରି ଆସନ୍ତା ପୁରୁଷ, ଅର୍ଥାତ୍, ଯେଉଁ ସନ୍ତାନଗଣ ଜାତ ହେବେ, ସେମାନେ ଜାଣିବେ ଓ ଉଠି ଆପଣା ଆପଣା ସନ୍ତାନଗଣକୁ ତାହା ଜଣାଇବେ;
7ତହିଁରେ ସେମାନେ ଯେପରି ପରମେଶ୍ୱରଙ୍କଠାରେ ଭରସା ରଖି ପାରିବେ ଓ ପରମେଶ୍ୱରଙ୍କ କ୍ରିୟାସକଳ ପାସୋରି ନ ଯିବେ, ମାତ୍ର ତାହାଙ୍କ ଆଜ୍ଞାସବୁ ପାଳନ କରିବେ;
8ପୁଣି, ଆପଣା ପିତୃଗଣ ତୁଲ୍ୟ ଅବାଧ୍ୟ ଓ ବିଦ୍ରୋହୀ ବଂଶ ହେବେ ନାହିଁ; ସେହି ବଂଶ ଆପଣା ଆପଣା ଅନ୍ତଃକରଣ ଯଥାର୍ଥ ରୂପେ ସୁସ୍ଥିର କଲେ ନାହିଁ; ଓ ସେମାନଙ୍କ ଆତ୍ମା ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା।
9ଇଫ୍ରୟିମର ସନ୍ତାନଗଣ ସସଜ୍ଜ ଓ ଧନୁର୍ଦ୍ଧର ହୋଇ ସଂଗ୍ରାମ ଦିନରେ ହଟିଗଲେ।
10ସେମାନେ ପରମେଶ୍ୱରଙ୍କ ନିୟମ ପାଳନ କଲେ ନାହିଁ ଓ ତାହାଙ୍କ ବ୍ୟବସ୍ଥାନୁସାରେ ଚାଲିବା ପାଇଁ ଅସ୍ୱୀକାର କଲେ;
11ସେମାନେ ତାହାଙ୍କ କାର୍ଯ୍ୟସକଳ, ସେମାନଙ୍କ ପ୍ରତି ପ୍ରକାଶିତ ତାହାଙ୍କ ଆଶ୍ଚର୍ଯ୍ୟ କ୍ରିୟାସକଳ ଭୁଲି ଗଲେ।
12ସେ ସେମାନଙ୍କ ପିତୃଗଣ ସାକ୍ଷାତରେ ମିସର ଦେଶରେ, ସୋୟନ-ପଦାରେ ନାନା ଆଶ୍ଚର୍ଯ୍ୟ କର୍ମ କଲେ।
13ସେ ସମୁଦ୍ରକୁ ବିଭକ୍ତ କରି ସେମାନଙ୍କୁ ପାର କରାଇଲେ; ପୁଣି, ସେ ଜଳସମୂହକୁ ରାଶୀ ରୂପେ ଠିଆ କରାଇଲେ।
14ଦିବସରେ ସେ ମେଘ ଦ୍ୱାରା ଓ ରାତ୍ରିରେ ଅଗ୍ନିତେଜ ଦ୍ୱାରା ସେମାନଙ୍କୁ ପଥ କଢ଼ାଇ ନେଲେ।
15ପ୍ରାନ୍ତରରେ ସେ ଶୈଳମାନଙ୍କୁ ବିଦୀର୍ଣ୍ଣ କଲେ, ପୁଣି, ଯେପରି ଅଗାଧସ୍ଥଳରୁ, ସେପରି ସେମାନଙ୍କୁ ପ୍ରଚୁର ଜଳ ପାନ କରାଇଲେ।
16ସେ ଶୈଳରୁ ସ୍ରୋତ ବାହାର କଲେ ଓ ନଦୀ ତୁଲ୍ୟ ଜଳ ବହାଇଲେ।
17ତଥାପି ସେମାନେ ତାହାଙ୍କ ବିରୁଦ୍ଧରେ ପାପ କରିବାକୁ ଓ ମରୁଭୂମିରେ ସର୍ବୋପରିସ୍ଥଙ୍କ ପ୍ରତିକୂଳରେ ବିଦ୍ରୋହାଚରଣ କରିବାକୁ ନିରସ୍ତ ନୋହିଲେ।
18ପୁଣି, ସେମାନେ ଆପଣାମାନଙ୍କ ଅଭିଳାଷ ପୂରଣାର୍ଥେ ଭକ୍ଷ୍ୟ ମାଗି ଆପଣା ଆପଣା ମନରେ ପରମେଶ୍ୱରଙ୍କର ପରୀକ୍ଷା କଲେ।
19ହଁ, ସେମାନେ ପରମେଶ୍ୱରଙ୍କ ପ୍ରତିକୂଳରେ କଥା କହିଲେ; ସେମାନେ କହିଲେ, “ପରମେଶ୍ୱର କି ପ୍ରାନ୍ତରରେ ମେଜ ସଜାଇ ପାରିବେ ?
20ଦେଖ, ସେ ଶୈଳକୁ ଆଘାତ କରନ୍ତେ, ଜଳ ନିର୍ଗତ ହେଲା ଓ ସ୍ରୋତ ପ୍ରବାହିତ ହେଲା; ସେ କି ଅନ୍ନ ମଧ୍ୟ ଦେଇ ପାରନ୍ତି ? ସେ କି ଆପଣା ଲୋକମାନଙ୍କ ନିମନ୍ତେ ମାଂସ ଯୋଗାଇବେ ?”
21ଏହେତୁ ସଦାପ୍ରଭୁ ଶୁଣି କୋପାନ୍ୱିତ ହେଲେ ଓ ଯାକୁବ ବିରୁଦ୍ଧରେ ଅଗ୍ନି ପ୍ରଜ୍ୱଳିତ ହେଲା ଓ ଇସ୍ରାଏଲ ବିରୁଦ୍ଧରେ ମଧ୍ୟ କ୍ରୋଧ ଉଠିଲା;
22କାରଣ ସେମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ ନାହିଁ ଓ ତାହାଙ୍କ ପରିତ୍ରାଣରେ ନିର୍ଭର ରଖିଲେ ନାହିଁ।
23ତଥାପି ସେ ଉପରିସ୍ଥ ମେଘମାଳକୁ ଆଜ୍ଞା କଲେ ଓ ଆକାଶର ଦ୍ୱାର ମୁକ୍ତ କଲେ।
24ଆଉ, ସେ ଭୋଜନାର୍ଥେ ସେମାନଙ୍କ ଉପରେ ମାନ୍ନା ବର୍ଷାଇଲେ ଓ ସେମାନଙ୍କୁ ସ୍ୱର୍ଗର ଶସ୍ୟ ପ୍ରଦାନ କଲେ।
25ପରାକ୍ରମୀଗଣର ଆହାର ମନୁଷ୍ୟ ଭୋଜନ କଲା; ସେ ସେମାନଙ୍କ ତୃପ୍ତି ପର୍ଯ୍ୟନ୍ତ ଭକ୍ଷ୍ୟ ପଠାଇଲେ।
26ସେ ଆକାଶରେ ପୂର୍ବୀୟ ବାୟୁ ବହାଇଲେ ଓ ନିଜ ପରାକ୍ରମ ଦ୍ୱାରା ଦକ୍ଷିଣ ବାୟୁ ଚଳାଇଲେ।
27ମଧ୍ୟ ସେ ଧୂଳି ପରି ସେମାନଙ୍କ ଉପରେ ମାଂସ ବର୍ଷାଇଲେ, ପୁଣି, ସମୁଦ୍ରର ବାଲି ପରି ପକ୍ଷୀମାନଙ୍କୁ ବର୍ଷାଇଲେ;
28ସେ ସେମାନଙ୍କ ଛାଉଣି ମଧ୍ୟରେ, ସେମାନଙ୍କ ଆବାସର ଚତୁର୍ଦ୍ଦିଗରେ ତାହା ବର୍ଷାଇଲେ।
29ତହିଁରେ ସେମାନେ ଭୋଜନ କରି ପରିତୃପ୍ତ ହେଲେ ଓ ସେ ସେମାନଙ୍କ ଅଭିଳାଷିତ ବିଷୟ ସେମାନଙ୍କୁ ପ୍ରଦାନ କଲେ।
30ଅଭିଳାଷିତ ବିଷୟରୁ ସେମାନଙ୍କ ସ୍ନେହ ଭଙ୍ଗ ନୋହୁଣୁ, ଖାଦ୍ୟ ସେମାନଙ୍କ ମୁଖରେ ଥାଉ ଥାଉ
31ପରମେଶ୍ୱରଙ୍କ କ୍ରୋଧ ସେମାନଙ୍କ ପ୍ରତିକୂଳରେ ଉଠିଲା ଓ ସେମାନଙ୍କ ହୃଷ୍ଟପୁଷ୍ଟ ଲୋକଙ୍କ ମଧ୍ୟରୁ ବଧ କଲା, ପୁଣି, ଇସ୍ରାଏଲର ଯୁବାଗଣକୁ ସଂହାର କଲା।
32ଏସବୁ ହେଲେ ହେଁ ସେମାନେ ପୁନର୍ବାର ପାପ କଲେ ଓ ତାହାଙ୍କ ଆଶ୍ଚର୍ଯ୍ୟ କ୍ରିୟାରେ ବିଶ୍ୱାସ କଲେ ନାହିଁ।
33ଏହେତୁ ସେ ଅସାରତାରେ ସେମାନଙ୍କ ଦିନ ଓ ଆତଙ୍କରେ ସେମାନଙ୍କ ବର୍ଷସବୁ କ୍ଷେପଣ କରାଇଲେ,
34ସେ ସେମାନଙ୍କୁ ବଧ କଲା ବେଳେ, ସେମାନେ ତାହାଙ୍କୁ ଖୋଜିଲେ; ଆଉ, ଫେରି ଶୀଘ୍ର ପରମେଶ୍ୱରଙ୍କ ଅନ୍ୱେଷଣ କଲେ।
35ପରମେଶ୍ୱର ଯେ ସେମାନଙ୍କର ଶୈଳ ଓ ସର୍ବୋପରିସ୍ଥ ପରମେଶ୍ୱର ଯେ ସେମାନଙ୍କର ମୁକ୍ତିକର୍ତ୍ତା, ଏହା ସ୍ମରଣ କଲେ।
36ମାତ୍ର ସେମାନେ ମୁଖରେ ତାହାଙ୍କର ଚାଟୁବାଦ କଲେ ଓ ଜିହ୍ୱାରେ ତାହାଙ୍କ ନିକଟରେ ମିଥ୍ୟା କହିଲେ।
37କାରଣ ସେମାନଙ୍କ ଅନ୍ତଃକରଣ ତାହାଙ୍କ ପ୍ରତି ସ୍ଥିର ନ ଥିଲା, କିଅବା ସେମାନେ ତାହାଙ୍କ ନିୟମରେ ବିଶ୍ୱସ୍ତ ନ ଥିଲେ।
38ମାତ୍ର ସେ ସ୍ନେହଶୀଳ ହେବାରୁ ସେମାନଙ୍କ ଅପରାଧ କ୍ଷମା କରି ସେମାନଙ୍କୁ ଧ୍ୱଂସ କଲେ ନାହିଁ; ପୁଣି, ସେ ଅନେକ ଥର ଆପଣା କ୍ରୋଧ ସମ୍ବରଣ କରି ଆପଣା କୋପ ଉତ୍ତେଜ କଲେ ନାହିଁ।
39ଆଉ, ସେମାନେ ଯେ ମାଂସମାତ୍ର ଓ ବହିଯାଇ ଫେରି ନ ଆସିବା ବାୟୁ ସ୍ୱରୂପ, ଏହା ସେ ସ୍ମରଣ କଲେ।
40ସେମାନେ ପ୍ରାନ୍ତର ମଧ୍ୟରେ କେତେ ଥର ତାହାଙ୍କର ବିଦ୍ରୋହୀ ହେଲେ ଓ ମରୁଭୂମିରେ ତାହାଙ୍କୁ ଅସନ୍ତୁଷ୍ଟ କଲେ।
41ସେମାନେ ପୁନର୍ବାର ବିମୁଖ ହୋଇ ପରମେଶ୍ୱରଙ୍କୁ ପରୀକ୍ଷା କଲେ ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କୁ ବିରକ୍ତ କଲେ।